ଆଇପିଏଲରେ ବିଦେଶୀ ଖେଳାଳି ମାଲା – ମାଲ , ମାତ୍ର ଦେଶର ଖେଳାଳିଙ୍କୁ ମିଳୁ ନାହିଁ ତାର ଅଧା ପଇସା …

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ଏହି ଖେଳାଳି ୨୪.୭୫ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ ଦଳରେ ସ୍ଥାନ ପାଇଛନ୍ତି। କୋଲକାତା ବ୍ୟତୀତ ଗୁଜରାଟ ଟାଇଟାନ୍ସ ମଧ୍ୟ ଏହି ଖେଳାଳିଙ୍କ ପାଇଁ ୨୪.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଡ୍ କରିଥିଲା । ଆଜି ଅନୁଷ୍ଠିତ ନିଲାମରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଥିଲା, କିନ୍ତୁ ଷ୍ଟାର୍କ ଅଳ୍ପ ସମୟ ମଧ୍ୟରେ କମିନ୍ସଙ୍କ ରେକର୍ଡ ଭାଙ୍ଗିଦେଇଥିଲେ । ଆପଣଙ୍କୁ କହିରଖୁଛୁ ଯେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଗତ ୮ ବର୍ଷ ଧରି ଆଇପିଏଲରେ ଖେଳିନଥିଲେ । ଏଥର ସେ ଆଇପିଏଲରେ ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ରେ ନିଜ ନାମ ପଞ୍ଜୀକରଣ କରିଥିଲେ । ଆଇପିଏଲ୍ ୨୦୨୪ ନିଲାମରେ ତାଙ୍କ ନାମ ଆସିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ତାଙ୍କ ନାମ ପାଇଁ ନିଲାମ ଆରମ୍ଭ କରିଥିଲା । ଦିଲ୍ଲୀ ସହିତ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଷ୍ଟାର୍କଙ୍କୁ କିଣିବାରେ ଉତ୍ସୁକତା ଦେଖାଇଥିଲେ , କିନ୍ତୁ ଏହା ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମିଚେଲ ଷ୍ଟାର୍କଙ୍କ ପାଇଁ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇଥିଲା । ପରିଶେଷରେ ୨୪.୭୫ କୋଟି ଟଙ୍କାରେ କଲିକତା ଷ୍ଚାର୍କଙ୍କୁ କିଣିବାରେ ସଫଳ ହୋଇଛି । ତେବେ ସେହିପରି ଯଦି ଅନ୍ୟପଟେ ଦେଖାଯାଏ ତେବେ ଏହି କଲିକତା ଦଳ ରିଙ୍କୁ ସିଂ ଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କୁ ମାତ୍ର ୫୫ ଲକ୍ଷ ଟଙ୍କାରେ ରିଟେନ କରିବା ଏବେ ସମାଲୋଚନାର ପରିସର ଭୁକ୍ତ ହୋଇଛି । ରିଙ୍କୁ ସିଂ ଏମିତି ଏକ ଖେଳାଳି ଯିଏ ଭାରତ ପାଇଁ ଲଗାତାର ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ ଯେଉଁ ଦଳ ବିଦେଶୀ ଖେଳାଳିଙ୍କୁ କିଣିବା ପାଇଁ ଏତେ ପଇସା ଖର୍ଚ୍ଚ କରିପାରୁଛି । ତେବେ ନିଜ ଦେଶର ଖେଳାଳିଙ୍କ ପ୍ରତି ଏ ଅନ୍ୟାୟ କାହିଁକି ?