ବିଲକିସ ଵାନୋ ପ୍ରସଙ୍ଗ : ଗୁଜରାଟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ସର୍ବୋଚ୍ଚ ନ୍ୟାୟାଳୟ
ଭୁବନେଶ୍ୱର,୧୯/୪( ବ୍ୟୁରୋ): ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦିନକ ପୂର୍ବରୁ ବହୁ ଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି । ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ଉପରେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ଉଠାଇଛନ୍ତି । କୋର୍ଟ ପ୍ରଶ୍ନ କରିଛନ୍ତି ଯେ, ଆଜି ବିଲକିସଙ୍କ ସହିତ ଏପରି ଘଟିଛି, ଆସନ୍ତାକାଲି ଆଉ କାହା ସହିତ ହୋଇପାରେ। ଜଷ୍ଟିସ କେଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛି। ଏହି ଖଣ୍ଡପୀଠ କହିଛନ୍ତି ଯେ ସମାଜକୁ ପ୍ରଭାବିତ କରୁଥିବା ଏପରି ଘୃଣ୍ୟ ଅପରାଧିକ ମାମଲାରେ ଦୋଷୀଙ୍କୁ କ୍ଷମା ପ୍ରଦାନ ନେଇ ନିଷ୍ପତ୍ତି ନେବାବେଳେ ସର୍ବସାଧାରଣ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି କ୍ଷମତା ପ୍ରୟୋଗ କରାଯିବା ଆବଶ୍ୟକ। କୋର୍ଟ ଆହୁରି କହିଛନ୍ତି ଯେ, ନିଷ୍ପତ୍ତି ସହ କେନ୍ଦ୍ର ସହମତ ହୋଇଛି । ଏହାର ଅର୍ଥ ନୁହେଁ ଯେ ରାଜ୍ୟ ନିଜର ବିବେକ ପ୍ରୟୋଗ କରିବ ନାହିଁ। ଯଦି ଆଇନ ଅନୁଯାୟୀ ସବୁକିଛି ଘଟିଛି, ତେବେ ଏଥିରେ ଲୁଚାଇବାକୁ କ’ଣ ଅଛି ବୋଲି ସରକାରଙ୍କୁ ପ୍ରଶ୍ନ କରୁଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି ଜଣେ ଗର୍ଭବତୀ ମହିଳାଙ୍କୁ ସାମୂହିକ ଦୁଷ୍କର୍ମ କରାଗଲା ଏବଂ ଅନେକ ଲୋକଙ୍କ ହତ୍ୟା କରିଦିଆଗଲା । ଆପଣ ପୀଡିତାଙ୍କ ମାମଲାର ତୁଳନା ଧାରା ୩୦୨ (ହତ୍ୟା)ର ସାମାନ୍ୟ ମାମଲା ସହ କରିପାରିବେ ନାହିଁ । ଯେପରି ଆପଲର ତୁଳନା ଅରେଞ୍ଜ ସହ କରାଯାଇ ପାରିବ ନାହିଁ ।ସେହିପରି ନରସଂହାରର ତୁଳନା ଏକ ହତ୍ୟା ସହ କରାଯାଇ ପାରିବନାହିଁ । ଅପରାଧ ସାଧାରଣତଃ ସମାଜ ଏବଂ ଗୋଷ୍ଠୀ ବିରୋଧରେ କରାଯାଇଥାଏ । ଅସାଧାରଣଙ୍କ ସହ ସାଧାରଣ ବ୍ୟବହାର ଠିକ୍ ନୁହେଁ । ଖଣ୍ଡପୀଠ କହିଛନ୍ତି, ପ୍ରଶ୍ନ ଏହା ଯେ କଣ ସରକାର ନିଜ ମୁଣ୍ଡ ଖର୍ଚ୍ଚ କରିଛନ୍ତି ଏବଂ କେଉଁ ତଥ୍ୟ ବା ପ୍ରସଙ୍ଗ ଆଧାରରେ ଦଣ୍ଡରେ କୋହଳ ଦେବାକୁ ନିଷ୍ପତ୍ତି କଲେ । ଆପଣ ଦଣ୍ଡରେ କୋହଳ ପ୍ରଦାନ କରିବାର ନିଜ କାରଣ ନକହୁନ୍ତି ତେବେ କୋର୍ଟ ପକ୍ଷରୁ ନିଷ୍କର୍ସ ବାହାର କରାଯିବ ।ବିଲକିସ୍ ବାନୋ ଗଣବଳାତ୍କାର ଦୋଷୀଙ୍କୁ ଛଡ଼ାଯିବା ନିଷ୍ପତ୍ତି ସମ୍ବନ୍ଧୀୟ ଫାଇଲ ଦାଖଲ କରି ଆସନ୍ତା ମେ ପହିଲା ସୁଦ୍ଧା ଜବାବୀ ସତ୍ୟପାଠର ଦାଖଲ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି l ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’୨ ତାରିଖରେ ହେବ। ଗୁଜରାଟ ସରକାର ଗତ ବର୍ଷ ଏହି ମାମଲାରେ ୧୧ ଜଣ ଦୋଷୀଙ୍କୁ ଆଗୁଆ ମୁକ୍ତ କରିଦେଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବିଲକିସ୍ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।ମାର୍ଚ୍ଚ ୨୮ରେ ଜଷ୍ଟିସ୍ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଏକ ଖଣ୍ଡପୀଠ ଦୋଷୀମାନଙ୍କୁ କ୍ଷମା ପ୍ରଦାନ କରାଯିବା ନେଇ ସମ୍ପୃକ୍ତ ଫାଇଲ ସହ ପ୍ରସ୍ତୁତ ରହିବାକୁ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏହାପୂର୍ବରୁ ଡିସେମ୍ବର ୨୦୨୨ରେ ଜଜ୍ ବେଲା ମାଧୁର୍ୟା ତ୍ରିବେଦୀ ଏହି ମାମଲାର ଶୁଣାଣିରୁ ଓହରି ଯାଇଥିଲେ। ଏହି କାରଣରୁ ଶୁଣାଣି ସ୍ଥଗିତ ରଖାଯାଇଥିଲା।