ମୋଦି ଗ୍ରେସ ଦେଇ ପଳେଇବେ, ଆପଣଙ୍କୁ ନଜର ରଖିବାକୁ ହେବ… ଆସନ୍ତୁ ମାର୍କ ଦେବା..

Modi will give grace and escape, lets have an eye on it give remarks..
ଭୁବନେଶ୍ୱର : (ମୂଳ ଲେଖା- ରଙ୍ଗା ଚରଣ/ ପ୍ରସ୍ତୁତି-ଦୁର୍ଗା ପ୍ରସାଦ)- ମୋହନ ମାଝୀ ସରକାରର ଏକ ବର୍ଷ ପୁର୍ତ୍ତି ଉପଲକ୍ଷେ ବିଭିନ୍ନ ମୁଖ୍ୟ ଧାରାର ଗଣମାଧ୍ୟମ ଓ ବ୍ୟକ୍ତିବିଶେଷ ସରକାରକୁ ନମ୍ବର ଦେବା ଆରମ୍ଭ କରିଛନ୍ତି । କିଏ ଫାର୍ଷ୍ଟ ଡିଭିଜନ ଦେଉଛି ତ କିଏ ଶହେରୁ ଶହେ ନମ୍ବର ଦେଉଛି ।
ଯଦି ନମ୍ବର ଦେଉଛି, କ’ଣ ଦେଖି ନମ୍ବର ଦେଉଛି ?
ସରକାର ଗୋଟିଏ ବର୍ଷ ପାର କରିବା ପରେ କହୁଛନ୍ତି ଆମେ ସବୁ କରି ପକାଇଛୁ ଓ ଯାହା କଥା ଦେଇଥିଲୁ ତାହା ରଖିଛୁ । ଓଡ଼ିଶା ଇତିହାସରେ ଗୋଟିଏ ବର୍ଷ ପୁରଣ ଉପଲକ୍ଷେ କୈାଣସି ସରକାର ଏମିତି ଉତ୍ସବ କରି ନଥିଲା ।
ନୂଆ ସରକାର ଗତବର୍ଷ ଜୁନ୍ ମାସରେ ଦାୟିତ୍ବ ନେଲା । ନଭେମ୍ବର ମାସରେ କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କଠାରେ ତିନି ଜଣ ମହିଳା ବିଷାକ୍ତ ଆମ୍ବ ଟାକୁଆ ଖାଇ ପ୍ରାଣ ହରାଇଲେ । ଦୀର୍ଘ ଦଶ ବର୍ଷ ପରେ ଓଡ଼ିଶାକୁ ଅନାହାର ମୃତ୍ୟୁ ଫେରିଲା ଓ ରାଜ୍ୟକୁ ବଦନାମ କଲା । ଆମ୍ବ ଟାକୁଆ ଖାଇ ମଲେ ।
ସର୍ବପ୍ରଥମେ ଆସନ୍ତୁ ଦେଖିବା ଗତ ଏକ ବର୍ଷରେ ଓଡ଼ିଶାର ଆର୍ଥିକ ଅବସ୍ଥା କେତେ ବଢ଼ିଛି ବା ରାଜ୍ୟର ବିକାଶ କେତେ ହୋଇଛି । ବିକାଶ ଦର ରାଜ୍ୟ ସରକାର ନିଜେ ହିସାବ କରନ୍ତି । ୨୦୨୪-୨୫ ପାଇଁ ବଜେଟ ଆଗତ କରିବା ସମୟରେ ରାଜ୍ୟ ୮% ଦରରେ ଅଭିବୃଦ୍ଧି କରିବ ବୋଲି ସରକାର କହିଥିଲେ । କିନ୍ତୁ ହେଲା କେତେ ? ମାତ୍ର ୭.୨% । ସରକାର ନିଜ ଟାର୍ଗେଟ ପୁରଣ କରିବାରେ ଫେଲ ମାରିଲେ । ତା’ ପୂର୍ବ ବର୍ଷ ବା ୨୦୨୩-୨୪ରେ, ବିଜେଡି ସରକାରରେ, ଅଭିବୃଦ୍ଧି ଟାର୍ଗେଟ ରଖା ଯାଇଥିଲା ୮% । ତଥାପି ପୂରଣ ହୋଇଥିଲା ୮.୫% । ତେଣୁ ମୋହନ ସରକାରଙ୍କ ପ୍ରଥମ ବର୍ଷରେ ବିକାଶର ନିଜ ଟାର୍ଗେଟ ତ ପୁରଣ କରି ପାରିଲା ନାହିଁ ।
ନବୀନ ପଟ୍ଟନାୟକ ସରକାର ୨୦୨୪-୨୫ ପାଇଁ ଯେଉଁ ବଜେଟ ରଖିଥିଲେ ସେଥିରେ ୩୭,୦୭୭ କୋଟି ଟଙ୍କାର ରାଜସ୍ବ ବଳକା ଥିଲା । ମୋହନ ସେହି ୨୦୨୪-୨୫ ପାଇଁ ପୁଣିଥରେ ବଜେଟ ଆଗତ କଲେ । ୨୦୨୪-୨୫ ପାଇଁ ମୋହନ ମାଝୀ ଆଗତ କରିଥିବା ବଜେଟରେ ସେହି ରାଜସ୍ବ ବଳକା କମିଯାଇ ୨୭୪୩୬ କୋଟି ଟଙ୍କା ଦେଖାଗଲା । ଏହାର ମାନେ ହେଲା ମୋହନ ମାଝୀ ସରକାରଙ୍କ ବଜେଟରେ ବଳକା ପ୍ରାୟ ୧୦ ହଜାର କୋଟି ଟଙ୍କା କମିଗଲା । ଏବେ ବିତ୍ତୀୟ ନିଅଣ୍ଟ ବା ଫିସକାଲ ଡେ଼ଫିସିଟ କଥାକୁ ଆସନ୍ତୁ । ସରକାରଙ୍କ ମୋଟ ବ୍ୟୟରୁ ମୋଟ ଆୟ ଫେଡିଲେ ଯାହା ବାହାରେ ତାକୁ ବିତ୍ତୀୟ ନିଅଣ୍ଟ କୁହା ଯାଏ ।୨୦୨୪-୨୫ ପାଇଁ ନବୀନ ସରକାର ଯେଉଁ ବଜେଟ ଆଗତ କରିଥିଲା ସେଥିରେ ବିତ୍ତୀୟ ନିଅଣ୍ଟ ଥିଲା ୨୭,୭୫୦ କୋଟି ଟଙ୍କା । ସେହି ୨୦୨୪-୨୫ ପାଇଁ ମୋହନ ମାଝୀ ଯେଉଁ ବଜେଟ ଆଗତ କଲେ ସେଥିରେ ଲେଖା ଯାଇଛି, ଏହି ନିଅଣ୍ଟ ପରିମାଣ ବଢି ୩୨,୪୦୦ କୋଟି ଟଙ୍କା ହୋଇଯିବ । ଅର୍ଥାତ୍ ନିଅଣ୍ଟିଆ ପରିମାଣ ପ୍ରାୟ ୫୦୦୦ କୋଟି ଟଙ୍କା ବଢିଯିବ । ସରକାରଙ୍କ ରାଜସ୍ବ-ବଳକା କମିଛି ଓ ବିତ୍ତୀୟ ନିଅଣ୍ଟ ବଢ଼ିଛି ।
ସରକାର କହିଥିଲେ ୨୦୨୯ ସୁଦ୍ଧା ରାଜ୍ୟକୁ ୨ ବିଲିଅନ୍ ଡଲାରରୁ ଅଧିକ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ଆଣିବେ । କିନ୍ତୁ ପ୍ରଥମ ବର୍ଷ ବା ୨୦୨୪-୨୫ରେ ମାତ୍ର 39 କୋଟି ଟଙ୍କା, ଡଲାର ନୂହେଁ । ଏଥିପାଇଁ ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା ଉତ୍ସବ କରି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରା ଯାଇଥିଲା ।
ମୁଁ ଆଜି ରତ୍ନଭଣ୍ଡାରରୁ ଗଣତି ନାଁରେ ବର୍ଷେ ହେଲା ଅଳଙ୍କାର ରଖିବା କଥା କହୁନି ।
ମୁଁ ଆଜି ଛତିଶଗଡ଼ ମହାନଦୀ ଜଳ ବିବାଦ ଓ କୋଟିଆ ସୀମା ବିବାଦରେ ସରକାରଙ୍କ ନିଷ୍କ୍ରୀୟତା ବିଷୟରେ କହୁନି ।
ମୁଁ ଆଜି ଧାନ କିଣାରେ କଟଣି ଛଟଣି ବନ୍ଦ ହେବ ବୋଲି ସରକାରଙ୍କ ପ୍ରତିଶୃତି ଫେଲମାରିବା ବିଷୟରେ କହୁନି ।
ମୁଁ ଆଜି ଏପର୍ଯ୍ୟନ୍ତ ଆୟୁଷ୍ମାନ ଯୋଜନା କାର୍ଯ୍ୟକ୍ଷମ ହୋଇ ନ ପାରିବା ବିଷୟରେ କହୁନି ।
ମୁଁ ଆଜି ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ କହୁନି ।
ମୁଁ ଆଜି ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବିଷୟରେ କହୁନି ।
ମୁଁ ଆଜି ତଦନ୍ତ ବାକ୍ସ ବିଷୟରେ କହୁନି ।
ମୁଁ ଆଜି ଝାଡଖଣ୍ଡି ରାଜ୍ୟପାଳଙ୍କ ପୁଅ ଜଣେ ସରକାରି କର୍ମଚାରୀକୁ ନିସ୍ତୁକ ପିଟି ଚାଲିଯିବା କଥା କହୁନି ।
ସୁଭଦ୍ରା ଯୋଜନା ଓ ଧାନ ସଂଗ୍ରହରେ କ୍ଵିଣ୍ଟାଲ ପ୍ରତି ୮୦୦ ଟଙ୍କା ବୋନସ୍ । କିନ୍ତୁ ଏହି ସବୁ ଯୋଜନା ସେହି ମୋଟ ବଜେଟ ଟଙ୍କା ମଧ୍ୟରୁ ଦିଆଯାଏ । ଯଦି ମୋଟ ବଜେଟ ଆଖି ଦୁଶିଆ ଭାବେ ନ ବଢେ , ତେବେ ଗୋଟିଏ ଯୋଜନାରେ ଦେବେ ମାନେ, ଆଉ ଗୋଟିଏ ଯୋଜନାରୁ ନିଶ୍ଚୟ କାଟିବେ । ମୋହନ ସରକାର ପ୍ରଥମ ବର୍ଷ ନିଜର ବଜେଟ ବଢାଇଛନ୍ତି । କିନ୍ତୁ ଆପଣ ଜାଣିଥିବେ, ପ୍ରତିବର୍ଷ ବଜେଟ ବଢେ ।
୨୦୨୩-୨୪ରେ ନବୀନ ପଟ୍ଟନାୟକ ସରକାର ଦୁଇ ଲକ୍ଷ ତିରିଶ ହଜାର କୋଟି ଟଙ୍କାର ବଜେଟ୍ ଆଣିଥିଲେ । ପରବର୍ଷ ମୋହନ ସରକାର ଦୁଇ ଲକ୍ଷ ପଞ୍ଚଷଠି ହଜାର କୋଟି ଟଙ୍କାର ବଜେଟ୍ ଆଣିଲେ । ତେଣୁ ଏକାଥରକେ ସରକାର ବଜେଟକୁ ୩୫ ହଜାର କୋଟି ଟଙ୍କା ବଢେଇଲେ । ଯେଉଁଦିନ ମୋହନ ମାଝି ପ୍ରଥମ ବଜେଟ ଉପସ୍ଥାପନ କଲେ, ସେଦିନ ଟିଭି ଚ୍ୟାନେଲ ଗୁଡ଼ିକ ବଡ଼ ପାର୍ଟିରେ କହୁଥିଲେ ବିଜେପି ସରକାରର ୨୦୨୪-୨୫ ବଜେଟ ବିଜେଡିର ୨୦୨୩-୨୪ ବଜେଟ ଠାରୁ ୧୫% ବଢ଼ିଗଲା । ବିଜେଡି ମଧ୍ୟ ୨୦୨୪-୨୫ ପାଇଁ ଗୋଟିଏ ବଜେଟ ଆଣିଥିଲା । ସେ ବଜେଟର ଆକାର ଥିଲା ଦୁଇ ଲକ୍ଷ ପଞ୍ଚାବନ ହଜାର କୋଟି ଟଙ୍କା । ତେଣୁ ବିଜେଡି ୨୦୨୪-୨୫ ପାଇଁ ବଜେଟକୁ already ପଚିଶ ହଜାର କୋଟି ବା ୧୧% ବୃଦ୍ଧି କରି ସାରିଥିଲା ।
ମୋହନ ସରକାର ସୁଭଦ୍ରା ଯୋଜନା ଓ ଧାନ ବୋନସ ପାଇଁ ଯେତେବେଳେ ଟଙ୍କା ଦେଲା, ତା ପୁର୍ବରୁ ଓଡ଼ିଶାର ବଜେଟ ବଡ଼ ହୋଇ ସାରିଥିଲା । ଯଦି ମୋହନ ସରକାର ଆସିବା ବେଳକୁ ବଜେଟର ସାଇଜ଼୍ ବଡ଼ ନଥାନ୍ତା । ସରକାରଙ୍କ ଆର୍ଥିକ ଅବସ୍ଥା ଭଲ ଅବସ୍ଥାରେ ଥିଲା । ଋଣ ଭାରରେ ଓଡ଼ିଶା ସରକାର ସବୁ ରାଜ୍ୟଗୁଡ଼ିକ ମଧ୍ୟରେ ଦ୍ବିତୀୟ ସର୍ବନିମ୍ନ ଥିଲା । ଓଡ଼ିଶା ସରକାର ୧୫ ବର୍ଷ ଧରି ରାଜସ୍ବ-ବଳକା ବଜେଟ ଦେଇ ଆସୁଛନ୍ତି । ବୀନ ସରକାର କାହିଁକି ଚାଷୀ ମାନଙ୍କୁ ଧାନ କିଣାରେ ବୋନସ ଦେଇ ପାରୁ ନଥିଲା ? ନବୀନ ସରକାର କାହିଁକି ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ଦେଇ ପାରୁ ନଥିଲା ? ଆପଣ ହୁଏତ ଭୁଲି ନଥିବେ ଯେ ଏହି ନବୀନ ସରକାର କାଳିଆ ଯୋଜନାରେ ଚାଷୀ ମାନଙ୍କୁ ଟଙ୍କା ଦେବା ଆରମ୍ଭ କରିଥିଲା । ଚାଷୀ ମାନଙ୍କୁ ଟଙ୍କା ଦେବାରେ ଓଡ଼ିଶା ସରକାର ଭାରତରେ ଦ୍ବିତୀୟ ରାଜ୍ୟ ଥିଲା । ପରେ ସିନା କେନ୍ଦ୍ର ସରକାର ପିଏମ-କିଷାନ ଯୋଜନା ଆରମ୍ଭ କଲା ? ଏବେ ବି କାଳିଆ ଯୋଜନା ନାମ ବଦଳି ସିଏମ-କିଷାନ ନାଁରେ ଚାଲିଛି । ଏହି ଯୋଜନାରେ ଭୁମିହୀନ ଭାଗଚାଷୀ ବି କଭର ହେଉଛନ୍ତି । ମୋହନ ସରକାର ସିନା ସୁଭଦ୍ରା ଯୋଜନାରେ ଟଙ୍କା ଦେଲା, ନବୀନ ସରକାର ପୁଣି ଥରେ ଆସିଥିଲେ ନବେ ପ୍ରତିଶତ ଲୋକଙ୍କୁ ମାଗଣା ବିଜୁଳି ଦେଇଥାନ୍ତା । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ଓ ୧୫୦ ୟୁନିଟ୍ ପର୍ଯ୍ୟନ୍ତ ସବସିଡି ଦରରେ ମାଗଣା ବିଜୁଳି ଦେଇଥାନ୍ତା । ସେଥିରେ ଓଡ଼ିଶାର ନବେ ପରସେଣ୍ଟ ଲୋକ କଭର ହୋଇଥାନ୍ତେ । ସେମାନେ ତାହା ମେନିଫେଷ୍ଟୋରେ ଲେଖିଥିଲେ ।
ମୋହନ ମାଝିଙ୍କ ଦଳ ତ କଥା ଦେଇଥିଲା ୩୦୦ ୟୁନିଟ୍ ମାଗଣା ବିଜୁଳି ସହିତ ପ୍ରତି ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କା ଦେବ । କ’ଣ ବିଜେପି ସରକାର ତା କଥା ରଖିଲା କି ?
ନବୀନ ସରକାର ୨୦୨୩-୨୪ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଡିପାର୍ଟମେଣ୍ଟ ପାଇଁ ଛବିଶ ହଜାର ଛଅ ଶହ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । କିନ୍ତୁ ମୋହନ ସରକାର ଏହି ବିଭାଗ ପାଇଁ ୨୫୦୮୫ କୋଟି ଟଙ୍କାର ବଜେଟ୍ ଆଲୋକେସନ କରିଛନ୍ତି । ଅର୍ଥାତ୍ ଏହିଠାରେ ପ୍ରାୟ ୫୫୦୦ କୋଟି ଟଙ୍କା କମ୍ ଖର୍ଚ୍ଚ କରିଛନ୍ତି । କାହିଁ ?
ଏବେ ଆସନ୍ତୁ ଓଡିଶା ପାଇଁ ଅତି ଜରୁରୀ, କୃଷି ବିଭାଗକୁ । ୨୦୨୩-୨୪ରେ ନବୀନ ସରକାର ଏହି ବିଭାଗ ପାଇଁ ୭୫୫୧ କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ମୋହନ ସରକାର ୨୦୨୪-୨୫ରେ ସେଥିପାଇଁ ବ୍ୟୟବରାଦ କରିଥିଲେ ୧୨୬୫୩ କୋଟି ଟଙ୍କା । ଏଥିରେ ସାମିଲ ଅଛି ଧାନ ବୋନସ ପାଇଁ ୫୦୦୦ କୋଟି ଟଙ୍କା । ସେତକ ଫେଡିଦେଲେ ରହିଲା ୭୬୫୩ କୋଟି ଟଙ୍କା । ଅର୍ଥାତ୍ ବିନା ବୋନସ ଟଙ୍କାରେ କୃଷି ବଜେଟ ହେଉଛି ୭୬୫୩ କୋଟି ଟଙ୍କା । ତାହା ହେଉଛି ପୂର୍ବ ବର୍ଷର ବଜେଟ ଠାରୁ ମାତ୍ର ୧୦୨ କୋଟି ବା ୧.୩୫% ଅଧିକ। କ’ଣ ବୋନସ୍ ଦେବା ବ୍ୟତୀତ କୃଷି ବିଭାଗରେ ଆଉ କିଛି ଖର୍ଚ୍ଚ ନାହିଁ ? ଏପରିକି ୨୦୨୪-୨୫ ପାଇଁ ନବୀନ ସରକାରଙ୍କ କୃଷି ବଜେଟ ଠାରୁ ମୋହନ ସରକାରଙ୍କ ବୋନସ-ବାଦ-କୃଷିବଜେଟକୁ ତୁଳନା କଲେ ତାହା କମ୍ ଖର୍ଚ୍ଚ ହୋଇଛି ।
ମିଶନ ଶକ୍ତି ପାଇଁ ୨୦୨୩-୨୪ରେ ନବୀନ ସରକାର ୩୦୦୪ କୋଟି ଟଙ୍କାର ବଜେଟ୍ କରିଥିଲେ । ମୋହନ ସରକାରଙ୍କ ୨୦୨୪-୨୫ ବଜେଟରେ ସେଥିପାଇଁ ୧୫୦୪ କୋଟି ଟଙ୍କା ଥିଲା । ଅର୍ଥାତ୍ ପ୍ରାୟ ଫିଫଟି ପରସେଣ୍ଟ କାଟିଦେଲେ । କଣ କେବଳ ସୁଭଦ୍ରା ଓ ଧାନ ବୋନସ ଏ ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ? ଆଉ ସବୁ ବିଭାଗ ଏହି ସରକାର ପାଇଁ ଗୁରୁତ୍ୱ ରଖେ ନାହିଁ ?
୨୦୨୪-୨୫ ପାଇଁ ନବୀନବାବୁ ୬୫୩୧୨ କୋଟି ଟଙ୍କାର କ୍ୟାପିଟାଲ ଏକ୍ସପେଣ୍ଡିଚର ବଜେଟ ରଖିଥିଲେ । ସେହି ୨୦୨୪-୨୪ ପାଇଁ ମୋହନ ସରକାର ତାକୁ କମାଇ ୬୦୩୪୫ କୋଟି ଟଙ୍କା କରିଦେଲେ । ଅର୍ଥାତ୍ ୪୯୬୭ କୋଟି ଟଙ୍କା କମାଇ ଦେଲେ । ମେଟ୍ରୋ ରେଲ୍ ନିର୍ମାଣ ଏହି କ୍ୟାପିଟାଲ ଏକ୍ସପେଣ୍ଡିଚର ଭିତରେ ଆସୁଛି । କିଛି ଦିନ କାମ ଚାଲିଲା ପରେ ଏବେ ବିଭିନ୍ନ ଆଳ ଦେଖାଇ ତାକୁ ବନ୍ଦ କରି ଦିଆ ଯାଇଛି ।
କେତେ ନମ୍ଵର ଦେବେ ? ସେ ବିଚାର ଆପଣଙ୍କର ?