ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କଲେ ମନୋଜ ଆହୁଜା

ଭୁବନେଶ୍ୱର: ମନୋଜ ଆହୁଜା ରବିବାର ଅପରାହ୍ଣରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି ।
ଆଜି ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କ ଠାରୁ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଓଡ଼ିଶାରେ ଜଣେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କ ସମବାୟ, ଖଣି ଓ ଇସ୍ପାତ, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ସଚିବଭାବେ ସେ ଦାୟିତ୍ୱ ନିର୍ବାହ କରିଛନ୍ତି। ବାଣିଜ୍ୟ କର କମିସନର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ୨୦୧୭ ମସିହାରେ ଡେପୁଟେସନରେ କେନ୍ଦ୍ରକୁ ଯାଇଥିବା ଓଡ଼ିଶା କ୍ୟାଡରର ଏହି ଅଧିକାରୀ ଭାରତୀୟ ପ୍ରଶାସନିକ ସେବାକୁ ଆସୁଥିବା ଶିକ୍ଷା ନବୀଶଙ୍କୁ ଜନ ପ୍ରଶାସନ ସହ କିପରି ଯୋଡ଼ି ହେବା ତାହାର ନେତୃତ୍ୱ ନେଇଥିଲେ। ଲାଲ୍ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ l ସିବିଏସ୍ଇ ଅଧ୍ୟକ୍ଷ ଭାବେ ସେ ଶିକ୍ଷା କ୍ଷେତ୍ରରେ ସ୍ୱଳ୍ପ ସମୟରେ ଅନେକ ସଂସ୍କାର ଆଣିଥିଲେ।