ଅଶ୍ୱିନୀଙ୍କୁ ୫ବର୍ଷ ପରେ ପୁଣି ସହଯୋଗ କରିବ ବିଜେଡି, ବାଲେଶ୍ୱରରୁ ଲୋକସଭା ପ୍ରାର୍ଥୀ ହେବେ ଅଶ୍ୱିନୀ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ପୋଡ଼ା ଟ୍ରାନ୍ସଫରର୍ମର। ବିଜେଡ଼ିକୁ କଳା ପହାଡ଼ ଅକ୍ତିଆର କରିସାରିଲେଣି। ମହାକାଳପଡ଼ାରେ ମହିରାବଣ ଅଛନ୍ତି। ଏପରି କିଛି ଶବ୍ଦ ବିଜେପିର ଶୀର୍ଷ ନେତା ଅମିତ ଶାହା ଏବଂ ରାଜ୍ୟ ବିଜେପିର ଶୀର୍ଷ ନେତା ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ଆକ୍ଷେପ କରିଥିଲେ। ହେଲେ ୨୦୧୯ ନିର୍ବାଚନ ସରିବାର ମାସ କେଇଟା ପରେ କର୍ପୋରେଟ ଜିଆଣ୍ଟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକଙ୍କୁ ଫୋନ୍ କଲେ। ତାଙ୍କ ପ୍ରିୟ  ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରୁଥିବା ଜଣାଇଲେ। ବିଜେଡି ତାଙ୍କର ଏହି ପ୍ରାର୍ଥୀଙ୍କୁ ସମର୍ଥନ କରୁ ବୋଲି ଅନୁରୋଧ କଲେ। ନବୀନ ମଧ୍ୟ ସୁନା ପିଲା ପରି ଏହି କଥାକୁ ସମର୍ଥନ କଲେ। ଅଶ୍ୱିନୀ ବିଜେଡି-ବିଜେପିର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟ ସଭା ଗଲେ।

ଇତି ମଧ୍ୟରେ ମହାନଦୀ , ବୈତରଣୀ ଏବଂ ସୁବର୍ଣ୍ଣରେଖାରେ କେତେ ପାଣି ବୋହିସାରିଲାଣି। ହେଲେ ଅଶ୍ୱିନୀ ମାର୍କା ବିଜେଡି-କର୍ପୋରେଟ-ବିଜେପି ସମ୍ପର୍କ ଅତୁଟ ରହିଛି। 2024 ସାଧାରଣ ନିର୍ବାଚନରେ ବିଜେପି ଅଶ୍ୱିନୀ ବୈଷ୍ଣବଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିବାକୁ ଚାହୁଁଛି। ଏହି ସମ୍ପର୍କରେ ବିଜେଡିକୁ ମଧ୍ୟ ଅବଗତ କରାଯାଇଛି। ଗୁଆଦିଆ ବନ୍ଧୁ ପରି ବିଜେଡି ରବୀନ୍ଦ୍ର ଜେନାଙ୍କୁ ଖୋରଧା ଜିଲ୍ଲାର ପ୍ରଭାରୀ କରି ଅଶ୍ୱିନୀଙ୍କ ପାଇଁ ଦୁଆର ଖୋଲି ଦେଇଛି। ବହୁ ପୂର୍ବରୁ ବାଲେଶ୍ୱରର ପୂର୍ବତନ ଏମପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓବିସି ପ୍ରସଙ୍ଗରେ କଂଗ୍ରେସରୁ ବିଦା ହୋଇସାରିଛନ୍ତି। ଓଡ଼ିଶା ରାଜନୀତିରେ ସକ୍ରିୟ ହେବାକୁ ଚାହୁଁଥିବା ପ୍ରତାପ ଷଡ଼ଙ୍ଗୀ ଜଳେଶ୍ୱର କିମ୍ବା ନୀଳଗିରିରେ ଛିଡା ହେବେ ବୋଲି ଇଚ୍ଛା ପ୍ରକାଶ କଲେଣି। ତେଣୁ ଅଶ୍ୱିନୀ ଏକତରଫା ଭାବେ ବାଲେଶ୍ୱରରୁ ବିନା ବାଧାରେ ନିର୍ବାଚନ ଲଢିବେ। ନିର୍ବାଚନ ପୂର୍ବରୁ ବିଧାୟକ ପ୍ରାର୍ଥୀ ମାନଙ୍କୁ ଶଙ୍ଖ ଚିହ୍ନରେ ଏବଂ ଏମପି ଭୋଟ ପଦ୍ମ ଚିହ୍ନରେ ଦେବା ପାଇଁ ଏକ ହୁଇପ୍ ଜାରି ହେବ। ତୃତୀୟ ମହଲା ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପକେଶରୀଦେବଙ୍କ ଜରିଆରେ ଏହାକୁ କାର୍ଯ୍ୟାକାରୀ କରିବେ। ବିଜେଡି ଜଣେ ଅପେକ୍ଷାକୃତ ଦୁର୍ବଳ ପ୍ରାର୍ଥୀକୁ ବାଲେଶ୍ୱରରୁ ଲଢାଇବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ।

ନିକଟରେ ବାହାନାଗା ରେଳ ଟ୍ରାଜେଡି ସମୟରେ ଅଶ୍ୱିନୀ କିମ୍ବା ରେଳ ବିଭାଗ ବିରୋଧରେ ଯେପରି କୌଣସି ସତ୍ୟ ଏବଂ ଗଠନଧର୍ମୀ ସମାଲୋଚନା ଖବର ନ ପ୍ରକାଶ ପାଇବ। ସେଥିପାଇଁ ଧ୍ୟାନ ଦିଆଯାଇଥିଲା। ଅଧଡର୍ଜନରୁ ଅଧିକ ସଂସ୍ଥା ଟୁଇଟର ଏବଂ ଫେସବୁକ୍ ରେ ବୈଷ୍ଣବଙ୍କ ଗୁଣଗାନ କରିଥିଲେ। ବିଜେଡିର ଗଣମାଧ୍ୟମ ପରିଚାଳନା କରୁଥିବା କେତେକ ଅଧିକାରୀ ମଧ୍ୟ ଖବର ଚପାଇବାରେ ହାତ ମିଳାଇଥିଲେ। ଆଇପ୍ୟାକ୍, ବରାହ ଆନାଲିଟିକ୍ସ, ନେତା ଭଳି ସଂସ୍ଥା ମଧ୍ୟ ସର୍ଭେ କାର୍ଯ୍ୟ ସାରିଲେଣି। ବାହାନାଗା ଘଟଣାକୁ କିଛିଦିନ ମଧ୍ୟ ସାମ୍ପ୍ରଦାୟିକ ରଙ୍ଗ ପ୍ରଦାନ କରାଯିବା ନେଇ ପ୍ଲାନ ପ୍ରସ୍ତୁତି ଚାଲିଛି। ଏହା ପରେ ବିଜେପି ର ବାଲେଶ୍ୱର ବିଜୟ ସଫଳ ହେବ ବୋଲି ନିର୍ବାଚନୀ ସମୀକ୍ଷକମାନେ ମତ ରଖିଛନ୍ତି।

One thought on “ଅଶ୍ୱିନୀଙ୍କୁ ୫ବର୍ଷ ପରେ ପୁଣି ସହଯୋଗ କରିବ ବିଜେଡି, ବାଲେଶ୍ୱରରୁ ଲୋକସଭା ପ୍ରାର୍ଥୀ ହେବେ ଅଶ୍ୱିନୀ

Leave a Reply

Your email address will not be published. Required fields are marked *