ଝାରସୁଗୁଡ଼ା ଉପନିର୍ବାଚନରେ ଯଦି ଦୀପାଳି ଜିତନ୍ତି, ତେବେ ….
ଭୁବନେଶ୍ୱର,୧୭/୪(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପ ନିର୍ବାଚନବ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗତ ଶନିବାର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହିପରି ସୋମବାର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନ କରିଛନ୍ତି। ମଙ୍ଗଳବାର ବିଜେଡି ପକ୍ଷରୁ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିବେ। ଯଦି ଦୀପାଳି ଦାସ ଏହି ଉପନିର୍ବାଚନ ବୈତରଣୀ ପାର ହୁଅନ୍ତି, ତେବେ ବରଗଡ଼ ଲୋକସଭାରେ ଏକ ନିଆରା ଦୃଷ୍ଟାନ୍ତ ଦେଖିବାକୁ ମିଳିବ। ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ଥିବା ୭ଟି ବିଧାନସଭା କ୍ଷେତ୍ରରୁ ୪ଟିରେ ମହିଳାଙ୍କ ପ୍ରତିନିଧି ରହିଛନ୍ତି। ଦୀପାଳିଙ୍କ ବିଜୟ ଏହାକୁ ପାଞ୍ଚକୁ ବୃଦ୍ଧି କରିବ।
ବରଗଡ ଲୋକସଭା ଅଧିନରେ ବିଜେପୁର, ବ୍ରଜରାଜନଗର, ପଦ୍ମପୁର, ଝାରସୁଗୁଡା, ଅତାବିରା, ବରଗଡ ଓ ଭଟଲି ବିଧାନସଭା କ୍ଷେତ୍ର ଆସୁଛି। ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଦ୍ମପୁରରେ ବିଜୟ ରଞ୍ଜନ ସିଂ ବରିହା, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂ, ବରଗଡରୁ ଦେବେଶ ଆଚାର୍ଯ୍ୟ, ବ୍ରଜରାଜନଗରରୁ କିଶୋର କୁମାର ମହାନ୍ତି ଓ ଝାରସୁଗୁଡାରୁ ନବକିଶୋର ଦାସ ବିଜେଡି ପ୍ରାର୍ଥୀଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଇଥିଲେ। ଏହା ପରେ ରୀତା ସାହୁ ସେଠାରେ ରେକର୍ଡ ବ୍ଯବଧାନରେ ବିଜୟ ହେଲେ। ବରଗଡ଼ ଲୋକସଭା ଅଧିନରେ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଇତିମଧ୍ୟରେ ୩ଟିରେ ଉପନିର୍ବାଚନ ସାରିଛି। ଗୋଟିଏ ଅଞ୍ଚଳରେ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୪ଟିରେ ଉପନିର୍ବାଚନ ହେବା ଏକ ବିରଳ ଘଟଣା । ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କର ଦେହାନ୍ତ ହେବାରୁ ସେଠାରେ ହୋଇଥିବା ଉପନିର୍ବାଚନ ହୋଇଥିଲା। ସେହି ଆସନରୁ ପତ୍ନୀ ଅଳକା ମହାନ୍ତି ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ଏହା ପରେ ଘଟଣା ଚକ୍ରରେ ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂବରିହାଙ୍କ ମୃତ୍ୟୁ ହୋଇଥିଲା। ଏହି ଉପନିର୍ବାଚନରେ ସ୍ୱର୍ଗତ ବରିହାଙ୍କ ଝିଅ ବର୍ଷାରାଣୀ ସିଂ ବରିହା ବିପୁଳ ବ୍ଯବଧାନରେ ବିଜୟୀ ହୋଇଥିଲେ। ଗତ ଜାନୁୟାରୀ ଶେଷ ସପ୍ତାହରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା କରାଯାଇଥିଲା । ତେଣୁ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଯଦି ଝାରସୁଗୁଡା ବିଧାନସଭା ଉପନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ବିଜୟ ହୁଏ ତେବେ ବରଗଡ ଲୋକସଭାକ୍ଷେତ୍ର ପରିସୀମା ମଧ୍ୟରେ ଥିବା ୭ଟି ବିଧାନସଭା ଆସନରୁ ମହିଳାଙ୍କ ପ୍ରତିନିଧିତ୍ୱ ୫କୁ ବୃଦ୍ଧି ପାଇବ । ପୂର୍ବରୁ ଅତାବିରା ଆସନରୁ ବିଜୟୀ ହୋଇ ସ୍ନେହାଙ୍ଗିନୀ ଛୁରିଆ ଏକାଧିକ ଦାୟିତ୍ୱ ତୁଲାଇ ସାରିଲେଣି। ଦେଶରେ ମହିଳାଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଲାଗି ସରକାରୀ ବିଲ୍ ୨୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଝୁଲି ରହିଥିବାବେଳେ ଓଡ଼ିଶାର ଗୋଟିଏ ଲୋକସଭା କ୍ଷେତ୍ରରେ ୭୧ପ୍ରତିଶତ ବିଧାନସଭା ଆସନ ମହିଳାଙ୍କ ହାତକୁ ଯିବା ଦେଶରେ ନିଆରା ରେର୍କଡ ହେବ ବୋଲି କୁହାଯାଉଛି।