ଉପ-ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେ ଏକ ଚିଠି ଲେଖି ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଡାକ୍ତରଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଏବଂସମ୍ବିଧାନର ଧାରା ୬୭ (ଏ) ଆଧାରରେ ତାଙ୍କ ଇସ୍ତଫାକୁ ତୁରନ୍ତ ଗ୍ରହଣ କରାଯାଉ ବୋଲି ମଧ୍ୟ ଅନୁରୋଧ କରିଛନ୍ତି।୨୦୨୨ ମସିହାରେ ସେ ୧୪ତମ ଉପ-ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ୨୦୨୨ ମସିହା ୬ ଅଗଷ୍ଟରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଥିଲେ।ସେ ତାଙ୍କ ଚିଠିରେ ରାଷ୍ଟ୍ରପତିଙ୍କ ସହ ନିଜର କାର୍ଯ୍ୟକାଳ ସମ୍ପର୍କରେ ଲେଖି କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ସମର୍ଥନ ଦ୍ଵାରା ସେ ଅନେକ କିଛି ଶିଖିବାର ସୁଯୋଗ ପାଇଛନ୍ତି ଓ ତାଙ୍କ ସହ ତାଙ୍କର କାର୍ଯ୍ୟକାଳ ଅତ୍ୟନ୍ତ ସୁରୁଖୁରରେ କଟିଥିବା ମଧ୍ୟ ପ୍ରକାଶ କରିଛନ୍ତି। ସେ ହୃଦୟର ସହ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମନ୍ତ୍ରୀ ପରିଷଦ ପ୍ରତି ମଧ୍ୟ ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି।