ଦରମା ପାଇଁ ସେହୱାଗ ହେଉନାହାନ୍ତି କି ବିସିସିଆଇର ମୂଖ୍ୟ ଚୟନ କର୍ତ୍ତା ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ରେ ବର୍ତ୍ତମାନ ବରିଷ୍ଠ ଚୟନକର୍ତ୍ତା ଖୋଜିବାରେ ଲାଗିଛି। ବର୍ତ୍ତମାନ ଶିବସୁନ୍ଦର ଦାସ ମୁଖ୍ୟ ଭାବେ ଦାୟିତ୍ବ ବହନ କରୁଛନ୍ତି। ପୂର୍ବତନ ମୁଖ୍ୟ ଚେତନ ଶର୍ମା ବୋର୍ଡର ଆଭ୍ୟନ୍ତରୀଣ କଥାକୁ କ୍ୟାମେରା ଆଗରେ କହିଦେଇ ଷ୍ଟିଙ୍ଗ ଅପରେସନ୍‌ରେ ଧରାପଡ଼ିବାରୁ ବିସିସିଆଇ ତାଙ୍କୁ ଦାୟିତ୍ବରୁ ହଟାଇ ଦେଇଥିଲା ଏବଂ ଶିବସୁନ୍ଦରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଗତ କିଛି ବର୍ଷ ହେବ ଜାତୀୟ ଚୟନକର୍ତ୍ତା ପଦବି ପାଇଁ ଦେଶର ନାମୀ କ୍ରିକେଟର୍‌ମାନେ ମୁହଁ ଫେରାଇ ନେଉଥିବା ଜଣାପଡ଼ିଛି। ଏହି ପଦବିରେ ଯେତିକି ସମ୍ମାନ ସେମାନେ ଆଶା କରୁଛନ୍ତି, ହୁଏତ ତାହା ମିଳିପାରୁନଥିବାରୁ ଏପରି ହେଉଥିବା ଅନୁମାନ କରାଯାଉଛି। ଚୟନ ସମିତିରେ ମୁଖ୍ୟ ଚୟନକର୍ତ୍ତାଙ୍କୁ ବାର୍ଷିକ ୧ କୋଟି ଟଙ୍କା ଏବଂ ଅନ୍ୟ ସଦସ୍ୟଙ୍କୁ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ଏହାକୁ ଦେଖିଲେ ପ୍ରସାରଣକାରୀ ସଂସ୍ଥା ପୂର୍ବତନ କ୍ରିକେଟରଙ୍କୁ ଦେଉଥିବା ପାଉଣା ତୁଳନାରେ ବିସିସିଆଇ ପ୍ରାପ୍ୟ ବହୁତ କମ୍‌ ହୋଇଯାଉଛି।ବିସିସିଆଇର ଜଣେ ଅଧିକାରୀଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ବୋର୍ଡର ପ୍ରଶାସନିକ ସମିତି ହାତରେ କ୍ଷମତା ରହିଥିଲା ସେତେବେଳେ ବୀରେନ୍ଦ୍ର ସେହବାଗ୍‌ଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦବି ପାଇଁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏହି ପଦବି ଅନୀଲ କୁମ୍ବଲେଙ୍କୁ ମିଳିଥିଲା। ତେଣୁ ସେହବାଗ୍‌ଙ୍କ ଭଳି କ୍ରିକେଟର ସ୍ବତଃ ଏହି ପଦବି ପାଇଁ ଆବେଦନ କରିବେନି ଏବଂ ତାଙ୍କ ଭଳି ବ୍ୟକ୍ତିତ୍ବଙ୍କ ପାଇଁ ବୋର୍ଡର ପାଉଣା ସନ୍ତୋଷଜନକ ହେଉନଥିବା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *