ମହାରାଷ୍ଟ୍ର ରାଜନୀତିର ଐତିହାସିକ ପଟ୍ଟ ପରିବର୍ତ୍ତନ ଓ କଂଗ୍ରେସ ରାଜନୀତି ଏହାର ଜନ୍ମଦାତା

ମୁମ୍ବାଇ: (ବିଜୟ ସାହୁ)- ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଦେଖି କଂଗ୍ରେସ ଓ ନାଗରିକ ସମାଜ ଯେଉଁ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ତାହା ଏକ ବୃଥା ଅରଣ୍ୟ ରୋଦନ । ଏକଦା ଭାରତୀୟ ଜାତୀୟ କଂଗ୍ରେସ ମହାରାଷ୍ଟ୍ରରୁ କମ୍ୟୁନିଷ୍ଟ ମାନଙ୍କୁ ଓ କଂଗ୍ରେସ-ସମାଜ ବାଦୀ ଗୋଷ୍ଠୀଙ୍କୁ ମୂଳୋତ୍ପାଟନ କରିବା ପାଇଁ ଓ ମହାରାଷ୍ଟ୍ରର ଶ୍ରମଜୀବୀ ସଂଗଠନଗୁଡିକୁ ଧ୍ୱଂସ କରିବା ପାଇଁ ବାଲ ଥାକ୍କରେଙ୍କୁ ଅସ୍ତ୍ର କରିଥିଲା , ଚଳିତ ନିର୍ବାଚନରେ ସମାନ ରଣ କୌଶଳ ପ୍ରୟୋଗ କରି ବିଜେପି କଂଗ୍ରେସ ଓ ବାଲ ଥାକ୍କରେଙ୍କ ପ୍ରତିଷ୍ଠିତ ପାର୍ଟ ଶିଵ ସେନାକୁ ବିଲୁପ୍ତି ଆଡକୁ ନେଇ ଯାଇଛି । ଭବିଷ୍ୟତ ରେ ଶିଵ ସେନା ଓ କଂଗ୍ରେସ ପୁଣି ପୂର୍ଵ ସ୍ଥିତିକୁ ଫେରିବେ କି ନାହିଁ ତାହା ଆଜି ଅନୁମାନ କରିବା ଏକ ହାସ୍ୟାସ୍ପଦ ଚର୍ଚ୍ଚା ।

ମହାରାଷ୍ଟ୍ର ରାଜନୀତିର ଇତିହାସକୁ ଜାଣିବାକୁ ହେଲେ ମହାରାଷ୍ଟ୍ରରେ ପ୍ରଥମେ କମ୍ୟୁନିଷ୍ଟ ଆନ୍ଦୋଳନ ଓ ଶକ୍ତିକୁ ଜାଣିବା ଜରୁରୀ । ଆଜି ହୁଏତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବିସ୍ମୃତି ଗର୍ଭକୁ ଚାଲିଯାଇଛି, କିନ୍ତୁ ପ୍ରାକ-ସ୍ୱାଧୀନତା କାଳରେ ଏହାର ସଂଗ୍ରାମ ସମଗ୍ର ଭାରତ ବର୍ଷକୁ ପ୍ରେରଣା ଦେଇଥିଲା ।
ଏହାର ବ୍ରିଟିଶ ସାମ୍ରାଜ୍ୟ ବାଦୀ -ବିରୋଧୀ ସ୍ୱାଧୀନତା ସଂଗ୍ରାମର ଏକ ଗୌରବୋଜ୍ୱଳ ଐତିହ୍ୟ ରହିଛି । ଏହି ସଂଗ୍ରାମରେ ବହୁ ସଂଖ୍ୟକ କମ୍ୟୁନିଷ୍ଟ, କୃଷକ ଓ ଶ୍ରମିକ ସହୀଦ ହେଇଛନ୍ତି । ଏହି ସଂଗ୍ରାମ ଆରମ୍ଭ ହୁଏ ଉନବିଂଶ ଶତାବ୍ଦୀର ଦ୍ଵିତୀୟ ଦଶନ୍ଧିରେ । ବମ୍ବେର ଟେକ୍ସଟାଇଲ ଶିଳ୍ପର ଶ୍ରମିକମାନେ ଗିରନି କାମଗାର ୟୁନିୟନ ( GKU ) ର ଲାଲ ପତାକା ତଳେ ସଂଗଠିତ ହେଇ ବ୍ୟାପକ ଶ୍ରମିକ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହି ସଂଗ୍ରାମ ମଧ୍ୟରେ ସବୁଠାରୁ ସ୍ମରଣୀୟ ଥିଲା ଶ୍ରମିକମାନଙ୍କ ଦୀର୍ଘ 6 ମାସ ଧରି ନିରନ୍ତର ଧର୍ମଘଟ । ଏହି ସଂଗ୍ରାମ ଯୋଗୁଁ ବମ୍ବେ ଓ ମହାରାଷ୍ଟ୍ରର ଶ୍ରମିକ ଶ୍ରେଣୀ ଅନେକଗୁଡିଏ ଅଧିକାର ଓ ଦାବୀ ହାସଲ କରିଥିଲେ ।ଏହି ଆନ୍ଦୋଳନର ପ୍ରଥମ ପିଢ଼ିର ନେତାଥିଲେ ପ୍ରଖ୍ୟାତ ବିଟି ରଣଦିବେ ଏସ ଏ ଡାଙ୍ଗେ, ଏସ ଏସ
ମିରାଜକର ଓ ଅନ୍ୟମାନେ । ବମ୍ବେର ଟେକ୍ସଟାଇଲ ଶ୍ରମିକ ଆନ୍ଦୋଳନ ସୋଲାପୁର, ଥାନେ, ଧୁଲେ , ଜଲ ଗାଓଁ ପ୍ରଭୃତି ଜିଲ୍ଲାର ଟେକ୍ସଟାଇଲ ଶିଳ୍ପଗୁଡିକୁ ବ୍ୟାପୀ ଥିଲା । ଏହି ସଂଗ୍ରାମ ଭିତରେ କେବଳ ଅର୍ଥନୈତିକ ଦାବୀ ଓ ଶ୍ରମିକଙ୍କ ଅଧିକାର ପ୍ରଶ୍ନ ନ ଥିଲା, ପରନ୍ତୁ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧୀ ସ୍ୱାଧୀନତା ଆନ୍ଦୋଳନର ଆଧାର ଶିଳା ଥିଲା, ଧର୍ମନିରପେକ୍ଷତା ଭିତ୍ତିରେ ଶ୍ରମିକ ଶ୍ରେଣୀ ଐକ୍ୟ ପ୍ରତିଷ୍ଠା କରିଥିଲେ ଓ ସାମ୍ପ୍ରଦାୟିକ ଗୋଷ୍ଠୀଙ୍କ ପ୍ରତିକ୍ରିୟାଶୀଳ ଶକ୍ତି ବିରୁଦ୍ଧରେ ଏକଜୁଟ ହେଇଥିଲେ । 1930 ରେ ଶ୍ରମିକ ଓ ସାଧାରଣ ଜନତା ସୋଲାପୁରରେ ବ୍ରିଟିଶ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ ଓ କିଛି ଦିନ ପର୍ଯ୍ୟନ୍ତ ବ୍ରିଟିଶ ଶାସକମାନଙ୍କୁ ହଟେଇ ସୋଲାପୁର ସହରର ପ୍ରଶାସନ ଚଳେଇ ଥିଲେ । ଏହି ବିଦ୍ରୋହ ପରେ ବ୍ରିଟିଶ ଅତ୍ୟନ୍ତ କଠୋର ମାର୍ଶାଲ ଆଇନ ପ୍ରୟୋଗ କରିଥିଲେ । ଏହି ଆଇନ ବଳରେ 4 ଜଣ ସଂଗ୍ରାମୀ ନେତା ମାଲପ୍ପା ଧନଶେଠି,ଶ୍ରୀକ୍ରୀଶନ ଶାରଦା,କୁର୍ବାନ ହୋସେନ ଓ ଜଗନ୍ନାଥ ସିନ୍ଧେ ଜାନୁଆରୀ 12, 1931ରେ ଫାଶୀ ପାଇଥିଲେ । ଏହି ଫାଶୀର 3 ମାସ ଭିତରେ ଭଗତ ସିଂ, ଶୁଖଦେବ ଓ ରାଜଗୁରୁ ଫାଶୀ ପାଇଥିଲେ । ଏମାନଙ୍କ ମଧ୍ୟରୁ ପୁନେ ଜିଲ୍ଲାର ଖେଦ ଅଞ୍ଚଳର ହେଉଛନ୍ତି ରାଜଗୁରୁ । ଖେଦ ଏବେ ରାଜଗୁରୁ ନଗର ଭାବରେ ପରିଚିତ। 1938 ରେ ଯେତେବେଳେ ବ୍ରିଟିଶ ସରକାର ଶ୍ରମିକଙ୍କ ଆନ୍ଦୋଳନ ଉପରେ କଳା ଆଇନ ଲାଗୁକଲେ ସେତେବେଳେ କମ୍ୟୁନିଷ୍ଟ ପାର୍ଟି ଓ ଆମ୍ବେଦକରଙ୍କ ଲେବର ପାର୍ଟି ମିଳିତ ଭାବରେ ବମ୍ବେରେ ଏହି କଳା ଆଇନ ବିରୁଦ୍ଧରେ ବୃହତ ସାଧାରଣ ଧର୍ମଘଟର ନେତୃତ୍ୱ ନେଲେ । ଆର ବି ମୋରେ ଓ ଶାମରାଓ ପାରୁଲକର ଦୁଇ ବିଶିଷ୍ଟ କମ୍ୟୁନିଷ୍ଟ ନେତା ଏହି ଆନ୍ଦୋଳନରେ ଆମ୍ବେଦକରଙ୍କ ସହ ସାମିଲ ହେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମ୍ବେଦକର ଙ୍କ 1927ରେ ପ୍ରଖ୍ୟାତ ଚୌଦ୍ୱାର ଲେକ ସତ୍ୟାଗ୍ରହ ବେଳେ ଆରବି ମୋରେ ଅନ୍ୟତମ ମୁଖ୍ୟ ସଙ୍ଗଠକ ଥିଲେ । ଏହି ଆନ୍ଦୋଳନର ମୁଖ୍ୟ ଦାବୀ ଥିଲା ଦଳିତମାନେ ଏହି ଲେକ ରୁ ଜଳ ଉଠେଇବା । ଆମ୍ବେଦକର ଓ ପାରୁଲକର 1938 ରେ ଜମିଦାରଙ୍କ ଖୋଟି ବ୍ୟବସ୍ଥା ବିରୁଦ୍ଧରେ ବମ୍ବେ ବିଧାନସଭାରେ ବିଶାଳ କୃଷକ ବିକ୍ଷୋଭର ନେତୃତ୍ୱ ନେଇଥିଲେ ।

କମ୍ୟୁନିଷ୍ଟ ପାର୍ଟି ଗଠନ ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ଜମିଦାରୀ ବ୍ୟବସ୍ଥା ବିରୁଦ୍ଧରେ ଚାଷୀ ଓ ଆଦିବାସୀଙ୍କ ଅନେକ ଗୌରବୋଜ୍ବଳ ସଂଗ୍ରାମ ହେଇଛି । ଅଗ୍ରଣୀ ରାଡ଼ିକାଲ ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିରାଓ ଫୁଲେ ଉନବିଂଶ ଶତାବ୍ଦୀରେ ଜମିଦାରୀ ବ୍ୟବସ୍ଥା ଓ ସମସ୍ତ ପ୍ରକାର ଜାତିଗତ ଦମନ ବିରୁଦ୍ଧରେ ବ୍ୟାପକ ଭାବରେ ଲେଖିଛନ୍ତି । ତାଙ୍କର ଲେଖା କୃଷିଜୀବୀଙ୍କୁ ସଂଗ୍ରାମ କରିବାକୁ ପ୍ରେରଣା ଦେଇଛି । ଏହି ସଂଗ୍ରାମର ଏକ ସ୍ମରଣୀୟ ଅଧ୍ୟାୟ ହେଲା ସାହୁକାରଙ୍କ ବିରୁଦ୍ଧରେ 1975ର ପ୍ରଖ୍ୟାତ Deccan Riots . 1945 ,12ଜାନୁଆରୀ ରେ ଥାନେ ଜିଲ୍ଲାରେ ପ୍ରଥମ ସମ୍ମିଳନୀ ମାଧ୍ୟମରେ ମହାରାଷ୍ଟ୍ର ରାଜ୍ୟ କିଶାନ ସଭା ଗଠନ ହେବା ପରେ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱରେ ସଂଗଠିତ ଚାଷୀ ଆନ୍ଦୋଳନ ଜୋରଦାର ହେଇଥିଲା । ମହାରାଷ୍ଟ୍ର କିଶାନ ସଭାର ଦୁଇ ଅଗ୍ରଣୀ ନେତା ଥିଲେ ଶ୍ୟାମଲାଲ ପାରୁଲକର ଓ ଗୋଦାବରୀ ପାରୁଲ କର । କିଶାନ ସଭାର ଏହି ସମ୍ମିଳନୀରୁ ଆରମ୍ଭ ହେଇଥିଲା ଥାନେ ଜିଲ୍ଲାର ଐତିହାସିକ ଆଦିବାସୀ ବିଦ୍ରୋହ । ଏହା ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ।ଏହି ସଂଗ୍ରାମ ଯୋଗୁଁ ଦାସତ୍ୱ ଓ ଗୋତି ପ୍ରଥା ବିଲୋପ ହେଇଥିଲା , କୃଷି ଜୀବୀ ଙ୍କ ମଜୁରୀ ବୃଦ୍ଧି ହେଇଥିଲା ଓ ଚାଷୀଙ୍କ ହାତକୁ କିଛି କିଛି ଜମି ମାଲିକାନା ଆସିଥିଲା । କମ୍ରେଡ଼ ଶ୍ୟାମାରାଓ ପାରୁଲକରଙ୍କ ପୁସ୍ତକ ” Revolt Of Warlis ” ଓ କମ୍ରେଡ଼ ଗୋଦାବରୀ ପାରୁଲକରଙ୍କ ପୁସ୍ତକ ” Adivashi Revolt ” ରେ ଏହି ସଂଗ୍ରାମକୁ ନଥିଭୁକ୍ତ କରାଯାଇଛି । ଆଦିବାସୀ ବିଦ୍ରୋହ ଯୋଗୁଁ ପ୍ରଥମେ ଅକ୍ଟୋବର 10, 1945ରେ 5 ଜଣ ସହୀଦ ହେଇଥିଲେ । ଥାନେ ଜିଲ୍ଲାର ତହସିଲ ସମ୍ମୁଖରେ 30 ହଜାର ଆଦିବାସୀ ଶାନ୍ତିପୂର୍ଣ୍ଣ ବିଦ୍ରୋହ ପ୍ରଦର୍ଶନ କରୁଥିବା ବେଳେ ବ୍ରିଟିଶ ପୋଲିସ ଜମିଦାର ଓ ସାହୁକାରଙ୍କ ପକ୍ଷ ନେଇ ଗୁଳି ଚାଳନା କରିଥିଲା ।
1943 ରୁ 1946 ମଧ୍ୟରେ ପଶ୍ଚିମ ମହାରାଷ୍ଟ୍ରର ସତରା ଓ ସଙ୍ଗଲୀରେ କ୍ରାନ୍ତି ସିହ୍ନା ସାଢେ଼ ତିନି ବର୍ଷ ପର୍ଯ୍ୟନ୍ତ ସମାନ୍ତରାଳ ସରକାର ଗଠନ କରିଥିଲେ । ଏହି ସିହ୍ନାର ନେତା ଥିଲେ ନାନା ପାଟିଲ । ସେ ପରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ଓ 1955ରେ ଅଖିଳ ଭାରତ କିଶାନ ସଭାର ଜାତୀୟ ସଭାପତି ହେଇଥିଲେ । 1946 ଫେବୃଆରୀରେ ବମ୍ବେ ବନ୍ଦରରେ ନୌସେନା ରେଟିଙ୍ଗ ବିଦ୍ରୋହରେ କମ୍ୟୁନିଷ୍ଟ ପାର୍ଟି ଏହାକୁ ସମର୍ଥନ କରିଥିଲା ଓ ବମ୍ବେର ଟେକ୍ସ ଟାଇଲ ଶ୍ରମିକମାନେ ଏହି ବିଦ୍ରୋହ କୁ ପୂର୍ଣ ସମର୍ଥନ କରିଥିଲେ । ସେମାନେ ବମ୍ବେ ନଗରୀରେ ବ୍ୟାରିକେଡ଼ କରି ବ୍ରିଟିଶ ଗୋଳବାରୁଦ ପରିବହନକୁ ରୋକିଥିଲେ । କମ୍ରେଡ଼ ବି ଟି ରଣଦିଭେ ଲେଖିଛନ୍ତି ବମ୍ବେରେ ବ୍ରିଟିଶ ସେନା 400 ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ ।
ବମ୍ବେର ଏହି ନୌସେନା ବିଦ୍ରୋହ ଭାରତର ସମସ୍ତ ବନ୍ଦରକୁ ବ୍ୟାପି ଥିଲା ଓ ଏହି ବିଦ୍ରୋହ ବ୍ରିଟିଶ ସାମ୍ରାଜ୍ୟବାଦ କଫିନରେ last nail ଥିଲା ।
ଶିବ ସେନା ଉତ୍ପତ୍ତିର ପୃଷ୍ଠଭୂମୀ :
1947 ଦେଶ ସ୍ୱାଧୀନ ହେବା ପରେ ଉପନିବେଶିକ କାଳର ଆଞ୍ଚଳିକ ପ୍ରଶାସନିକ ବିଭାଗଗୁଡିକ କ୍ରମଶଃ ପରିବର୍ତ୍ତନ ହେବାକୁ ଲାଗିଲା ଓ ଭାଷାଗତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ମାଧ୍ୟମରେ ରାଜ୍ୟ ପୁନର୍ଗଠନ ଆରମ୍ଭ ହେଲା । ବମ୍ବେ ପ୍ରେସିଡେନ୍ସିରେ ମରାଠି ଭାଷୀ ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବୀରେ ଲୋକପ୍ରିୟ ସଂଗ୍ରାମ ଆରମ୍ଭ ହେଲା । 1960 ମସିହାରେ ପ୍ରେସିଡେନ୍ସି ଦୁଇଟି ଭାଷାଗତ ରାଜ୍ୟରେ ବିଭକ୍ତ ଥିଲା – ମହାରାଷ୍ଟ୍ର ଓ ଗୁଜରାଟ । ପୂର୍ବରୁ ହାଇଦ୍ରାବାଦ ରାଜ୍ୟର ମରାଠୀ ଭାଷୀ ଅଞ୍ଚଳଗୁଡିକ ମହାରାଷ୍ଟ୍ର ସହିତ ଥିଲା । ବମ୍ବେ ଯେହେତୁ ଭାରତର ଅର୍ଥନୈତିକ ରାଜଧାନୀ ଭାବରେ ଗଢି ଉଠିଥିଲା , ତେଣୁ ମହାରାଷ୍ଟ୍ର ରାଜ୍ୟର ରାଜଧାନୀ ବମ୍ବେ ରହିଲା । ଏହି ସହରରେ ଗୁଜରାଟୀ ସମ୍ପ୍ରଦାୟ ଅଧିକାଂଶ ଶିଳ୍ପ ଓ ବାଣିଜ୍ୟ ଉଦ୍ୟୋଗର ମାଲିକ ଥିଲେ ।ଅନ୍ୟ ପକ୍ଷରେ ଦକ୍ଷିଣ ଭାରତୀୟମାନେ ବହୁ ସଂଖ୍ୟାରେ ସହରକୁ ମାଇଗ୍ରେଟ କରି ହ୍ଵାଇଟକଲର କାର୍ଯ୍ୟରେ ଯୋଗଦେଲେ ।
1960ରେ ବମ୍ବେ ବାସିନ୍ଦା ବାଲ ଠାକ୍କରେ ସାପ୍ତାହିକ ବ୍ୟଙ୍ଗ ଚିତ୍ର ମାର୍ମିକ ପତ୍ରିକା ପ୍ରକାଶ କଲେ । ଏହି ପ୍ରକାଶନ ମାଧ୍ୟମରେ ମାଇଗ୍ରେସନ ବିରୋଧୀ ପ୍ରଚାର ଆରମ୍ଭ କଲେ । 19 ଜୁନ 1966ରେ ଠାକ୍କରେ ଏକ ରାଜନୈତିକ ସଂଗଠନ ଭାବରେ ଶିବ ସେନା ଗଠନ କଲେ । ଶିବ ସେନା ପ୍ରତିଷ୍ଠାତାଙ୍କ ଭାଷଣରେ ଆକୃଷ୍ଟ ହେଇ ବହୁ ସଂଖ୍ୟକ ବେକାରୀ ମରାଠି ଯୁବକ ଯୋଗଦେଲେ । ଶିଵ ସେନା କ୍ୟାଡରମାନେ ଦକ୍ଷିଣ ଭାରତୀୟଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କଲେ ଓ ନିଯୁକ୍ତିଦାତା ମରାଠୀଙ୍କୁ ନିଯୁକ୍ତି ଦେବାକୁ ଚାପ ସୃଷ୍ଟି କଲେ ।
ପ୍ରାଥମିକ ଅବସ୍ଥାରେ ଶିଵ ସେନା ଏକ ଅଣ ରାଜନୈତିକ ସଂଗଠନ ଥିଲା । ଏହାକୁ ମୁଖ୍ୟମନ୍ତ୍ରୀ ବସନ୍ତରାଓ ନାଇକ ପୃଷ୍ଠପୋଷକତା କରୁଥିଲେ । ତାଙ୍କର ଉଦେଶ୍ୟ ଥିଲା ଶିଵ ସୈନିକଙ୍କ ମାଧ୍ୟମରେ ବମ୍ବେର ଟ୍ରେଡ଼ ୟୁନିୟନଗୁଡିକୁ ନିୟନ୍ତ୍ରଣ କରିବା ଓ ବମ୍ବେରେ ନିଜର ସ୍ଥିତିକୁ ସୁଦୃଢ କରିବା । ଶିଵ ସୈନିକମାନେ ବସନ୍ତ ରାଓଙ୍କ ସହ ଘନିଷ୍ଠ ଭାବରେ ସମ୍ପୃକ୍ତ ଥିବାରୁ ଶିବସେନା ସଂଗଠନ ବସନ୍ତ ସେନା ଭାବରେ ମଧ୍ୟ ପରିଚିତ ଥିଲା ।
1975 ରେ ଶିବସେନା ଜରୁରୀ ପରିସ୍ଥିତିକୁ ସମର୍ଥନ କଲା ଓ 1977 ସାଧାରଣ ନିର୍ବାଚନରେ କଂଗ୍ରେସକୁ ସମର୍ଥନ କଲା । 1980 ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବ ସେନା କୌଣସି ଆସନରେ ପ୍ରତିଦ୍ବନ୍ଦିତା ନ କରି କଂଗ୍ରେସ ପାଇଁ ପ୍ରଚାର କଲା ।
ଭାରତୀୟ ଜନତା ପାର୍ଟି ସହ ସମ୍ପର୍କ :
1970 ଦଶକରୁ ହିନ୍ଦୁତ୍ୱ ଦର୍ଶନ ଉପରେ ଗୁରୁତ୍ୱ ଦେବା ଆରମ୍ଭ କଲା ଓ Sons Of Soil ଭାବାବେଗ ସୃଷ୍ଟି କଲା । ପ୍ରଥମେ ଶିବସେନା ମରାଠୀ ଆଞ୍ଚଳିକତାବାଦ ଉପରେ ଗୁରୁତ୍ୱ ଦେଉଥିଲା । କ୍ରମଶଃ ଏହା ଉଗ୍ର ଜାତୀୟତାବାଦ ଓ ଦକ୍ଷିଣପନ୍ଥୀ ଲୋକ ଲୁଭାବନବାଦ ( Populism ) ଆଡକୁ ଅଗ୍ରସର ହେଲା । ଏହା ବିଜେପିର ରାଷ୍ଟ୍ରବାଦ ରାଜନୀତି ପାଇଁ ଅନୁକୂଳ ଥିଲା ।
1984 ସାଧାରଣ ନିର୍ବାଚନରେ ଶିବ ସେନା ଭାରତୀୟ ଜନତା ପାର୍ଟି ସହ ପ୍ରଥମ ମେଣ୍ଟ କରି ବିଜେପିର ନିର୍ବାଚନ ଚିହ୍ନରେ ପ୍ରାର୍ଥୀ ଠିଆ କଲା । 1989 ଲୋକସଭା ଓ ବିଧାନସଭା ନିର୍ବାଚନରେ ମେଣ୍ଟ କରି ନିର୍ବାଚନ ଲଢିଲା । ଉଭୟ ଦଳ 1995 ରୁ 1999 ପର୍ଯ୍ୟନ୍ତ ମିଳିତ ସରକାର ଗଠନ କଲେ ।
ଶିଵ ସେନାର ଦଳୀୟ ଢାଞ୍ଚା :
ଶିବସେନାର ନେତୃତ୍ୱରେ ବାଲ ଠାକ୍କରେ ପ୍ରଥମ ପ୍ରେସିଡେଣ୍ଟ ବା ଶିବ ସେନା ପ୍ରମୁଖ ଭାବରେ ରହିଛନ୍ତି । ସେ ସମସ୍ତ ନିଷ୍ପତ୍ତି ଗ୍ରହଣ କରୁଥିଲେ । ପାର୍ଟିର କର୍ମୀ ଓ ସଂଗଠକମାନେ ଶିଵ ସୈନିକ ଭାବରେ ପରିଚିତ । ତୃଣ ମୂଳ ସ୍ତରର କାର୍ଯ୍ୟକୁ ଶିବ ସୈନିକମାନେ ହିଁ ପରିଚାଳନା କରନ୍ତି । ବାଲ ଠାକ୍କରେ ମୃତ୍ୟୁ ବେଳକୁ ନିଜର କନିଷ୍ଠ ପୁତ୍ର ଉଦ୍ଧବ ଠାକ୍କରେଙ୍କୁ ପ୍ରେସିଡେଣ୍ଟ ଘୋଷଣା କରିଥିଲେ ।
ଠାକ୍କରେ ପରିବାର 2019 ପର୍ଯ୍ୟନ୍ତ ନିର୍ବାଚନରେ ଅଂଶ ଗ୍ରହଣ କରୁ ନଥିଲେ । 2019 ରେ ପ୍ରଥମ ଥର ତାଙ୍କର ନାତି ଆଦିତ୍ୟ ବିଧାୟକ ହେଇଥିଲେ । ଉଦ୍ଧବ ଠାକ୍କରେ କଂଗ୍ରେସ – ଏନ ସି ପି ମେଣ୍ଟର ମୁଖ୍ୟମନ୍ତ୍ରୀ ହେଇ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ।
ଶିବ ସେନାର ଜାତିଗତ ସଂଯୋଜନ :
ମହାରାଷ୍ଟ୍ରର ସବୁଜାତିକୁ ନେଇ ଶିବସେନା ଗଢି ଉଠିଥିଲା ।କିନ୍ତୁ ଏହାର ନେତାମାନେ ମୁଖ୍ୟତଃ ଉଚ୍ଚ ଜାତିର । ବ୍ରାହ୍ମଣ, ଚନ୍ଦ୍ରସେନିଆ କାୟସ୍ତ ପ୍ରଭୂ ଓ ପଥାରେ ପ୍ରଭୂ ଜାତିର । 70 ଦଶକରେ ଠାକ୍କରେ, ମନୋହର ଯୋଶୀ, ସୁଧୀର ଯୋଶୀ,ବଲୱନ୍ତ ମନ୍ତ୍ରୀ, ହେମଚନ୍ଦ ଗୁପ୍ତେ ,ଶ୍ୟାମ ଦେଶମୁଖ, ମାଧବ ଦେଶପାଣ୍ଡେ, ଦତ୍ତ ପ୍ରଧାନ ,ବିଜୟ ପର୍ଭତକର ,ମଧୁକର ସର୍ପୋତକର ଓ ପ୍ରମୋଦ ନଭଲକର ପ୍ରମୁଖ ଶିବ ସେନା ନେତାଥିଲେ । ଠାକ୍କରେଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଓ ଡାକ୍ତର ହେମଚନ୍ଦ ଗୁପ୍ତେ ବମ୍ବେ ମେୟର ଥିଲେ । ସେ ଶିବସୈନିକ ଙ୍କ ଉପରେ ହିଂସାକାଣ୍ଡ ଓ ଜବରଦସ୍ତି ଅର୍ଥ ଅସୁଲି ଅଭିଯୋଗ ଓ ହେରଫେର ଅଭିଯୋଗ କରି ଶିବ ସେନା ପରିତ୍ୟାଗ କଲେ । ବାଲ ଠାକ୍କରେ କିନ୍ତୁ ଶିବ ସୈନିକଙ୍କ ପକ୍ଷ ନେଲେ ।ଇନ୍ଦିରା ଗାନ୍ଧୀ ମଧ୍ୟ ଠାକ୍କରେଙ୍କୁ ସମର୍ଥନ କରୁଥିଲେ । ପ୍ରତିବଦଳରେ ଠାକ୍କରେ 1975 ଜରୁରୀ ପରିସ୍ଥିତିକୁ ସମର୍ଥନ କଲେ ।
ଏଭଳି ପରିସ୍ଥିତି ଜନସଂଘ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ପାଇଁ ଏକ ସୁଯୋଗ ସୃଷ୍ଟି କଲା । ଗାନ୍ଧୀ ହତ୍ୟା ପରେ ସ୍ୱୟଂ ସେବକ ଉପରେ ଯେଉଁ ଅଭିଯୋଗ ଆସିଥିଲା ତାହା କ୍ରମଶଃ ମହାରାଷ୍ଟ୍ରରୁ ଦୂରେଇ ଗଲା ଓ ଜନସଂଘ ଶିବ ସେନାର ହିନ୍ଦୁତ୍ୱ ରାଜନୀତିରୁ ରସଦ ପାଇ ମହାରାଷ୍ଟ୍ର ରେ ନିଜର ପାଦ ଥାପିଲା । ବମ୍ବେର ଗୁଜରାଟୀ ଶିଳ୍ପ ପତି ଓ ବାଣିଜ୍ୟ ପ୍ରତିଷ୍ଠାନ କଂଗ୍ରେସକୁ ଦୁର୍ବଳ କରି ଶିବ ସୈନିକ ଓ ବିଜେପିକୁ ସମର୍ଥନ ଦେଲେ । ବମ୍ବେ ନଗରୀ ପ୍ରଶାସନ ଶିବ ସୈନିକ ହାତରେ ରହିଲା । 1980 ଓ 1990 ଦଶକରେ ମରାଠା ଜାତି ଗୁଡିକ ଶିବ ସେନାର ଭୋଟ ବ୍ୟାଙ୍କ ହେବା ଆରମ୍ଭ କଲେ । ସେମାନେ କଂଗ୍ରେସ ରୁ ଦୂରେଇବା ଆରମ୍ଭ କଲେ । ଶିବ ସେନା ଏକ ମରାଠା ପାର୍ଟି ଭାବରେ ଗଢି ଉଠିଲା । 1989ରେ ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିବା ଶିବ ସେନା 1996ରେ 15ଟି ଆସନ ଜିତିଲା । ଶିବସେନାର ଅନେକ ନେତା ବିଜେପି ଆଡକୁ ମଧ୍ୟ ଗଲେ ।
ଉଭୟ ଦଳର ବନ୍ଧୁତ୍ୱ ଓ ଆତ୍ମୀୟତା ଯୋଗୁଁ 2019 ଲୋକସଭା ନିର୍ବାଚନରେ ଶିବସେନା 19ଟି ଆସନରେ ଜିତିଲା । କିନ୍ତୁ ବିଜେପିର ଉଦେଶ୍ୟ ଥିଲା ଶିବସେନାର ମରାଠା ଅସ୍ମିତା ସହ ସାମିଲ ହେଇ ଦିନେ ମହାରାଷ୍ଟ୍ରରେ ଏକକ ଦଳ ଭାବରେ କ୍ଷମତାକୁ ଆସିବା ଓ କଂଗ୍ରେସକୁ ମଧ୍ୟ ମହାରାଷ୍ଟ୍ରରେ ସମାଧି ଦେବା ।
କଂଗ୍ରେସ ଯେମିତି କମ୍ୟୁନିଷ୍ଟ ଓ ସୋସାଲିଷ୍ଟଙ୍କ ଟ୍ରେଡ଼ ୟୁନିୟନ ଗୁଡିକୁ ଧ୍ୱଂସ କରି ନିଜର ପ୍ରତିପତି ବୃଦ୍ଧି କରିବାକୁ ଚାହିଁଥିଲା, ଅନୁରୂପ ଭାବରେ ବିଜେପି ଶିବସେନାର ପ୍ରତିପତି ଧ୍ୱଂସ କରି ନିଜର କାୟା ବିସ୍ତାର ଯୋଜନାରେ ସଫଳ ହେଲା । ଏକନାଥ ସିନ୍ଧେଙ୍କ ମାଧ୍ୟମରେ ସେଇ କାର୍ଯ୍ୟ କିପରି ସମ୍ପାଦନ ହେଲା ତାହା ମହାରାଷ୍ଟ୍ର ରାଜନୀତି ରେ ଆମେ ଦେଖୁଛେ ।

ଅନିଚ୍ଛା ସତ୍ତ୍ୱେ ଉଦ୍ଧବ ଠାକ୍କରେଙ୍କୁ କଂଗ୍ରେସ -ଶିବସେନା ମେଣ୍ଟ ମୁଖ୍ୟମନ୍ତ୍ରୀ କରିବା ପରେ ଏକନାଥ ସିନ୍ଧେ ଶିବ ସେନାର ହିନ୍ଦୁତ୍ୱ ଏଜେଣ୍ଡା କୁ ମୂଳ ଆଧାର କରି ଓ ବାଲ ଠାକ୍କରେଙ୍କ ଅସଲ ହିନ୍ଦୁତ୍ୱ ଦାୟାଦ ପ୍ରଚାର କରି ବିଜେପିକୁ ଶକ୍ତିଶାଳୀ କଲେ । ନିର୍ବାଚନ କମିଶନ, ରାଜ୍ୟପାଳ, ବାଚସ୍ପତି ଓ ସୁପ୍ରିମକୋର୍ଟର ସହାୟତାରେ ଶିବ ସେନାର ନିର୍ବାଚନ ସଂକେତ ଏକନାଥ ସିନ୍ଧେ ହାତେଇବା ପରେ ଭୋଟର ବିଜେପି -ଏକନାଥ ସିନ୍ଧେ ଙ୍କ ମେଣ୍ଟ ମୁହାଁ ହେଲେ । ଅନ୍ୟ ପକ୍ଷରେ କଂଗ୍ରେସ ଓ ଏନ ସି ପି ଉଦ୍ଧବ ଠାକ୍କରେଙ୍କୁ ଯେଭଳି ସମର୍ଥନ କରିବା କଥା ତାହା କଲେ ନାହିଁ । ଶରଦ ପାୱାରଙ୍କ ଆଦାନୀ ପ୍ରୀତି ମଧ୍ୟ କଂଗ୍ରେସର ଜାତୀୟ ନେତୃତ୍ୱ ସହ ଦ୍ୱନ୍ଦ୍ୱ ସୃଷ୍ଟି କଲା । ଉଦ୍ଧବ ଠାକ୍କରେ ନିଜର ମୁଖ୍ୟମନ୍ତ୍ରୀ କାଳରେ ଲୋକପ୍ରିୟତା ଅର୍ଜନ କରିଥିଲେ ମଧ୍ୟ ଶିବସେନାର ମୂଳ ଭୋଟ ବ୍ୟାଙ୍କ ଏକନାଥ ସିନ୍ଧେଙ୍କ ପକ୍ଷରେ ଗଲା । ଉଦ୍ଧବ ଠାକ୍କରେ ନିଜର ଅସୁସ୍ଥତା କାରଣରୁ ମହାରାଷ୍ଟ୍ରର ସବୁ ଅଞ୍ଚଳରେ ପ୍ରଚାର କରି ପାରିଲେ ନାହିଁ । ପୁତ୍ର ଆଦିତ୍ୟ ମଧ୍ୟ ସେଇ ଦାୟିତ୍ୱ ସମ୍ଭାଳି ପାରିଲେ ନାହିଁ । ଶରଦ ପାୱାରଙ୍କ ନିଜ ପୁତୁରା ଅଜିତ ପାୱାର ଓ ପ୍ରଫୁଲ୍ଲ ପଟେଲ ଏନ ସି ପିକୁ ଭାଙ୍ଗି ପାୱାରଙ୍କ ହାତରୁ ଘଣ୍ଟା ଛଡେଇ ନେବା ପରେ ପାୱାର ମଧ୍ୟ ପାୱାର ଶୁନ୍ୟ ହେଇଗଲେ । କିନ୍ତୁ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ପ୍ରସ୍ତୁତ ହେଲେ ନାହିଁ ।
ଅନ୍ୟ ପକ୍ଷରେ ବିଜେପି ସ୍ପଷ୍ଟ ଭାବରେ ନିର୍ବାଚନ ପୂର୍ବରୁ ଏକନାଥ ସିନ୍ଧେ ଏନ ଡି ଏ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କଲେ ।
ସମସ୍ତ ଭ୍ରଷ୍ଟାଚାରୀଙ୍କୁ ନେଇ ବିଜେପି ନିର୍ବାଚନ ଲଢିଲା । ଆଦାନୀ ଓ ଗୁଜୁରାଟୀ ଶିଳ୍ପ ପତିଙ୍କ ମୁକ୍ତ ସମର୍ଥନ ରହିଲା । ବିଜେପିର ଗୋଟିଏ ମାତ୍ର ଏଜେଣ୍ଡା ଥିଲା ରାଷ୍ଟ୍ରବାଦ ଓ ସହାୟକ ଥିଲେ କର୍ପୋରେଟ ଜଗତ । ଇଣ୍ଡିଆ ମେଣ୍ଟ ମହାରାଷ୍ଟ୍ରରେ ଦୃଶ୍ୟମାନ ହେଲା ନାହିଁ । କେବଳ ସମ୍ବିଧାନ ସୁରକ୍ଷା, ଧର୍ମ ନିରପେକ୍ଷତା ,ଭ୍ରଷ୍ଟାଚାର ସ୍ଲୋଗାନ ଓ ସୀମିତ କେତେକ ସାମ୍ବାଦିକଙ୍କ ରାହୁଳଙ୍କୁ ଜାତୀୟ ନେତା କରିବା ପ୍ରଚାର ତୃଣ ମୂଳ ଭୋଟର ପାଖରେ ପହଞ୍ଚି ନ ଥିଲା । ବିଜେପିର ବୁଥ ସ୍ତର ପର୍ଯ୍ୟନ୍ତ ଆକ୍ରମଣାତ୍ମକ ପ୍ରଚାର ଓ ଆଦାନୀ ଅର୍ଥମୁଣି ସାଙ୍ଗକୁ ନିର୍ବାଚନ କମିଶନ , ରାଜ୍ୟ ପ୍ରଶାସନର ଅକୁଣ୍ଠ ସମର୍ଥନ ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକେଇଲା । ଇଣ୍ଡିଆ ମେଣ୍ଟ ନିକଟରେ କୌଣସି ଇମୋସନାଲ ଇସ୍ୟୁ ନଥିଲା । ଏମାନେ ସମସ୍ତେ ନିଜ ନିଜ ପ୍ରଚାର କଲେ ଓ ଭୋଟର ନିଜ ନିଜ ବାଟରେ ଗଲେ ।
ଅବଶ୍ୟ କଂଗ୍ରେସ ଏକଦା କମ୍ୟୁନିଷ୍ଟ ମାନଙ୍କୁ ସାବାଡ଼ କରିବା ପାଇଁ ଯେଉଁ ଶିବସେନା ସୃଷ୍ଟି କରିଥିଲା ତାହାକୁ ଡୁବେଇଲା ଓ ନିଜେ ମଧ୍ୟ ଡୁବିଲା । କଂଗ୍ରେସର ମନବାଞ୍ଛା ଥିଲା ଆଞ୍ଚଳିକ ଦଳକୁ ଦୁର୍ବଳ କରି ନିଜେ ବଳିୟାନ ହେବ । ଶିବସେନା ତ ଡୁବିଲା, କିନ୍ତୁ କଂଗ୍ରେସ ମହାରାଷ୍ଟ୍ର ରେ କେତେ ବଳିୟାନ ହେଲା ତାହା ସେମାନେ ଚର୍ଚ୍ଚା କରନ୍ତୁ ।
ବିଜେପିର କିନ୍ତୁ ମନୋବାଞ୍ଛା ସମ୍ପୂର୍ଣ୍ଣ ହେଲା । ଗାନ୍ଧୀ, ଆମ୍ବେଦକର କର୍ମଭୂମୀରେ ବିଜେପି ବୃହତ ରାଜନୈତିକ ଶକ୍ତି ଭାବରେ ନିଜର ପରିଚୟ ସୃଷ୍ଟି କଲା । ଏହାକୁ ହଟେଇବା ଶକ୍ତି ଆଗାମୀ ବହୁବର୍ଷ ପର୍ଯ୍ୟନ୍ତ କାହାର ନାହିଁ – ଏହା ହିଁ ଚଳିତ ନିର୍ବାଚନ ଫଳାଫଳ ପ୍ରମାଣ କଲା ।