ଆବୁଆ ସରକାର ଇତିହାସ :ମୋ ରାଜ୍ୟ ମୋ ସରକାର
ଜାମସେଦପୁର: (ବିଜୟ ସାହୁ)-ଶିବୁ ସୋରେନ ପରିବାର ଏକ ସଂଗ୍ରାମରୁ ସୃଷ୍ଟି । ବରିଷ୍ଠ ସୋରେନଙ୍କ ପୂର୍ବଜଙ୍କ ଠାରୁ ଆରମ୍ଭ
ହେମନ୍ତ ସୋରେନଙ୍କ ପର୍ଯ୍ୟନ୍ତ ସାନ୍ତାଳ ଆଦିବାସୀଙ୍କ ଅଧିକାର ଲଢେ଼ଇ ପଥରେ ଝାଡ଼ଖଣ୍ଡ ଅନେକ ଉତ୍ଥାନ ପତନ ଦେଖିଛି , କିନ୍ତୁ ଝାଡ଼ଖଣ୍ଡ ବାସୀ ଓ ଆଦିବାସୀ ରାଷ୍ଟ୍ର ଶକ୍ତି ଆଗରେ କେବେ ମୁଣ୍ଡ ନୁଆଁଇ ନାହାଁନ୍ତି । ଏହାର ଫଳ ଚଳିତ ଝାଡଖଣ୍ଡ ନିର୍ବାଚନରେ ଦେଖିବାକୁ ମିଳିଛି । 81 ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନଙ୍କ ପାର୍ଟି ଜେ ଏମ ଏମ 34ଟ,କଂଗ୍ରେସ 16,ରାଷ୍ଟ୍ରୀୟ ଜନତା ଦଳ 4 ଓ ସି ପି ଆଇ (ଏମ ଏଲ )2 ଟି ଆସନ ଜିତିଛନ୍ତି । କହିବାକୁ ଗଲେ ଏହି ନିର୍ବାଚନ ହେମନ୍ତ ସୋରେନ, ପତ୍ନୀ କଳ୍ପନା ସୋରେନ ବିଜେପିର ଚାଲେଞ୍ଜକୁ ଗ୍ରହଣ କରି ନିର୍ବାଚନ ମଇଦାନରେ ଓହ୍ଲେଇ ଥିଲେ । ଯଦିଓ ଇଣ୍ଡିଆ ମେଣ୍ଟର ଅନ୍ୟ ନେତାନେତ୍ରୀମାନେ ମିଳିତ ପ୍ରଚାରରେ ଥିଲେ, କିନ୍ତୁ ହେମନ୍ତ ଓ କଳ୍ପନାଙ୍କ ଏହା ହିଁ ଅଗ୍ନି ପରୀକ୍ଷା ଥିଲା ।
ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ,ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଵରାଜ୍ ସିଂ ଚୌହାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ଓଡ଼ିଶା ରାଜ୍ୟପାଳ ରଘୁବୀର ଦାସ , ମହାମହିମ ରାଷ୍ଟ୍ରପତି , ହରିୟାଣା ମୁଖ୍ୟମନ୍ତ୍ରୀ ନାୟେବ ସିଂ ସୈନି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ , ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡଗରୀ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ନିର୍ବାଚନ ପ୍ରଚାରରେ ସମସ୍ତ ଶକ୍ତି ଖଟେଇ ଥିଲେ । 40 ଜଣିଆ ତାରକା ପ୍ରଚାର ତାଲିକାରେ ଅବଶ୍ୟ ରାଷ୍ଟ୍ରପତି ଓ ରାଜ୍ୟପାଳ ନଥିଲେ । କିନ୍ତୁ ସେମାନେ ପରୋକ୍ଷ ଭାବରେ ଏହି ନିର୍ବାଚନରେ ସାମିଲ ହେଇଥିଲେ । ଏପରି କି ରାଜ୍ୟପାଳ ଆମ ରାଜ୍ୟର ପ୍ରଥମ ନାଗରିକ ହେଇଥିବା ସତ୍ତ୍ୱେ ସେ ନିଜର କନ୍ୟାଙ୍କ ନିର୍ବାଚନ ମଣ୍ଡଳୀରେ ଭୋଟ ଦାନ କରିଥିଲେ । ବିଜେପି ରାଜ୍ୟପାଳଙ୍କ ଏହା ଏକ ବିରଳ ନଜୀର ।
ଏହି ନିର୍ବାଚନ ଆଦାନୀ ଘରାନା ପାଇଁ ଇଜ୍ଜତର ପ୍ରଶ୍ନ ଥିଲା । ଝାଡ଼ଖଣ୍ଡର ଖଣି, ପାଣି, ମାଟି ,ଜଙ୍ଗଲ ତାଙ୍କୁ ଲୋଭାନ୍ବିତ କରୁଥିଲା ଓ ଭାବୁଥିଲେ ଝାଡଖଣ୍ଡ ବିଜେପି ଜିତିଲେ ପୂରା ଖଣି ସମ୍ପଦ, ଜଙ୍ଗଲ ସମ୍ପଦ, ଜଳ ସମ୍ପଦପୂର୍ଣ ମୁଖ୍ୟ ରାଜ୍ୟଗୁଡିକର ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶରେ ନଚେଇବେ ।
କିନ୍ତୁ ହେମନ୍ତ ସୋରେନ ଓ କଳ୍ପନା ସୋରେନ ସେମାନଙ୍କ ପ୍ରଚାରକୁ ଶିଳ ରେ ବିରି ରଗଡ଼ିଲା ଭଳି ଏମିତି ରଗଡ଼ି ଦେଲେ ଯେ ବିଜେପିର ମହାରାଷ୍ଟ୍ର ଵିଜୟ ଯେମିତି ଫିକା ପଡିଗଲା ।
ବିଜେପି ଓ ଏହାର ଏନଡିଏ ଦଳମାନେ ମାତ୍ର 25 ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଲା । ଏଥିରୁ ବିଜେପି 21 ଅନ୍ୟ ଚାରୋଟି ଭାଗିଦାରୀ ଦଳ ଗୋଟିଏ ଗୋଟିଏ ଆସନରେ ରହିଗଲେ । ମୋହନ ମାଝୀ ଯେଉଁ ନିର୍ବାଚନ ମଣ୍ଡଳୀ ଗୁଡିକରେ ପ୍ରଚାର କରିଥିଲେ ସେଠିକାର ଭୋଟର ଆମ୍ବ ଟାକୁଆ ଜାଉ ଚଟେଇ ଦେଲେ ।
ଶିବୁ ସୋରେନ ବଂଶଜ ଓ
ସେମାନଙ୍କ ସାନ୍ତାଳ-ଆଦିବାସୀ ଅସ୍ମିତା ପାଇଁ ସଂଗ୍ରାମର ଇତିହାସ –
ଶିବୁ ସୋରେନ ଅବିଭକ୍ତ ବିହାରର ରାମଗଡ଼ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ।
ରାମଗଡ଼ ଜିଲ୍ଲାର ବ୍ରିଟିଶ କାଳରୁ ଏକ ଗୌରବମୟ ସଂଗ୍ରାମର ଇତିହାସ ରହିଛି ।
1940ରେ ଭାରତୀୟ ଜାତୀୟ କଂଗ୍ରେସର 53ତମ ଅଧିବେଶନ ଏଠାରେ ଅନୁଷ୍ଠିତ ହେଇଥିଲା ଓ ମୌଲାନା ଅବଦୁଲ କଲାମ ଆଜାଦ ଏହି ଅଧିବେଶନରେ ସଭାପତି ଥିଲେ । ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସର୍ଦ୍ଦାର ପଟେଲ, ରାଜେନ୍ଦ୍ର ପ୍ରସାଦ, ସରୋଜିନୀ ନାଇଡୁ, ଖାଁ ଅବଦୁଲ ଗଫୁର ଖାଁ ,ଆଚାର୍ଯ୍ୟ ଜେ ବି କ୍ରୀପାଳିନୀ,ଶିଳ୍ପପତି ଯମୁନା ଲାଲ ବଜାଜ ରାମଗଡ଼ କଂଗ୍ରେସରେ ଯୋଗଦେଇ ଥିଲେ ।
ସେଇ ସମୟରେ ନେତାଜୀ ସୁଭାଷ ବୋଷଙ୍କ ଆହ୍ୱାନରେ ସମାନ୍ତରାଳ ଅଧିବେଶନ ଆୟୋଜନ ହେଇଥିଲା ।ନେତାଜୀ ସୁଭାଷ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ସଭାପତି ଭାବରେ ଓ ମାନେବେନ୍ଦ୍ର ରାୟ ରାଡ଼ିକାଲ ଡେମୋକ୍ରାଟିକ ପାର୍ଟିର ନେତା ଭାବରେ ଯୋଗ ଦେଇଥିଲେ । ନେତାଜୀଙ୍କୁ ରାଞ୍ଚିରୁ ରାମଗଡ଼ ପର୍ଯ୍ୟନ୍ତ ସ୍ଥାନୀୟ ଜନଜାତିଗୋଷ୍ଠୀର
ଜନତା ଶୋଭାଯାତ୍ରାରେ ନେଇଥିଲେ ।
ଏହି ମାଟିର ଆଉ ଏକ ଗୌରବୋଜ୍ବଳ ଅଧ୍ୟାୟ ହେଉଛି ସାନ୍ତାଳ ବିଦ୍ରୋହ ଯାହା ସାନ୍ତାଳ ହୁଲ ଭାବରେ ପରିଚିତ । ଏହି ବିଦ୍ରୋହର ନାୟକ ଥିଲେ ସିଧୁ, କାହ୍ନୁ, ଚାନ୍ଦ ଓ ଭୈରବ ଏବଂ ସେମାନଙ୍କ ଦୁଇ ଭଉଣୀ ଫୁଲ ଓ ଝାନୁ , ଏବଂ ନିଜର ଜୀବନ ମଧ୍ୟ ଉତ୍ସର୍ଗ କରିଥିଲେ । ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଜମିଦାରୀ ବ୍ୟବସ୍ଥା ବିରୁଦ୍ଧରେ ବର୍ତ୍ତମାନର ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଏହି ଗଣ ଅଭ୍ୟୁତଥାନ ହେଇଥିଲା ।1855 ମସିହା ଜୁନ ରୁ ନଭେମ୍ବର ପର୍ଯ୍ୟନ୍ତ ଏହି ବିଦ୍ରୋହକୁ ଦମନ କରିବା ପାଇଁ ମାର୍ଶାଲ ଆଇନ ଲାଗୁ ହେଇଥିଲା ଓ ପ୍ରେସିଡେନ୍ସି ସେନା ଏହାକୁ ଦମନ କରିଥିଲେ । ସାନ୍ତାଳ ବିଦ୍ରୋହରେ ପ୍ରାୟ 15 ହଜାର ଜନଜାତି ଜୀବନ ଦେଇଥିଲେ ଓ ଗାଁ ପରେ ଗାଁକୁ ବ୍ରିଟିଶ ଧ୍ଵଂସ କରିଥିଲା । ମୂଳତଃ ସାନ୍ତାଳ ବିଦ୍ରୋହ ଥିଲେ ବି କମାର,ବାଗଡ଼ି,ବାଗାଲ ଜନଜାତି ଏଥିରେ ସାମିଲ ହେଇଥିଲେ ।
ନିଜ ମାଟି ସୁରକ୍ଷା ହିଁ ମୂଳ ଲକ୍ଷ୍ୟ ଥିଲା ଓ ନିଜ ରାଇଜର ନିଜେ ରାଜା ଭାବନା ଦ୍ୱାରା ସେମାନେ ଉଦ୍ବେଳିତ ହେଇଥିଲେ ।
ଏହି ବିଦ୍ରୋହ ସମ୍ପର୍କରେ ମହାନ ଦାର୍ଶନିକ ଓ ମାର୍କସବାଦର ଜନକ କାର୍ଲ ମାର୍କସ ଲେଖିଥିଲେ , ଭାରତର ଏହା ପ୍ରଥମ ସଂଗଠିତ ଗଣ ବିପ୍ଳବ ।
ମୃଣାଳ ସେନ ଭଗବତୀ ଚରଣ ପାଣିଗ୍ରାହୀଙ୍କ କାହାଣୀ ଶିକାର ଉପରେ ଯେଉଁ ଚଳଚ୍ଚିତ୍ର ମୃଗୟା କରିଥିଲେ ତାହା ଏହି ସାନ୍ତାଳ ବିଦ୍ରୋହକୁ ଆଧାରିତ କରି ହେଇଥିଲା ।
ଚାର୍ଲସ ଡିକେନ୍ସ ଲେଖିଥିଲେ –
There seems also to be a sentiment of honour among them ; for it is said that they use poisioned arrows in hunting ,but never against their foes .If this be the case and we hear nothing of the poisoned arrows in the recent conflicts ,they are infinitely more respectable than our civilised army …
(In Household Words )
ଶିବୁ ସୋରେନ –
ସୋରେନ ନିଜର ଜନ୍ମସ୍ଥାନ ଜିଲ୍ଲା ରାମଗଡ଼ରେ ସ୍କୁଲ ଶିକ୍ଷା ବେଳେ ତାଙ୍କର ପିତା ସୋବରେନ ସୋରେନ ଙ୍କୁ ସାହୁକାରଙ୍କ ଗୁଣ୍ଡାମାନେ ହତ୍ୟା କରିଥିଲେ । ପିତା ଜଣେ ଶିକ୍ଷକ ଥିଲେ । ଶରାବବନ୍ଦୀ ଓ ସୁଧଖୋରୀ କୁ ବିରୋଧ କରୁଥିବାରୁ 1957,27 ନଭେମ୍ବରରେ ହତ୍ୟା କରାଯାଇଥିଲା ।
ବାପାଙ୍କ ହତ୍ୟା ପରେ ଦଶମ ଶ୍ରେଣୀରୁ ପଢା ଛାଡି ଆଦିବାସୀଙ୍କ ସ୍ୱାର୍ଥ ପାଇଁ ସଂଘର୍ଷ ଆରମ୍ଭ କଲେ । 1970ରେ ମହାଜନଙ୍କ ବିରୁଦ୍ଧରେ ଧାନକଟା ଆନ୍ଦୋଳନ ଆରମ୍ଭ କଲେ ।ମହାଜନମାନେ ଆଦିବାସୀଙ୍କ ଜମିକୁ ଧୋକା ଦେଇ ହଡପ କରୁଥିଲେ । କିନ୍ତୁ ଆଦିବାସୀ ସେଇ ଜମିରେ ଚାଷ କରୁଥିଲେ । ସୋରେନ ମହାଜନଙ୍କୁ ସାମୁହିକ ଶକ୍ତି ପ୍ରୟୋଗ କରି ଫସଲ କାଟିବା ଆନ୍ଦୋଳନ କରୁଥିଲେ ।
1972ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଗଠନ ନିଷ୍ପତ୍ତି ଗ୍ରହଣ କଲେ ଓ ଶିଥିଳ ପଡି ଯାଇଥିବା ପୂର୍ବର ଅଲଗା ଝାଡ଼ଖଣ୍ଡ ରାଜ୍ୟ ଗଠନ ଆନ୍ଦୋଳନକୁ ପୁନଃ ଜୀବନ ଦେଲେ ।
1975 ଜରୁରୀ ପରିସ୍ଥିତି ବେଳେ ଇନ୍ଦିରା ଗାନ୍ଧୀ ତାଙ୍କର ଗିରଫ ପାଇଁ ନିର୍ଦ୍ଦେଶ ଦେଲେ । ଶିବୁ ସୋରେନ ଆତ୍ମ ସମର୍ପଣ କରିଥିଲେ ।
ଶିବୁ ସୋରେନ ଓ ଗୁରୁଜୀ –
ଶିବୁ ସୋରେନଙ୍କୁ ପ୍ରଥମେ ଧାନବାଦ ଜିଲ୍ଲା ଡେପୁଟି କଲେକ୍ଟର କେ ବି ସାକସେନା ଗୁରୁଜୀ ଭାବରେ ସମ୍ବୋଧନ କରିଥିଲେ । ସାକସେନା ଜଣେ ଇମାନଦାର ଆଇଏଏସ ଅଫିସର ଭାବରେ ପରିଚିତ ଥିଲେ । ସେ ଦିନେ ଶିବୁ ସୋରେନଙ୍କ ତୁଣ୍ଡି ସ୍ଥିତ ଆଶ୍ରମକୁ ପରିଦର୍ଶନ କଲେ । ସେଠାରେ ପାଠଶାଳା ଓ ଶରାବବନ୍ଦୀ ଦେଖି ପ୍ରଭାବିତ ହେଲେ ଓ ଗୁରୁଜୀ ସମ୍ବୋଧନ କଲେ ।
ଗୁରୁଜୀ ମଧ୍ୟ ଅନେକ ବିବାଦ ଭିତରେ ଛନ୍ଦି ହେଇଥିଲେ । ତାଙ୍କ ଉପରେ ଆୟବହିର୍ଭୁତ ସମ୍ପତ୍ତି ମାମଲା ଲୋକାଯୁକ୍ତ ଅଦାଲତରେ ଚାଲିଥିଲା । 23 ଜାନୁଆରୀ 1975 ଜାମତାଡା ଜିଲ୍ଲାର ଚିରୁଡିହ ଗାଁ ରେ ବାହାର ଲୋକଙ୍କୁ ବିରୋଧ ବେଳେ 11 ଜଣ ଲୋକ ମୃତ୍ୟୁ ବରଣ କଟିଥିଲେ । ଏହି ମାମଲାରେ ଗୁରୁଜୀଙ୍କ ସମେତ 68 ଜଣଙ୍କୁ ଅଭିଯୁକ୍ତ କରା ଯାଇଥିଲା । ପୁଣି
ୟୁପିଏ ସରକାର ବେଳେ କୋଇଲା ମନ୍ତ୍ରୀ ଥିଲା ବେଳେ ନିଜର ସଚିବ ଶଶିକାନ୍ତ ଝା ଙ୍କୁ ହତ୍ୟା ଅଭିଯୋଗ ମଧ୍ୟ ହେଇଥିଲା । କିନ୍ତୁ ହାଇକୋର୍ଟ ତାଙ୍କୁ ନିର୍ଦୋଷ ଘୋଷଣା କରିଥିଲା ।
କହିବାକୁ ଗଲେ ଗୁରୁଜୀଙ୍କ ଜୀବନ ପଥ ବହୁତ ଉତ୍ଥାନ ପତନ ମଧ୍ୟରେ ଗତିକରିଛି।
ସେ ତିନି ଥର ମୁଖ୍ୟମନ୍ତ୍ରୀ ହେଇଛନ୍ତି, କିନ୍ତୁ କୌଣସି ଥର କାର୍ଯ୍ୟକାଳ ସମାପ୍ତ କରି ପାରି ନାହାନ୍ତି । 8 ଥର ଲୋକସଭା ସାଂସଦ ମଧ୍ୟ ରହିଛନ୍ତି ।
ଶିବୁ ସୋରେନଙ୍କୁ ବାଦଦେଇ ଝାଡ଼ଖଣ୍ଡ ଇତିହାସ ଲେଖି ହେବନାହିଁ ।
ହେମନ୍ତ ସୋରେନ :
ଶିବୁ ସୋରେନଙ୍କ ପୁତ୍ର ହେମନ୍ତ ସୋରେନଙ୍କ ଝାଡଖଣ୍ଡ ରାଜନୀତିକୁ ଆସିବା ଏକ ଆକସ୍ମିକ । ବଡ଼ ଭାଇ ଦୁର୍ଗା ସୋରେନଙ୍କୁ ଶୀବୁ ସୋରେନ ରାଜନୈତିକ ଉତ୍ତରାଧିକାରୀ ଭାବେ ପ୍ରସ୍ତୁତ କରୁଥିଲେ । ସେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ଅଗ୍ରଣୀ ନେତା ଥିଲେ ।ସେ ଝାଡ଼ଖଣ୍ଡ ବିଧାନସଭାକୁ ମଧ୍ୟ ନିର୍ବାଚିତ ହେଇଥିଲେ । କିନ୍ତୁ 2009 ମଇ 21ରେ ତାଙ୍କର ବ୍ରେନ ଷ୍ଟ୍ରୋକ ଦ୍ୱାରା ମୃତ୍ୟୁ ହେବା ପରେ ଓ ଶିବୁ ସୋରେନଙ୍କ ଅସୁସ୍ଥତା କାରଣ ରୁ ହେମନ୍ତ ସୋରେନ ରାଜନୀତିକୁ ଆସିଲେ । ତାଙ୍କରି ଭାଷାରେ ସେ ରାଜନୀତିକୁ ଆସୁ ନଥିଲେ, ପରନ୍ତୁ ରାଜନୀତି ତାଙ୍କୁ ନେଇ ଆସିଲା । ସେ ଜଣେ କ୍ରୀଡ଼ାବିତ ଓ BIT ରୁ ପାସ କରିଥିବା ଇଞ୍ଜିନିୟର । ତାଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଉଚ୍ଚ ଶିକ୍ଷିତ ଓ ମୟୁରଭଞ୍ଜ କନ୍ୟା , କିନ୍ତୁ ଜନ୍ମ ପଞ୍ଜାବର କପୁରତାଲାରେ । ସେ ଜଣେ ଇଞ୍ଜିନିୟର ଓ ଏମବିଏ । ବି ପି ୟୁ ଟି ଓଡ଼ିଶାରୁ ଶିକ୍ଷା ପ୍ରାପ୍ତ ହେଇଛନ୍ତି ।ସେ ଓଡ଼ିଆ, ଇଂରାଜୀ, ବଙ୍ଗଳା ,ହିନ୍ଦୀ ଓ ସାନ୍ତାଳୀ ଭାଷାରେ ଭଲ ବକ୍ତା ।
ଶିବୁ ସୋରେନ ପରିବାର କନ୍ଦଳ
ଓ ବିଜେପିର ଭୂମିକା –
ଶିବୁ ସୋରେନ ବଡ଼ ପୁଅ ଦୁର୍ଗା ଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୀତା ସୋରେନ ରାଜନୀତିକୁ ଆସିବାକୁ ଚାହିଁ ଥିଲେ । କିନ୍ତୁ ହେମନ୍ତ ସୋରେନ ଆସିବା ପରେ ସେଇ ରାସ୍ତା ବନ୍ଦ ହେଇ ଯାଇଥିଲା ।
ବିଜେପି ଏହି ଦ୍ୱନ୍ଦ୍ୱକୁ ବଢ଼େଇବା ଆରମ୍ଭ କଲା ଓ ପରିବାର ଭାଙ୍ଗିବା ଯୋଜନା କଲା । ପୂର୍ବରୁ ତିନିଥର ବିଧାୟକ ହେଇଥିବା ସୀତା ସୋରେନ ଜେ ଏମ ଏମ ଛାଡି ବିଜେପିରେ ଯୋଗଦେଲେ । ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ 43 ହଜାର ଉର୍ଦ୍ଧ୍ବ ଭୋଟରେ ହାରିଛନ୍ତ । ଶିବୁ ସୋରେନଙ୍କ ହାତ ଛାଡି ପରାଜୟ ବରଣ କରିଛନ୍ତି , ଅଥଚ ତାଙ୍କର ଦୁଇ ପୁତ୍ର ଓ ବୋହୁ କଳ୍ପନା ସୋରେନ ଜିତିଛନ୍ତି ।
ଚଳିତ ନିର୍ବାଚନରେ ସୀତା ସୋରେନ ଓ ବିଜେପି ଶିବୁ ସୋରେନ ପରିବାର ବିରୁଦ୍ଧରେ କୁତ୍ସିତ ପ୍ରଚାର କରିଥିଲେ, ଝାଡ଼ଖଣ୍ଡ ଆଦିବାସୀ ସମାଜ ତାହା ଗ୍ରହଣ କରି ନାହାନ୍ତି ।
ପ୍ରଚାର ବେଳେ ସୀତା ସୋରେନ ଅଭିଯୋଗ – କଳ୍ପନା ସୋରେନ ଜବାବ :
ସୀତା ସୋରେନ ନିଜର ଇସ୍ତଫା ପତ୍ର ପାର୍ଟି ସୁପ୍ରିମ ଓ ଶ୍ବଶୁର ଶିବୁ ସୋରେନଙ୍କୁ ପଠେଇଲା ବେଳେ ଲେଖିଥିଲେ -” ମୋ ପତି ଦୁର୍ଗା ସୋରେନଙ୍କ ମୃତ୍ୟୁ ପରେ ପାର୍ଟି ପରିବାରକୁ ପୂରା ସହଯୋଗ କଲା ନାହିଁ ।.. ମୋ ଲକ୍ଷ୍ୟ ବହୁତ ବଡ଼ ,କାରଣ ଏହି ପାର୍ଟି ମୋ ପତିଙ୍କ ରକ୍ତରେ ମିଶିଛି । ମୁଁ ଚେଷ୍ଟା କଲି ଝାଡ଼ଖଣ୍ଡିଙ୍କ ପାଇଁ କାମ କରିବାକୁ, କିନ୍ତୁ ଏଠାରେ ସ୍ଥାନ ନାହିଁ ।”
ଏହାର ଜବାବରେ କଳ୍ପନା ସୋରେନ କହିଥିଲେ , ଆମର ଡିଏନଏ ରେ ଝୁଙ୍କିବା ନାହିଁ ।
ନିଜର ସ୍ୱାମୀ ଓ ପୂର୍ଵ ସିଏମ X ହାଣ୍ଡାଲରେ ଲେଖିଲେ ,” ହେମନ୍ତ ଜୀ ଙ୍କ ପାଇଁ ସ୍ବର୍ଗୀୟ ଦୁର୍ଗା ଦା କେବଳ ବଡ଼ ଭାଇ ନ ଥିଲେ, ପରନ୍ତୁ ପିତୃତୂଲ୍ୟ ଅଭିଭାବକ ଥିଲେ ।ମୁଁ 2006ରେ ଏହି ପରିବାରର ଅଂଶୀଦାର ହେବା ପରଠାରୁ ହେମନ୍ତ ଜୀ ଙ୍କ ନିଜର ବଡଭାଇଙ୍କ ପ୍ରତି ଆଦର ଓ ସମର୍ପଣ ଏବଂ ସ୍ବର୍ଗୀୟ ଦୁର୍ଗାଦା ଙ୍କର ହେମନ୍ତ ଜୀ ଙ୍କ ପ୍ରତି ଭଲ ପାଇବା ଦେଖିଛି ।”
ପ୍ରଚାର ବେଳେ ସେ କହିଥିଲେ, ଆଦରଣୀୟ ବାବା ଙ୍କ ସ୍ୱାସ୍ଥ୍ୟ ଦେଖି ତାଙ୍କୁ ରାଜନୀତି କ୍ଷେତ୍ରକୁ ଆସିବାକୁ ପଡ଼ିଲା । ତାଙ୍କର ଆର୍କିଟେକ୍ଟ ହେବା ସ୍ୱପ୍ନ ଥିଲା, ବର୍ତ୍ତମାନ ଆଦରଣୀୟ ବାବା ଓ ଦୁର୍ଗା ଦା ଙ୍କ ବିରାଶତ ଓ ସଂଘର୍ଷ କୁ ଆଗକୁ ନେବା ଦାୟିତ୍ୱ ଆସିଛି ।
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜନ୍ମ ସମାଜବାଦ ଓ ବାମପନ୍ଥୀ ବିଚାରଧାରା ସମନ୍ବୟରେ ହେଇଥିଲା । ଝାମୁମୋ ଆଜି ଝାଡ଼ଖଣ୍ଡରେ ଆଦିବାସୀ, ଦଳିତ, ପିଛଡ଼ାବର୍ଗ ଓ ଅଳ୍ପସଂଖ୍ୟକ ସମେତ ସମସ୍ତ ଗରୀବ, ବଞ୍ଚିତ ଓ ଶୋଷିତ ଙ୍କ ବିଶ୍ୱସନୀୟ ଆୱାଜ ହେଇଛି ।ବାବା ଓ ଦୁର୍ଗା ଦା ନିଜର ସଂଘର୍ଷ ପୁଞ୍ଜିପତି -ସାମନ୍ତବାଦୀଙ୍କ ବିରୁଦ୍ଧରେ କରିଥିଲେ, ସେଇ ତାକତ ସହ ଲଢ଼ି ହେମନ୍ତ ଜୀ ଜେଲ ଚାଲିଗଲେ ,ସେ ଝୁକିଲେ ନାହିଁ । ସେ ଝାଡ଼ଖଣ୍ଡି ଲହରର ଏକ ମାର୍ଗ ବାଛି ନେଇଛନ୍ତି । ଏମିତି ବି ଆମ ଆଦିବାସୀ ସମାଜ କେବେ ପିଠି ଦେଖେଇ ସମଝୋତା କରିବା ଶିଖି ନାହିଁ । ଝାଡ଼ଖଣ୍ଡି ଡିଏନ ଏ ରେ ମଥାନତ କରିବାର ନାହିଁ ।
କଳ୍ପନା ସୋରେନଙ୍କ ଆବେଗପୂର୍ଣ ଆବେଦନ କେବଳ ଆଦିବାସୀଙ୍କ ଭିତରେ ଲହର ସୃଷ୍ଟି କରି ନଥିଲା , ଅଣ ଆଦିବାସୀ ବର୍ଗକୁ ମଧ୍ୟ ପ୍ରଭାବିତ କରିଥିଲା । କଳ୍ପନା ସୋରେନ ସହ ଏକା ମଞ୍ଚରେ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ହେବାରୁ ସହର ଅଞ୍ଚଳର କଂଗ୍ରେସ ଭୋଟର ମଧ୍ୟ ସକ୍ରିୟ ହେଲେ । ଲାଲୁ ପ୍ରସାଦ ଯାଦବ ଓ ସିପିଆଇ ଏମ ଏଲ ନେତାଙ୍କ ଖୋଲା ଖୋଲି ମେଣ୍ଟ ସପକ୍ଷରେ ପ୍ରଚାର ମଧ୍ୟ ଏହି ମେଣ୍ଟକୁ ବଳ ଦେଲା । ହେମନ୍ତଙ୍କ ଜେଲ
ଏନ ଡି ଏ ପ୍ରତି ବୁମେରାଙ୍ଗ ହେଲା ଯାହା ମହାରାଷ୍ଟ୍ର କ୍ଷେତ୍ରରେ ଅଦୃଶ୍ୟ ହେଇଗଲା ।
ଝାଡ଼ଖଣ୍ଡ ଵିଜୟ ଆଗାମୀ ଦିନରେ ଭାରତର ସମସ୍ତ ଆଦିବାସୀ , ଜନଜାତି , ଜଙ୍ଗଲବାସୀଙ୍କୁ ନିଶ୍ଚୟ ପ୍ରେରଣା ଦେବ , ଯେଉଁମାନେ ଆଦାନୀ -ଅମ୍ବାନୀ -ମୋଦୀ କର୍ପୋରେଟ ଲୁଣ୍ଠନର ଭୁକ୍ତ ଭୋଗୀ ।
ଓଡ଼ିଶାର ଆଦିବାସୀ ସମାଜ ଉପରେ ମଧ୍ୟ ପ୍ରଭାବ ପକେଇବ । କାରଣ ଏହା ଓଡ଼ିଶାର ସୀମାନ୍ତ ରାଜ୍ୟ ଓ କଳ୍ପନା ସୋରେନ ମୟୁରଭଞ୍ଜର ଝିଅ ଓ ହେମନ୍ତ ସୋରେନ ସାନ ଭଉଣୀ ମୟୁରଭଞ୍ଜ ବୋହୁ ।
ଅବଶ୍ୟ ଏସବୁ ନିର୍ଭର କରିବ ଝାଡଖଣ୍ଡର ଵିଜୟକୁ ଇଣ୍ଡିଆ ମେଣ୍ଟ ଭବିଷ୍ୟତରେ କିପରି ବ୍ୟବହାର କରୁଛି ।