ଜେ.ପି ନଡ୍ଡାଙ୍କ ଭବାନୀ ପାଟଣା ଭାଷଣ କେମିତି ରହିଲା….ଷାଠିଏ ମହଣ ଘିଅ ଥାଇ ବି ରାଧା ନାଚିପାରିଲା ନାହିଁ…

ଭବାନୀପାଟଣା : ସୁନୀଲ ବଂଶଲଙ୍କ କଥାରେ ସବୁ ଅପମାନ ଭୁଲି ଅପରାଜିତା ଷଡଙ୍ଗୀ ନାଁ ନ ନେଇ ବିଜେପି ପାର୍ଟି ଅଫିସରେ ପ୍ରେସ୍ ମିଟ୍ କରି ରାଜ୍ୟ ସରକାରଙ୍କ ଜଣେ ଅଫିସରଙ୍କୁ ଟାର୍ଗେଟ କରିଥିଲେ। ତାଙ୍କ ପୂର୍ବରୁ ସେହି ଅଫିସରଙ୍କ ନାଁ ନ ନେଇ ପ୍ରାକ୍ତନ ସଭାପତି ସମୀର ମହାନ୍ତି ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶଶିକଳା ସିଣ୍ଡ୍ରୋମ କହି ସମାଲୋଚନା କରିଥିଲେ। ଏହା ପରେ ରାଜ୍ୟରେ ଭାଜପା ସମର୍ଥିତ ଫେସବୁକ୍ ବ୍ୟବହାରୀକାରୀ, ୟୁଟ୍ୟୁବର ବ୍ୟାପକ ଖୁସି ହୋଇଥିଲେ। ଭାବିଥିଲେ ଜେପି ନଡ୍ଡାଙ୍କ ଭାଷଣ ଅଫିସର କୈନ୍ଦ୍ରିକ ହେବ,ଆଉ ଏହି ଆକ୍ରମଣରେ ବିଜେଡି ବାଉଲାଚାଉଳା ହେବ। ହେଲେ ସେମିତି କିଛି ହେଲା ନାହିଁ। ପୁରୁଣା ପାଠ ଘୋଷିବା ଭଳି ଜେପି ନଡ୍ଡା ମୋଦିଙ୍କ ଗୁଣଗାନ, ରାଜ୍ୟରେ ମୃତପ୍ରାୟ ସ୍ଥିତିରେ ଥିବା ବିରୋଧି ମେଣ୍ଟକୁ ଟାର୍ଗେଟ କରିଥିଲେ। ଯାହା ଦଳର ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା, ଏକାଧିକ ମନେ ମନେ ମୁଖ୍ୟମନ୍ତ୍ରୀ ସିଣ୍ଡ୍ରୋମ ଥିବା ନେତାଙ୍କ ପାଇଁ ଦୁଃଖ ଆଣିଦେଇଛି।

ରାଜ୍ୟର ଅଫିସର ରାଜ୍ ଦୂରର କଥା ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ କରିପାରିନାହାନ୍ତି ନଡ୍ଡା। ବରଂ କିଏ ରାଜ୍ୟକୁ ଚଳାଉଛି ନେତା ନାଁ ସରକାର ଭଳି ପୁରୁଣା ଏଜେଣ୍ଡାରେ ଫସିଗଲେ। ଆଶ୍ଚର୍ଯ୍ୟର କଥା କିଛିଦିନ ତଳେ ନାଁ ନେଇ ରାଜ୍ୟର ଜଣେ ଅଫିସରଙ୍କୁ ସମାଲୋଚନା କରିଥିବା ଅପରାଜିତା ଷଡଙ୍ଗୀଙ୍କୁ ମଞ୍ଚରେ ଦେଖିବାକୁ ମିଳି ନ ଥିଲା। ତେଣୁ ଜାତୀୟ ରାଜନୀତିର ବାଧ୍ୟବାଧକତା ନଡ୍ଡାଙ୍କ ଗସ୍ତରୁ ବାରି ହୋଇ ପଡିଛି। ନିଜ ଦଳ ଭାଇ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରୀୟ ସଭାପତି ନଡ୍ଡା ନରମଭାଷଣ ଜାଣି ବସନ୍ତ ପଣ୍ଡା ଆକ୍ରମଣାତ୍ମକ ସ୍ୱଭାବ ଦେଖାଇଥିଲେ। ହେଲେ ତାଙ୍କୁ ଶୁଣୁଛି କିଏ। ପ୍ରାୟ ୩୫୦୦୦ ଲୋକଙ୍କ ପାଇଁ ଚୌକି ପଡିଥିଲା, ଲୋକ ପରିପୂର୍ଣ୍ଣ ଥିଲେ। ହେଲେ ବଡ଼ ନେତାଙ୍କ ପୁରୁଣା ପାଠର ଆଲୋଚନା ସେମାନଙ୍କୁ କାର୍ଯ୍ୟକ୍ରମ ସରିବା ପୂର୍ବରୁ ଉଠିବାକୁ ବାଧ୍ୟ କରିଥିଲା। ଗାଁ ଗଣ୍ଡାରେ ସବୁ କାମ ସରିବା ପରେ ନଡା ଗଦା ବା ଛଣକୁ ଯେପରି ପାଳ କରି ଥୁଆଯାଏ। ଆଉ ଅଗି ଜଳା ପୁନେଇଁରେ ନିଆଁ ଲଗାଯାଇ ମାଟିରେ ମିଶାଯାଇଥାଏ। ଆଜି ସେପରି ହୋଇଛି ନଡ୍ଡାଙ୍କ ଭାଷଣ ନଡ଼ା ତଥା ପାଳ ବୋଲି ସାବ୍ୟସ୍ତ ବୋଇଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।