କେବେ ବି ବିରୋଧି ଦଳରେ ବସିନାହାନ୍ତି ନବୀନ ପଟ୍ଟନାୟକ, ଭାରତୀୟ ରାଜନୀତିରେ ବିରଳ ରେକର୍ଡ

ଭୁବନେଶ୍ୱର- ଦୀର୍ଘ 23 ବର୍ଷର ଶାସନ ଭିତରେ ନବୀନ ପଟ୍ଟନାୟକ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ନିଜର ରାଜନୈତିକ କ୍ୟାରିୟରରେ ଉଭୟ ସଂସଦ ଏବଂ ରାଜ୍ୟ ବିଧାନମଣ୍ଡଳରେ ସବୁ ସମୟରେ ଶାସକ ଦଳ ଭାବେ ଦାୟିତ୍ୱ ନିର୍ବାହ କରିବାରେ ମଧ୍ୟ ନବୀନ ରେକର୍ଡ କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଭାରତୀୟ ରାଜନୀତିରେ ଏହିପରି କରିଥିବା ସେ ଏକମାତ୍ର ନେତା। ରାଜନୈତିକ ଯାତ୍ରାର ଆରମ୍ଭରୁ ଲଗ୍ନରୁ ଏଯାବତ୍ ଶ୍ରୀ ପଟ୍ଟନାୟକ ସରକାରୀ ଦଳ(ଟ୍ରେଜରୀ ବେଞ୍ଚ)ର ହିଁ ପ୍ରତିନିଧିତ୍ୱ କରିଛନ୍ତି।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ(ବିଜୁ) ପଟ୍ଟନାୟକଙ୍କ ନିଧନ ପରେ ସେ ପ୍ରତିନିଧିତ୍ୱ କରୁଥିବା ଆସ୍କା ଲୋକସଭା ଖାଲି ପଡେ। ତାଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ଜନତା ଦଳ ଟିକେଟ୍ ରେ ସେହି ଆସନରୁ ନିର୍ବାଚିତ ହୁଅନ୍ତି। ସେ ସମୟରେ ସାଧାରଣ ଏମପି ଭାବେ ନବୀନ ପଟ୍ଟନାୟକ ସଂସଦରେ ପ୍ରବେଶ କରନ୍ତି, ମାତ୍ର ଶାସକ ଦଳର ସଦସ୍ୟ ଭାବେ। ମେଣ୍ଟ ସରକାର ତଥା ୟୁନାଇଟେଡ୍ ଫ୍ରଣ୍ଟର ନେତା ଭାବେ ଇନ୍ଦ୍ର କୁମାର ଗୁଜରାଲ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉ ଥାଆନ୍ତି। ସେହିବର୍ଷ ଶେଷ ଆଡ଼କୁ ସଂସଦର ଶୀତ ଅଧିବେଶନ ସରିବା ପରେ ବିଜୁ ଜନତା ଦଳର ଗଠନ ହୁଏ। ଏହାର ଦୁଇମାସ ପରେ ସାଧାରଣ ନିର୍ବାଚନ ଘୋଷଣା ହୁଏ। ଏଥିରେ ବିଜେପି-ବିଜେଡି ମେଣ୍ଟରେ 1998 ଲୋକସଭା ନିର୍ବାଚନ ଲଢାଯାଏ। ନବୀନ ପଟ୍ଟନାୟକ ପୁନର୍ବାର ଆସ୍କାରୁ ବିଜୟୀ ହୋଇ ପ୍ରତିନିଧିତ୍ୱ କରନ୍ତି। ପୁନଶ୍ଚ ବାଜପେୟୀଙ୍କ କ୍ୟାବିନେଟ୍ ରେ ଇସ୍ପାତ ଓ କୋଇଲା ମନ୍ତ୍ରୀ ଭାବେ ଶ୍ରୀ ପଟ୍ଟନାୟକ କାର୍ଯ୍ୟ କରନ୍ତି। ଏହାର ପରବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ମଧ୍ୟ ବାଜପେୟୀଙ୍କ ନେତୃତ୍ୱାଧିନ ଏନଡିଏ ବିଜୟୀ ହୁଏ। ନବୀନ ପଟ୍ଟନାୟକ ପୁର୍ନବାର କେନ୍ଦ୍ରମନ୍ତ୍ରୀ ହୁଅନ୍ତି।

2000 ମସିହାରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ହୁଏ। କେନ୍ଦ୍ର ମନ୍ତ୍ରୀରେ ଥାଇ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୁଅନ୍ତି। ଏହି ଠାରୁ ବିଜୟୀ ହୋଇ ସେହି ବର୍ଷ ମାର୍ଚ୍ଚ ପାଞ୍ଚ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତି। ଏହିପରି ଭାବେ ଦୁଇ ଦଶନ୍ଧିର ସମୟ ଅତିବାହିତ କରିସାରିଲେଣି ନବୀନ ପଟ୍ଟନାୟକ। କେନ୍ଦ୍ରରେ ଯେପରି ସଂସଦରେ ଦିନଟିଏ ବିରୋଧି ଦଳ ଆସନରେ ବସିନାହାନ୍ତି। ଅନୁରୂପ ଭାବେ ରାଜ୍ୟରେ ମଧ୍ୟ ଏଯାଏଁ ବିରୋଧି ଦଳ ଆସନରେ ବସିନାହାନ୍ତି। ସ୍ୱାଧିନତା ପରବର୍ତ୍ତୀ ସମୟରେ କୌଣସି ଆଞ୍ଚଳିକ ଦଳର ମୁଖିଆ ଭାବେ ନବୀନ ପଟ୍ଟନାୟକଙ୍କ ଏହି ରେକର୍ଡ ବିରଳ।
