କର୍ଣ୍ଣାଟକ ବିଜେପିରେ ବିଦ୍ରୋହ, ଦଳ ଛାଡ଼ୁଛନ୍ତି ବହୁ ବରିଷ୍ଠ ନେତା

ବେଙ୍ଗାଲୁରୁ,୧୫/୪: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସମୟ ଯେତେ ପାଖେଇ ଆସୁଛି l ବିଜେପି ପାଇଁ ଅଡ଼ୁଆ ସେତେ ବଢ଼ିବାରେ ଲାଗିଛି। ପ୍ରଥମ ଥର ପାଇଁ ବିଜେପି ଭିତରେ ବଡ଼ ବିଦ୍ରୋହମାନ ଦେଖିବାକୁ ମିଳୁଛି l ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପି ୨୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି l ସେହି ୨୧୨ ଆସନରୁ ପ୍ରାୟ ୨୦-୩୦ ଆସନରେ ଦଳ ବିଦ୍ରୋହ ସାମ୍ନା କରିଛି। କେବଳ ୭-୮ଟି ଆସନରେ ବିଜେପିକୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ। କ କର୍ଣ୍ଣାଟକରେ ମ୍ୟାଜିକ ନମ୍ବର ୧୧୩ ଏବଂ ବିଜେପି କେବେ ବି ଏକାକୀ ଏହି ମ୍ୟାଜିକ ନମ୍ବର ଛୁଇଁପାରିନି। ନେତାମାନେ ଟିକେଟ ନପାଇ ବିଦ୍ରୋହ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ପ୍ରଥମ ଥର ପାଇଁ ବିଜେପି ବଡ଼ ଧରଣର ବିଦ୍ରୋହ ସାମ୍ନା କରୁଛି। ଦଳ ୧୮ ଜଣ ବର୍ତ୍ତମାନର ବିଧାୟକ,୨ ଜଣ ଏମଏଲସି ଏବଂ ଟିକେଟ ପାଇଁ ଆଶାୟୀ ଥିବା ୧୨ରୁ ଅଧିକ ପୂର୍ବତନ ବିଧାୟକଙ୍କୁ ଟିକେଟ ଦେଇନାହିଁ। ସେମାନଙ୍କ ମଧ୍ୟରୁ କେତେଜଣ ପ୍ରମୁଖ ନେତା ହେଉଛନ୍ତି ଲକ୍ଷ୍ମଣ ସବାଦୀ, କେଏସ୍ ଈଶ୍ବରପ୍ପା, ଏମ୍ପି କୁମାରସ୍ବାମୀ, ଏସଏ ରବିନ୍ଦ୍ରନାଥ, ଆର୍ ଶଙ୍କର ଓ ନେହରୁ ଓଲେକାର। ଟିକେଟ ପାଇନଥିବା ଅଧିକାଂଶ ନେତା ବିରୋଧୀ ଦଳକୁ ଚାଲିଯିବାପାଇଁ ଧମକ ଦେଇଛନ୍ତି। ଅନେକ ମଧ୍ୟ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିସାରିଲେଣି l
ନିକଟରେ କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଲକ୍ଷ୍ମଣ ସବାଦୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ଟିକେଟ ନଦେବା ଫଳରେ ସେ ଦଳ ଛାଡ଼ି ଦେଇଥିଲେ। ଆଜି କଂଗ୍ରେସରେ ଯୋଗ ଦେବା ପୂର୍ବରୁ ଲକ୍ଷ୍ମଣ ସବାଦୀ କହିଥିଲେ, ମୁଁ ମରିଗଲେ ବି ମୋ ଶବ ବିଜେପି ଅଫିସ ଆଗକୁ ନିଆଯିବା ଉଚିତ ନୁହେଁ। ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସବାଦୀଙ୍କ ନାଁ ନରହିବା ଫଳରେ ସେ ବୁଧବାର ଦିନ ଦଳରୁ ଇସ୍ତଫା ଦେଇଥିଲେ। ସେ ବିଧାନ ପରିଷଦ ସଦସ୍ୟ ଏବଂ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଲକ୍ଷ୍ମଣ ସବାଦୀ କହିଛନ୍ତି, ବିଜେପି ଛାଡ଼ି ଆଜି ମୁଁ କଂଗ୍ରେସରେ ଯୋଗ ଦେଇଥିବାରୁ ଖୁବ୍ ଖୁସି। ସବାଦୀ କହିଛନ୍ତି, କଂଗ୍ରେସ ପାଇଁ ସେ ଶତ ପ୍ରତିଶତ କାମ କରିବେ ଏବଂ ଯେଉଁମାନେ ତାଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖିଛନ୍ତି ସେମାନଙ୍କ ବିଶ୍ବାସ ସେ ରଖିବେ ବୋଲି ସବାଦୀ କହିଛନ୍ତି