‘୫-ଟି’ ଅଧିନରେ ସରକାରୀ ସ୍କୁଲକୁ ମିଳୁଛି ନୂଆ ଚେହେରା ; ଆଜି ୫ଟି ଜିଲ୍ଲାର ୩୨୫ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ଏବଂ ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ । ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବିଦ୍ୟାଳୟକୁ ମିଳୁଛି ନୂଆ ଚେହେରା । ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲର ପିଲାଙ୍କୁ ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଦେବାଲାଗି ପ୍ରସ୍ତୁତ ହେଉଛି ସୁଦୃଢ଼ ଭିର୍ତ୍ତିଭୂମି । ସେ ୱାଇ-ଫାଇ ଶ୍ରେଣୀ ଗୃହଠୁ ଆରମ୍ଭ କରି ଉନ୍ନତ ମାନର ଖେଳ ପଡିଆ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ପରିବର୍ତ୍ତନ ଓ ସ୍ବଚ୍ଛତା । ଜନସାଧାରଣଙ୍କ ଭାଗିଦାରୀର ପ୍ରକୃଷ୍ଟ ଉଦାହରଣ ହେଉଛି ସ୍କୁଲ ରୂପାନ୍ତର । ୫-ଟି ସ୍କୁଲ ରୂପାନ୍ତରଣ ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ଆଜି ୫ଟି ଜିଲ୍ଲାର ୩୨୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜର ସର୍ବାଧିକ ୧୦୦ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ହେବ । ସେହିପରି ନବରଙ୍ଗପୁରର ୭୮, ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାର ୬୨ଟି ଲେଖାଏଁ ଏବଂ ବୌଦ୍ଧର ୨୩ଟି ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।