ମହିଳା କୁସ୍ତି ଖେଳାଳି ମାନଙ୍କୁ ଯୈାନ ନିର୍ଯ୍ୟାତନା ପ୍ରସଙ୍ଗ : ଏ ପର୍ଯ୍ୟନ୍ତ ମୁହଁ ଖୋଲିଲେନି କ୍ରୀଡ଼ା ପ୍ରଶାସକ ନବୀନ ପଟ୍ଟନାୟକ, ରାଜଧାନୀରେ ବିଭିନ୍ନ ସଂଗଠନର ପ୍ରତିବାଦ

ଭୁବନେଶ୍ୱର : ଓଡ଼ିଶା କ୍ରୀଡ଼ାର ରାଜଧାନୀ। ଏଠି ଭିତ୍ତିଭୂମି ବିଶ୍ୱସ୍ତରୀୟ। ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ପାଇଁ ସଦା ସମର୍ପିତ। ଭାରତୀୟ ହକି ଏକ ଖରାପ ପରିସ୍ଥିତିରେ ଗତି କରୁଥିବା ବେଳେ ତାହାର ପ୍ରାୟୋଜକ ପାଇଁ ହାତ ବଢାଇଥିଲେ ନବୀନ। ହେଲେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବନାଉଥିବା ନବୀନ ଏକ କ୍ରୀଡ଼ା ସମ୍ବଦ୍ଧିତ ପ୍ରସଙ୍ଗରେ ବିଶ୍ୱସ୍ତରୀୟ ନୀରବତା ଅବଲମ୍ବନ କରିଛନ୍ତି। ଯାହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରଶାସନିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଦେଶର ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମେଡାଲ ଆଣିଥିବା ମହିଳା କୁସ୍ତିଯୋଦ୍ଧା ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାକୁ ଇତି ମଧ୍ୟରେ ଶହେ ଦିନରୁ ଅଧିକ ପୂରଣ ହୋଇଗଲାଣି। ଏହି ପ୍ରସଙ୍ଗରେ କ୍ରାଡ଼ାବିତ, ରାଜନେତା, ଅଭିନେତା ସମସ୍ତେ ନିଜର ପ୍ରତିକ୍ରିୟା ପ୍ରକାଶ କରିସାରିଲେଣି। ହେଲେ କ୍ରୀଡା ପ୍ରିୟ ମୁଖ୍ୟମନ୍ତ୍ରୀ ଏ ବିଷୟରେ ପଦେ କହିନାହାନ୍ତି। ତାଙ୍କ ପ୍ରିୟ ବାକ୍ୟ ଆଇନ ତା ବାଟରେ ଯିବ ବୋଲି ମଧ୍ୟ କହିନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରେମ ନିଦର୍ଶନ ସହଜରେ ବୁଝା ପଡୁନାହିଁ। ବିଭିନ୍ନ ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ଇଏ ହେଉଛନ୍ତି ସେହି ନବୀନ ପଟ୍ଟନାୟକ, ଯିଏ ମହିଳାମାନଙ୍କୁ 33 ପ୍ରତିଶତ ସଂରକ୍ଷଣ ପାଇଁ ହଲ୍ଲାପଟ୍ଟା କରୁଛନ୍ତି। ହେଲେ ଦେଶ ପାଇଁ ଗୌରବ ଆଣିଥିବା ମହିଳାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କି ପ୍ରକ୍ରିୟା ଆରମ୍ଭ ହେଉନାହିଁ, ତେଣୁ ନବୀନ ପଟ୍ଟନାୟକ କେଉଁ ସଶକ୍ତୀକରଣ କଥା କହୁଛନ୍ତି, ତାହା ବୁଝା ପଡୁନାହିଁ। ଅପରପକ୍ଷରେ ଗୁରୁବାର ରାଜଧାନୀ ଭୁବନେଶ୍ୱରରେ କୃଷକ ଓ ଶ୍ରମିକ ସଂଗଠନ ମାନଙ୍କ ଡାକରାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

ମହିଳା କୁସ୍ତି ଯୋଦ୍ଧା ମାନଙ୍କ ପ୍ରତି ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଯୈାନ ନିର୍ଯାତନା ଘଟଣାରେ ଶାସକ ବିଜେପିର ଲଜ୍ଜା ଜନକ ନୀରବତା ଓ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ନେତୃବୃନ୍ଦ ଅଭିଯୋଗ କରିଛନ୍ତି।। ଅପରପକ୍ଷରେ ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିବା ପାଇଁ ବିଜେପି ସରକାରଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ଯେପରି ଅମାନବୀୟ ଓ ବର୍ବୋରୋଚିତ ଆଚରଣ କରିଚାଲିଛି, ତାହାକୁ ସେମାନେ ତୀବ୍ର ନିନ୍ଦା କରିଛନ୍ତି । ସେହିପରି ଆପ୍ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ କହିଛନ୍ତି ଯେ,

ମୁଁ ଶୁଣିଥିଲି ଓଡ଼ିଶା ଗୋଟିଏ ସ୍ପୋର୍ଟସ୍ ହବ୍ ହୋଇ ସାରିଛି । ମୁଁ ଶୁଣିଛି ଆମ ଶାସକ ଦଳ ମହିଳାମାନଙ୍କର ନିର୍ବାଚନରେ ଭାଗିଦାରିତା ବଢ଼ାଇଛି। ମୁଁ ଦେଖିଛି ଆମ ମହିଳାମାନେ ଦୁବାଇ ବୁଲି ଚାଲି ଆସିଲେଣି।

କିନ୍ତୁ ଆନ୍ତର୍ଜାତିକ ସ୍ପୋର୍ଟସ ସଂଗଠନ ପଛେ ମହିଳା କୁସ୍ତି ଖେଳାଳିଙ୍କ ବିଷୟରେ ଉଦବେଗ ପ୍ରକାଶ କଲେ, ଏପର୍ଯ୍ୟନ୍ତ ଆମ ସ୍ପୋର୍ଟସ ହବର ବିନ୍ଧାଣି ଓ ମହିଳା ସଶକ୍ତିକରଣର ପୁରୋଧା ସେ ବିଷୟରେ ଥରୁଟିଏ ପାଟି ଖୋଲିଲେ ନାହିଁ।

ନାଇଁ ସତରେ ମ, ବିଜେଡି ଏକ ଦଳ ନା ଏକ ଇଲେକ୍ସନ ଲଢିବା ମେସିନ୍ ମ ? ବୋଲି କହି ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି। ସେ ଆହୁରି କହିଥିଲେ ଯେ,ପ୍ରତିବର୍ଷ ମୁଁ ଉଣା ଅଧିକ ଆଇପିଏଲ ମ୍ୟାଚ୍ ଦେଖେ । କିନ୍ତୁ ଏବର୍ଷ ଦେଖିଲି ନାହିଁ। ମହିଳା କୁସ୍ତି ଖେଳାଳିଙ୍କ ଉପରେ ପୋଲିସ ଜୁଲମ ବିଷୟରେ ଏ ହାରାମଖୋର ଖେଳାଳିଙ୍କ ମୁହଁ ସିଲେଇ ମୋତେ ଖେଳ ଦେଖିବା ପାଇଁ ଦେଲା ନାହିଁ। ଆଇପିଏଲ ଓ ସେଥିରେ ଖେଳୁଥିବା ଖେଳାଳିଙ୍କ ବିଷୟରେ ଆଲୋଚନା କରିବା ପାଇଁ ମୁଁ ଆଗ୍ରହୀ ନୁହେଁ। ଏମାନେ ନିଜେ ଖେଳାଳିଙ୍କ ଇଜ୍ଜତ୍ ପାଇଁ ବାହାରିବେ ନାହିଁ। ମୁଁ କାହିଁକି ଏମାନଙ୍କୁ ଖେଳାଳି ବୋଲି ଭାବିବି ? ଯେତେବେଳେ ପୋଲିସ ଦିଲ୍ଲୀର ରାଜରାସ୍ତାରେ ମୋ ଖେଳାଳି ଭଉଣୀମାନଙ୍କ ଚୁଟି ଘୋଷାଡି ଘୋଷାଡି ସେମାନଙ୍କ ନାଁରେ ମୋକଦ୍ଦମା ରୁଜ୍ଜୁ କରୁଛି, ଏମାନେ ସେତେବେଳେ ଚକା ଚଉକା ମାରୁଛନ୍ତି ଓ ଚିଅର୍ ଗାର୍ଲ୍ ନାଚୁଛି ।

ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଟ୍ରେଡ ୟୁନିୟନ ମାନଙ୍କର ମିଳିତ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ‘ବେଟି ପଢାଓ ଓ ବେଟି ବଢାଓ’ ସ୍ଲୋଗାନ ଦେଉଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାର ଦେଶର ସମ୍ମାନ ମାନଙ୍କୁ ଅସମ୍ମାନିତ କରିବା ଓ ସେମାନଙ୍କୁ  ଯୈାନ ନିର୍ଯାତନା ଦେବା ଭଳି ଘଟଣା ସାରା ବିଶ୍ୱରେ ଭାରତର ଛବିକୁ ମଳିନ କରିଛି । ଏପରିକି ଅଭିଯୁକ୍ତ ଅପରାଧୀ ବିଜେପି ସାଂସଦଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ଗ୍ରହଣ ନ କରିବାରୁ ସେମାନଙ୍କୁ ସୁପ୍ରିମକୋର୍ଟ ଯିବାକୁ ପଡ଼ିଛି । କିନ୍ତୁ ସୁପ୍ରିମକୋର୍ଟ ର ନିର୍ଦ୍ଦେଶ ସତ୍ବେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ବ୍ରିଜଭୂଷଣ ସିଂ ଙ୍କୁ ଗିରଫ କରାଯାଇନାହିଁ କିମ୍ବା ଭାରତୀୟ କୁସ୍ତି ମହାସଂଘର ସଭାପତି ପଦରୁ ତାଙ୍କୁ ପଦଚ୍ୟୁତ କରାଯାଇନାହିଁ। ଅପର ପକ୍ଷରେ ଖରା ଓ ଶୀତ କାକରରେ ନ୍ୟାୟ ପାଇଁ ଲଢେଇ କରୁଥିବା ମହିଳା କୁସ୍ତି ଯୋଦ୍ଧା ମାନଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ଦିଲ୍ଲୀ ପୋଲିସ୍ ରାତିରେ ଗୁଣ୍ଡା ଭଳି ସେମାନଙ୍କ ଉପରେ ଆକ୍ରମଣ କରିଛି, ଯାହା ‘କଟା ଘା’ରେ ଲୁଣ ଦେବା ଭଳି ଲଜ୍ଜା ଜନକ ନିଦର୍ଶନ ସୃଷ୍ଟି କରିଛି । ମହିଳା କୁସ୍ତି ଯୋଦ୍ଧା ମାନେ ନ୍ୟାୟ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ଆଇନ୍ ର ଶାସନ କଥା କହୁଥିବା ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଲଜ୍ଜା ଜନକ ଭାବେ ନିରବଦ୍ରଷ୍ଟା ସାଜିଛନ୍ତି ।

କୃଷକମାନଙ୍କ ଆନ୍ଦୋଳନକୁ ଦମନ କରିବା ଓ ପିଟିବା ପରେ ଏବେ ଦେଶ ପାଇଁ ମେଡାଲ ଆଣିଥିବା ଆମ ଝିଅ ବା ମହିଳା କୁସ୍ତି ଖେଳାଳିଙ୍କ ଉପରେ ମଧ୍ୟ ମୋଦୀ ସରକାର ପୋଲିସ ଲଗାଇ ଅତି ନଗ୍ନ ଭାବେ ଆକ୍ରମଣ ଆରମ୍ଭ କରି ଦେଇଛି । ଦିଲ୍ଲୀର ସୀମାକୁ ସିଲ୍ କରା ଯାଉଛି । କିନ୍ତୁ ବଳାତ୍କାରୀ ସାଂସଦକୁ ଗିରଫ୍ କରାଯାଉନାହିଁ ଏବଂ ସେ ବାହାରେ ବୁଲି ବୁଲି ଟିଭିକୁ ସାକ୍ଷାତକାର ଦେଇଚାଲିଛି।

ଭାରତକୁ ଗଣତନ୍ତ୍ରର ଜନନୀ ଭାବେ ବର୍ଣ୍ଣନା କରି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳୁଥିବା ଓ ଦେଶର ନୂଆ ସଂସଦ ଭବନ ଉଦଘାଟନ ସମୟରେ ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଉପରେ ଦିଲ୍ଲୀ ପୋଲିସର ଲଜ୍ଜା ଜନକ ଆକ୍ରମଣ ଖୋଦ୍ ଦେଶର ଜନନୀ ମାନଙ୍କ ପ୍ରତି ଆକ୍ରମଣ କହିଲେ ଭୁଲ୍ ହେବନାହିଁ ।  ଯାହା ଫଳରେ ବ୍ୟଥିତ ହୋଇ ସେମାନେ ପାଇଥିବା ମେଡାଲ୍ ଗୁଡିକୁ ଗଙ୍ଗା ନଦୀରେ ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷରେ ସେମାନଙ୍କୁ ଦିଲ୍ଲୀ ଯନ୍ତରମନ୍ତର ରେ ଆଉ ଧାରଣା ଓ ପ୍ରତିବାଦ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ ଖୋଲାଖୋଲି ଧମକ ଦେଇଛି, ଯାହା ଗଣତାନ୍ତ୍ରିକ ଅଧିକାର ଉପରେ ଏକ ନଗ୍ନ ଆକ୍ରମଣ ।

ଏହି ପରିପ୍ରେକ୍ଷୀରେ ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଆନ୍ଦୋଳନକୁ ସଂହତି ଜଣାଇ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଶ୍ରମିକ ସଂଗଠନ ମାନେ ଆଜି (୧ ଜୁନ୍, ୨୦୨୩) ଦେଶବ୍ୟାପୀ ପ୍ରତିବାଦ କରିଛନ୍ତି  ।

#ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଅଭିଯୁକ୍ତ ବିଜେପି ର ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ତୁରନ୍ତ କୁସ୍ତି ଯୋଦ୍ଧା ମହାସଂଘ ର ସଭାପତି ପଦବୀରୁ ବହିଷ୍କାର କରିବା,

#ସର୍ବୋଚ୍ଚ ନ୍ୟାୟାଳୟ ର ଜଣେ ଅବସରପ୍ରାପ୍ତ ବିଚାରପତି ଙ୍କ ଦ୍ୱାରା ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା  ,

#ଅଭିଯୋଗକାରୀଙ୍କ ଏଫ .ଆଇ. ଆର୍. ଆଧାରରେ  ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ତୁରନ୍ତ ଗିରଫ କରିବା ,

#ଆମ ଦେଶ ର ସମ୍ମାନ, ଗର୍ବ ଏବଂ ଗୌରବ ଜାତୀୟ ମହିଳା କୁସ୍ତିଯୋଦ୍ଧା ମାନଙ୍କୁ ନ୍ୟାୟ ଦେବାକୁ ତଥା ସେମାନଙ୍କ ନ୍ୟାୟ ସଙ୍ଗତ ଆନ୍ଦୋଳନ କୁ ସଂହତି ଜଣାଇ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା।

ବିଜେପି ସରକାରଙ୍କ ମହିଳା ବିରୋଧୀ ଦୋମୁହାଁ ନୀତି ବିରୁଦ୍ଧରେ ଏକଜୁଟ ହେବାକୁ ଓ ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ସେମାନେ ସମସ୍ତ ବର୍ଗର ନାଗରିକମାନଙ୍କୁ ନିବେଦନ କରିଛନ୍ତି ।

ଆଜିର ଏହି ପ୍ରତିବାଦ ବିକ୍ଷୋଭରେ ସଂଯୁକ୍ତ କୃଷକ ମୋର୍ଚ୍ଚା, ଓଡ଼ିଶା, ଓ

ଟ୍ରେଡ ୟୁନିୟନ ମାନଙ୍କର ମିଳିତ ମଞ୍ଚ (ଜାତୀୟ ଓ ସ୍ୱାଧୀନ ଟ୍ରେଡ ୟୁନିୟନ ସମୂହ)ଓ ଛାତ୍ର ସଂଗଠନର ନେତୃବୃନ୍ଦ ମହେନ୍ଦ୍ର ପରିଡ଼ା, ବିଷ୍ଣୁ ମହାନ୍ତି, କ୍ଷୀରୋଦ ସିଂହଦେଓ, ନରେନ୍ଦ୍ର ମହାନ୍ତି, ଜୟସେନ ମେହେର, ସୁର ଜେନା, ଅଭିରାମ ବେହେରା, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଣତି ମିଶ୍ର,

ରାଧାକାନ୍ତ ସେଠୀ, ବିଜୟ ଜେନା, ପରିଲତା ମହାପାତ୍ର, ପ୍ରମିଳା, ସଂଘମିତ୍ରା ଜେନା, ପ୍ରଭାକର ପଲେଇ, ସୁଦର୍ଶନ ପ୍ରଧାନ, ନିରଞ୍ଜନ ମହାନ୍ତି, ସ୍ବସ୍ତି ସଙ୍ଗୀତା ଦଳେଇ, ବୀରେନ୍ଦ୍ର ପ୍ରସାଦ ଦାସ, ଜୟନ୍ତ ଦାସ, ଲେଲିନ୍ କୁମାର, ରାଜେନ୍ଦ୍ର ମଲ୍ଲିକ, ରାଜ ନାରାୟଣ ଡାଳୁଆ, ସଂଯୁକ୍ତା ମହଲ, ପ୍ରଦୀପ୍ତ ନାୟକ, ମାନସ ଜେନା, ବଂଶୀଧର ପରିଡ଼ା, ବିଶ୍ୱପ୍ରିୟ କାନୁନଗୋ ପ୍ରମୁଖ ନେତୃତ୍ବ ନେଇଥିଲେ ।

Leave a Reply

Your email address will not be published. Required fields are marked *