ଜୟ ନାରାୟଣଙ୍କ ଓଡ଼ିଶା ବିଭାଜନ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ କୃଷ୍ଣା ମହାନ୍ତିଙ୍କ ଚିଠି

ଅନୁଗୋଳ :ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ କୋଶଳ ବୟାନ ପରେ ବିଭିନ୍ନ ବର୍ଗରୁ ପ୍ରତିକ୍ରିୟା ଆସିଛି l ଏହି ପ୍ରସଙ୍ଗରେ ଗାନ୍ଧିବାଦୀ ନେତ୍ରୀ କୃଷ୍ଣା ମହାନ୍ତି ଏକ ଚିଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲେଖିଛନ୍ତି l ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,ଆପଣଙ୍କ ଦଳର ଜନୈକ ବିଧାୟକ ଏକ ସରକାରୀ କାର୍ଯ୍ୟକ୍ରମରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ରଚିତ ଓଡିଶାବାସୀଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ଓଡିଶାର ଜାତୀୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ ନକରିବା ତଥା ଏହାକୁ ଅସମ୍ମାନ କରିବା ତଥା ଓଡିଶା ରାଜ୍ୟରେ ପଶ୍ଚିମ ଓଡିଶା ମିଶିବା ଭୁଲ ହୋଇଛି ବୋଲି କହି ସମଗ୍ର ରାଜ୍ୟକୁ ଆନ୍ଦୋଳିତ କରିଛନ୍ତି। ତେବେ ଆପଣଙ୍କର ସେହି ବିଧାୟକ କେବଳ ରାଜନୈତିକ ଦୃଷ୍ଟିରୁ ଚର୍ଚ୍ଚାରେ ରହିବା ଉଦ୍ଦେଶ୍ୟରେ ଏଭଳି ବୟାନ ଦେଇଥିବା ଯେପରି ସତ, ସେହିଭଳି ବିରୋଧୀ ଦଳମାନେ ବି ତାଙ୍କ ବୟାନକୁ ବିରୋଧ କରି କେବଳ ନିଜର ରାଜନୈତିକ କର୍ତ୍ତବ୍ୟ ସମ୍ପାଦିତ କରୁଥିବା ମନେହୁଏ ବୋଲି କୃଷ୍ଣା ମହୋଦୟା ଉଲ୍ଲେଖ କରିଛନ୍ତି l
ଅନୁରୂପ ଭାବେ ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଆମ ଓଡିଶାର ସ୍ଵତନ୍ତ୍ର ପରିଚୟ ନଥିଲା ଓ ଆମ ପୂର୍ବସୁରୀମାନେ ଏଥିପାଇଁ ଆନ୍ଦୋଳନରତ ଥିଲେ, ସେତେବେଳେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଆମ ଓଡିଆ ଜାତିକୁ ଏକ ସ୍ଵତନ୍ତ୍ର ପରିଚୟ ଦେବାକୁ ଯାଇ ୧୯୨୦ ମସିହା ଡିସେମ୍ବର ୨୭ ତାରିଖରେ ନାଗପୁର କଂଗ୍ରେସ ଅଧିବେଶନରେ ନିଜେ ‘ଉତ୍କଳ ପ୍ରଦେଶ କଂଗ୍ରେସ କମିଟି’ ଗଠନର ପ୍ରସ୍ତାବ ଦେଇ ଓ ପାରିତ କରାଇ ଆମ ଓଡିଆ ଭାଷାଭାଷୀ ଅଞ୍ଚଳକୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। ତେବେ ଆମକୁ ସ୍ଵତନ୍ତ୍ର ପରିଚୟ ନିମନ୍ତେ ଉତ୍କଳ ଗୌରବ ମଧୁସୂଦନ ଦାସ, କୃଷ୍ଣଚନ୍ଦ୍ର ଗଜପତି, ସାର ସୁଢଳ ଦେବ, ପଣ୍ଡିତ ଗୋପବନ୍ଧୁ, ସ୍ଵଭାବ କବି ଗଙ୍ଗାଧର ମେହେର, ଫକୀର ମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ, କୁନ୍ତଳା କୁମାରୀ ସାବତ, ଗୌରୀଶଙ୍କର ରାୟ, ଗୋକୁଳାନନ୍ଦ ଚୌଧୁରୀ ଆଦି ଉତ୍କଳ ସମ୍ମିଳନୀ ମାଧ୍ୟମରେ ବ୍ୟାପକ ଜନ ଆନ୍ଦୋଳନ ଗଢି ତୋଳି ଏହି ସ୍ଵପ୍ନକୁ ୧୯୩୬ ମସିହାରେ ସଫଳ କରାଇଥିଲେ।
ଯେଉଁ ସ୍ଵପ୍ନ ନେଇ ଉପରୋକ୍ତ ମହାମନୀଷୀ ଗଣ ଓଡିଶା ରାଜ୍ୟ ଗଠନ କରିଥିଲେ, ତାହା ଅଦ୍ୟାବଧି ସଫଳ ହୋଇପାରିଛି କି ? କେବଳ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳଗୁଡିକରେ ବିକାଶ କରାଇ ଆମେ ଏହାକୁ ସମଗ୍ର ଓଡିଶାର ବିକାଶ ବୋଲି କହିପାରିବା କି ? ଆଜି ବି ଓଡିଶାର ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳ ତଥା ଉତ୍ତରାଞ୍ଚଳର ଅନେକ ଅଞ୍ଚଳ ଏପରିକି ଉପକୂଳ ଓଡିଶାର ଅନେକ ଅଞ୍ଚଳରେ ବିକାଶ ପହଞ୍ଚିବା ସମ୍ଭବପର ହୋଇପାରିନାହିଁ। ସେଥିରେ ପୁଣି ବିକାଶ ଆଳରେ ଖଣି ଖାଦାନ ଖୋଳିବା ଓ ଜଙ୍ଗଲ ପାହାଡ ସବୁର ନଷ୍ଟଭ୍ରଷ୍ଟ କରି ସରକାରମାନେ ସାଧାରଣ ଆଦିବାସୀ, ବନବାସୀ, ଦଳିତ, ବହୁଜନ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିସାରିଲେଣି। ଉପକୂଳ ଓଡିଶାରେ ଦୁଇଦିନ ବର୍ଷାରେ ବେହାଲ ଚାଷୀ ଆତ୍ମହତ୍ୟା ଘଟଣା, ପଶ୍ଚିମ ଓଡିଶାରେ ଧାନ ବିକ୍ରୟରେ ହନ୍ତସନ୍ତ ହେଉଥିବା ଚାଷୀକୂଳଙ୍କ ସ୍ଥିତି, ଦକ୍ଷିଣ ଓ ଉତ୍ତର ଓଡିଶାରେ ଖଣିଖାଦାନ ଖୋଳିବା ଆଳରେ ଲକ୍ଷ ଲକ୍ଷ ଗରୀବ ଜନତାଙ୍କର ବିସ୍ଥାପନର ଦୁଃଖ କେଉଁଭଳି ବିକାଶକୁ ସୂଚାଉଛି ? ପଶ୍ଚିମ ଓଡିଶାର ବିକାଶ ନିମନ୍ତେ ଗଠିତ ପଶ୍ଚିମ ଓଡିଶା ବିକାଶ ବିକାଶ ପରିଷଦର କାର୍ଯ୍ୟାଳୟ ଆଜି ଯାଏ ପଶ୍ଚିମ ଓଡ଼ିଶାକୁ ଯାଇପାରୁ ନାହିଁ, ସେଥିରୁ ହିଁ ସରକାର ପଶ୍ଚିମ ଓଡିଶାବାସୀଙ୍କ ବିଶ୍ଵାସଭାଜନ ହେବା ଦିଗରେ ବିଫଳ ହୋଇଛନ୍ତି, ତାହା ସୁସ୍ପଷ୍ଟ ।
ଆପଣ ଆପଣଙ୍କ ସରକାରକୁ ଲୋକଙ୍କ ସରକାର ବୋଲି କହୁଛନ୍ତି। ତେବେ କେବଳ ଏତିକି କହିଲେ ଚଳିବ ନାହିଁ, ଏଥି ନିମନ୍ତେ ଆମକୁ ରାଜ୍ୟର ସମସ୍ତ ପଛୁଆ ଅଞ୍ଚଳମାନଙ୍କ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ, ସମସ୍ୟା ଆଧାରରେ ବିଶେଷ ଯୋଜନା ମାଧ୍ୟମରେ ଏ ଦିଗରେ ପଦକ୍ଷେପ ନେବାକୁ ହେବ। ଆପଣ ନିଜେ ଏକ ଗରିବ ପରିବାରରୁ ଆସିଛନ୍ତି। ତେଣୁ ଗରିବଙ୍କ ଦୁଃଖ ଆପଣ ଭଲ ଭାବରେ ବୁଝିପାରୁଥିବେ। ସେହି ଦୃଷ୍ଟିରୁ ସେମାନଙ୍କ ଉନ୍ନତି ଦିଗରେ ବଳିଷ୍ଠ ପଦକ୍ଷେପ ନେବା ସହ ବିଚ୍ଛିନ୍ନତାବାଦୀ ରାଜନୀତିରେ ବିଶ୍ଵାସ କରୁଥିବା ଆପଣଙ୍କ ସେହି ବିଧାୟକଙ୍କୁ ତାଗିଦ କରିବେ ବୋଲି ମୁଁ ଆପଣଙ୍କୁ ନିବେଦନ କରୁଛି।