ଗୋଟେ ଦାଗୀ ଓ ଦୋଷୀ ଲୋକ ରାଜ୍ୟସଭା ଯିବା ଓ ଆମ ଗଣମାଧ୍ୟମ
ଭୁବନେଶ୍ୱର :(ରଙ୍ଗାଚରଣ ପ୍ରଧାନ )-ଦୁଇଦିନ ତଳେ ହୋଇଥିବା ଘୋଡାବେପାରକୁ ସମାଲୋଚନା କରି କୌଣସି ସାମ୍ବାଦିକ ଫେସବୁକରେ ଲେଖିଥିବାର ଆପଣ ଦେଖୁଛନ୍ତି କି ?
କେହି ଲେଖୁଛନ୍ତି ବିଜେଡି ଭାଙ୍ଗିଯାଉଛି । କେହି ଲେଖୁଛି ରାଜନୀତି କଡ ଲେଉଟୁଛି । କେହି ଲେଖୁଛି ବିଜେଡି କର୍ମଫଳ ଭୋଗୁଛି । କେହି ଲେଖୁଛି ପ୍ରତିଶୋଧ ନିଆଗଲା । କେହି ଲେଖୁଛି ତାକୁ ଆଗରୁ ଜଣାଥିଲା । କିନ୍ତୁ କେହି ଘୋଡାବେପାରକୁ ନିନ୍ଦା କରୁ ନାହାନ୍ତି, ଯଦିବା ଏହା ଆଇନତଃ ଅପରାଧ ଅଟେ । ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କୁ ଘେରିଥିବା ବୁମ୍ ରିପୋର୍ଟରମାନଙ୍କ ମଧ୍ୟରୁ ଜଣେ ବି କେହି ଘୋଡା ବେପାର ବିଷୟରେ ପଚାରି ନାହିଁ । ଜୟ ନାରାୟଣ ମିଶ୍ର ସାମ୍ବାଦିକମାନଙ୍କ ଆଗରେ କହିଲେ ସେମାନଙ୍କ ଦଳ ୪ଟି ପ୍ରାର୍ଥୀ ଦେଇଥିଲେ ୪ ଜଣଯାକ ଜିତିଥାନ୍ତେ । ପ୍ରଶ୍ନ ନୁହେଁ ଯେ ସେ ଠିକ୍ କହିଛନ୍ତି କି ନାହିଁ । ପ୍ରଶ୍ନ ହେଉଛି ସେ ବେଆଇନ୍ କାମ କରିପାରିବେ ବୋଲି କହିବା ପାଇଁ ଏତେ ସାହସ ପାଇଲେ କେଉଁଠାରୁ ? ସେଠାରେ ଉପସ୍ଥିତ ରିପୋର୍ଟରମାନେ ଚୁପ୍ ରହିଲେ କେମିତି ? ଏକଥା କୌଣସି ରାଜନୈତିକ ବିଶ୍ଳେଷକ କାହିଁକି କହୁ ନାହାନ୍ତି, ସବୁବେଳେ ଅଣବିଜେପି ଦଳର ବିଧାୟକ, ସାଂସଦ ଓ ନେତାମାନେ ଦଳ ସହ ବିଶ୍ବାସଘାତକତା କରି ବିଜେପିରେ ଯୋଗ ଦେଉଛନ୍ତି କାହିଁକି ? କାହିଁକି ଓ୍ବାନ ଓ୍ବେ ଟ୍ରାଫିକ୍ ରହୁଛି ?
ଏକଥା ଅନସ୍ବୀକାର୍ଯ୍ୟ ଯେ ରାଜନୀତିର ସ୍ତର ତଳକୁ ଖସିଛି । କିନ୍ତୁ ଏହା ସହିତ ସାମ୍ବାଦିକତାର ସ୍ତର ମଧ୍ୟ ତଳକୁ ଖସିଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କୋର୍ଟ, ନିର୍ବାଚନ କମିଶନ ଓ ଗଣମାଧ୍ୟମ ହେଉଛନ୍ତି ଗଣତନ୍ତ୍ରର ପ୍ରହରୀ । ସେମାନେ କିନ୍ତୁ ରାଜନୀତିକୁ ଖେଳ ବନେଇ ଦେଇଛନ୍ତି । ଗଣତନ୍ତ୍ର କ୍ଷୁର୍ଣ ହେଉଛି କି ନାହିଁ ତାହା ସେମାନେ ଦେଖୁ ନାହାନ୍ତି । କେଉଁ ପାର୍ଟି ଉଠିଲା ଓ କେଉଁ ପାର୍ଟି ପଡିଲା ତାହା ହିଁ ସେମାନେ ଦେଖିବାରେ ବ୍ୟସ୍ତ । ସାମ୍ବାଦିକତାର ମାନେ ସେମାନେ ବଦଳାଇ ଦେଇଛନ୍ତି । ଏହି ତିନୋଟି ଅନୁଷ୍ଠାନ କାହା ପ୍ରତି ଉତ୍ତରଦାୟୀ ନୁହନ୍ତି । କେବଳ ନମ୍ବର, ଗଣତି ଓ ସମୀକରଣରେ ସେମାନେ ଆଗ୍ରହୀ ।
କେତେକ କୁହନ୍ତି ସେମାନଙ୍କୁ ଆଗରୁ ଜଣାଥିଲା । ଅମୁକ ଲୋକକୁ କାହିଁକି ଟିକେଟ ଦିଆଯାଇଥିଲା ?
କିନ୍ତୁ କେଉଁ ନେତା କେତେବେଳେ ଚିତା କାଟିବ ସେକଥା କିଏ କେମିତି ଆଗରୁ ଜାଣିବ ? ଏଠାରେ କରପୋରେଟ ବ୍ୟାକଗ୍ରାଉଣ୍ଡର ଲୋକ ହେଉ କି ସଂଘର୍ଷ ଓ ଆନ୍ଦୋଳନରୁ ଆସିଥିବା ଲୋକ । ସ୍ବାତୀ ମାଲିଓ୍ବାଲ ଭଳି ଝିଅ ସଂଘର୍ଷ ଓ ଆନ୍ଦୋଳନ ଭିତରୁ ଆସି ରାଜନୀତିରେ ଓ ଆପ୍ ରେ ଯୋଗ ଦେଇଥିଲେ । ରାଘବ ଚଢା ମଧ୍ୟ ଆନ୍ଦୋଳନ ମଧ୍ୟରୁ ଆସିଥିଲେ । ଏମାନେ କର୍ପୋରେଟ ଜଗତରୁ ଆସି ନଥିଲେ । କିନ୍ତୁ ସେମାନେ ବି ରାଜ୍ୟସଭା ସଦସ୍ୟ ହେବା ପରେ ଦଳକୁ ଚିତା କାଟିଲେ । କିଏ ଜାଣିଥିଲା ଅମର ପଟ୍ଟନାୟକଙ୍କ ଭଳି ଲୋକ ରାତାରାତି ଦଳ ଛାଡି ବିଜେପିରେ ମିଶିବ ? କିଏ ଜାଣିଥିଲା ଗୌରବବଲ୍ଲଭ ଭଳି ପାର୍ଟି ପ୍ରବକ୍ତା କଂଗ୍ରେସ ଛାଡି ବିଜେପିରେ ମିଶିବ ? ଏମିତି କୌଣସି ଯନ୍ତ୍ର ଅଛି କି ଯାହା କୌଣସି ଲୋକ ଛୁଇଁଲେ ନାଲି ଆଲୁଅ ଜଳିବ ଓ କେଁ କରି ଶବ୍ଦ ହେବ ଓ ସେହିଥିରୁ ଜଣାପଡିବ ଯେ ସେ ଲୋକଟି ପାର୍ଟି ସହିତ ବିଶ୍ବାସଘାତକତା କରିବ ? ଏଥିରେ ପାର୍ଟି ସଭାପତିମାନେ କରିବେ କଣ ?
ଯେତେବେଳେ ଏହି ତିନୋଟି ଅନୁଷ୍ଠାନ – କୋର୍ଟ, ନିର୍ବାଚନ କମିଶନ ଓ ଗଣମାଧ୍ୟମ – କଳୁଷିତ ରାଜନୀତି ପାଇଁ କ୍ଷେତ୍ର ତିଆରି କରିବେ, ସେତେବେଳେ ପାର୍ଟି ସଭାପତିମାନେ କରିବେ କ’ଣ ? ସାମ୍ବାଦିକ ବିକ୍ରୀ ହେଲେ ନେତା ବିକ୍ରୀ ହେବାକୁ ବାଧ୍ୟ । ଦୁହେଁ ଗୋଟିଏ ପୋଖରୀରେ ରହିଛନ୍ତି ।
ସାମ୍ବାଦିକତା ଓ ରାଜନୀତି ପରସ୍ପର ସଂସ୍ପର୍ଶରେ ଆସିଥାନ୍ତି । ଉଭୟ ଜନତାଙ୍କ ପ୍ରତିନିଧୀ । ଜନତାର ସ୍ବାର୍ଥ ଓ ଗଣତନ୍ତ୍ରର ସୁରକ୍ଷା ହେଉଛି ସାମ୍ବାଦିକର କାମ । ଘୋଡାବେପାର ପ୍ରତି ଆଖି ମୁଜିଦେଇ ରାଜନୀତି କଡ ଲେଉଟୁଛି ବୋଲି କହିବା ସାମ୍ବାଦିକତା ନୁହେଁ । ସାମ୍ବାଦିକତା ଖରାପ ହେଲେ ରାଜନୀତି ଠିକ୍ ରହିବ ନାହିଁ । କେଉଁ ରାଜନୈତିକ ଦଳ ଏଥିରେ ଅକ୍ଷୁର୍ଣ ହୋଇ ରହିବ ନାହିଁ ।

