ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ‘ମିଲେଟ୍ ଶକ୍ତି କାଫେ’ ଉଦଘାଟିତ

ଭୁବନେଶ୍ୱର: ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନର ମିଳିତ ଉଦ୍ୟମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ‘ମିଲେଟ୍ ଶକ୍ତି କାଫେ’ ଉଦଘାଟିତ ହୋଇଯାଇଛି । ଓଡ଼ିଶାର ପୁଷ୍ଟିକର ଖାଦ୍ୟ ମିଲେଟ୍ କୁ ସହରାଞ୍ଚଳବାସୀଙ୍କ ଖାଦ୍ୟଥାଳିରେ ସାମିଲ କରିବା ସହ ମିଲେଟ୍ ର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି କାଫେ ଖୋଲାଯାଇଛି। ଏଥିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାଫେର ଉଦଘାଟନ କରି କହିଛନ୍ତି ଯେ, ପୁଷ୍ଟିଶସ୍ୟର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଲୋକମାନଙ୍କୁ ପୁଷ୍ଟିକର ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ଯୋଗାଇବା ସହ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ରୋଜଗାରକ୍ଷମ ହୋଇପାରିବେ।

ଏହସହିତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୁଷ୍ଟିକର ଖାଦ୍ୟ ପାଇପାରିବେ । ଯେପରି ଅଧିକ ସଂଖ୍ୟକ ଲୋକଙ୍କୁ ମିଲେଟ୍ ଖାଦ୍ୟ ପ୍ରତି ଆକୃଷ୍ଟ କରାଯାଇପାରିବ, ସେଥିପାଇଁ ଏହି କାଫେରେ ପୁଷ୍ଟିଶସ୍ୟରୁ ବିଭିନ୍ନ ଖାଦ୍ୟ ଉପଲବ୍ଧ ରହିଛି ।
ଏହି ମିଲେଟ୍ ଶକ୍ତି କାଫେର ପରିଚାଳନା ଦାୟିତ୍ଵ ଭୁବନେଶ୍ୱର ୱାର୍ଡ ନମ୍ବର ୫୧ଅଧିନରେ ଥିବା ସ୍ୱୟମ୍ ଶକ୍ତି ଆଞ୍ଚଳିକ ପରିଷଦର ମହିଳା ସଦସ୍ୟାମାନଙ୍କୁ ଦିଆଯାଇଛି । କାଫେରେ ମାଣ୍ଡିଆରୁ ପ୍ରସ୍ତୁତ ବରା, ଆଳୁଚପ, ବିଭିନ୍ନ ପିଠା, ଲଡୁ, ଚକୋଲେଟ, କେକ୍ , ସୁଆଁ ଖିରୀ ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି। ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୯ଟି ମିଲେଟ୍ ଶକ୍ତି କାଫେ ରହିଥିବାବେଳେ ଭୁବନେଶ୍ବରରେ ୩ଟି କାଫେ ଖୋଲାଯାଇଛି।


ଏହି ଉଦଘାଟନୀ ସମାରୋହରେ ବିଭାଗୀୟ ଶାସନ ସଚିବ ଶ୍ରୀଯୁକ୍ତ ଡ଼. ଅରବିନ୍ଦ କୁମାର ପାଢୀ, ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗର ଯୁଗ୍ମ ନିର୍ଦେଶକ ଶ୍ରୀଯୁକ୍ତ ରୋହିତ କୁମାର ଲେଙ୍କା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *