ମାଇକ୍ରନର ନିବେଶ ଭାରତର ସେମିକଣ୍ଡକ୍ଟର ଦୃଶ୍ୟପଟ୍ଟକୁ ବଦଳାଇଦେବ; ଅଶ୍ଵିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତକୁ ଚିପ୍‌ ଉତ୍ପାଦନର ହବ୍‌ରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ଶୀଘ୍ର ସାକାର ହେବାକୁ ଯାଉଛି। ଆମେରିକାର ମାଇକ୍ରୋ ଚିପ୍ ନିର୍ମାତା ମାଇକ୍ରନ୍ ଗୁଜରାଟରେ ଏକ ନୂଆ ସେମିକଣ୍ଡକ୍ଟର ଆସେମ୍ବଲି ଓ ଟେଷ୍ଟିଂ କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ‌ନେଇଛି। ମାଇକ୍ରନ୍‌ର ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଭେଟିବା ପରେ ଏହି ଖବର ସାମ୍ନାକୁ ଆସିଛି। ଭାରତରେ କାରଖାନା ସ୍ଥାପନ କରିବା ଲାଗି ମାଇ‌କ୍ରନ୍‌କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି।ଏହି ସାକ୍ଷାତ ପରେ ମାଇ୍ରକନ୍‌ ସିଇଓ ଶ୍ରୀ ମେହରୋତ୍ରା କହିଛନ୍ତି ଯେ ଏହି ନିବେଶ ଜରିଆରେ ଆମର ଉତ୍ପାଦନ ବ୍ୟବସ୍ଥା ବିଶ୍ବସ୍ତରରେ ସମ୍ପ୍ରସାରିତ ହେବ ଯାହା ଭାରତ ଓ ସାରା ଦୁନିଆର ଆବଶ୍ୟକତା ପୂରଣ କରିବ। ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ମାଇକ୍ରନର ନିବେଶ ଭାରତର ସେମିକଣ୍ଡକ୍ଟର ଦୃଶ୍ୟପଟ୍ଟକୁ ବଦଳାଇଦେବ। ଯୋଜନା ଅନୁସାରେ ମାଇକ୍ରନ୍ ଏହାର ନୂଆ କାରଖାନାକୁ ଗୁଜରାଟରେ ପର୍ଯ୍ୟାୟକ୍ରମେ ସ୍ଥାପନ କରିବ। ପ୍ରଥମ ପର୍ଯ୍ୟାୟରେ ୫,୦୦,୦୦୦ ବର୍ଗଫୁଟରେ ଏକ କ୍ଲିନ୍‌ରୁମ୍ ସ୍ଥାପନ କରାଯିବ ଓ ତାହା ୨୦୨୪ ଶେଷ ଆଡ଼କୁ କାର୍ଯ୍ୟକ୍ଷମ ହେବ। ଏହି କାରଖାନା ଉଭୟ ଭାରତ ଓ ବିଶ୍ବ ବଜାରର ଚାହିଦା ପୂରଣ କରିବ। ଚାହିଦାରେ ବୃଦ୍ଧି ଘଟିଥିଲେ ଚଳିତ ଦଶନ୍ଧିର ଶେଷ ଭାଗରେ କଂପାନି ଏହି କାରଖାନାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରିବା ଉପରେ ବିଚାର କରିବ। ଏହି ଦୁଇ ପର୍ଯ୍ୟାୟରେ କଂପାନି ୮୨୫ ନିୟୁତ ଡଲାର ନିବେଶ କରିବ ଯାହା ଦ୍ବାରା ୫ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ଓ ୧୫,୦୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି କାରଖାନା ପାଇଁ ମାଇକ୍ରନ୍‌କୁ ଉଭୟ ଭାରତ ସରକାର ଓ ଗୁଜରାଟ ସରକାରଙ୍କ ରହିଥିବା ପ୍ରୋତ୍ସାହନ ସ୍କିମ୍‌ର ଲାଭ ମିଳିବ। କେନ୍ଦ୍ର ସରକାର ମୋଟ ପ୍ରକଳ୍ପ ଖର୍ଚ୍ଚର ୫୦% ଆର୍ଥିକ ସହାୟତା ପ୍ରଦାନ କରିବେ ଏବଂ ଗୁଜରାଟ ସରକାର ୨୦% ପ୍ରୋତ୍ସାହନ ରାଶି ଦେବେ। ଉଭୟ କେନ୍ଦ୍ର, ଗୁଜରାଟ ସରକାରଙ୍କ ନିବେଶ ମିଶିବା ପରେ ମୋଟ ପ୍ରକଳ୍ପ ଖର୍ଚ୍ଚ ୨୭୫ କୋଟି ଡଲାରକୁ ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *