ଲୋୟର ସୁକତେଲ ପ୍ରକଳ୍ପ: ବିସ୍ଥାପିତଙ୍କ ଦୁଃଖର ଅସରନ୍ତି କାହାଣୀ

ବଲାଙ୍ଗୀର: ( ଡ଼ା. ବିଶ୍ୱଜିତ ରାୟ)-ମହାନଦୀର ଏକ ପ୍ରମୁଖ ଉପନଦୀ ସୁକତେଲ ନଦୀ ଉପରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଓଡିଶାର ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଦ୍ୱୟର କେତେକ ଅଂଶକୁ ଜଳସେଚନ ଏବଂ ବଲାଙ୍ଗୀର ସହରକୁ ପାନୀୟ ଜଳ ଯୋଗାଇବା ନିମନ୍ତେ  ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ସର୍ଭେ ୧୯୭୯ ମସିହାରେ କରାଯାଇଥିଲା ଏବଂ ୧୯୯୮ରେ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଏହାର ପରିବେଶ ମଞ୍ଜୁରୀକୁ ଅନୁମୋଦନ କରିଥିଲା। ଯୋଜନା ଥିଲା, ବାଲାଙ୍ଗୀରର ମାଗୁରବେଡା ଗାଁ ନିକଟ ଜରାଇଡୁଙ୍ଗୁରୀ ଓ ବୁଦାଲାଗେନ ପାହାଡ ଦ୍ଵୟ ମଝିରେ ଏକ ବନ୍ଧ ନିର୍ମାଣ କରାଯିବ। ୧୯୯୮ରେ ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ  ୨୧୭.୧୩ କୋଟିରୁ ୨୦୧୮ ରେ ପ୍ରାୟ ୪୫୦୦ କୋଟିକୁ ବୃଦ୍ଧି ପାଇଛି। ଗତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବଲାଙ୍ଗୀର ସହର ଓ ଅନ୍ୟ ଅଞ୍ଚଳକୁ ପାନୀୟ ଜଳ ନେବା ପାଇଁ ପାଇପଲାଇନ ଓ ଜଳସେଚନ ନିମନ୍ତେ କେନାଲ ଖୋଳାଇ ନଥିବା ସତ୍ତ୍ୱେ ଭୋଟ ଲକ୍ଷରେ ତରବରିଆ ଭାବରେ ଡ୍ୟାମରେ ଜଳ ଭର୍ତ୍ତି କରି ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।
ମରୁଡ଼ି ପ୍ରଭାବିତ ଜିଲ୍ଲା ହୋଇଥିଲେ ମଧ୍ୟ ୧୯୯୦ ଦଶକରୁ ସ୍ଥାନୀୟ ଲୋକେ ଏହି ପ୍ରକଳ୍ପକୁ ଦୃଢ ବିରୋଧ କରିଆସୁଛନ୍ତି। ଏହି ପ୍ରକଳ୍ପ ଯୋଗୁଁ ପ୍ରାୟ ୫୬ ଟି ଗାଁର ବାର ହଜାର ପାଞ୍ଚ ଶହରୁ ଉର୍ଦ୍ଧ୍ଵ ପରିବାର ଅଦ୍ୟାବଧି ବିସ୍ଥାପିତ ହୋଇଛନ୍ତି ତଥା ୫୮୩ ହେକ୍ଟର ଜଙ୍ଗଲ ଡ୍ୟାମରେ ବୁଡିଯାଇଛି। ଅନ୍ୟପଟରେ ବିକ୍ଷୋଭକାରୀମାନେ ଲୋୟର ସୁକତେଲ ବୁଡି ଅଞ୍ଚଳ ସଂଗ୍ରାମ ସମିତି ମାଧ୍ୟମରେ ସଂଗ୍ରାମ ଜାରି ରଖିଛନ୍ତି | ୨୦୧୩ ମସିହାରେ ସ୍ଥାନୀୟ କୃଷକ, ଆଦିବାସୀ ବିସ୍ଥାପନ ବିରୋଧରେ ସଂଗ୍ରାମ କରୁଥିବା ବେଳେ ପୋଲିସ ଲାଠିଚାର୍ଜ ସରକାରୀ ଅମାନବିକତାର ମୁଖା ଖୋଲିଦେଇଥିଲା। ଖୋଦ ରାଜ୍ୟ ସରକାର ଏହି ପ୍ରକଳ୍ପ ନିର୍ମାଣ କରୁଥିଲେ ବି ଜମି ଓ ଘର ହରାଉଥିବା ଲୋକଙ୍କୁ ବିଭିନ୍ନ ପୁନର୍ବାସ ଆଇନ ଆଧାରରେ ଏକା ପ୍ରକାରର ଗୃହ ଓ ଏକା ପ୍ରକାରର ଜମି ବଦଳରେ ବିଭିନ୍ନ ପ୍ରକାରର କ୍ଷତି ପୂରଣ ପ୍ରଦାନ କରିଛନ୍ତି । ଏପରିକି ଅନେକ ଲୋକ ଏହି କ୍ଷତିପୂରଣ ନପାଇଥିବା ଅଭିଯୋଗ କରୁଛନ୍ତି। ଏହି ଅଭିଯୋଗ କାରଣରୁ ୧୮ ମଇ ୨୦୧୬ ମସିହାରେ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ବିଜ୍ଞପ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ। ରାଜ୍ୟ ସରକାର ପଶ୍ଚିମ ଓଡିଶାର ଏହି ଅନୁନ୍ନତ ଜିଲ୍ଲାର ଆଦିବାସୀ ପଛୁଆ ଲୋକମାନଙ୍କର ବିକାଶ ଲକ୍ଷ୍ୟରେ ଡ୍ୟାମ ନିର୍ମାଣ କରୁଥିବା ବାବଦ ଡିଣ୍ଡିମ ପିଟୁଥିଲେ ବି ବାସ୍ତବତା ଯେ ଭିନ୍ନ, ଏହି ଅଞ୍ଚଳରୁ ବିସ୍ଥାପିତ ହୋଇ ନବ ବିକାଶର ଯୂପକାଠରେ ବଳିବୋଦା ସାଜିଥିବା ଏହି ଲୋକମାନଙ୍କର ସ୍ଥିତିକୁ ଦେଖିଲେ ଯେ କେହି ବୁଝି ପାରିବ।
ଓଡିଶାର ଜଣାଶୁଣା ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ପ୍ରାକୃତିକ ସମ୍ପଦର ଲୁଟ ତଥା ପ୍ରକୃତି ଓ ପରିବେଶ ବିରୋଧୀ  ବିଭିନ୍ନ ପ୍ରକଳ୍ପ ବିରୋଧରେ ଏକ ତୀକ୍ଷ୍ନ ସ୍ଵର ଭାବରେ ଖୁବ ଜଣାଶୁଣା। ସେହି ପରିପ୍ରେକ୍ଷୀରେ ଲୋୟର ସୁକତେଲ ପରିଯୋଜନା ଯେହେତୁ ଜଙ୍ଗଲ ଓ ପରିବେଶ ବିନଷ୍ଟର ବଳିଷ୍ଠ ଉଦାହରଣ, ତେଣୁ ଏହି ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ସହ ସେ ପ୍ରଥମରୁ ସଂପୃକ୍ତ ଅଛନ୍ତି। ଫଳସ୍ଵରୂପ ଏହି ଅଞ୍ଚଳକୁ ସେ ବାରମ୍ବାର ଗସ୍ତ କରିଛନ୍ତି। ତେବେ ଏହି ପ୍ରକଳ୍ପଟି ଗତ ନିର୍ବାଚନ ପୂର୍ବରୁ  ବିଜୁ ଜନତା ଦଳର ଶାସନ ସମୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିବା ବେଳେ ପ୍ରଫୁଲ୍ଲ ସାମନ୍ତରାଙ୍କ ନିମନ୍ତେ କିନ୍ତୁ ପ୍ରକଳ୍ପ ଅଞ୍ଚଳ ପ୍ରଶାସନ ଦ୍ଵାରା ସଂପୂର୍ଣ୍ଣ ନିଷିଦ୍ଧ ହୋଇଗଲା। ଗତ ୨୦୨୩ମସିହା ଜୁଲାଇ ୨୩ ତାରିଖ       ଦିନ ଏଠାକୁ ଯିବା ସମୟରେ ତାଙ୍କୁ ପୋଲିସ ଅଟକ ରଖି ପୁଣି ଭୁବନେଶ୍ଵର ଫେରାଇ ଦେଇଥିଲା। ସେହିଭଳି ଭାବରେ ଯେତେବେଳେ ଶ୍ରୀ ସାମନ୍ତରା ପଶ୍ଚିମ ଓଡିଶାର କୃଷକମାନଙ୍କ ନିମନ୍ତେ ଆୟୋଜିତ ଏକ ଶିକ୍ଷା ଶିବିରରେ ଯୋଗ ଦେବାକୁ ବରଗଡ ଅଭିମୁଖେ ଟ୍ରେନ ଯୋଗେ ଯାଉଥିଲେ, ସେତେବେଳେ କାଳେ ସେ ଲୋୟର ସୁକତେଲ ବୁଡି ଅଞ୍ଚଳ ଗସ୍ତ କରିବେ, ଏହି ଭୟରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତାଙ୍କୁ ଟ୍ରେନରୁ ଓହ୍ଲାଇ ଦେଇ ଗତ ଅଗଷ୍ଟ ୨୩ତାରିଖରେ ଅଟକ ରଖିବାକୁ ଚେଷ୍ଟା କରିଥିଲା । ଶ୍ରୀ ସାମନ୍ତରା ଓ ପଶ୍ଚିମ ଓଡିଶା କୃଷକ ସମନ୍ଵୟ ସମିତିର ସଂଯୋଜକ ଲିଙ୍ଗରାଜ ପୋଲିସକୁ ସେମାନେ ବରଗଡ ଯାଉଛନ୍ତି ଓ ଲୋୟର ସୁକତେଲ ପ୍ରକଳ୍ପ ଅଞ୍ଚଳକୁ ଯାଉନାହାନ୍ତି ବୋଲି ଯେତେ କହିଥିଲେ ବି ସେକଥାକୁ ପୋଲିସ ବିଶ୍ଵାସକୁ ନେଇନଥିଲା।
ଯଦି ସରକାର ବିସ୍ଥାପନ ନୀତିକୁ ଠିକ ରୂପେ ଆପଣାଇ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ଦେଇଛନ୍ତି ତଥା ଲୋକଙ୍କ ସମ୍ମତି ନେଇ ଏହି ପ୍ରକଳ୍ପକୁ ଚାଲୁ କରିଛନ୍ତି ଏବଂ ଏହି ପ୍ରକଳ୍ପ ହେଲେ ବଲାଙ୍ଗୀର ସମେତ ପଶ୍ଚିମ ଓଡିଶାର କୃଷି ଓ ପାନୀୟ ଜଳ ସମସ୍ୟାର  ବ୍ୟାପକ ସମାଧାନ ହେବ  ବୋଲି ସରକାର କହୁଛନ୍ତି, ତେବେ ପ୍ରଫୁଲ୍ଲ ସାମନ୍ତରାଙ୍କୁ ସେହି ଅଞ୍ଚଳକୁ ଯିବାକୁ କାହିଁକି ରୋକାଯାଉଛି ବୋଲି ଏକ ପ୍ରଶ୍ନ ମନରେ ଉଠିବା ସ୍ଵାଭାବିକ। ଏହି କାରଣରୁ ଜନ ଆନ୍ଦୋଳନର ସାଥୀ ନରେନ୍ଦ୍ର ମହାନ୍ତି, ସମ୍ୟବାଦୀ ନେତା ମହେନ୍ଦ୍ର ପରିଡା, ପଶ୍ଚିମ ଓଡିଶା କୃଷକ ସଂଗଠନର ହର ବଣିଆ, ବିଶିଷ୍ଟ ଲେଖକ ତଥା କୃଷକ ସମନ୍ଵୟ ସମିତିର ସାଥୀ ସରୋଜ ମହାନ୍ତି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଡା ବିଶ୍ଵଜିତ ପ୍ରମୁଖ ଲୋୟର ସୁକତେଲ ପ୍ରକଳ୍ପ ଅଞ୍ଚଳକୁ ଯିବାକୁ ଯୋଜନା କଲେ। ଏହି କ୍ରମରେ ସ୍ଥାନୀୟ ସାଥୀ ସତ୍ୟ ବଞ୍ଛୋରଙ୍କ ସଂଯୋଜନାରେ ଗତ ସେପ୍ଟେମ୍ବର ୧୭ ତାରିଖରେ ଟିମ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ଯେଉଁ ସବୁ ଘଟଣା ଅବଲୋକନ କଲେ, ତାହାର ଏକ ବିବରଣୀ ପ୍ରଦାନ କରୁଅଛୁ।
    ସର୍ବ ପ୍ରଥମ ଟିମ  ଲୋଇସିଂହା ବ୍ଲକର କୁଶମେଲ ଅସ୍ଥାୟୀ ଥଇଥାନ ଶିବିରରେ ପହଞ୍ଚିଥିଲା। ଏଠାରେ ଲୋଇସିଂହା ବ୍ଲକର ବଞ୍ଛରପାଲି, କୋଇଣ୍ଡାପାଲି, ଡୁଙ୍ଗୁରିପାଲି, ଓଡମୁଣ୍ଡ ଆଦି ଗ୍ରାମର ୩୫ ପରିବାର ଦୁଇ ବର୍ଷ ହେଲା ରହି ଆସୁଛନ୍ତି। ସମସ୍ତଙ୍କୁ ଗୋଟିଏ ୧୫’ X ୧୨’ ର ଟିଣ ଘର ରହିବାକୁ ମିଳିଛି, ଏଥିରେ ରୋଷେଇ ଘର ସଂଲଗ୍ନ ରହିଛି। ଏହି ଘରର ଛାତ, କାନ୍ଥ,କବାଟ, ଝରକା ସବୁକିଛି ଟିଣରେ ତିଆରି। ଏହି କଲୋନୀରେ ଗୋଟିଏ ମାତ୍ର ଗଛ ନଥିବା ବେଳେ ବର୍ଷତମାମ ପଶ୍ଚିମ ଓଡିଶାରେ ହେଉଥିବା ପ୍ରଚଣ୍ଡ ଖରା ଓ ଗରମ ଭିତରେ ସେହି ଘରମାନଙ୍କରେ ଲୋକମାନେ କେମିତି ଯେ ରୁହନ୍ତି, ତାହା ଅନୁଭବ ନକଲେ ବୁଝାପଡିବ ନାହିଁ।  ସେଠାରେ ପ୍ରଥମେ ଭେଟିଲୁ ପଚାଶ ବର୍ଷ ବୟସ୍କ ମୂରଲୀ ପାଣ୍ଡେଙ୍କୁ। ମୂଳ ଘର ଡୁଙ୍ଗୁରିପାଲି ଗ୍ରାମ ପଞ୍ଚାୟତର କୋଇଣ୍ଡାପାଲିରେ। ଡ୍ରାଇଭର କାମ କରି ଗୁଜରାଣ ମେଣ୍ଟାଉଥିଲେ। ସ୍ତ୍ରୀ ଓ ପିଲା ଦୁଇଟିଙ୍କୁ ନେଇ ଚାରି ଜଣିଆ ପରିବାର। ଏଠାକୁ ଆସିବା ପରେ ଝିଅ ଯିଏ ମୂଳ ଗ୍ରାମରେ ମ୍ୟାଟ୍ରିକ ପାସ କରିଥିଲା, ଆବଶ୍ୟକୀୟ କାଗଜପତ୍ର ଯୋଗାଇ ନପାରି କଲେଜରେ ପଢିପାରିଲା ନାହିଁ। ପୁଅ ମାମୁଁ ଘରେ ରହି ପଢୁଛି। ବିସ୍ଥାପିତ ହେବାପରେ ଆଉ ଡ୍ରାଇଭର ପେଶା କରିପାରୁ ନାହାନ୍ତି। ଭୁତି କରି (ମୂଲମଜୁରି ଲାଗି) ଚଳୁଛନ୍ତି। ଭୂମିହୀନ ହୋଇଥିବାରୁ ପ୍ରଶାସନ ୩.୪୫ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେଇଛନ୍ତି । ୧୫ ବର୍ଷରୁ ଉର୍ଦ୍ଧ୍ଵ ପୁଅ ଝିଅଙ୍କୁ ବି ବିସ୍ଥାପନ ସହାୟତା ଦେବେ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ, ହେଲେ ଏହା କେବେ ମିଳିବ, ତାହା ସରକାରଙ୍କୁ  ହିଁ ଜଣାଥିବ। ଦୁଇ ବର୍ଷ ହେଲା ଦଉଡି ଦଉଡି ଏଯାଏ କୁଶମିଲ ଗ୍ରାମ ପଞ୍ଚାୟତକୁ ରେସନ କାର୍ଡ ଟ୍ରାନ୍ସଫର ହୋଇପାରି ନାହିଁ। ତେଣୁ ଚାଉଳ ଗଣ୍ଡେ ମିଳୁ ନାହିଁ।
ଦେବରାଜ ଗୌଡ ଟିଣଘରେ ବସି ପଖାଳ ଖାଉଥିଲେ। ସ୍ଥାୟୀ ଘର ମିଳିବାର ଆଶା ତାଙ୍କର ତୁଟି ଗଲାଣି। ଜିଲ୍ଲାପାଳଙ୍କୁ ଅନେକ ଥର ଗୁହାରି କରିଛନ୍ତି। କହିଲେ ଜିଲ୍ଲାପାଳ ବି ତହସିଲଦାରଙ୍କୁ ତାଙ୍କ ପାଇଁ କହିଛନ୍ତି। ହେଲେ ମଝିରେ କଣ ହେଉଛି କେଜାଣି, ଆମ ଆଶା ଓ ବିଶ୍ଵାସର ବନ୍ଧ ତୁଟିବାରେ ଲାଗିଛି। ପ୍ରଶାସନ ଜିଦ କରୁଛି, ଲୋକବାକ ନଥିବା ଅପନ୍ତରା ବାଗଡ଼ିହା ଗ୍ରାମକୁ ସ୍ଥାୟୀ ଭାବେ ଉଠିଯିବା ପାଇଁ। ହେଲେ ସେଠାରୁ ପାଞ୍ଚ କିଲୋମିଟର ଦୂରରେ ଗାଁ ଗଣ୍ଡା ସବୁ ରହିଛି। କୁଲିଭୁତି ମିଳିବ ନାହିଁ ବୋଲି ସେଠାକୁ ଯିବାକୁ ଅମଙ୍ଗ ହେଉଛନ୍ତି। ସେଠି ନା ପାଖରେ ଡାକ୍ତରଖାନା ଅଛି, ନା ସ୍କୁଲ। ତେବେ ଏଠି ବି ଟିଣ ଘର, ସେଠି ବି ସେୟା। ୪ ଡେସିମିଲ ଜମି ନିଜ ନାଆଁରେ ସରକାର କରିଦେବେ। ହେଲେ ଚଳିବେ କେମିତି, ଏହି ଚିନ୍ତାରେ ଦେବରାଜ ଏହି ଅସ୍ଥାୟୀ ଟିଣ ଘରକୁ ଆଦରି ପଡିଛନ୍ତି।  +୨ରେ ପୁଅ ପାଠ ପଢୁଥିଲା। ହେଲେ ବିସ୍ଥାପନ ପରେ ତା ପାଠରେ ଡୋରୀ ବନ୍ଧା ହେଲା। 
ବିଧବା ମହିଳା କଲାଶ ବାଗ ଆମକୁ ସରକାରୀ ଅଧିକାରୀ ଭାବି ଦୁଃଖ ଜଣାଇବାକୁ ଆସି ପହଞ୍ଚିଲେ। ଛଅ ମାସ ତଳେ ସ୍ଵାମୀ ଖୁଣ୍ଟିଆ ବାଗ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ସ୍ଵାମୀ ଗାଡି ମେକାନିକ ଥିଲେ। ହେଲେ ଲେବର କାର୍ଡ ନଥିବାରୁ କୌଣସି ସରକାରୀ ସୁବିଧା ସୁଯୋଗ ପାଇଲେ ନାହିଁ।  ସେ ଭାଗଚାଷ ଓ ଭୁତି କରି ନିଜର ଓ ଝିଅର ପେଟ ପୋଷୁଛନ୍ତି। ସ୍ଵାମୀଙ୍କ ମୋଟର ସାଇକେଲକୁ ସ୍ଥାନୀୟ ଥାନାର ଜଣେ ପୋଲିସ ଧକ୍କା ଦେଲେ। ହେଲେ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି ବୋଲି ଲେଖି କେସ ବନ୍ଦ କରିଦେଇଛି ପୋଲିସ। କୌଣସି କ୍ଷତି ପୂରଣ ତାଙ୍କୁ ମିଳି ନାହିଁ। ଘର ବୁଡିରେ ଯିବାରୁ ସେବାବଦ ୮ ଲକ୍ଷ ଓ ପରିବାର ବାବଦ ୫ ଲକ୍ଷ ପାଇଥିଲେ। ସ୍ଵାମୀଙ୍କ କ୍ରିୟା କର୍ମ ଓ ପରିବାର ପ୍ରତିପୋଷଣରେ ପଇସା ସରିବାକୁ ବସିଲାଣି।
       ସେହି କଲୋନୀରେ ରହୁଥିବା ରେଣୁକା ବଢେଇ ବିସ୍ଥାପିତ ହେବା ବେଳକୁ ପାଟଣାଗଡ କଲେଜରେ +୩ ପ୍ରଥମ ବର୍ଷରେ ପାଠ ପଢୁଥିଲେ। ଏବେ ଶେଷ ବର୍ଷ। ମାସକୁ ଅଢେଇ ହଜାର ଟଙ୍କା ତାଙ୍କ ପାଇଁ ଖର୍ଚ।  ବାପାଙ୍କର ଜବ କାର୍ଡ ଅଛି। ହେଲେ କାମ ମିଳୁ ନାହିଁ, ଭୁତି ହିଁ ଭରଷା।
ବାଇଶ ପଚିଶ ବର୍ଷର ମହିଳା ରଜନୀ ଷାଣ୍ଢ କହିଲେ ଯେ, ତାଙ୍କ ପରିବାରକୁ ନା ମିଳିଛି ବିସ୍ଥାପନ ଟଙ୍କା ନା ଘର ବାବଦ ସହାୟତା। ତହସିଲରୁ ଆରଆଇ ଯାଏ ଦଉଡି ଦଉଡି ଗୋଡ଼ରୁ ପାଣି ମଲାଣି। ଏହି ଟିଣ ଘରେ  ତିନିଟି ପିଲା ଝାଡା ବାନ୍ତି ହୋଇ ଗରମରେ ମରିଯାଇଛନ୍ତି। ମାଆ ଆଖିରୁ ସତେ ଯେମିତି ଲୁହ ସବୁ ଶୁଖି ଯାଇଛି। ନିଜ ଆଖି ଆଗରେ ଟିଣ ଗରମରେ ସବୁତକ ଛୁଆ ମରିଯାଇଥିବା ମାଆ ମନକୁ କେମିତି ବୋଧ କରାଯିବ, ସେକଥା ଆମ ବୋଧଶକ୍ତିର ବାହାରେ।
  ଫଟୁ ଚିନ୍ଦାଙ୍କ କହିବା ହେଲା ତାଙ୍କ ପାଖରେ ୫୦ ଡେସିମିଲ ଜାଗିର ଜମି ଥିଲା। ଜାଗିର ଜମି ହୋଇଥିବାରୁ ଏହା ବାବଦ କ୍ଷତିପୂରଣ ମିଳିଲା ନାହିଁ। ଘର ବାବଦ ପଇସା ବି ନାହିଁ। ବାଉଁଶ କାମ ଓ ଭୁତି ହିଁ ଆଶ୍ରା।
ଅମ୍ବିକା ବଢେଇ, ଗୁରୁବାରି ବୁଡେକ, ପଙ୍କଜିନୀ ଅଙ୍ଗରିଆ ଏମିତି କେତେ କେତେ ଲୋକ ତାଙ୍କ ଦୁଃଖ ବଖାଣିବାରେ ଲାଗିଥାନ୍ତି। ହେଲେ ଶୁଣିବାକୁ ସରକାରଙ୍କ କାନ ନାହିଁ ପରି ଲାଗୁଥାଏ। ଗଛ ବୃକ୍ଷ ନଥିବା ଏହି ଟିଣ ଘରମାନଙ୍କରେ ଏହି ଲୋକମାନେ  ଯେଭଳି ଖରା ବର୍ଷାରେ ରହୁଛନ୍ତି, ତାହା ନଦେଖିଲେ ବୁଝି ହେବ ନାହିଁ। ସେଠାରେ ସରକାରଙ୍କ ପକ୍ଷରୁ ବସାଯାଇଥିବା ଟିଉବୱେଲରୁ ହଳଦିଆ ପାଣି ବାହାରୁଥାଏ। ଲୋକେ କହିଲେ, ଜିଲ୍ଲାପାଳ ନିଜେ ଏହି ପାଣି ଦେଖିଛନ୍ତି। ହେଲେ ପଦକ୍ଷେପ ଶୂନ।  ଆମେ ସେଠି ଥିବାବେଳେ ଦେଖିବାକୁ ପାଇଲୁ, ଦୂରରୁ ସାଇକେଲରେ ଲଦି ଡବାରେ ପାଣି ଆଣି ଆସୁଛନ୍ତି ଲୋକେ। ଛୋଟରୁ ବଡ ସବୁ ପିଲା ମେଳ ହୋଇ ବୁଲୁଥାନ୍ତି। ଶିକ୍ଷା ବ୍ୟବସ୍ଥାର ଯେତେ ଡିଣ୍ଡିମ ସରକାର ପିଟିଲେ ବି ଅଙ୍ଗନବାଡ଼ି ଓ ପ୍ରାଥମିକ ବିଦ୍ୟାଳୟ ନଥିବା ଏହି କୁଶମେଲ କ୍ୟାମ୍ପ ସରକାରୀ ମୁଖା ଖୋଲିଦେବାକୁ ଯଥେଷ୍ଟ।
ଏହାପରେ ଆମ ଟିମ ଏଠାରୁ ତିନି କିଲୋମିଟର ଦୂର ବନଛୋରପାଲି ସ୍ଥାୟୀ କ୍ୟାମ୍ପ ଅଭିମୁଖେ ବାହାରିଲା। ରାସ୍ତା ଅବସ୍ଥା ଏମିତି ଯେ, ବୋଲେରୋ ପକ୍ଷେ ଯିବା କଷ୍ଟକର ହେଉଥାଏ। ବହୁ କଷ୍ଟରେ ସେଠାରେ ପହଞ୍ଚିଲୁ। ପରିବାର ପିଛା ୮.୫୬ ଲକ୍ଷ ଟଙ୍କା କରି ମିଳିଛି। ସରକାର ଏଠି ଲୋକଙ୍କ ପାଇଁ ବିଦ୍ୟୁତ, ପାଣି ବ୍ୟବସ୍ଥା କରୁଛନ୍ତି। ସ୍କୁଲ ବି କରିବେ ବୋଲି ଶୁଣିଲୁ।
ଆଦିବାସୀ ସମ୍ପ୍ରଦାୟର ସୁଦାମ ମଲ୍ଲିକ କହିଲେ ଯେ, ୨ ଏକର ଚାଷ ଜମି ହରାଇଛି। ୫ ଡେସିମିଲ ଜମି ଓ ୫.୫ ଲକ୍ଷ ଟଙ୍କା ପାଇଛି। ଜମି ବିବାଦ ଥିବାରୁ ସେ ବାବଦ ଟଙ୍କା ଏଯାଏ ପାଇ ନାହିଁ। କହିଲେ, ସରକାର ଆମକୁ ଯେମିତି ହଟାଇଲେ ସେ ଅପମାନ ଭୁଲି ପାରିବି ନାହିଁ। ଆମ ଗାଁରୁ କରେଣ୍ଟ କାଟିଦେଲେ। ଟିଉବୱେଲ ଓ ଘର ଉପରେ ବୁଲଡୋଜର ଚଳାଇ ଦେଲେ। ଏଠି ଯେଉଁ ଅସ୍ଥାୟୀ ୧୫X ୧୫ ଫୁଟର ଟିଣ ଘର ସରକାର କରିଦେଇଛନ୍ତି, ସେଥିପାଇଁ ୧ ଲକ୍ଷ ଟଙ୍କା କାଟି ରଖିଛନ୍ତି। ସ୍ଥାୟୀ ଘର ତିଆରିରେ ସବୁ ପଇସା ସରିଲାଣି। ଏବେ କେମିତି ଚାରି ଜଣ ପରିବାରଙ୍କୁ ଚଳାଇବି ବୁଝିପାରୁ ନାହିଁ। ସେହିପରି ଶ୍ରୀଧର ବଗର୍ତ୍ତି, ରାମଜୀ ମଲ୍ଲିକ ଆଦି କହିଲେ ଯେ, ଅସ୍ଥାୟୀ ଟିଣ ଘର ବାବଦ ସରକାର ୧ ଲକ୍ଷ ଟଙ୍କା କାଟି ରଖିଛନ୍ତି। ଆଦିବାସୀ ମାନଙ୍କୁ ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁସାରେ ଯେତିକି ଜମି ହରାଇଛୁ, ସେତିକି ପରିମାଣର ଜଳସେଚିତ ଜମି ମିଳିବା କଥା। ତାହା କେବେ ମିଳିବ, ବୁଝା ପଡୁ ନାହିଁ।
ସେଠୁ ଯାଇ ଅନନ୍ତପାଲି ଗ୍ରାମର ବିସ୍ଥାପିତ ଲୋକେ ଯେଉଁମାନେ ବାଘଡ଼ୁଙ୍ଗୁରି ଗ୍ରାମରେ ରହୁଛନ୍ତି, ସେମାନଙ୍କୁ ଭେଟିଲୁ। ହେମନ୍ତ ରାଜପୁତ କହିଲେ ଯେ, ସରକାର ଯେଉଁ ଜମି ଦେଉଥିଲା, ତାହା ବଞ୍ଜର ଜମି ହୋଇଥିବାରୁ ନେଲୁ ନାହିଁ। ଘର ବାବଦ ଯାହା କିଛି ପଇସା ମିଳିଥିଲା, ଏଠାରେ ଜମି କିଣି ଘର କରି ତାହା ସାରି ଦେଇଛୁ। ଆମ ଜୀବୀକା ସଂପୂର୍ଣ୍ଣ ନଷ୍ଟ ହୋଇଗଲା। ଏଠାରେ ଅଙ୍ଗନବାଡି ନାହିଁ। ପିଲାଙ୍କୁ ବନ୍ଧୁଘରେ ଛାଡି ଦେଇଛୁ। ଏଯାଏ ଏହି ସ୍ଥାନକୁ କରେଣ୍ଟ ଆସି ନାହିଁ। ସମସ୍ତଙ୍କୁ ଗୁହାରି କଲୁଣି। ହେଲେ କେହି ଶୁଣିବାକୁ ନାହିଁ। ସ୍ଥାନୀୟ ଗାଁ ଲୋକେ ଆମକୁ ବାସନ୍ଦ କରି ରଖିଛନ୍ତି। ବିସ୍ଥାପନ ପୂର୍ବରୁ ଭଲ ସମ୍ପର୍କ ଥିଲା। ହେଲେ ବିସ୍ଥାପିତ ହୋଇ ସେମାନଙ୍କ ଗ୍ରାମରେ ଘର କରି ରହିବାରୁ ଆମେ ପାଇଥିବା ଟଙ୍କା କାରଣରୁ ସେମାନେ ଈର୍ଷ୍ୟା କରୁଛନ୍ତି। ପିଲାଙ୍କ ରେସିଡେଣ୍ଟ ସାର୍ଟିଫିକେଟ ବାହାରି ପାରୁ ନାହିଁ। ଏଥିପାଇଁ ଆନ୍ଦୋଳନ କରିବାରୁ ତତ୍କାଳୀନ ଜିଲ୍ଲାପାଳ ଚଞ୍ଚଲ ରଣା ଜଣେ  ଅବସରପ୍ରାପ୍ତ ଶିକ୍ଷକଙ୍କୁ କହିଲେ ଯେ, ତୁମ ଚମଡା ଉତ୍ତାରି ଦେବି, ପେନସନ ବନ୍ଦ କରାଇଦେବି। ଆମେ କେମିତି ବଞ୍ଚିବୁ ସେହି ଚିନ୍ତାରେ ଅଛୁ। ପୂର୍ବ ଗାଁ କଥା ମନେ ପକାଇ ଜୀବନ ଜୀଉଁଛୁ।
ଦୁଇ ପ୍ରହର ଅତିକ୍ରାନ୍ତ ହୋଇଥାଏ। ଭୋକ ଓ ବିସ୍ଥାପିତଙ୍କ ଦୁଃଖ ଆମକୁ ଅବଶ କରିଦେଇଥାଏ। ଯାଇ ପହଞ୍ଚିଲୁ କଣିଆପାଲି ଗାଁରେ। ସାଢେ ବାର ହଜାର ପରିବାର ଏହି ପ୍ରକଳ୍ପରେ ବିସ୍ଥାପିତ ହେବାର ଯୋଜନା ଥିବାବେଳେ ଏହି ଗ୍ରାମର ୫୬ ପରିବାରକୁ ଛାଡି ଆଉ ପ୍ରାୟ ସମସ୍ତେ ବିସ୍ଥାପିତ ହୋଇ ସାରିଛନ୍ତି। ଆମେ ଯିବୁ ବୋଲି ଗାଁ କୋଠଘରେ ଖାଇବା ବନ୍ଦୋବସ୍ତ ହୋଇଥାଏ। ଆମେମାନେ ଖାଇ ପିଇ ସାରିବା ପରେ ସଭା ଆରମ୍ଭ ହେଲା। ପ୍ରାୟ ସମାନ ସଂଖ୍ୟକ ପୁରୁଷ ଓ ମହିଳା ଆସିଥାନ୍ତି ସଭାକୁ। ସ୍ଥାନୀୟ ୱାର୍ଡ ମେମ୍ବର ପ୍ରେମରାଜ ବରିହା ସଭା ଚଳାଇଲେ। ଲୋକେ କହିଲେ, ଆମ ଗାଁ ବିସ୍ଥାପିତ ହେବ ବୋଲି ଜାଣି ନଥିଲୁ । ଆମେ ଜାଣିବା ପୂର୍ବରୁ ସରକାର ଲୁଚାଇ କରି ସର୍ଭେ ସାରି ଦେଇଛନ୍ତି। ଆମ ଗ୍ରାମ ବିସ୍ଥାପିତ ହେଲେ ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁସାରେ କ୍ଷତି ପୂରଣ ଦାବୀ କରି ଏସଟି କମିଶନରଙ୍କ ନିକଟରେ କେସ କଋଥିଲୁ। ଅର୍ଥାତ ଜମି ବଦଳରେ ଜମି। କମିଶନରଙ୍କ ନିର୍ଦ୍ଦେଶରେ ଜନଶୁଣାଣୀ ହେଲା। ହେଲେ ଆମ ଗ୍ରାମକୁ ବିସ୍ଥାପିତ ପାଇଁ ଆମ ଗ୍ରାମରେ ନକରି ପ୍ରଶାସନ ଏଠାରୁ ଦେଢ କିଲୋମିଟର ଦୂର କୁଡମୁଡ ରାସ୍ତାରେ ଜନ ଶୁଣାଣୀ କଲା। ଆମେ ଆମ ଗାଁ ନିକଟରେ ୧୦ ଦଫା ଦାବୀ ସମ୍ବଳିତ ମେମୋରାଣ୍ଡମ ଦେଲୁ। ଜିଲ୍ଲାପାଳ ଆମ ଗାଁକୁ ଆସିବେ କହିଲେ। ଆମେ ଅପେକ୍ଷା କରି ରହିଛୁ, ସେ ଜିଲ୍ଲାପାଳ ଗଲେଣି। ଏଯାଏ କାହାର ଦେଖା ନାହିଁ।
ରାମଚଣ୍ଡି ବରିହା କହିଲେ, ଗର୍ଭବତୀ ମହିଳାଙ୍କର ନା ଚିକିତ୍ସା ହେଉଛି, ନା ଖାଦ୍ୟ ଔଷଧ ସେମାନଙ୍କୁ ମିଳୁଛି। ଗତ ବର୍ଷ ମଇମାସରୁ ବୁଡି ଅଞ୍ଚଳ ହିସାବରେ ୨୫୦ ପିଲାଙ୍କୁ ସାର୍ଟିଫିକେଟ ଦେଇ  ସ୍କୁଲ ଜୋର ଜବରଦସ୍ତ ବନ୍ଦ କରିଦିଆଗଲା। ଖରାଦିନେ ପିଇବା ପାଣି ମିଳୁ ନାହିଁ। ଆମ ଟିଉବୱେଲ ସଜଡା ହେଉ ନାହିଁ। କେନ୍ଦୁପତ୍ର ତୋଳିବା କି ଗୋଛା କାଟିବାକୁ ଆମକୁ ଅନୁମତି ଦେଉ ନାହାନ୍ତି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାଠାରୁ ଆରମ୍ଭ କରି କୌଣସି ସରକାରୀ ଯୋଜନାରେ ଆମକୁ ସାମିଲ କରାଯାଉ ନାହିଁ। ସରକାରୀ ରିପୋର୍ଟରେ ଆମେ ବୁଡି ସାରିଛୁ। ରେଙ୍ଗାଲି ଗ୍ରାମ ପଞ୍ଚାୟତରୁ କୌଣସି ସୁବିଧା ଆମେ ପାଉ ନାହୁଁ। ଦୁଇଟା ଯାକ ଅଙ୍ଗନବାଡି ବନ୍ଦ। ଆଶାକର୍ମୀ ନାହାଁନ୍ତି।
ସୁକାନ୍ତି ବରିହା କହିଲେ ଯେ, ଆମେ ନ୍ୟାୟ ପାଉ ନାହୁଁ। ଏପଟେ କେନ୍ଦୁପତ୍ର ତୋଳିବାକୁ ଅନୁମତି ପାଉ ନାହୁଁ। ସେପଟେ ଆମ ଧାନ ଜମିରେ ଅଣ୍ଟାଏ ଲେଖାଏଁ ପାଣି ଛିଡା ହୋଇଛି। ପିଲାଏ ପାଠ ଶାଠ ବିନା ମୂର୍ଖ ହୋଇଗଲେଣି। ଆମ ପିଢୀକୁ ଏହି ସରକାର ଦଶ ପିଢୀ ପଛକୁ ନେଇଗଲା।
    ଲୋକେ କହିଲେ, ଆମ ପାଇଁ ବିଜେଡି ଓ କଂଗ୍ରେସ ଏକ ଥିଲେ। ଏଥର ବିଜେପିକୁ ଭୋଟ ଦେଇଛୁ। ଆମ ବିଧାୟକ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ। ହେଲେ ଜିତିବା ପରେ ତାଙ୍କ ଭେଟ ମିଳୁନାହିଁ। ଆମେ ଏଠୁ ଚାଲିଯିବାକୁ ଚାହୁଁଛୁ। ହେଲେ ନିୟମ ମୁତାବକ ଆମ କ୍ଷତିପୂରଣ ଦେଇ ଦିଆଯାଉ। ଲୋକେ ବିଧାନ ସଭା ଘେରାଉ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କୁ ଭେଟି ଦୁଃଖ କହିବାକୁ ସଜବାଜ ହେଉଛନ୍ତି। ହେଲେ ଦୁଃଖ ଶୁଣିବାକୁ କେହି କେଉଁଠି ଥିଲେ ତ ?
   କର୍ପୋରେଟ ଲୋକଙ୍କୁ ଠକିବାକୁ ଚେଷ୍ଟା କଲେ ବୁଝା ପଡେ ଯେ, ବ୍ୟାପାରୀ ଅଧିକ ଲାଭ ଆଶାରେ ଲୋକଙ୍କୁ ଠକିବାକୁ ଚାହୁଁଛି। ହେଲେ ସରକାର କାହିଁକି ଠକିବେ ? ପ୍ରଶାସନିକ ଅଧିକାରୀ କଣ ଜାଣନ୍ତି ନାହିଁ ଯେ, ଏହି ଅଧାମଲା ଲୋକମାନଙ୍କୁ ସରକାର କୁହାଯାଏ ବୋଲି। କେତେ ବା ଡିମାଣ୍ଡ ସେମାନଙ୍କର ? ସେତିକି ପୂରଣ କରିବାକୁ ଏତେ ପଛଘୁଞ୍ଚା କାହିଁକି ? ଅବଶ୍ୟ ବିସ୍ଥାପନ ରାଶି ବାଣ୍ଟୁଥିବା ଅଧିକାରୀ ଦୁର୍ନୀତି ଅଭିଯୋଗରେ ଚାକିରୀ ହରାଇଥିବା କଥା ଲୋକେ ଭୁଲି ନାହାନ୍ତି। ଜଣେ ଧରା ପଡିଲେ ବି ଏହି ରାକେଟରେ ଥିବା ଅନେକ ବଡ ମୁଣ୍ଡ ଯେ ଖୋଲାରେ ବୁଲୁଛନ୍ତି, ତାହା ଅନୁମାନ ସାପେକ୍ଷ। କୋଟି  କୋଟି ପ୍ରଧାନମନ୍ତ୍ରୀ ଆବାସ ରାଜ୍ୟ ପାଇଁ ମିଳିଛି ବୋଲି ସରକାର ଖବରକାଗଜ ପୃଷ୍ଠାରେ ବଡ ବଡ ବିଜ୍ଞାପନ ଛାପୁଛନ୍ତି। ନିଜ ଜମି, ଘର, ଭବିଷ୍ୟତକୁ ପାଣିରେ ଡୁବାଇ ଆମମାନଙ୍କ ବିକାଶର ପଥରେ ରହିଥିବା ଗାଡ ସବୁକୁ ପୁରାଇବାକୁ ଲାଗିଥିବା ଏହି ଲୋକମାନଙ୍କ ନିମନ୍ତେ ଟିଣ ଘର କଣ ପାଇଁ ? ବଲାଙ୍ଗୀର ସହର ଓ ଅନ୍ୟ ଅଞ୍ଚଳକୁ ପିଇବା ପାଣି ପଠାଇବା ନିମନ୍ତେ ପାଇପ ଲାଇନ  ଓ ଜଳସେଚନ ପାଇଁ ଏପର୍ଯ୍ୟନ୍ତ ଲୋୟର ସୁକତେଲ ଡ୍ୟାମରୁ କେନାଲ ଖୋଳା ଆରମ୍ଭ ହୋଇ ନାହିଁ। ତେବେ ତରବରିଆ ଭାବରେ ଡ୍ୟାମରେ ପାଣି ଭର୍ତ୍ତି କରି ଲୋକଙ୍କ ଭାଗ୍ୟ ଭବିଷ୍ୟତକୁ ଡୁବାଇବା ପଛରେ ଅଭିଷ୍ୟନ୍ଦି କଣ ? ଏହି ପ୍ରକଳ୍ପ ସପକ୍ଷରେ ଅଧିକାଂଶ ବଲାଙ୍ଗୀର ସହରବାସୀ ସବୁବେଳେ ଆଗରେ। କମ ଦାମରେ ଏହି ନିରାଶ୍ରୟ ଲୋକଙ୍କ ଜମିକୁ ଶାଗ ମାଛ ମୂଲରେ କିଣିଥିବା ଅନେକ ଚାଲାକ ଲୋକ, ଏବେ ସେହି ଜମି ସବୁ ସୁନା ମୂଲ୍ୟରେ ବିକିଲେ। ସେଥିପାଇଁ ସେହି ଲୋକମାନେ ଏହି ପ୍ରକଳ୍ପ ପାଇଁ ତରତର। ଶୁଣିଲୁ ବିରୋଧୀ ବିଧାୟକଙ୍କର ବହୁ ଜମି ଗଲା ଏହି ପ୍ରକଳ୍ପରେ। ସେଥିପାଇଁ ସେ ବି ନଡିଆ ବାଡେଇବାକୁ ଆସି ସରକାରୀ ଦଳ ସହ ଏକାଠି ହୋଇଗଲେ। ତେବେ ପ୍ରଫୁଲ୍ଲ ସାମନ୍ତରା ମାନଙ୍କୁ ଅଟକ ରଖି କେତେଦିନ ଏମିତି ନିରୀହ ଗରୀବ ଲୋକଙ୍କ ମୁହଁ ବନ୍ଦ କରାଯାଇ ପାରିବ ? ଫେରିଲା ବେଳକୁ ଟିଣଘର ତାତି କଥା ଭାବି, ବ୍ରିଟିଶ ସମୟର ପାଟନା କ୍ୟାମ୍ପ ଜେଲରେ ଏମିତି ଟିଣଘରେ ବନ୍ଦୀ ଥିବା ବାନର ସେନା ସୁନୀଲ ଘୋଷଙ୍କ ଜୀବନ ଚାଲିଯାଇଥିବା ଇତିହାସ ମନେ ପଡିଯାଇଥିଲା।

Leave a Reply

Your email address will not be published. Required fields are marked *