କମିଲା ଗ୍ୟାସ୍ ସିଲିଣ୍ଡର୍ ଦର…

ଏପ୍ରିଲ୍ ୧ ତଥା ଆଜି ଠାରୁ ଆରମ୍ଭ ହୋଇଛି ନୂତନ ଆର୍ଥିକ ବର୍ଷ । ନୂଆ ଆର୍ଥିକ ବର୍ଷରେ ଆସିଛି ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ତାହା ହେଉଛି ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଛି । ୧୯ କିଲୋଗ୍ରାମ୍ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର କମିବା ନେଇ ତୈଳ କମ୍ପାନୀଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି ନୂଆ ଦର ଆଜି ଠାରୁ ଲାଗୁ କରାଯାଇଛି।
ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ୩୦.୫୦ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ଏବେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ୧୭୬୪.୫୦ ଟଙ୍କା ହୋଇଛି। ପୂର୍ବରୁ ଏହା ୧୭୯୫ ଟଙ୍କା ଥିଲା । ସେହିପରି କୋଲକାତାରେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ଏବେ ୧୮୭୯ ଟଙ୍କା, ମୁମ୍ବାଇରେ ୧୭୧୭.୫୦ ଟଙ୍କା, ଚେନ୍ନାଇରେ ୧୯୩୦ ଏବଂ ରାଜ୍ୟର ରାଜଧାନୀ ଭୁବନେଶ୍ଵରରେ ଏହାର ଦମ୍ ୧୯୧୬ ଟଙ୍କା ରହିଛି।
ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଏବେ ୮୦୩ ଟଙ୍କାରେ ମିଳୁଛି । ସେହିପରି ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କ ପାଇଁ ଏହା ଏବେ ୬୦୩ ଟଙ୍କାରେ ଉପଲବ୍ଧ ହେଉଛି। ଭୁବନେଶ୍ଵର ୮୨୯ ଟଙ୍କାରେ ମିଳୁଛି।
ଏହା ପୂର୍ବରୁ ଲଗାତାର ୨ ମାସ ଧରି ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ହୋଇଥିଲା । ତୈଳ କମ୍ପାନୀଗୁଡ଼ିକ ତରଫରୁ ମାର୍ଚ୍ଚ ୧ ରେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ୧୭୬୯.୫୦ ଟଙ୍କାରୁ ୧୭୯୫ ଟଙ୍କାକୁ ବୃଦ୍ଧି କରାଯାଇଥିଲା।