ଆଇନ ଅନୁଯାୟୀ ଦ୍ବିପାକ୍ଷିକ ଆଲୋଚନା କୋଟିଆ ବିବାଦର ସମାଧାନ ଆଣିବ
ଭୁବନେଶ୍ୱର,୧୩/୪( ବ୍ୟୁରୋ ): ଗତ ଏପ୍ରିଲ ପହିଲାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ର ପ୍ରଦେଶ ସୀମା ନିକଟ ବର୍ତ୍ତୀ କୋଟିଆ ଗସ୍ତ କରିଥିଲେ l କୋଟିଆକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ l ସେଠାରେ ଆନ୍ଧ୍ର ଅଧିକାରୀଙ୍କୁ ତାଗିଦ ମଧ୍ୟ କରିଥିଲେ l ଏହା ପ୍ରାୟ ଗୋଟିଏ ସପ୍ତାହ ଖବରର ଶିରୋନାମାରେ ରହିଥିଲା l ମାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ଏପରି ଷ୍ଟଣ୍ଟ ସମସ୍ୟାର ଦୀର୍ଘ ମିଆଦୀ ସମାଧାନ କରିବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l
ବିଗତ ଦିନରେ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ ଯୋଜନା ଘୋଷଣା କରିବା ପରେ ତେଣେ ଆନ୍ଧ୍ର ସରକାର କୋଟିଆ ଗ୍ରାମ ପଞ୍ଚାୟତ ରେ ତିନୋଟି ଗ୍ରାମରେ ପଂଚାୟତ ନିର୍ବାଚନ କରିଛନ୍ତି । ସେଠାରେ ପୋଲିସ ଫୋର୍ସ ଲଗେଇ ଏହି ଭୋଟ ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଛି l ଭୋଟ ଗ୍ରହଣ ହୋଇଥିବା ଗାଁ ଗୁଡିକ ହେଉଛି- ତଳ ଗଞ୍ଜେଇ ପଦର, ପଟୁ ସିନେରୀ, ଫଗୁଣ ସିନେରୀ । ଅପରପକ୍ଷେ ପ୍ରତିପକ୍ଷ ଆନ୍ଧ୍ର ଏହି ଗ୍ରାମ ଗୁଡ଼ିକ ର ନାଁ ଯଥାକ୍ରମେ ଗଞ୍ଜେଇ ବାଦର, ପଟ୍ଟୁ ଚେନେକ୍ରୁ, ପାଗଲ ଚେନୁରୁ କରିଛି ।
ଦୀର୍ଘ ବର୍ଷ ଧରି କୋଟିଆ ଅଞ୍ଚଳ ର ୨୧ ଟି ଗ୍ରାମକୁ ନେଇ ଆନ୍ଧ୍ର ସହ ବିବାଦ ଚାଲିଛି । ଏହି ଗ୍ରାମ ଗୁଡ଼ିକ ର ବାସିନ୍ଦା ଉଭୟ ରାଜ୍ୟର ଯାହା ଯାହା ସୁଯୋଗ ସୁବିଧା ବିନା ପ୍ରତିବାଦ ରେ ଉପଭୋଗ କରୁଛନ୍ତି । ସ୍ଥାନୀୟ ବାସିନ୍ଦା ଉଭୟ ରାଜ୍ୟରେ ମତଦାନ କରୁଛନ୍ତି l
ଏହି ବିବାଦ ସ୍ଥାୟୀ ସମାଧାନ ପର୍ଯ୍ୟନ୍ତ ଏହା ଚାଲିବ , ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ । କିନ୍ତୁ ଆଶ୍ଚର୍ଯ୍ୟ ହେବାର କଥା ସୁପ୍ରିମକୋର୍ଟ ର ସ୍ଥାୟୀ ରହିତାଦେଶ ସତ୍ତ୍ୱେ ଆନ୍ଧ୍ର କାହିଁକି ଏମିତି କରୁଛି । ୧୯୩୬ ରେ ଏପ୍ରିଲ ପହିଲାରେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିକ ପ୍ରଦେଶ ହେଲେ । ଭାରତ ସରକାର ୧୯୩୬ ମାର୍ଚ୍ଚ ୧୯ ରେ ପ୍ରଦେଶ ଗଠନ ର ନୋଟିଫିକେସନ ଗେଜେଟ ରେ ଜାରୀ କଲେ ।ଏହି ନୋଟିଫିକେସନ ଅନୁଯାୟୀ ସେତେବେଳର ବିଶାଖାପାଟନମ ଜିଲ୍ଲାର ଜୟପୁର ଇଷ୍ଟେଟ ଓ ଏହି ଇଷ୍ଟେଟରେ ନଥିବା ପଟ୍ଟାଙ୍ଗି ତାଲୁକ ନୂତନ ଓଡ଼ିଶା ରାଜ୍ୟରେ ଅନ୍ତର୍ଭୁକ୍ତ ହେଇଥିଲା । ୧୯୪୨ ରେ ଓଡ଼ିଶା, ବିହାର ଓ ମଧ୍ୟ ପ୍ରଦେଶର ଯୁଗ୍ମ ସର୍ଭେ ହେଲା ।ଏହି ସର୍ଭେ ରେ ପଟ୍ଟାଙ୍ଗି ବ୍ଲକ ର କୋଟିଆ ପଂଚାୟତ ଅନ୍ତର୍ଗତ ତୁରିଆ ବଡ଼ବନ୍ଧ, ତଳକାଣ୍ଟି, ଗୁମେଇ ପଦର, ମଠଲମ୍ବ, ସୁଲେଇ ମାଡି, କୁତ୍ରା ଗୁଡା ପ୍ରଭୃତି ୭ ଟି ଗ୍ରାମ କୁ ରେଭିନିୟୁ ଗ୍ରାମ ଭାବେ ପରିଗଣିତ ହୋଇ ଓଡ଼ିଶା ସରକାର ଅଧିନକୁ ଆସିଲା । ଓଡ଼ିଶା ସରକାର ଏଗୁଡିକ ରୁ ରାଜସ୍ୱ ଆଦାୟ କଲେ । କିନ୍ତୁ ସେତେବେଳେ ଆଉ ୨୧ ଟି କୋଟିଆ ଗ୍ରାମର ଭୁଲ କ୍ରମେ ସର୍ଭେ ହୋଇ ନଥିଲା ।୧୯୫୫ ରେ ଯେତେବେଳେ ଆନ୍ଧ୍ର ପ୍ରଦେଶ ଗଠନ ହେଲା ସେତେବେଳେ ବି ଏହି ଗ୍ରାମପୁଞ୍ଜ ସର୍ଭେ ହେଲା ନାହିଁ । କିନ୍ତୁ ଭାରତ ସରକାରଙ୍କ ଓଡ଼ିଶା ରାଜ୍ୟ ଗଠନ ନୋଟିଫିକେସନ ଅନୁଯାୟୀ ଯେହେତୁ ପୂରା ଜୟପୁର ଇଷ୍ଟେଟ ଓଡ଼ିଶା ଅଧୀନ ରେ ବୋଲି ଦର୍ଶା ଯାଇଥିଲା ତେଣୁ ନିୟମ ଅନୁଯାୟୀ ଇ ଷ୍ଟେଟ ର କୋଟିଆ ଗ୍ରାମପୁଞ୍ଜ ଅର୍ଥାତ ୨୮ ଗ୍ରାମ ଓଡ଼ିଶାର । ଓଡ଼ିଶା ମଧ୍ୟ ଏହି ଅଞ୍ଚଳରେ ଆନୁଷଙ୍ଗିକ କାର୍ଯ୍ୟ କରି ଆସିଛି । ୧୯୬୮-୬୯ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗ୍ରାମ ପଞ୍ଚାୟତ ଅଫିସ, ୧୯୬୩-୬୪ ରେ ପୋଲିସ ଆଉଟ ପୋଷ୍ଟ,ବିଭିନ୍ନ ସମୟରେ ଗ୍ରାମ୍ୟ କୃଷି କେନ୍ଦ୍ରର ଓଭରସିୟର ବ୍ରାଞ୍ଚ, ବ୍ରାଞ୍ଚ ପୋଷ୍ଟ ଅଫିସ, ୩୮୦ ଶଯ୍ୟା ବିଶିଷ୍ଟ ବୋର୍ଡିଂ ସ୍କୁଲ, ସାପ୍ତାହିକ ବଜାର, ମେଡ଼ିକାଲ ଏଡ଼ ସେଣ୍ଟର , ଗ୍ରାମ ପଂଚାୟତ ଷ୍ଟକ ୟାର୍ଡ ଇତ୍ୟାଦି ଖୋଲା ଯାଇଛି, ସରକାରୀ କର୍ମଚାରୀଙ୍କ କ୍ୱାର୍ଟର ହେଇଛି ।
ଅର୍ଥାତ ଓଡ଼ିଶା ସରକାର ଏହି ଅଞ୍ଚଳରେ ନିଜର ଅଧିକାର ରଖି ଆସିଛନ୍ତି ।
କିନ୍ତୁ ଆନ୍ଧ୍ର ସରକାର ବିଭିନ୍ନ ସମୟରେ ଏହି ଗ୍ରାମ ଗୁଡ଼ିକ ରେ ନିଜର ହସ୍ତକ୍ଷେପ କରିଛି ।
ଏହାକୁ ରୋକିବା ପାଇଁ ଓଡ଼ିଶା ସରକାର ୧୯୬୮ ରେ ସୁପ୍ରିମକୋର୍ଟ ରେ ଏକ ମୋକଦ୍ଦମା ଦାୟର କରିଥିଲେ ଓ ଓଡ଼ିଶାର ଏହି ଅଞ୍ଚଳରେ ଦଖଲ, ସତ୍ଵାଧିକାର କ୍ଷେତ୍ରରେ ଆନ୍ଧ୍ର ର ହସ୍ତକ୍ଷେପ ରୋକିବା ପାଇଁ ଆବେଦନ କରିଥିଲେ । ୧୯୮୮ ରେ ସୁପ୍ରିମ କୋର୍ଟ ଆନ୍ଧ୍ର ହସ୍ତକ୍ଷେପ ନକରିବାକୁ ଏକ ଅସ୍ଥାୟୀ ରହିତାଦେଶ ଜାରୀ କରି ଆଦେଶ ଦେଇଥିଲେ ମୋକଦ୍ଦମାର ପୂର୍ଣ୍ଣାଙ୍ଗ ବିଚାର ପର୍ଯ୍ୟନ୍ତ ଆନ୍ଧ୍ର ଏଥିରେ ହସ୍ତକ୍ଷେପ କରିବ ନାହିଁ । ପରବର୍ତ୍ତୀ ସମୟରେ
ସୁପ୍ରିମକୋର୍ଟ କୋରାପୁଟ ର ଜିଲ୍ଲା ଜଜ ଙ୍କୁ କମିଶନର ଭାବେ ନିଯୁକ୍ତି ଦେଇ ସୁପ୍ରିମକୋର୍ଟ ତରଫରୁ ବିବାଦିତ ଅଞ୍ଚଳରେ ପ୍ରମାଣ ସଂଗ୍ରହ କରିବାକୁ ଆଦେଶ କରିଥିଲେ । ୨୦୦୦ ମସିହାରେ କମିଶନର-କମ – ଜିଲ୍ଲା ଜଜ ମୁକୁନ୍ଦ ମିଶ୍ର ଉଭୟ ପକ୍ଷର ପ୍ରମାଣ ନଥି ସୁପ୍ରିମକୋର୍ଟ ରେ ଦାଖଲ କରିଥିଲେ ।୩୦ ମାର୍ଚ୍ଚ ୨୦୦୬ ରେ ମୋକଦ୍ଦମା ର ବିଚାର କରି ସୁପ୍ରିମକୋର୍ଟ ଅର୍ଡର କରି ଥିଲେ ଯେ ସମ୍ବିଧାନ ର ଅନୁଛେଦ ୧୩୧ ଅନୁଯାୟୀ ବିବାଦ ଯେହେତୁ ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ସଂକ୍ରାନ୍ତୀୟ ତେଣୁ ଏହାର ବିଚାର ସୁପ୍ରିମକୋର୍ଟ ପରିସର ମଧ୍ୟରେ ଆସୁନାହିଁ । ଏହାକୁ କେବଳ ପାର୍ଲିଆମେଣ୍ଟ କରି ପାରିବ । ତେଣୁ ସୁପ୍ରିମକୋର୍ଟ ଏକ ସ୍ଥାୟୀ ରହିତାଦେଶ ଜାରି କରି ପାର୍ଲିଆମେଣ୍ଟ ଏହାର ସମାଧାନ କରିବାକୁ ଇଙ୍ଗିତ କରିଥିଲେ । ଇତି ମଧ୍ୟରେ 20 ବର୍ଷ ବିତି ଗଲାଣି । ତେଣୁ ଆଉ ଡେରି ନକରି ଏହି ସୀମା କାଳ ବିଳମ୍ବ ନକରି
ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୁ ଯୁଦ୍ଧକାଳୀନ ଭିତ୍ତିରେ ସଂସଦରେ ସମାଧାନ କରିବା ଉଚିତ ।
ଯେଉଁ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ ସେ ପର୍ଯ୍ୟନ୍ତ ଆନ୍ଧ୍ର ସରକାର ସୁପ୍ରିମକୋର୍ଟ ର ରହିତାଦେଶ କୁ ସମ୍ମାନ ଦେବା ଉଚିତ । ଆନ୍ଧ୍ର ରାଜ୍ୟପାଳ ଏକ୍ଷେତ୍ରରେ ନିଜର ଭୂମିକା ପାଳନ କରି ଆନ୍ଧ୍ର ସରକାର ଙ୍କୁ ଉଚିତ ମାର୍ଗଦର୍ଶନ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି l ଟିପ୍ପଣୀକାର ବିଜୟ ସାହୁ କୁହନ୍ତି ଯେ,
ଓଡ଼ିଶା ସରକାର ମଧ୍ୟ ଆନ୍ଧ୍ର ସରକାର ଙ୍କ ସହ ଆଲୋଚନା କରିବା ଉଚିତ ।ଓଡ଼ିଶାର ବିଜେପି ମନ୍ତ୍ରୀ ଦ୍ୱୟ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ପାର୍ଲିଆମେଣ୍ଟ ରେ ବିଷୟଟି ଆସିବା ପାଇଁ ଉଦ୍ୟମ କରିବା ଉଚିତ ।ଯେହେତୁ ଭାରତ ସରକାର ନିଜର ନୋଟିଫିକେସନ ଅନୁଯାୟୀ କୁଟିଆ ଗ୍ରାମ ପୁଞ୍ଜ କୁ ଓଡ଼ିଶାରେ ଅନ୍ତର୍ଭୁକ୍ତ କରି ସ୍ୱତନ୍ତ୍ର ପ୍ରଦେଶ ଗଠନ କରିଥିଲେ ତେଣୁ ଅଞ୍ଚଳ କେହି କେବେ ନେବାର ପ୍ରଶ୍ନ ଉଠୁନାହିଁ ।ଆନ୍ଧ୍ର ଯାହା କିଛି ଖୁଚୁରୁ ମୁଚୁରୁ କରିବ ସେଥିପାଇଁ ଓଡ଼ିଶା ସରକାର ଖଣ୍ଡା ଉଠେଇବା ଅନୁଚିତ । ଆଲୋଚନା ଓ ଆଇନ ମାର୍ଗରେ ଏହାର ସମାଧାନ ବିଜ୍ଞତା ପରିଚୟ ହେବ ବୋଲି ଶ୍ରୀ ସାହୁ ମତ ରଖିଛନ୍ତି l