ଇସ୍ରାଇଲର କାହାଣୀ- ଆସନ୍ତୁ ଜାଣିବା …

ନୂଆଦିଲ୍ଲୀ : ଦ୍ଵିତୀୟ ବିଶ୍ୱଯୁଦ୍ଧର ସମାପ୍ତି ପରେ ବିଶ୍ଵ ରାଜନୈତିକ ଶକ୍ତି ମାନଚିତ୍ରରେ ପୁନର୍ବିନ୍ୟାସ ଘଟିଲା । ବର୍ତ୍ତମାନ ଆମେରିକା ଓ ସୋଭିଏତ ୟୁନିୟନ ଦୁଇ ମହାଶକ୍ତି । ପରସ୍ପର ମଧ୍ୟରେ କୌଣସି ଭୌଗଳିକ ଦ୍ୱନ୍ଦ୍ୱ ନ ଥିଲା । ଆମେରିକାର ସବୁଠାରୁ ବଡ଼ ଚିନ୍ତା ହେଲା ପଶ୍ଚିମ ଇଉରୋପକୁ ନେଇ । ଏହାର କାରଣ ପୂର୍ବ ଇଉରୋପୀୟ ଦେଶଗୁଡ଼ିକର ସମାଜତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ହେଇଯିବା ଯୋଗୁଁ ଆମେରିକା ଓ ପୁଞ୍ଜିବାଦୀ ଅର୍ଥଶାସ୍ତ୍ରୀଙ୍କୁ କମ୍ୟୁନିଜିମ(କୋଠବାଦ) ଭୂତ ଘାରିଲା। ।
ଗଣମାଧ୍ୟମ ଜଗତକୁ ନିୟନ୍ତ୍ରଣ କରୁଥିବା ଆମେରିକୀୟ ଓ ବ୍ରିଟିଶ ମିଡ଼ିଆ ପ୍ରଚାର କରି ଚାଲିଲା ରୁଷିଆ ଭୂତ ସମଗ୍ର ବିଶ୍ୱକୁ ଗୋଟିକିଆ ଗିଳି ଦେବ । ସେତେବେଳେ ସମଗ୍ର ପୃଥିବୀରେ ଶୋଷିତ , ଏପରିକି ମଧ୍ୟବିତ୍ତ ଶ୍ରେଣୀ ଜନମାନସରେ ସୋଭିଏତ ରାଷ୍ଟ୍ର ଓ ଏହାର ମହାନ ନେତା କମ୍ରେଡ଼ ଜୋସେଫ ଷ୍ଟାଲିନଙ୍କ ଜୟ ଜୟକାର ।ଆମେରିକା ଓ ପଶ୍ଚିମ ଇଉରୋପ ଜନତା ମଧ୍ୟରେ କମ୍ୟୁନିଷ୍ଟ ଆଦର୍ଶ ନେଇ ଆଲୋଡନ । ବହୁ ପୂର୍ବରୁ ମହାନ ଲେନିନ ଓ ଦ୍ଵିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଷ୍ଟାଲିନ ନିଜର ତାତ୍ତ୍ୱିକ ଲେଖା ମାଧ୍ୟମରେ ଘୋଷଣା କରି ସାରିଥିଲେ ଦୁଇ ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାର ଶାନ୍ତିପୂର୍ଣ ସହାବସ୍ଥାନ କେବଳ ଅସମ୍ଭବ ନୁହେଁ, ଅପରିହାର୍ଯ୍ୟ ମଧ୍ୟ । ଷ୍ଟାଲିନ ଦ୍ଵିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଆମେରିକା, ଜର୍ମାନୀ, ବ୍ରିଟିଶ, ଜାପାନ ପ୍ରଭୃତି ଦେଶର ବିଶ୍ୱ ପ୍ରସିଦ୍ଧ ଜର୍ଣ୍ଣାଲିଷ୍ଟଙ୍କୁ ସାକ୍ଷାତକାର ଦେଇ ଏକଥା ସ୍ୱଷ୍ଟ କରି ସାରିଥିଲେ । ତଥାପି ପୁଞ୍ଜିବାଦୀ ବିଶ୍ୱ ବ୍ୟବସ୍ଥାର ମହାଶକ୍ତି ଆମେରିକା ବିଭିନ୍ନ ଦେଶର ଶ୍ରମିକ ଶ୍ରେଣୀ ବିପ୍ଳବ ସମ୍ଭାବନା ଓ ଜାତୀୟ ମୁକ୍ତି ଆନ୍ଦୋଳନ ଜୁଆର ଦେଖି ଆତଙ୍କିତ ଥିଲା ।
ଅନ୍ୟ ପକ୍ଷରେ ବିଶ୍ଵଯୁଦ୍ଧ ପୂର୍ବର ବୃହତ୍ତମ ଔପନିବେଶିକ ଶକ୍ତି ଗ୍ରେଟ ବ୍ରିଟେନ ନିଜର ପୋଜିସନକୁ ପଶ୍ଚିମ ଏସିଆ ଭୂଖଣ୍ଡରେ ରକ୍ଷା କରିବା ସମ୍ଭବ ନଥିଲା । ତେଣୁ ଫେବୃଆରୀ 1947ରେ ନିଜ ପକ୍ଷରୁ ପାଲେଷ୍ଟାଇନ ସମେତ ଅନ୍ୟାନ୍ୟ ଉପନିବେଶଗୁଡିକରୁ ନିଜକୁ ପ୍ରତ୍ୟାହାର ଘୋଷଣା କଲା । ଆମେରିକାକୁ ମଧ୍ୟପ୍ରାଚ୍ୟର ବାଟେନ ଧରେଇ ଦେଲା । ସେତେବେଳେ ପୂର୍ଵ ଇଉରୋପ ଓ କେନ୍ଦ୍ର ଇଉରୋପରେ ସୋଭିଏତ ବ୍ଲକ ନେତୃତ୍ୱରେ ସମାଜବାଦୀ ରାଷ୍ଟ୍ର ସମୂହ । ମଧ୍ୟପ୍ରାଚ୍ୟ, ତୁର୍କୀ ଓ ବିଶେଷ କରି ଇରାନ ରେ କାଳେ ବିପ୍ଳବ ହେଇଯିବ କିମ୍ବା ସ୍ୱାଧୀନ ଜାତୀୟ ରାଷ୍ଟ୍ର ହେବା ପରେ ସେମାନେ ସୋଭିଏତ ବ୍ଲକ ଆଡକୁ ଢଳି ଯିବେ ଏହି ଚିନ୍ତା ରାଷ୍ଟ୍ରପତି ହ୍ୟାରୀ ଟ୍ରୁମ୍ୟାନ ପ୍ରଶାସନକୁ ଘାରିଲା । ପୂର୍ବରୁ ରାଷ୍ଟ୍ରପତି ରୁଜଭେଲଟଙ୍କ 1945 ରେ ମୃତ୍ୟୁ ହେଇ ଯାଇଥିଲା । ରୁଜଭେଲଟ ଜଣେ ଉଦାର ବାଦୀ ଡେମୋକ୍ରାଟ ଥିଲେ ଓ ସୋଭିଏତ ନେତୃତ୍ୱ ଓ ପ୍ରଶାସନ ସହ ତାଳମେଳ ଓ ବନ୍ଧୁତ୍ବପୂର୍ଣ ସମ୍ପର୍କ ଥିଲା । ଟ୍ରୁମ୍ୟାନଙ୍କ ବେଳେ ଚିତ୍ର ବଦଳି ଗଲା ।
ମାର୍ଚ୍ଚ12, 1947ରେ ଆମେରିକା ଟ୍ରୁମ୍ୟାନଙ୍କ ଡକ୍ଟ୍ରିନ ( Trueman Doctrine ) ଘୋଷଣା କଲା । ଏହାର ଆଭିମୁଖ୍ୟ ଥିଲା ସୋଭିଏତ ପ୍ରଭାବ ଓ କମ୍ୟୁନିଜିମ ଭୂତକୁ ରୋକିବା । ଗ୍ରୀସ ଓ ତୁର୍କୀକୁ ଅର୍ଥନୈତିକ ସହାୟତା ଘୋଷଣା କଲା । ଏହି ଦୁଇ ଦେଶ ସୋଭିଏତ ଆଡକୁ ଢଳିବା ସମ୍ଭାବନା ଅଧିକ ବୋଲି ଆମେରିକା ଆକଳନ କରିଥିଲା । ଏଇଠି ଆରମ୍ଭ ହେଲା ମାର୍ଶାଲ ପ୍ଲାନ । ଏହା ଆମେରିକାର ବୈଦେଶିକ ମନ୍ତ୍ରୀ ଜର୍ଜ ମାର୍ଶାଲଙ୍କ ଯୋଜନା ଥିଲା ଯିଏ 1947ରେ ପଶ୍ଚିମ ଇଉରୋପ ଦେଶଗୁଡ଼ିକୁ ଆର୍ଥିକ ସହାୟତା ଦେବାକଥା ଘୋଷଣା କରିଥିଲେ । 3, ଏପ୍ରିଲ 1948ରେ ରାଷ୍ଟ୍ରପତି ଟ୍ରୁମ୍ୟାନ ମାର୍ଶାଲ ପ୍ଲାନ ପାଇଁ Economic recovery act ସ୍ବାକ୍ଷର କଲେ । ଏହି ଠାରୁ ଆମେରିକା ଓ ଇଉରୋପରେ Cold War Fear Psycology ସୃଷ୍ଟି କରାଗଲା । ଯଦିଓ କମ୍ୟୁନିଜିମ ଓ ସୋଭିଏତ ଶକ୍ତି ସମ୍ପର୍କରେ ଉଭୟ ଆମେରିକା ଓ ଗ୍ରେଟବ୍ରିଟେନ ମଧ୍ୟରେ ବିଚାରଗତ ସାମଞ୍ଜସ୍ୟ ଥିଲା , କିନ୍ତୁ ପାଲେଷ୍ଟାଇନରେ ନିଜ ନିଜର ସ୍ୱାର୍ଥ ପ୍ରଶ୍ନ ଉପରେ ଉଭୟଙ୍କ ଭିନ୍ନ ମତ ଥିଲା । ଏହା ପରଠାରୁ ଆମେରିକାର ମଧ୍ୟପ୍ରାଚ୍ୟରେ ସିଧାସଳଖ ଓ ଦୀର୍ଘସ୍ଥାୟୀ ଉପସ୍ଥିତିର ମୂଳଦୂଆ ସୁଦୃଢ ଭାବରେ ପଡ଼ିଲା ।
ଐତିହାସିକ ଚାର୍ଲସ ଡି ସ୍ମିଥ ଉଲ୍ଲେଖ କରିଛନ୍ତି -” Immigration became the nexus of British -America -Zionist Interaction “. ବ୍ରିଟିଶ ନିଜର ଉପନିବେଶଗୁଡିକ ସମ୍ପର୍କରେ ରଣନୀତି ପୁନଃସମୀକ୍ଷା କରୁଥିଲା । ପୂର୍ବରୁ 1939ର White Papers ଘୋଷଣା ରହିଛି । ପାରସ୍ୟ ଉପସାଗର ତୈଳ ଖଣିଗୁଡିକ ବ୍ରିଟିଶ ଅର୍ଥନୀତି ପାଇଁ ଅତ୍ୟନ୍ତ ଜରୁରୀ । ତେଣୁ ସେତେବେଳେ ବ୍ରିଟେନ ପରିବର୍ତ୍ତିତ ପରିସ୍ଥିତିରେ ଆରବ ଦେଶଗୁଡିକ ପ୍ରତି ବନ୍ଧୁତ୍ବର ସମ୍ପର୍କ ଉତ୍ତମ ରଖିବ ବୋଲି ସଂକେତ ପ୍ରଦାନ କରୁଥାଏ । ତେଣୁ ଅଧିକ ସଂଖ୍ୟାରେ ପାଲେଷ୍ଟାଇନକୁ immigration ହେଲେ ଆରବ ଦେଶଗୁଡ଼ିକ ସହ ଦ୍ବନ୍ଦ୍ୱ ବଢିବା ଆଶଙ୍କା ଥିଲା ଯାହାଦ୍ୱାରା ବ୍ରିଟିଶ ସ୍ୱାର୍ଥ ରେ ବାଧା ଉପୁଜିବ । ଅନ୍ୟ ପକ୍ଷରେ ବ୍ରିଟିଶ- ଆମେରିକା ମଧ୍ୟରେ ମଧ୍ୟ ପ୍ରାଚ୍ୟକୁ ନେଇ ଦ୍ବନ୍ଦ୍ୱ ବଢ଼ିଲା । କିନ୍ତୁ ଆମେରିକା ପ୍ରଶାସନ Zionist ଆଡ଼କୁ ଢଳିଲେ । ଆଗକୁ ଆମେରିକାର ନିର୍ବାଚନ ଥିବାରୁ Trueman ବ୍ରିଟିଶ ପ୍ରଶାସନକୁ କହିଲେ, ” Iam sorry gentlemen, but Iam to answer hundreds of thousands who are anxious for Zionism ; I do’nt have hundreds of thousands of Arabs for my constituents .” ଅନ୍ୟ ପକ୍ଷରେ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଆରବ ଦେଶଗୁଡିକୁ ଦେଶର ସ୍ୱାର୍ଥରେ ନିଜ ସାଥିରେ ରଖିବାକୁ ଆଗ୍ରହୀ ଥିଲେ । ସେମାନଙ୍କ ମୁଖ୍ୟ ବିଚାର ଥିଲା ଆରବ ଦେଶଗୁଡ଼ିକରେ ସୋଭିଏତ ୟୁନିୟନ ପ୍ରଭାବକୁ ହ୍ରାସ କରିବା । Trueman ବାଚନିକ ପ୍ରତିଶ୍ରୁତି କ୍ଷେତ୍ରରେ ଇହୁଦୀଙ୍କ ସପକ୍ଷରେ ଯେତେ ବେଶି କହୁଥିଲେ, କାର୍ଯ୍ୟରେ ସେତେ କରିନଥିଲେ । ଆମେରିକା ଇହୁଦୀ ଭୋଟରଙ୍କ ସମର୍ଥନ ହିଁ ତାଙ୍କର ଉଦେଶ୍ୟ ଥିଲା । କାରଣ ଆଇନଷ୍ଟାଇନଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତି ସେତେବେଳେ ଆମେରିକା ରେ ଥିଲେ । Trueman ଏକ ଲକ୍ଷ ଇହୁଦୀ ଶରଣାର୍ଥୀଙ୍କୁ ପାଲେଷ୍ଟାଇନ Immigration ପାଇଁ ଅନୁରୋଧ କଲେ । କିନ୍ତୁ ବ୍ରିଟିଶ ସ୍ୱାର୍ଥରେ ସେତେବେଳେ ଏହା ନଥିଲା । ତେଣୁ ବ୍ରିଟିଶ ଏହାକୁ କାର୍ଯ୍ୟକାରୀ କରିବାରେ ଡେରି କଲା । ବ୍ରିଟିଶ ପ୍ରଶାସନ ଗୋଟିଏ କମିଟି ଗଠନ କଲେ ଇହୁଦୀ ଇମିଗ୍ରେସନ / ଶରଣାର୍ଥୀ ସମସ୍ୟା ଦୂର କରିବା ପାଇଁ । ଏହି କମିଟି ହେଲା – Anglo-American Committee for Enquiry (AAC ) .
ଏହି ବାର ଜଣିଆ କମିଟିରେ 6 ଜଣ ଆମେରିକା ଓ 6 ଜଣ ବ୍ରିଟିଶ ସଦସ୍ୟ ରହିଲେ । ଏମାନଙ୍କ ଦାୟିତ୍ୱ ଥିଲା ଆମେରିକା ଓ ଇଉରୋପର ଶରଣାର୍ଥୀମାନଙ୍କ ସାକ୍ଷାତକାର ନେବା । ଏହି କମିଟି 1946 , ମେ ମାସରେ ଏକ ଲକ୍ଷ ଇହୁଦୀଙ୍କୁ ଇମିଗ୍ରେସନ ସାର୍ଟିଫିକେଟ ଜାରୀ କଲେ ; ପାଲେଷ୍ଟାଇନ ବିଭାଜନକୁ ନାକଚ କଲେ; ଇମିଗ୍ରେସନ ଆଇନକୁ ସହଜ କଲେ, ଇହୁଦୀଙ୍କ ଜମିଜମା ଖରିଦ ଉପରେ କଟକଣା ପ୍ରତ୍ୟାହାର କଲେ ଓ Zionist Labour Lawକୁ ବେଆଇନ ଘୋଷଣା କଲେ । ACC ରିପୋର୍ଟକୁ ଆମେରିକା ଓ ଇହୁଦୀବାଦ ( Zionist ) ଗୋଷ୍ଠୀ ସମର୍ଥନ କଲେ, କିନ୍ତୁ ଆରବ ଓ ବ୍ରିଟିଶ ଗୋଷ୍ଠୀ ବିରୋଧ କଲେ । ପୁଣି ଆଉ ଗୋଟିଏ କମିଟି ଗଠନ ହେଲା -ମରିସନ- ଗ୍ରାଡି କମିଟି । ଏହି କମିଟି ପୁଣି ଏକ ଲକ୍ଷ ଇମିଗ୍ରେସନ ସାର୍ଟିଫିକେଟ ସହ ପାଲେଷ୍ଟାଇନକୁ ଦୁଇଟି ପ୍ରଶାସନିକ ଯୋନ ରେ ବିଭାଜନ ପାଇଁ ସୁପାରିଶ କଲେ । ଲଣ୍ଡନ ଏଭଳି ସମାଧାନ ଗ୍ରହଣ ଯୋଗ୍ୟ ବୋଲି ମତ ଦେଲାବେଳେ ଅନ୍ୟ ତିନି ପକ୍ଷ- ଆରବ, ଆମେରିକା ଓ ଇହୁଦୀଗୋଷ୍ଠୀ ବିରୋଧ ପ୍ରକଟ କଲେ । ଠିକ ଏହି ସମୟ ବେଳକୁ ବ୍ରିଟିଶ ସାମ୍ରାଜ୍ୟର ସୂର୍ଯ୍ୟାସ୍ତ ହେଇଗଲା ।