ବିବାହର ଅର୍ଥ ନୀରବ ସମ୍ମତି ନୁହେଁ
ଭୁବନେଶ୍ୱର :(ଡା ଇପ୍ସିତା ପ୍ରଧାନ )- ୨୦୧୭ର ଗୋଟିଏ ଶୀତୁଆ ସକାଳ, ଛତିଶଗଡ଼ର ଏକ ହସ୍ପିଟାଲ ବେଡ୍ରେ ଜଣେ ମହିଳା ମୃତ୍ୟୁଶଯ୍ୟାରେ ଥାଇ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ତାଙ୍କ ସହ ହୋଇଥିବା ଧର୍ଷଣ ଏବଂ ଅପରାଧୀକୁ ନେଇ ନିଜର ବୟାନ ରେକର୍ଡ କରିଥିଲେ। ବୟାନ ଅନୁସାରେ ତାଙ୍କ ସହ ଏପରି ବର୍ବର କାଣ୍ଡ ଘଟାଇଥିବା ଅପରାଧୀ ଆଉ କେହି ନୁହେଁ ବରଂ ତାଙ୍କ ସ୍ବାମୀ ହିଁ ଥିଲେ – ଜୋରଜବରଦସ୍ତ ଗୋଟିଏ ଅପ୍ରାକୃତିକ ଯୌନକ୍ରିୟା ଦ୍ବାରା ତାଙ୍କ ଶରୀର ଗଭୀର ଆଭ୍ୟନ୍ତରୀଣ ଆଘାତ (ମଳଦ୍ୱାର ପରଫୋରେସନ୍ ବା କଣା) ପ୍ରାପ୍ତ ହୋଇଥିଲା ଏବଂ ଶେଷରେ ତାଙ୍କ ଜୀବନ ନେଇଥିଲା। ଯଦିଓ ସେତେବେଳେ ଲୋୟର କୋର୍ଟ ଉକ୍ତ ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କୁ ୧୦ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଥିଲେ କିନ୍ତୁ ୨୦୨୫ ମସିହାରେ, ଛତିଶଗଡ଼ ହାଇକୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରି କହିଥିଲେ ଯେ ଭାରତୀୟ ଆଇନ ଅନୁଯାୟୀ, “ଜଣେ ସ୍ୱାମୀଙ୍କୁ ତାଙ୍କ ବୟସ୍କ ପତ୍ନୀଙ୍କ ବିରୁଦ୍ଧରେ ବଳାତ୍କାର କିମ୍ବା “ଅପ୍ରାକୃତିକ” ଯୌନକ୍ରିୟା ପାଇଁ ମାମଲା ରୁଜୁ କରାଯାଇପାରିବ ନାହିଁ।” ମାନ୍ୟବର ହାଇକୋର୍ଟଙ୍କ ମତ ଦେଇଥିଲେ ଯେ ବିବାହ ଭିତରେ, ଯୌନକ୍ରିୟା ପାଇଁ ଅସମ୍ମତି ତାହାର ‘ଗୁରୁତ୍ୱ ହରାଇଥାଏ’। ଏହି ମହିଳାଙ୍କ ମୃତ୍ୟୁ କେବଳ ମାତ୍ର ଗୋଟିଏ ଖବର ନୁହେଁ। ଏହା ଆମ ସାମ୍ନାରେ ଆମ ଦେଶର ଆଇନ୍ ବ୍ୟବସ୍ଥାରେ ଥିବା ଗୋଟିଏ ବିରାଟ ଅବ୍ୟବସ୍ଥାକୁ ସ୍ପଷ୍ଟ କରିଥାଏ। ଏ ଦୁର୍ଘଟଣା ଆମ ଆଗରେ ସ୍ପଷ୍ଟ କରିଦିଏ ଯେ, ଭାରତୀୟ ନ୍ୟାୟପାଳିକା ଏବଂ ନାରୀ ଏବେ ବି ଗୋଟିଏ ପ୍ରଶ୍ନ ସହ ସ°ଘର୍ଷ ଜାରୀ ରଖିଛନ୍ତି : ବିବାହ କ’ଣ ଜଣେ ମହିଳାର ସହମତି କିମ୍ବା ଅସହମତିର ଅଧିକାର ବି ଛଡ଼ାଇ ନିଏ?
ଯଦିଓ ଆଜି ଭାରତରେ ବଳାତ୍କାରକୁ ଏକ ଗମ୍ଭୀର ଅପରାଧ ଭାବରେ ସ୍ୱୀକୃତି ଦିଆଯାଇଛି କିନ୍ତୁ ବିବାହ ମଧ୍ୟରେ ଘଟୁଥିବା ଏପରି ଘଟଣା ଏହାର ବ୍ୟତିକ୍ରମ ଅଟେ। ଆଇନଗତ ବ୍ୟତିକ୍ରମ କେବଳ ଯେ ବିରୋଧାଭାସର ପ୍ରମାଣ ତା’ ନୁହେଁ, ବରଂ ଖୁବ୍ ଚିନ୍ତାଜନକ ଏବଂ ସମାଜର ରୁଗ୍ଣ ମାନସିକତାର ପରିଚୟ ମଧ୍ୟ। ଯଦିଓ ଆଇନ ବଳାତ୍କାରର ଡେଫିନେସନ୍ ଦେବା ସମୟରେ ଯୌନ ସମ୍ପର୍କ ପାଇଁ ସହମତିକୁ ପ୍ରାଧାନ୍ୟ ଦିଏ କିନ୍ତୁ ଆମ ସମାଜରେ ବିବାହକୁ ଏକ ପ୍ରକାର ଅବାଧ ଶାରୀରିକ ସମ୍ପର୍କ ପାଇଁ ଗୋଟିଏ ଲାଇସେନ୍ସ ବୋଲି ଧରି ନିଆଯାଇଛି। ମହଜୁଦ ଥିବା ଯେକୌଣସି ପ୍ରମାଣ, ଶାରୀରିକ ଏବଂ ମାନସିକ ଆଘାତ, ନ୍ୟାୟିକ ବିତର୍କ ତଥା ବିଶ୍ବବ୍ୟାପୀ ସ°ସ୍କାର ସତ୍ତ୍ୱେ ଭାରତରେ ବୈବାହିକ ବଳାତ୍କାର ଫୌଜଦାରୀ ବା କ୍ରିମିନାଲ୍ ଆଇନର ପରିସର ବାହାରେ ରହିଛି।
ବିଭିନ୍ନ ଗବେଷଣା ତଥା ସର୍ବେକ୍ଷଣର ରିପୋର୍ଟ ପ୍ରମାଣିତ କରେ ଯେ ବୈବାହିକ ବଳାତ୍କାର କେବଳ ଗୋଟିଏ ଗମ୍ଭୀର ସମସ୍ୟା ନୁହେଁ ଖୁବ୍ ବ୍ୟାପକ ମଧ୍ୟ। NCRB ଡାଟା ୨୦୨୩ ଅନୁସାରେ ଭାରତରେ ସମୁଦାୟ ୪,୪୮,୨୧୧ଟି ମହିଳାବିରୋଧୀ ଅପରାଧର ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୧,୩୩,୬୭୬ଟି ମାମଲାରେ ଅପରାଧ ମହିଳାଙ୍କ ସ୍ବାମୀ କିମ୍ବା ଆତ୍ମୀୟ ସ୍ବଜନଙ୍କ ଦ୍ବାରା ଅତ୍ୟାଚାର କରା ଯାଇଛି। PLOS Global Public Healthର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ବିବାହ ମଧ୍ୟରେ ବଳପୂର୍ବକ ଯୌନ ସମ୍ପର୍କର ମାତ୍ରାରେ ବୃଦ୍ଧି ଦେଖାଯାଇଛି। ସମାଜର ବିଭିନ୍ନ ସ୍ତର, ସର୍ବେକ୍ଷଣର ପଦ୍ଧତି ଏବଂ ସାମ୍ପଲ୍ ସାଇଜ୍ ଅନୁସାରେ ଏହି ବୃଦ୍ଧିର ହାର ୨%ରୁ ୫୬% ମଧ୍ୟରେ ଦେଖାଯାଏ। National Family Health Survey (NFHS-5, 2019-21)ର ଡାଟା ଅନୁସାରେ ହାରାହାରି ୩୨% ବିବାହିତ ଭାରତୀୟ ମହିଳା ସେମାନଙ୍କ ବର୍ତ୍ତମାନର ସ୍ବାମୀଙ୍କ ଦ୍ବାରା ଶାରୀରିକ, ଯୌନ କିମ୍ବା ମାନସିତ ଅତ୍ୟାଚାରର ଶିକାର ହୋଇଥା’ନ୍ତି। ଯୌନ ନିର୍ଯାତନାର ଆରୋପ ଆଣିଥିବା ୮୨% ମହିଳା ନିଜ ସ୍ବାମୀକୁ ଅପରାଧୀ ଭାବରେ ଚିହ୍ନଟ କରିଛନ୍ତି। କିନ୍ତୁ ଏସବୁ ସର୍ବେକ୍ଷଣ, ସମୀକ୍ଷା ଏବଂ ରିପୋର୍ଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି- ବୈବାହିକ ବଳାତ୍କାର ଦ୍ବାରା ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ତୀବ୍ର ମାନସିକ ଚାପ ଏବଂ ବ୍ୟାଧି। ପ୍ରତି ଆଠଟି ପ୍ରାମାଣିକ ସର୍ବେକ୍ଷଣ ଏବଂ ସମୀକ୍ଷାର ଅଧ୍ୟୟନ ମଧ୍ୟରେ ପ୍ରତି ସାତଟି ଷ୍ଟଡିରେ ମହିଳାମାନେ ମାନସିକ ଅବସାଦ (depression) ଏବଂ post-traumatic stress disorder (PTSD)ର ଭୋଗୁଛନ୍ତି। କିନ୍ତୁ ଏତେସବୁ ସତ୍ତ୍ୱେ ଉକ୍ତ ରିପୋର୍ଟରୁ ଜଣା ପଡ଼ିଛି ଯେ ଭାରତରେ ପାଖାପାଖି ୯୦% ଘରୋଇ ଯୌନ ନିର୍ଯାତନାର ମାମଲା ଆଦୌ ଦର୍ଜ ମଧ୍ୟ ହୋଇ ନଥାଏ।
ଭାରତୀୟ କ୍ରିମିନାଲ ଲ’ ସ୍ପଷ୍ଟ ଭାବରେ ବିବାହରେ ସ୍ବାମୀ ଦ୍ବାରା ବଳପୂର୍ବକ ଦୈହିକ ସମ୍ପର୍କକୁ ବଳାତ୍କାରରୁ ବାଦ୍ ଦିଏ। ଏହା ଉପନିବେଶବାଦ ସମୟରୁ ଥିବା Indian Penal Codeରୁ ଅଦ୍ୟାବଧି ଭାରତୀୟ ନ୍ୟାୟ ସ°ହିତାରେ ମଧ୍ୟ ସମାନ ଭାବରେ ଜାରୀ ରହିଛି। ଏହି ନିୟମ ଅନୁସାରେ ଯଦି ଜଣେ ବିବାହିତା ନାରୀ ସାବାଳକ ହୋଇଥାଏ ଏବଂ ସ୍ବାମୀ ତା’ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରେ ତେବେ ଏହା ନା’ ବଳାତ୍କାର ଅନ୍ତର୍ଭୁକ୍ତ ନା’ ଦଣ୍ଡନୀୟ ଅପରାଧ। ଏହାର ଅର୍ଥ ଯଦି ଜଣେ ସ୍ବାମୀ ବଳପୂର୍ବକ କିମ୍ବା ଜବରଦସ୍ତି ନିଜ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖେ ତେବେ ସ୍ବାମୀ ବିରୋଧରେ କୌଣସି ବଳାତ୍କାରର ମାମଲା ରୁଜୁ ହୋଇ ପାରିବ ନାହିଁ। ୨୦୧୭ରେ Independent Thought ନାମକ ଗୋଟିଏ NGO ଏକ ପିଟିସନ୍ ଦାଖଲ କରିଥିଲେ। ୨୦୧୭ ମସିହାରେ ଏହାର, Independent Thought vs Union of Indiaର ଶୁଣାଣି ସମୟରେ ମାନ୍ୟବର ସୁପ୍ରିମକୋର୍ଟ କହିଥିଲେ ଯେ, ବିବାହ ପରେ ନାବାଳିକା ବା ୧୮ ବର୍ଷରୁ କମ୍ ବୟସ୍କ ସ୍ତ୍ରୀ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା, ବଳାତ୍କାର ଅନ୍ତର୍ଭୁକ୍ତ। କିନ୍ତୁ ଏହି ଆଇନ ଜଣେ ପ୍ରାପ୍ତବୟସ୍କ ବିବାହିତ ମହିଳାକୁ ବୈବାହିକ ବଳାତ୍କାରରୁ ସୁରକ୍ଷା ଦେଇ ନଥାଏ।
ଅନେକ ସମୟରେ ଆଇନ ଏବଂ ସାମଜ ବିଜ୍ଞାନୀମାନେ ମତ ଦେଇଥା’ନ୍ତି ଯେ ବୈବାହିକ ବଳାତ୍କାର ଆଇନ ଅନୁଯାୟୀ କ୍ରିମିନାଲାଇଜ୍ଡ ନହେବା କାରଣରୁ ଜଣେ ମହିଳାକୁ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରରୁ ବଞ୍ଚିତ କରିଥାଏ। ଯେମିତିକି ଭାରତୀୟ ସମ୍ବିଧାନ ଧାରା ୧୪ ସମାନତାର ଅଧିକାରକୁ ସୁନିଶ୍ଚିତ କରିଥାଏ। ଏହି ଧାରା ଅନୁସାରେ ରାଷ୍ଟ୍ର କୌଣସି ବ୍ୟକ୍ତିବିଶେଷଙ୍କୁ ଭାରତୀୟ ଭୌଗୋଳିକ ସୀମା ମଧ୍ୟରେ ଆଇନ ସମ୍ମୁଖରେ ସମାନତାର ଅଧିକାର କିମ୍ବା ସୁରକ୍ଷାରୁ ବଞ୍ଚିତ କରିବ ନାହିଁ। କିନ୍ତୁ ଦେଶର ବର୍ତ୍ତମାନର ଆଇନ ଅନୁଯାୟୀ ବୈବାହିକ ଧର୍ଷଣ କ୍ଷେତ୍ରରେ ଜଣେ ୧୮ ବର୍ଷରୁ କମ୍ ବୟସର ବିବାହିତ ମହିଳା ଆଇନଗତ ସୁରକ୍ଷା ପାଉଥିବା କ୍ଷେତ୍ରରେ ଜଣେ ୧୯ ବର୍ଷର ବିବାହିତ ମହିଳା ଏଥିରୁ ବଞ୍ଚିତ ରହିଥାଏ। ସେମିତି ଭାରତୀୟ ସମ୍ବିଧାନର ଧାରା ୨୧ ଜଣେ ନାଗରିକକୁ ତା’ ଶରୀର, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା ଆଦିର ବ୍ୟକ୍ତିଗତ ସ୍ୱାଧୀନତା ଦେଇ ଜଣେ ବ୍ୟକ୍ତିର ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାକୁ ସୁନିଶ୍ଚିତ କରିବା ସହ ପ୍ରତ୍ୟେକ ନାଗରିକକୁ ଗୋଟିଏ ମର୍ଯ୍ୟାଦାପୂର୍ଣ୍ଣ ଅସ୍ତିତ୍ବର ଅଧିକାର ଦେଇଥାଏ। କିନ୍ତୁ ବିବାହ ପରେ ବଳପୂର୍ବକ ଶାରୀରିକ ସମ୍ପର୍କ ଜଣେ ନାରୀର ନିଜ ଶରୀର, ବ୍ୟକ୍ତିଗତ ଇଚ୍ଛା ଏବଂ ସ୍ବାଧୀନତାର ଅଧିକାରର ହନନ କରିଥାଏ। ସେହିପରି ଯଦିଓ ଆମ ସମ୍ବିଧାନର ଧାରା ୧୫ ସୁନିଶ୍ଚିତ କରେ ଯେ- ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଜନ୍ମସ୍ଥଳୀ ଅନୁସାରେ ରାଷ୍ଟ୍ର ତା’ର ନାଗରିକ ମାନଙ୍କ ମଧ୍ୟରେ କୌଣସି ଭେଦଭାବ କରିବ ନାହିଁ, ଏହି ଅଧିକାରରୁ ମଧ୍ୟ ଜଣେ ପ୍ରାପ୍ତବୟସ୍କ ବିବାହିତ ମହିଳା ବଞ୍ଚିତ ହୋଇଥାଏ। ଯଦିଓ କିଛି ଆଇନ ବିବାହ ଭିତରେ ବଳପୂର୍ବକ ଶାରୀରିକ ସମ୍ପର୍କ ଦ୍ବାରା ହେଉଥିବା କ୍ଷତିକୁ ପରୋକ୍ଷ ଭାବରେ ସ୍ବୀକାର କରନ୍ତି କିନ୍ତୁ ଆଇନଗତ ଭାବରେ ତାହା ଦଣ୍ଡନୀୟ ନୁହେଁ। ଯେମିତିକି Medical Termination of Pregnancy Act ଜଣେ ମହିଳାକୁ ଧର୍ଷଣ ଜନିତ ଗର୍ଭଧାରଣକୁ ସମାପ୍ତ କରିବାର ଅଧିକାର ଦେଇଥାଏ, ଏବଂ ଶାରୀରିକ ତଥା ମାନସିକ ଆଘାତକୁ ବିଚାର କରି ଏଥିରୁ ବିବାହିତ ମହିଳା ବା ବିବାହ ପରେ ବଳପୂର୍ବକ ଶାରୀରିକ ସମ୍ପର୍କକୁ ମଧ୍ୟ ବାଦ୍ ଦିଆ ଯାଇ ନାହିଁ। କିନ୍ତୁ ଏହା ସତ୍ତ୍ୱେ ବୈବାହିକ ଧର୍ଷଣକୁ ଦଣ୍ଡନୀୟ ଅପରାଧ ଅନ୍ତର୍ଭୁକ୍ତ କରାଯାଏ ନାହିଁ।
ସମୟ ସହ ଯଥେଷ୍ଟ ପ୍ରାମାଣିକ ତଥ୍ୟ ମହଜୁଦ ରହିବା ଏବଂ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ବାରମ୍ବାର ଚିନ୍ତା ତଥା ଆଲୋଚନା ସତ୍ତ୍ୱେ ଆଜିଯାଏଁ ଭାରତୀୟ ସରକାର ତଥା ଆଇନ ପ୍ରଣୟନ ସ°ସ୍ଥା ବିବାହରେ ବଳପୂର୍ବକ ଶାରୀରିକ ସମ୍ପର୍କକୁ ଫୌଜଦାରୀ ଆଇନର ପରିସର ଅନ୍ତର୍ଭୁକ୍ତ କରିବା ପାଇଁ ବିରୋଧ କରି ଆସୁଛନ୍ତି। ବିଭିନ୍ନ ସମୟରେ କୋର୍ଟରେ ଦାଖଲ ହୋଇଥିବା ପିଟିସନ୍ର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦଲିଲ୍ ପେସ୍ ହୋଇଥାଏ ଯେ, ଏପରି କରିବା ଦ୍ଵାରା ଭାରତୀୟ ସମାଜରେ ରହିଥିବା ବିବାହ ନାମକ ସ°ସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ଯିବ। ଏହା ପ୍ରତିପକ୍ଷରେ ଆମ ଦେଶ ଏସବୁ ମାମଲାରେ ଘରୋଇ ହି°ସା ଆଇନ ଅନୁଯାୟୀ ପ୍ରତିକାର ଉପରେ ନିର୍ଭର କରିଥାଏ। ଯାହା ଫଳରେ କି ବିବାହରେ ବଳପୂର୍ବକ ଶାରୀରିକ ସମ୍ପର୍କକୁ ଆଜିଯାଏଁ ଅନୁଷ୍ଠାନିକ ଭାବରେ ଅପରାଧ ଶ୍ରେଣୀଭୁକ୍ତ କରାଯାଇ ପାରି ନାହିଁ।
ପ୍ରତ୍ୟେକ ଥର ଏପରି କୌଣସି ମାମଲା କୋର୍ଟକୁ ବିଚାର ପାଇଁ ଆସିଛି, ପ୍ରତ୍ୟେକ ଥର ଶୁଣାଣି ସମୟରେ ଲୋୟର କୋର୍ଟ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରକୁ ନେଇ ମତଭେଦ ଦେଖା ଯାଇଛି। କୌଣସି ଥର ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ସ୍ଥଗିତ ରଖିବା ସହ ବୈବାହିକ ଧର୍ଷଣକୁ ଦଣ୍ଡନୀୟ ବିଚାର କରି ନାହାନ୍ତି। କିନ୍ତୁ ୨୦୨୫ ଶୀତକାଳୀନ ଅଧିବେଶନର ସମୟରେ ବିରୋଧୀ ଦଳ ଦ୍ୱାରା “ବୈବାହିକ ଧର୍ଷଣ”କୁ ଦଣ୍ଡନୀୟ ଅପରାଧ ଭାବରେ ଆଇନ ଅନ୍ତର୍ଭୁକ୍ତ କରିବା ପାଇଁ ପେଶ୍ କରାଯାଇଥିବା ପ୍ରାଇଭେଟ୍ ମେମ୍ବର ବିଲ୍ କେବଳ ଯେ ସ୍ବାଗତଯୋଗ୍ୟ ତା’ ନୁହେଁ ବରଂ ବୈପ୍ଳବିକ ମଧ୍ୟ। ଯଦିଓ ସରକାରୀ ସମର୍ଥନ ବିନା ବିଲ୍ ପାସ୍ ହେବା ଅସମ୍ଭବ କିନ୍ତୁ ଏହା ଜଣେ ନାରୀର ସମ୍ମତି, ସମାନତା ଏବଂ ଶାରୀରିକ ସ୍ୱାୟତ୍ତତା ଉପରେ ସଂସଦୀୟ ବିତର୍କକୁ ପୁନର୍ଜୀବିତ କରିଛି।
ଅନେକ ସମୟରେ ସାମାଜିକ ଏବଂ ଆଇନଗତ ପରିବର୍ତ୍ତନ ଅସମ୍ଭବ ହେବା ପଛରେ ମହିଳାମାନଙ୍କ ନିଜର ସ°କୋଚ ଏବଂ ମାନସିକ ତଥା ସାମାଜିକ conditioning ମଧ୍ୟ ଦାୟୀ ହୋଇଥାଏ। ଅନେକ କ୍ଷେତ୍ରରେ ମହିଳାମାନେ ସେମାନଙ୍କ ଉପରେ ହେଉଥିବା ଆଘାତ (ଉଭୟ ଶାରିରୀକ ଏବଂ ମାନସିକ) ତଥା ଗତି କରୁଥିବା କଠୋର ବାସ୍ତବତାକୁ ଚିହ୍ନଟ କରି ପାରନ୍ତିନି। ପିଢି ପରେ ପିଢି ସେମାନଙ୍କୁ ଦିଆ ଯାଇଥିବା ନୈତିକ ଶିକ୍ଷା ଯେ- ନାରୀ ହେଉଛି ଦୟା୍ କରୁଣା ତଥା ତ୍ୟାଗର ପ୍ରତିମୂର୍ତ୍ତି ଏବଂ ପରିବାରର ଅଖଣ୍ଡତା ତଥା ସୁପରିଚାଳନାର ଦାୟିତ୍ଵ ସମ୍ପୂର୍ଣ୍ଣ ଭାବରେ ତାଙ୍କ ବ୍ୟବହାର ଉପରେ ନିର୍ଭର କରେ, ଜଣେ ନାରୀକୁ ନିଜକୁ ଜଣେ ବ୍ୟକ୍ତି ଭାବରେ ଗ୍ରହଣ କରିବାରେ ମଧ୍ୟ ବାରଣ କରିଥାଏ। ଏହି ଧାରାରେ ନାରୀଟିଏକୁ ଶିଖା ଯାଇଥାଏ ଯେ, ସ୍ବାମୀର ଇଚ୍ଛା ଏବଂ ଆଚରଣକୁ ଅସ୍ବୀକାର କରିବା ସ°ସ୍କାରବିହୀନ ହେବାର ପରିଚୟ ଦେବା ସହ କେବଳ ପାରିବାରିକ ନୁହେଁ, ସମ୍ପୂର୍ଣ୍ଣ ସାମାଜିକ ଢାଞ୍ଚାକୁ ଦୁର୍ବଳ କରିଦେବ। ଏହି କାରଣ ପାଇଁ ଅନେକ ସମୟରେ ବିବାହିତ ନାରୀ ତା’ ନିଜର ଶାରୀରିକ ତଥା ମାନସିକ ଆବଶ୍ୟକତାକୁ ଅସ୍ବୀକାର କରିବା ପାଇଁ ବାଧ୍ୟ ହୋଇଥାଏ ଏବଂ ଏହା ଗୋଟିଏ ଅଭ୍ୟାସରେ ପରିଣତ ହୋଇଯାଏ।
ବିଶ୍ଵରେ ଅନେକ ଗଣତାନ୍ତ୍ରିକ ରାଷ୍ଟ୍ର ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କ ସାମାଜିକ ଏକ ସାଂସ୍କୃତିକ ବ୍ୟବସ୍ଥା ଭାରତ ସହ ତୁଳନୀୟ, ବର୍ତ୍ତମାନ ବୈବାହିକ ଧର୍ଷଣକୁ ଦଣ୍ଡନୀୟ ଅପରାଧ ଭାବରେ ଗ୍ରହଣ କରିଛନ୍ତି। ଏମିତି ସମୟରେ ଭାରତର ଲଗାତାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ମାନବାଧିକାରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ। ସବୁ ପରେ ଆମକୁ ମନେ ରଖିବା ପାଇଁଁ ପଡିବ ଯେ, ଯେତେବେଳେ ବି ବୈବାହିକ ଧର୍ଷଣକୁ ଦଣ୍ଡନୀୟ ଅପରାଧ ବିବେଚିତ କରି ଆଇନ ପ୍ରଣୟନ ପ୍ରସ୍ତାବ ରଖାଯାଏ ତାହାର ଉଦ୍ଦେଶ୍ୟ ଆଦୌ ବିବାହ ନାମକ ସ°ସ୍ଥା କିମ୍ବା ସାମାଜିକ ଅସ୍ଥିରତା ସୃଷ୍ଟି କରିବା ନୁହେଁ। ବରଂ ଏହି ଆଇନ ଦ୍ବାରା ଜଣେ ବିବାହିତ ନାରୀର ଜଣେ ବ୍ୟକ୍ତିବିଶେଷ ଭାବରେ ତା’ର ସାମାଜିକ ତଥା ମୌଳିକ ଅଧିକାରକୁ ସୁରକ୍ଷିତ ରଖିବା।
