*ଲୋକ ଅଧିକାର ଯାତ୍ରା ୨୯ ମାର୍ଚ୍ଚ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ…ପ୍ରାକୃତିକ ସମ୍ପଦର ଅବିଚାରିତ ଲୁଣ୍ଠନ ବିରୋଧରେ

ଭୁବନେଶ୍ୱର (ନରେନ୍ଦ୍ର ମହାନ୍ତି ) : ଗତ ୨୫ ଫେବୃଆରୀରୁ ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ “ଲୋକ ଅଧିକାର ଯାତ୍ରା” ଆରମ୍ଭ ହୋଇ ଗତ ୨୩ ମାର୍ଚ୍ଚରେ କଟକରେ ସମାପ୍ତ ହେବା ପରେ ଆସନ୍ତା ୨୯ ମାର୍ଚ୍ଚରେ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସରେ ଭୁବନେଶ୍ୱରଠାରେ ଲୋକ ଅଧିକାର ସମାବେଶ ଆୟୋଜନ ହେବ। ଲୋକଶକ୍ତି ଅଭିଯାନ, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ଵୟ ଓଡ଼ିଶା ଶାଖା ଏବଂ ସେଣ୍ଟର୍ ଫର୍ କ୍ଲାଇମେଟ୍ ଜଷ୍ଟିସ୍ ତରଫରୁ ଆଜି ଭୁବନେଶ୍ୱର ଲୋହିଆ ଏକାଡ଼େମୀ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଏହି ଯାତ୍ରା ଜରିଆରେ ବିକାଶ ନାମରେ ପ୍ରାକୃତିକ ସମ୍ପଦଗୁଡ଼ିକ ଶେଷ କରିଦିଆଯାଉଥିବାରୁ ରାଜ୍ୟକୁ ସମ୍ବଳହୀନ ନକରିବା ପାଇଁ ସରକାର ବର୍ତ୍ତମାନର ବିକାଶ ନୀତି ବଦଳାଇବାକୁ ବିଶିଷ୍ଟ ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଏବଂ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ସଂଯୋଜକ ଡଃ ବିଶ୍ୱଜିତ୍ ଦାବି କରିଛନ୍ତି। ଉପରୋକ୍ତ ତିନୋଟି ସଂଗଠନର ନେତୃବୃନ୍ଦ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ଅନୁସାରେ ଆଗାମୀ ୫୦ ବର୍ଷ ମଧ୍ୟରେ ସମ୍ବଳଗୁଡ଼ିକ ଶେଷ ହୋଇଯିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଥିବା ବେଳେ ଅବିଚାରିତ ଭାବେ ଖଣି ନିଲାମ ଓ ଖନନ ହେଉଥିବାରୁ ଆଗାମୀ ୩୦ ବର୍ଷ ମଧ୍ୟରେ ଲୁହାପଥର ଏବଂ ୪୦ ବର୍ଷ ମଧ୍ୟରେ ବକ୍ସାଇଟ୍ ଶେଷ ହୋଇଯିବ। ଓଡ଼ିଶାର ଆରାବଳୀ ଗନ୍ଧମାର୍ଦ୍ଦନରୁ ଦେଓମାଳି ପର୍ବତମାଳାରେ ଅର୍ଥାତ୍ ବରଗଡ଼ ଜିଲ୍ଲାରୁ କୋରାପୁଟ ପର୍ଯ୍ୟନ୍ତ ଦେଶର ୬୦ ପ୍ରତିଶତ ବକ୍ସାଇଟ ଗଚ୍ଛିତ ରହିଛି। କିନ୍ତୁ ସରକାର ଗୋଟିଏ ପରେ ଗୋଟିଏ ଖଣି ଲିଜ୍ ଦେଇ ଚାଲିଥିବାରୁ ଏହା ୪୦ ବର୍ଷ ମଧ୍ୟରେ ସରିଗଲାପରେ ଦକ୍ଷିଣ ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲାର ନଦୀଗୁଡ଼ିକର ଜଳ ଓ ଜଙ୍ଗଲ ଶେଷ ହୋଇଯିବ ଏବଂ ମରୁଭୂମି ପାଲଟିଯିବ। ସେହିପରି ୬୬ଟି ଚିହ୍ନିତ ହୋଇଥିବା କୋଇଲା ଖଣି ଖନନ ଦ୍ଵାରା ୧ ଲକ୍ଷ ଏକର ଜଙ୍ଗଲ ଓ ଚାଷ ଜମିକୁ ଶେଷ କରିଦେବାପରେ ଆସନ୍ତା ୫ ବର୍ଷରେ ଅନୁଗୁଳ ଜିଲ୍ଲା ଅସ୍ତିତ୍ୱହୀନ ହୋଇଯିବ।

ଏବେ ରାଜ୍ୟର କଳିଙ୍ଗନଗର, ଡୁବୁରୀ, କେନ୍ଦୁଝର ଜିଲ୍ଲା, ଝାରସୁଗୁଡ଼ା, ସୁନ୍ଦରଗଡ଼ର କୋଇଡା ଅଞ୍ଚଳ ଅତ୍ୟଧିକ ପ୍ରଦୂଷଣର ଶିକାର। ତେଣୁ ଲୋକ ଅଧିକାର ଯାତ୍ରାର ଉପଲବ୍ଧି ଅନୁସାରେ ସରକାର ତୁରନ୍ତ ପ୍ରତିକାର କରି ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରନ୍ତୁ ଓ ଅବିଚାରିତ ଖଣି ଲିଜ ଗୁଡିକୁ ବାତିଲ କରିବାକୁ ସେମାନେ ଦାବି କରୁଛନ୍ତି। ମାଟି ବିକି ରାଜ୍ୟ ଚଳାଇବା ସରକାରଙ୍କ ଦେବାଳିଆପଣର ଲକ୍ଷଣ। ବିକଳ୍ପ ବିକାଶ ପାଇଁ ଏପରି ଖସଡ଼ା ପ୍ରସ୍ତୁତ କରାଯାଉ, ଯେପରିକି ବ୍ୟାପକ ନିଯୁକ୍ତିଭିତ୍ତିକ ଛୋଟ ଛୋଟ ଶିଳ୍ପ ସମୂହ ପ୍ରତିଷ୍ଠା ହୋଇପାରିବ।

କମ୍ପାନୀମାନଙ୍କ ସ୍ୱାର୍ଥରେ ଗଣତାନ୍ତ୍ରିକ ଜନ ଆନ୍ଦୋଳନ ଅଞ୍ଚଳଗୁଡ଼ିକରେ ପୋଲିସ ଥାନା ଓ ଜିଲ୍ଲା ପ୍ରଶାସନ ମିଥ୍ୟା ଅଭିଯୋଗରେ ଅମାନବୀୟ ଦମନ ଜାରି ରଖିଛନ୍ତି। ସାରା ରାଜ୍ୟରେ କମ୍ପାନୀମାନଙ୍କର ଆତଙ୍କରାଜ ଚାଲିଛି। ବର୍ତ୍ତମାନର ବିକାଶ ନୀତି ପ୍ରକ୍ରିୟାର ପୁନର୍ବିଚାର କରିବା ପାଇଁ ସେମାନେ ସମସ୍ତ ରାଜନୈତିକ ଦଳର ନେତୃମଣ୍ଡଳୀଙ୍କୁ ଆହ୍ବାନ କରିଛନ୍ତି।

ଅନୁସୂଚିତ ଅଞ୍ଚଳରେ ସାମ୍ବିଧାନିକ ନୀତି ନିୟମ, ଜଙ୍ଗଲ ଅଧିକାର ଆଇନ୍-୨୦୦୬, ଗ୍ରାମସଭାର ଅଧିକାର, ପେସା ଓ ଜମି ଅଧିଗ୍ରହଣ ଆଇନ-୨୦୧୩କୁ ସଠିକ୍ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଦାବି କରିଛନ୍ତି। ରାଜ୍ୟର ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଆସନ୍ତା ୨୯ ମାର୍ଚ୍ଚ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ଭୁବନେଶ୍ୱରରେ “ଲୋକ ଅଧିକାର ସମାବେଶ” କରାଯିବ ଓ ରାଜ୍ୟକୁ କର୍ପୋରେଟ ଲୁଟରୁ ମୁକ୍ତ କରିବାକୁ ଘୋଷଣାପତ୍ର ପ୍ରକାଶ କରାଯିବ। ଦେଶର ବିଶିଷ୍ଟ ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟେକର ମୁଖ୍ୟ ଅତିଥି ଭାବରେ ଏହି ସମାବେଶରେ ଯୋଗଦେବେ।

ଗତକାଲି ମିଥ୍ୟା ମାମଲାରେ ଜନ ଆନ୍ଦୋଳନ ନେତା ତଥା ଲୋକ ଅଧିକାର ଯାତ୍ରାରେ ସାମିଲ ଥିବା ନିୟମଗିରି ସୁରକ୍ଷା ସମିତିର ନେତା ଲିଙ୍ଗରାଜ ଆଜାଦ ଓ ସୁରେଶ ସଂଗ୍ରାମଙ୍କୁ କଳାହାଣ୍ଡି ପୋଲିସ ଗିରଫ କରିଛି, ଯାହା ପୋଲିସ ଦମନର ବଳିଷ୍ଠ ପ୍ରମାଣ। ସେହିପରି ସିଜିମାଳିର ୧୦ ଜଣ ମହିଳାଙ୍କ ସମେତ ୨୨ ଜଣଙ୍କୁ ଗତ ୧୧ ମାର୍ଚ୍ଚରେ ଗିରଫ କରାଯାଇଛି। ଏହି ଗିରଫଦାରୀକୁ ଆମେ ଦୃଢ଼ ନିନ୍ଦା କରିବା ସହିତ ଦାବି ସମସ୍ତଙ୍କୁ ତୁରନ୍ତ ଖଲାସ କରିବାକୁ ସେମାନେ ଦୃଢ଼ ଭାବେ ଦାବି କରୁଛନ୍ତି l

Leave a Reply

Your email address will not be published. Required fields are marked *