ମିସୋ ବାବଦରେ ଜାଣିଛନ୍ତି କି ଏସବୁ ସିକ୍ରେଟ କଥା!
ନୂଆଦିଲ୍ଲୀ: ଦେଶରେ ଷ୍ଟାର୍ଟଅପ୍ ସଂସ୍କୃତି ଦ୍ରୁତ ଗତିରେ ବଢୁଛି ଏବଂ ଅନେକ ଯୁବ ଉଦ୍ୟୋଗୀ ଏହି କ୍ଷେତ୍ରରେ ପାଦ ଥାପୁଛନ୍ତି | ଏହି ଯୁବ ଉଦ୍ୟୋଗୀମାନଙ୍କୁ କେବଳ ଦେଶରୁ ନୁହେଁ ବରଂ ବିଦେଶରୁ ମଧ୍ୟ ଫଣ୍ଡିଙ୍ଗ ମିଳୁଛି | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟାର୍ଟଅପ ବାବଦରେ କହିବୁ ଯାହାର ବ୍ୟବହାର ଏବେ ଦିନକୁ ଦିନ ବଢିଚାଲିଛି |
ଅନ୍ୟ ସପିଙ୍ଗ ପ୍ଲାଟଫର୍ମ ଅପେକ୍ଷା କମ ମୂଲ୍ୟରେ ସାମଗ୍ରୀ ଯୋଗାଉଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଏହାର ଚାହିଦା ମଧ୍ୟ ବଢିଚାଲିଛି | ଏହି କମ୍ପାନୀର ନାମ ହେଉଛି ମିସୋ । ବିଦିତ ଆତ୍ରେୟ ଏବଂ ସଞ୍ଜୀବ ବରନୱାଲ ନାମକ ଦୁଇ ଯୁବ ଉଦ୍ୟୋଗୀ ଏହି କମ୍ପାନୀର ପ୍ରତିଷ୍ଠାତା | ଆଇଆଇଟି ଦିଲ୍ଲୀର ଏହି ୨ ଜଣ ଆଲୁମିନି ସ୍ନାତକୋତ୍ତର ସମାପ୍ତ କରିବାର କିଛି ବର୍ଷ ପରେ, ପ୍ରଥମେ ଏକ ଷ୍ଟାର୍ଟଅପ ସ୍ଥାପନ କରିଥିଲେ | ତେବେ ଏହା ଲୋକଙ୍କ ଦ୍ୱାରା ସେତେ ଗ୍ରହଣୀୟ ହୋଇପାରିନଥିଲା ଓ ଫେଲ ମାରିଥିଲା |
ଯଦିଓ ସେମାନଙ୍କର ପ୍ରଥମ ଷ୍ଟାର୍ଟଅପ୍ ବିଫଳ ହୋଇଥିଲା, ଏହା ଉଭୟଙ୍କ ପାଇଁ ଏକ ଭଲ ଶିକ୍ଷା ଥିଲା | ସେମାନେ ଜାଣିବାକୁ ପାଇଲେ ଯେ ଦେଶରେ ସକ୍ରିୟ ଥିବା ଛୋଟ ବ୍ୟବସାୟୀମାନେ ସୋସିଆଲ ମିଡିଆ ବ୍ୟବହାର କରି ସେମାନଙ୍କ ଉତ୍ପାଦ ବିକ୍ରୟ କରୁଛନ୍ତି, କିନ୍ତୁ ଅଧିକ ସଫଳତା ପାଇନାହାଁନ୍ତି। ଏହାକୁ ଧ୍ୟାନରେ ରଖି ବିଦିତ ଏବଂ ସଞ୍ଜୀବ ମିସୋ ଆରମ୍ଭ କରିବାର ସଂକଳ୍ପ ନେଇଥିଲେ।