କୌଣସି ବୈଠକକୁ ଗଲେ ନାହିଁ ନବୀନ ପଟ୍ଟନାୟକ, ଦିଲ୍ଲୀ ଅଧ୍ୟାଦେଶ ଉପରେ ନେଇ ପାରୁନାହାନ୍ତି ନିଷ୍ପତ୍ତି

ଭୁବନେଶ୍ୱର : ରାଜଧାନୀ ଦିଲ୍ଲୀରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଏବଂ ବେଙ୍ଗଲୁରୁରେ ବିରୋଧି ଦଳ ସମୂହଙ୍କ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି। ମାତ୍ର ଏହି ବୈଠକରେ ଭାରତବର୍ଷର କେତେକ ପ୍ରମୁଖ ରାଜନୈତିକ ଦଳ ଯୋଗ ଦେଇନାହାନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାରେ ଶାସନ କରୁଥିବା ବିଜେଡି, ଆନ୍ଧ୍ର ପ୍ରଦେଶରେ ଶାସନ କରୁଥିବା ଓ୍ୱାଇଏସଆର କଂଗ୍ରେସ, ବିରୋଧି ଟିଡିପି, ପଞ୍ଜାବରେ ଶିରୋମଣି ଅକାଳି ଦଳ , ତେଲେଙ୍ଗାନାର ବିଆରଏସ୍, ଏଆଇଏମଆଇଏମ୍ ଏବଂ ବିଏସପି ରହିଛନ୍ତି।

ବିଜେଡି ପୂର୍ବଭଳି ସମଦୂରତ୍ୱ ନୀତି ବଜାୟ ରଖିଛି। ପ୍ରସଙ୍ଗ ଭିତ୍ତିରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇ ଆସୁଛି। ଦୁଇଦିନ ପରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ବିଜେଡି କେଉଁ ଦାବି ଉଠାଇବ, ସେ ନେଇ ମଙ୍ଗଳବାର ନିଷ୍ପତ୍ତି ନିଆଯିବ। ମାତ୍ର ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଗତ ଦିନରେ ବିଜେଡି ବିପକ୍ଷରେ ଭୋଟ କରିବା ପରିବର୍ତ୍ତେ ଅନୁପସ୍ଥିତ ରହି ପରୋକ୍ଷରେ ଶାସକ ଦଳକୁ ସହାୟତା କରିଥାଏ। ତେଣୁ ନିର୍ବାଚନୀ ବର୍ଷରେ ବିଜେଡି କେଉଁ ରଣନୀତି ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।