ନରସିଂହଙ୍କ ଭୁଲ୍ ସୁଧାରିପାରିବ ତ କଂଗ୍ରେସ, ସାମାଜିକ ନ୍ୟାୟ କଥା କେବେ କହିବେ ମିଶ୍ରେ…

ଭୁବନେଶ୍ୱର : ଠିକ୍ ଛଅ ବର୍ଷ ପୂର୍ବର ଘଟଣା। ବିଧାନସଭା ଅଧିବେଶନ ଜାରି ରହିଥିଲା। ସେ ସମୟର ବିରୋଧି ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଦଳୀୟ ବିଧାୟକମାନଙ୍କୁ କିଛି ନିର୍ଦ୍ଦେଶ ଦେଲେ। ହେଲେ ଏହି ନିର୍ଦ୍ଦେଶ ନିଜ ପାଇଁ କିମ୍ବା ସବର୍ଣ୍ଣ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ସ୍ୱର୍ଗତ ନବ କିଶୋର ଦାସଙ୍କ ପାଇଁ ନ ଥିଲା। ଥିଲେ ଏ ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଥିବା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର ବିଧାୟକମାନଙ୍କୁ…। ମୁଖ୍ୟମନ୍ତ୍ରୀ ତୁମମାନଙ୍କ କଥା ଶୁଣୁ ନାହାନ୍ତି..ତେଣୁ ତୁମେ ତାଙ୍କ ଗୋଡ଼ ତଳେ ପଡ। ଜନ ପ୍ରତିନିଧି ହୋଇ ବି ଭୁଜବଳ ମାଝୀ, କୃଷ୍ଣ ସଗରିଆ ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିବାକୁ ପଡିଥିଲା। କାରଣ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ ଥିଲା। କଂଗ୍ରେସ ରାଜନୀତିରେ ଜାତି ଭିତ୍ତିକ ଭେଦଭାବ ନରସିଂହଙ୍କୁ କୌଣସି ଅନୁଶୋଚନା ନ ଥିଲା। ବରଂ ଏପରି ନିର୍ଦ୍ଦେଶ ସେ ଦେଇଥିବା ଗର୍ବର ସହ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ କହିଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ବ୍ୟତୀତ କେହି ଏହାକୁ ବିରୋଧ କରି ନ ଥିଲେ।

ଏଆଇସିସି ନେତା କେ.ରାଜୁଙ୍କ ପୌରହିତ୍ୟରେ କଂଗ୍ରେସ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି କାର୍ଯ୍ୟକାରିଣୀ ଦୁଇଦିନ ପୂର୍ବରୁ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି। ସେଦିନ ନରସିଂହଙ୍କ କାରଣରୁ ହୋଇଥିବା ଅପମାନ ବୋଧକୁ ବୁଝି ଏସସି,ଏସଟିମାନେ ସତରେ କଣ କଂଗ୍ରେସରେ ମୁଣ୍ଡ ଟେକି ପାରିବେ। ସବର୍ଣ୍ଣ ନେତା ନରସିଂହ ମିଶ୍ରଙ୍କ ଆଗରେ ମୁଣ୍ଡ ଟେକି ପାରିବେ। ସେମାନଙ୍କୁ ଉଚ୍ଚଶିକ୍ଷାରେ ଯେଉଁ ୩୮ ପ୍ରତିଶତ ସଂରକ୍ଷଣ ମିଳିବା କଥା, ସେ କଥା ନରସିଂହ ମିଶ୍ର କଣ ବିଧାନସଭାରେ ଉଠାଇପାରିବେ। ଏହା ରାଜ୍ୟର ଅଧା ଜନସଂଖ୍ୟା ଓବିସି ସଂରକ୍ଷଣ ପ୍ରସଙ୍ଗରେ ନରସିଂହ କେବେ ବିଧାନସଭାରେ ମୁହଁ ଖୋଲିବେ। କଂଗ୍ରେସର ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ..ସମସ୍ତେ ଉଚ୍ଚବର୍ଗର ପ୍ରତିନିଧି। ସେମାନେ ସାମାଜିକ ନ୍ୟାୟ ସମ୍ପର୍କରେ କେବେ ମୁହଁ ଖୋଲିପାରିବେ କି। ପଞ୍ଚାନନ କାନୁନଗୋଙ୍କ କଲମ ଓବିସିଙ୍କୁ ପୂର୍ଣ୍ଣ ସଂରକ୍ଷଣ, ଆଦିବାସୀ ଏବଂ ଅନୁସୂଚିତ ଜାତି ବର୍ଗକୁ ଉଚ୍ଚଶିକ୍ଷରେ ସଂରକ୍ଷଣ ପାଇଁ ଦାବି କରିପାରିବେ କି। ପଛୁଆବର୍ଗର ପ୍ରତିନିଧି ଅଶୋକ ଗେହଲଟ, ଭୂପେଶ ବାଘେଲଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ନିକଟରେ କର୍ନାଟକରେ ପଛୁଆବର୍ଗର ନେତା ସିଦ୍ଧରାମାୟାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା। କଂଗ୍ରେସ ଆଗାମୀ ଦିନରେ ନିଜ ବିଧାୟକ ଦଳ ନେତା ପଦ, ବିରୋଧି ଦଳ ନେତା ଏବଂ ସର୍ବୋପରି ମୁଖ୍ୟମନ୍ତ୍ରୀ ପଦ ଏସସି, ଏସଟି, ଓବିସିଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରିପାରିବ କି। ଯଦି ଏପରି ନୁହେଁ, ତେବେ ଦୁଇଦିନ ଧରି ସକାଳ ଆଠଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ କାର୍ଯ୍ୟକାରିଣୀରେ କିଛି ମୂଲ୍ୟ ନ ଥାଏ ବୋଲି ଖୋଦ୍ କଂଗ୍ରେସ କର୍ମୀ ଅନୁଭବ କରୁଛନ୍ତି।

Leave a Reply

Your email address will not be published. Required fields are marked *