ଆବଶ୍ୟକତା ଠାରୁ ଅଧିକ ବିଳାସ କରୁଛନ୍ତି ମୋହନ : ରୁବେନ

ଭୁବନେଶ୍ୱର : ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀଙ୍କ ଏକ ୟୁଟ୍ୟୁବ ଭିଡିଓ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମୁଁ ରୁବେନ କହୁଛି ନାମକ ଏହି ଚ୍ୟାନାଲରେ ରୁବେନ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ସମୟର ସୌଖୀନ ଜୀବନ ବିଷୟରେ ଆଲୋଚନା କରିଛନ୍ତି । ରୁବେନ ଜୋର ଦେଇ କହିଛନ୍ତି ଯେ, ଓଡ଼ିଶାର ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଦାବି କରୁଥିବା ମୋହନ ମାଝୀଙ୍କ ବିଳାସପୂର୍ଣ୍ଣ ଜୀବନ ଜାପାନ ତଥା ଓଡ଼ିଶା ବାହାରକୁ କୌଣସି ଗସ୍ତ ସମୟର ଖର୍ଚ୍ଚ ବିଷୟରେ ଜାଣିଲେ ଓଡ଼ିଶାବାସୀଙ୍କ ହୋସ ଉଡ଼ିଯିବ, ଏଥିରେ ସନ୍ଦେହ ନାହିଁ।

ଓଡ଼ିଶା ପରି ଏକ ଗରିବ ରାଜ୍ଯରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୈନନ୍ଦିନ ଜୀବନ ପଞ୍ଚ ତାରକା ବିଶିଷ୍ଟ ବୋଲି ରୁବେନ ତାଙ୍କ ଆଲୋଚନାରେ ସ୍ପଷ୍ଟ କରିଛନ୍ତି । ଏହାର କାରଣ ଦର୍ଶାଇବାକୁ ଯାଇ ରୁବେନ କହିଛନ୍ତି ଯେ ଓଡ଼ିଶା ବାହାରେ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଜାଗାରେ ନରହି ପଞ୍ଚ ତାରକା ବିଶିଷ୍ଟ ଘରୋଇ ହୋଟେଲର ପ୍ରେସିଡେନ୍ସିଆଲ ସୁଟରେ ମୋହନ ମାଝୀ ରହୁଛନ୍ତି। ଯାହାର ଗୋଟିଏ ରାତିର ଖର୍ଚ୍ଚ ତିନିରୁ ଚାରି ଲକ୍ଷ ଟଙ୍କା ହୋଇଥିବା ଜଣାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ସମୟରେ ଓଡ଼ିଶା ଭବନ କି ଓଡ଼ିଶା ନିବାସ କି ଓଡ଼ିଶା ସରକାର ପାଇଁ ଉଦ୍ଦିଷ୍ଟ ଥିବା ହୋଟେଲରେ ନରହି ପ୍ରେସିଡେନ୍ସିଆଲ ସୁଟରେ ରହୁଛନ୍ତି । ଏପରିକି ସିଙ୍ଗାପୁର ଗସ୍ତ ସମୟରେ ଭାରତୀୟ ଦୂତାବାସ ପ୍ରଦତ୍ତ ଜାଗାରେ ନରହି ଏକ ବିଳାସପୂର୍ଣ୍ଣ ହୋଟେଲରେ ରହିଲେ। ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କ ହୋଟେଲ ଖର୍ଚ୍ଚ ଦିନକୁ ପ୍ରାୟ ଦଶ ଲକ୍ଷରୁ ଅଧିକ ହୋଇଥିବ। ଉକ୍ତ ହୋଟେଲର ବିଲ ଫିକି ନାଁରେ କରାଯାଇଥିଲା ଯାହାକି ଓଡ଼ିଶାରୁ ଇପିକଲ ବହନ କରିବ।

ଦ୍ଵିତୀୟଃ ଓଡ଼ିଶା ବାହାରକୁ କି ବିଦେଶ ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବ୍ୟକ୍ତିଗତ ବିମାନ ବ୍ୟବସ୍ଥା ହୋଇଛି; ଯାହା ପାଇଁ କୋଟିକୋଟି ଟଙ୍କା ବ୍ୟୟ ହେଉଛି। ମୁଖ୍ଯମନ୍ତ୍ରୀ ପାଇଁ ପ୍ରଥମରୁ ଓଡ଼ିଶା ପାଖରେ ମାସିକ ଦେଢ଼ କୋଟି ଟଙ୍କା ଭଡ଼ାରେ ଏକ ବ୍ୟକ୍ତିଗତ ବିମାନ ଥିଲେ ମଧ୍ଯ ଏବେ ଆଉ ଏକ ବିମାନକୁ ସାମିଲ କରାଯାଇଛି।

ଏବେ ପ୍ରଶ୍ନ ଉଠୁଛି ଯେ ଏତେ ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ମୋହନ ମାଝୀଙ୍କ ପାଖକୁ ଟଙ୍କା କେଉଁଠୁ ଆସୁଛି? ପ୍ରକୃତରେ ଏହା ଓଡ଼ିଶା ସରକାରଙ୍କ ଟଙ୍କା, ଓଡ଼ିଶାର ଜନସାଧାରଣଙ୍କ ଟଙ୍କା। ହଠାତ କରି ଜଣକ ହାତକୁ ଶାସନ ଗାଦି ଆସିଗଲେ ଅଚିରେ ସେ ତାର ଦୁରୁପଯୋଗ କରିବ । ଏହି ଉକ୍ତିକୁ ଯଥାର୍ଥକୁ କରି ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନଙ୍କ ମୁଣ୍ଡ ଠିକରେ କାମ କରୁନାହିଁ ବୋଲି ରୁବେନ କହିଛନ୍ତି।

Leave a Reply

Your email address will not be published. Required fields are marked *