ଗ୍ରେସ୍ ମାର୍କ ପ୍ରସଙ୍ଗକୁ ଆଳକରି କେନ୍ଦ୍ରୀଭୁତ ପରୀକ୍ଷାର ଭ୍ରଷ୍ଟାଚାର ଲୁଚାଇ ଦିଆ ନଯାଉ : ଏଆଇଏସ୍ଏଫ୍

ଭୁବନେଶ୍ଵର : ଚଳିତ ବର୍ଷ ନିଟ୍ ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ଏନ୍.ଟି.ଏ. ଦ୍ଵାରା ପରିଚାଳିତ କେନ୍ଦ୍ରୀଭୁତ ପରୀକ୍ଷା ଵ୍ଯଵସ୍ଥା ବାତିଲ କରି ପରୀକ୍ଷାର ବିକେନ୍ଦ୍ରୀକରଣ ପାଇଁ ଏଆଇଏସ୍ଏଫ୍ ପକ୍ଷରୁ ଦାବି କରାଯାଇଛି। ଆମ ପରୀକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ଲିକ୍ ଏକ ସାଧାରଣ ଘଟଣାରେ ପରିଣତ ହୋଇଥିବା ବେଳେ ନିଟ୍ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ଦୁର୍ନୀତିର ଅଭିଯୋଗ ଆସିବା ଅତ୍ୟନ୍ତ ନିନ୍ଦନୀୟ। ଗ୍ରେସ୍ ମାର୍କ ଉପରେ ଏନ୍.ଟି.ଏ ର ସ୍ପଷ୍ଟୀକରଣ ପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଗ୍ରେସ୍ ମାର୍କ ରଦ୍ଦ କରି ଗ୍ରେସ୍ ମାର୍କ ଦିଆଯାଇଥିବା ୧୫ଶହ ପ୍ରାର୍ଥୀଙ୍କ ପୁନଃ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ପ୍ରଶ୍ନପତ୍ର ଲିକ୍ ଓ ଏନ୍.ଟି.ଏ.ର କେନ୍ଦ୍ରୀଭୁତ ପରୀକ୍ଷା ପରିଚାଳନା ଦୁର୍ନୀତି, ବଡ଼ ବଡ଼ କର୍ପୋରେଟ କୋଚିଙ୍ଗ୍ ସଂସ୍ଥାର ଲାଭ ଓ ଲୋଭ ଚରିତାର୍ଥ କରାଇଵା ଇତ୍ଯାଦି ଗୁରୁତ୍ବପୂର୍ଣ୍ଣ ଦିଗ ସଂପର୍କରେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦିଆଯିବା ଆବଶ୍ୟକ। ଗୋଟିଏ କୋଚିଙ୍ଗ ସଂସ୍ଥାର ୬ ଜଣ ପରୀକ୍ଷାର୍ଥୀ ଗୋଟିଏ ପରୀକ୍ଷା କେନ୍ଦ୍ରରେ ଜଣଙ୍କ ପରେ ଜଣେ କ୍ରମାନ୍ୱୟରେ ବସିବା ଏବଂ ସେମାନେ ସମସ୍ତେ ଟପ୍ପର ହେବା ଭଳି ଘଟଣା ନେସନାଲ ଟେଷ୍ଟିଂ ଏଜେନ୍ସିର ସ୍ବଚ୍ଛତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢିବା ପାଇଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ବଡ ବଡ କୋଚିଂ ସେଣ୍ଟରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରନ୍ତି। ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ଦାମୀ କୋଚିଂ ସେଣ୍ଟରର ଲାଭ ଓ ଲୋଭ ଚରିତାର୍ଥ ହୁଏ ମାତ୍ର ଶୋଷଣର ଶୀକାର ହୁଅନ୍ତି ଛାତ୍ରଛାତ୍ରୀ। ଏଭଳି ଅନିୟମିତତା ପାଇଁ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର କେନ୍ଦ୍ରୀକରଣ ଅଧିକାଂଶ ଦାୟୀ। ଶିକ୍ଷାନୁଷ୍ଠାନର ସ୍ବୟାତ୍ତତା କ୍ଷୁର୍ଣ୍ଣ ହେଉଛି। ଏଆଇଏସ୍ଏଫ୍ ବହୁଦିନ ଧରି ନିଟ୍ ପରୀକ୍ଷା ରଦ୍ଦ କରି ଏକ ସ୍ବଚ୍ଛ, ସମ୍ପୂର୍ଣ୍ଣ, ସମ୍ମିଳିତ ଓ ବିକେନ୍ଦ୍ରୀକରଣ ପରୀକ୍ଷା ବ୍ୟବସ୍ଥା ପ୍ରଚଳନ ପାଇଁ ଦାବି କରିଆସୁଛି।
  ତେଣୁ ଅଖିଳ ଭାରତ ଛାତ୍ର ସଂଘ ରାଜ୍ୟ ପରିଷଦ ପକ୍ଷରୁ ନିଟ୍ ପରୀକ୍ଷା ଦୁର୍ନୀତି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପରୀକ୍ଷାର୍ଥୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ଏଆଇଏସ୍ଏଫ୍ ଓଡ଼ିଶା ରାଜ୍ଯ ସଭାପତି ସଂଘମିତ୍ରା ଜେନା ଓ ରାଜ୍ଯ ସମ୍ପାଦକ ଦୃଢ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *