ନେପାଳ ନୂଆ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଓ ଆହ୍ୱାନ
କାଠମାଣ୍ଡୁ : (ବିଜୟ ସାହୁ)-ପ୍ରେସିଡେଣ୍ଟ ରାମଚନ୍ଦ୍ର ପୌଡେଲ ଗତକାଲି ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଶ୍ରୀମତୀ ସୁଶୀଲା କାର୍କିଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ଶପଥପାଠ କରାଇଛନ୍ତି ।
ଓ ଶପଥପାଠ ପରେ ରାଷ୍ଟ୍ରପତି ପାର୍ଲିଆମେଣ୍ଟକୁ ଭାଙ୍ଗି ଦେଇଛନ୍ତି ।
ଆଗାମୀ 5 ମାର୍ଚ୍ଚ 2026ରେ ନିର୍ବାଚନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ଆମେ ଆଶା କରିବା ନେପାଳର ପ୍ରଥମ ମହିଳା ମୁଖ୍ୟ ନ୍ୟାୟାଧୀଶ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀମତୀ କାର୍କି
ନେପାଳ ଜନତାଙ୍କ ଦାବୀ ଅନୁଯାୟୀ କାର୍ଯ୍ୟ କରିବେ ।
କିନ୍ତୁ ତାଙ୍କ ସପକ୍ଷରେ ସମୟ ଠିଆ ହେବ କି ନାହିଁ ଆଗାମୀ କିଛି ସପ୍ତାହ ଭିତରେ ତାର ଆଭାସ ମିଳିଯିବ ।
ଭାରତ ସରକାର ନୂଆ ସରକାରଙ୍କୁ ଅଭିନନ୍ଦନ ଜଣେଇ ଉଚିତ କାର୍ଯ୍ୟ କରିଛନ୍ତି । ଆଗାମୀ ଦିନଗୁଡ଼ିକରେ ଭାରତ ସରକାରଙ୍କ କୂଟନୈତିକ ସମ୍ପର୍କ ପଡୋଶୀ ନେପାଳ ପ୍ରତି କିପରି ରହିବ ତାହା ମଧ୍ୟ ସମସ୍ତଙ୍କ ନଜରରେ ରହିବ ।
କେବଳ ଗୋଟିଏ ଚେତାବନୀ ଭାରତ ପାଇଁ ଯେ ନେପାଳ ହିଁ ଦକ୍ଷିଣ ପୂର୍ବ ଏସିଆର ଏକମାତ୍ର ଦେଶ ଯାହା ଅତୀତରେ କୌଣସି ବାହ୍ୟ ଶକ୍ତିର ପ୍ରଭୂତ୍ୱକୁ ସ୍ୱୀକାର କରିନାହିଁ । ସୁତରାଂ ନେପାଳର ଭବିଷ୍ୟତ ନେପାଳ ବାସୀଙ୍କ ଉପରେ ଛାଡିଦେବା ଭାରତ ପାଇଁ ସର୍ବାଧିକ ପ୍ରାଥମିକତା ହେବା ଉଚିତ ।
ପ୍ରଧାନମନ୍ତ୍ରୀ ଶ୍ରୀମତୀ ସୁଶିଲା କାର୍କି ଆଗାମୀ ନିର୍ବାଚନ ନେପାଳର ସମ୍ବିଧାନ ଅନୁଯାୟୀ କରିବେ ନା ଅଧ୍ୟାଦେଶ ମାଧ୍ୟମରେ କିଛି ସଂଶୋଧନ କରି ନିର୍ବାଚନ କରିବେ ତାହା ଆଗକୁ ଜଣା ପଡ଼ିବ । କିନ୍ତୁ ବର୍ତ୍ତମାନର ସମ୍ବିଧାନ ଅନୁଯାୟୀ 2022ରେ ଯେଉଁ ସାଧାରଣ ନିର୍ବାଚନ ହେଇଥିଲା ନେପାଳର ନିମ୍ନ ସଦନ ( ରାଷ୍ଟ୍ରୀୟ ସଭା )275 ଆସନ ମଧ୍ୟରୁ 165ଟି ଆସନରେ ଆମ ଦେଶଭଳି The first past-the post ନିର୍ବାଚନ ହେଇଥିଲା ଓ 110 ଆସନରେ ଆନୁପାତିକ ପରୋକ୍ଷ ନିର୍ବାଚନ ହେଇଥିଲା । ଏଥିରେ ବିଦ୍ରୋହ ପୂର୍ଵ ସ୍ଥିତି ଅନୁଯାୟୀ National Congress ( NC) ସହ Communist Party Of Nepal ( CPN ),Maoist Centre ଓ ଅନ୍ୟମାନଙ୍କ ଆସନ 153 ହେଇଥିବାରୁ ସମ୍ବିଧାନର ଅନୁଛେଦ 76 ଅନୁଯାୟୀ Maoist Centre ନେତା ପୁଷ୍ପ କମଲ ଦହାଲ ( ପ୍ରଚଣ୍ଡ ) ପ୍ରଧାନମନ୍ତ୍ରୀ ହେଇଥିଲେ । କିନ୍ତୁ ତାଙ୍କ ସରକାର ସଂଖ୍ୟାଲଘୁ ହେଇଯିବାରୁ ଜୁଲାଇ 15, 2024ରେ ବର୍ତ୍ତମାନର ବିତାଡିତ ନେତା କେ ପି ଶର୍ମା ଓଲି ନେପାଳ କଂଗ୍ରେସ ନେତା ଶେର ବାହାଦୂର ଦେଉବା (CPN) ଙ୍କ ସହ ମେଣ୍ଟ କରି ପ୍ରଧାନମନ୍ତ୍ରୀ ହେଇଥିଲେ । ମେଣ୍ଟର ସର୍ତ୍ତ ଅନୁଯାୟୀ 2 ବର୍ଷ ପରେ ଶେର ବାହାଦୂର ପ୍ରଧାନମନ୍ତ୍ରୀ ହେବା କଥା ।
2006ର ଶାନ୍ତି ଚୁକ୍ତିନାମାରେ ଗଣତନ୍ତ୍ରର ପ୍ରତିଷ୍ଠା ଓ ରାଜତନ୍ତ୍ରର ବିଲୋପ ସର୍ତ୍ତ ଅନୁଯାୟୀ 2008 ଠାରୁ ଏପର୍ଯ୍ୟନ୍ତ 14 ଜଣ ପ୍ରଧାନମନ୍ତ୍ରୀ ହେଲେଣି । ସେମାନଙ୍କ ମଧ୍ୟରୁ ପ୍ରଚଣ୍ଡ 3ଥର, କେପି ଶର୍ମା ଓଲି 3 ଥର ଓ ଶେର ବାହାଦୂର 2 ଥର ପ୍ରଧାନମନ୍ତ୍ରୀ ହେଇଛନ୍ତି ଓ ଅନ୍ୟମାନେ 6 ଥର ପ୍ରଧାନମନ୍ତ୍ରୀ ହେଇଛନ୍ତି । ଶ୍ରୀମତୀ ସୁଶିଲା କାର୍କି ହେଉଛନ୍ତି 15ତମ ପ୍ରଧାନମନ୍ତ୍ରୀ ।
ନେପାଳ ମାଓବାଦୀମାନେ ଶାନ୍ତି ଚୁକ୍ତି ମାଧ୍ୟମରେ ମୁଖ୍ୟସ୍ରୋତ ରାଜନୀତିକୁ ଫେରିବା ପରେ 2008 ସମ୍ବିଧାନ ସଭା ନିର୍ବାଚନରେ ମାଓ ବାଦୀ ନେତା UCPN ( Maoist ) ତାଙ୍କର ମୁଖ୍ୟ ନେପାଳି କଂଗ୍ରେସ ପ୍ରତିଦ୍ବନ୍ଦୀ ଶେର ବାହାଦୂରଙ୍କୁ 464-113 ଭୋଟରେ ହରେଇ ପ୍ରଧାନମନ୍ତ୍ରୀ ହେଇଥିଲେ । 2009 ରେ ସେନା ଅଧିନାୟକଙ୍କ ବରଖାସ୍ତ କୁ କେନ୍ଦ୍ର କରି ରାଷ୍ଟ୍ରପତିଙ୍କ ସହ ତାଙ୍କର ବିବାଦ ଯୋଗୁଁ ସେ ଇସ୍ତଫା ଦେଇଥିଲେ । ଏହା ପରଠାରୁ UCPN ମଧ୍ୟରେ ଗୋଷ୍ଠୀ ବିବାଦ ଯୋଗୁଁ UCPN ବିଭାଜନ ଘଟି ପ୍ରଚଣ୍ଡଙ୍କ ଶକ୍ତି ହ୍ରାସ ଘଟିଥିଲା । 2022 ସାଧାରଣ ନିର୍ବାଚନରେ ରାଷ୍ଟ୍ରୀୟ ସଭାରେ ମାତ୍ର 32 ଟି ଆସନ ଜିତିଥିଲେ । ସେଥି ମଧ୍ୟରୁ ପ୍ରତ୍ୟକ୍ଷ ନିର୍ବାଚନରେ ମାତ୍ର 18 ଟି ଆସନ ।
ଗତ ସରକାର ବେଳେ ପ୍ରଚଣ୍ଡ ଙ୍କ ପାର୍ଟି ମୁଖ୍ୟ ବିରୋଧୀ ଦଳ ଥିଲା ।
ନେପାଳ ରାଜନୀତିରେ ଏହି Musical Arrangement ଅସନ୍ତୋଷର ମୂଳ କାରଣ ଥିଲା ।
ରାଜତନ୍ତ୍ରର ବିଲୋପ ପରେ ମାଓବାଦୀ ନେତା ପ୍ରଚଣ୍ଡଙ୍କ ପ୍ରତି ସବୁ ବର୍ଗ ମଧ୍ୟରେ ବହୁତ ଆଶା ସୃଷ୍ଟି ହେଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ 2006 ମସିହାରେ ନେପାଳ ସରକାର ପ୍ରଧାନମନ୍ତ୍ରୀ ଗିରିଜା ପ୍ରସାଦ କୋଇରାଲ ଓ ମାଓବାଦୀ କମ୍ୟୁନିଷ୍ଟ ପାର୍ଟିର ଚେୟାରମ୍ୟାନ ପୁଷ୍ପ କମଲ ଦେହାଲ ( ପ୍ରଚଣ୍ଡ )ଙ୍କ ମଧ୍ୟରେ Comprehensive Peace Accord ( CPA) ରାଜଧାନୀ କାଠମାଣ୍ଡୁ ରେ 21 ନଭେମ୍ବର 2006 ରେ ସ୍ବାକ୍ଷର ହେବା ପୂର୍ବରୁ ନୂଆଦିଲ୍ଲୀରେ ନେପାଳର 7ପାର୍ଟି ମେଣ୍ଟ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାଥମିକ ଆଲୋଚନା ଭାରତ ସରକାରଙ୍କ ମଧ୍ୟସ୍ଥିତାରେ ଅନୁଷ୍ଠିତ ହେଇଥିଲା । ଏକ୍ଷତ୍ରରେ ଭାରତର କମ୍ୟୁନିଷ୍ଟ ପାର୍ଟି ( ମାର୍କ୍ସ ବାଦୀ ) ନେତାମାନଙ୍କ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ବିଶେଷ କରି କମ୍ରେଡ଼ ସୀତାରାମ ୟେଚୁରୀଙ୍କର । ଏହି ଚୁକ୍ତିନାମା ମାଧ୍ୟମରେ 2008 ମସିହାରେ ନେପାଳ ରାଜତନ୍ତ୍ରର ବିଲୋପ ଘଟିଥିଲା ଓ ନେପାଳକୁ ଏକ ସମାବେଶୀ ପ୍ରତିନିଧିତ୍ୱମୂଳକ ଧର୍ମ ନିରପେକ୍ଷ ସାଧାରଣତନ୍ତ୍ର ଗଠନ ପ୍ରକ୍ରିୟା ଆରମ୍ଭ ହେଇଥିଲା ।
ଆନ୍ତର୍ଜାତିକ ସ୍ତରରେ ଆମେରିକା, ବ୍ରିଟେନ , ଜାତିସଂଘ ମଧ୍ୟ ଏଥିରେ ସମର୍ଥନ ପ୍ରକାଶ କରିଥିଲେ ।
ଏହି CPA ପୂର୍ବରୁ 2005ର 12-Point Agreement, 8-point Agreement, 25-Point Code of Conduct ସ୍ବାକ୍ଷର ହେଇଥିଲା ଓ ଜାତିସଂଘକୁ 5-Point ଚିଠି ମଧ୍ୟ ପଠା ଯାଇଥିଲା ।
CPA ସର୍ତ୍ତ ଅନୁଯାୟୀ ଉଭୟ ପକ୍ଷ ଯୁଦ୍ଧ ବିରତି, ଜାତିସଂଘ ପର୍ଯ୍ୟବେକ୍ଷଣରେ ସମାବେଶୀ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ ।
ନେପାଳର ଅନ୍ତରୀମ ସମ୍ବିଧାନ 2007 ମାଧ୍ୟମରେ CPA କାର୍ଯ୍ୟକାରୀ ଆରମ୍ଭ ହେଇଥିଲା ଓ 2008ରେ ଶହ ଶହ ବର୍ଷ ଧରି ପ୍ରଚଳିତ ରାଜତନ୍ତ୍ରର ସମାପ୍ତ ହେଇଥିଲା । ସମ୍ବିଧାନ ସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ 2008ରେ ନେପାଳର ଜନସଂଖ୍ୟା ମାତ୍ର 2.7 କୋଟି ଥିବା ସତ୍ତ୍ୱେ ସମ୍ବିଧାନ ପ୍ରଣୟନ ସଭା ପାଇଁ 601 ଜଣ ସଦସ୍ୟ ପ୍ରତ୍ୟକ୍ଷ, ପରୋକ୍ଷ ଓ ମନୋନୀତ ପ୍ରକ୍ରିୟାରେ ପ୍ରତିନିଧିତ୍ୱ କରିଥିଲେ ।
ଅନ୍ୟପକ୍ଷରେ ଭାରତର ସମ୍ବିଧାନ ପ୍ରଣୟନ ବେଳେ ସମୁଦାୟ 389 ସଭ୍ୟ ପ୍ରତିନିଧିତ୍ୱ କରିଥିଲେ ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଥିଲା ଯେ ଯେଉଁମାନେ ରାଜତନ୍ତ୍ର ବିଲୋପର ଶେଷ ଯୋଦ୍ଧା ଥିଲେ ସେମାନେ ସମ୍ବିଧାନ ପ୍ରଣୟନରେ ସମସ୍ତ ବର୍ଗର ପ୍ରତିନିଧିତ୍ୱକୁ ସମର୍ଥନ କରିଥିଲେ ।
ତଥାପି କାହିଁକି ଏକ ଐତିହାସିକ ସଂଗ୍ରାମ ଓ ନେତାମାନଙ୍କ ତ୍ୟାଗ ସତ୍ତ୍ୱେ ନେପାଳର ଛାତ୍ର ଓ ଯୁବ ଶକ୍ତି ସେମାନଙ୍କ ପ୍ରତି ସମସ୍ତ ଆସ୍ଥା ହରେଇ ବସିଲେ ? ସେମାନେ ନେପାଳକୁ ଆର୍ଥିକ, ରାଜନୈତିକ , ସାଂସ୍କୃତିକ ସଂସ୍କାର ମାଧ୍ୟମରେ ଯେଉଁ ସମାବେଶୀ ଗଣତନ୍ତ୍ର ପ୍ରତିଷ୍ଠା କରିବା ପ୍ରତିଶ୍ରୁତି ଦେଇଥିଲେ ତାହା କେତେଦୂର ସଫଳ ହେଇଥିଲେ ତାର ପରିସଂଖ୍ୟାନ ଅନ୍ତତଃ ସମସ୍ତଙ୍କୁ ଜଣା ।
ସମ୍ବିଧାନ ଗଠନ ଓ ନିର୍ବାଚନ ସତ୍ତ୍ୱେ ନେପାଳର ପ୍ରମୁଖ 6 ନେତା ପରିବାର , ମନ୍ତ୍ରୀ, ସାଂସଦ , ଅମଲାତନ୍ତ୍ର ଓ ସେମାନଙ୍କ ଦ୍ୱାରା ଅନୁଗୃହୀତ ହେଇଥିବା ରାଜନୈତିକ ବ୍ରାହ୍ମଣ ବର୍ଗ ଗରୀବ ନେପାଳ ଦେଶର ସମସ୍ତ ରାବେଡି ବାଣ୍ଟିକୁଣ୍ଟି ଖାଇଦେଲେ ବୋଲି କ୍ରମାଗତ ଅଭିଯୋଗ ଆସୁଥିଲା । ଏହାର ସତ୍ୟାସତ୍ୟ ଜଣେଇବା ନୂଆ ପ୍ରଧାନମନ୍ତ୍ରୀଙ୍କ ଏବେ ଗୁରୁ ଦାୟିତ୍ୱ ।
ଆମକୁ ନେପାଳ ସମାଜର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବା ଦରକାର ।
ନେପାଳର ପ୍ରଶାସନିକ ଢାଞ୍ଚା ଅନୁଯାୟୀ 7 ଟି ପ୍ରଦେଶ ଓ 77ଟି ଜିଲ୍ଲା । ନେପାଳର ମୁଖ୍ୟ ଜନଜାତି ଓ ଭୌଗଳିକ ବିଭାଜନ ପାଇଁ ମାଧେଶୀ ଓ ପାହାଡି ଶବ୍ଦ ବ୍ୟବହାର ହେଇଥାଏ । ଭାରତର ସୀମାନ୍ତକୁ ଲାଗି ନେପାଳର ତରାଇ ଅଞ୍ଚଳରେ ବସବାସ କରୁଥିବା ମାଧେଶୀମାନେ ହେଉଛନ୍ତି ଏକ ଇଣ୍ଡୋ ଆରିୟାନ ଜନଗୋଷ୍ଟି । ସେମାନେ ଦୀର୍ଘ କାଳରୁ ନେପାଳର ରାଜନୈତିକ ବ୍ୟବସ୍ଥା ଭିତରେ ଉତ୍ପୀଡନର ଶିକାର ହେଇ ଆସିଛନ୍ତି । ନେପାଳ ଜନସଂଖ୍ୟାର ଏମାନେ ଏକ ତୃତୀୟାଂଶ । ମାଧେଶୀମାନଙ୍କ ଉତ୍ତର ଭାରତ ସହ ଭାଷାଗତ, ସାଂସ୍କୃତିକ ଓ ପାରିବାରିକ ସମ୍ପର୍କ ବହୁକାଳରୁ ରହି ଆସିଛି । ଏହି କାରଣରୁ ନେପାଳର ପାହାଡି Elites ବିଶେଷ କରି ପ୍ରଭାଵଶାଳୀ ଖାସ-ଆର୍ଯ୍ୟ ଛେତ୍ରୀ ଓ ବ୍ରାହ୍ମଣ ସମ୍ପ୍ରଦାୟ ମାଧେଶୀମାନଙ୍କ ରାଷ୍ଟ୍ରପ୍ରୀତି ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରି ଆସିଛନ୍ତି । ଏହି ଜନଗୋଷ୍ଟିଙ୍କ ପାଇଁ ସଂଘୟୀ ବ୍ୟବସ୍ଥା ଗଠନ ବେଳେ ମାଧେଶୀମାନେ ଅଧିକ ପ୍ରତିନିଧିତ୍ୱ ଦାବୀ କରୁଥିଲେ ।
2007 ରେ ମଧ୍ୟବର୍ତ୍ତୀ ସମ୍ବିଧାନ ପ୍ରଣୟନ ବେଳେ ଉପଯୁକ୍ତ ପ୍ରତିନିଧିତ୍ୱ ଦାବୀକରି ଆନ୍ଦୋଳନ ଆରମ୍ଭ ହେଇଥିଲା । ପ୍ରଥମେ ନେପାଳ ସଦଭାବନା ପାର୍ଟି ଓ ପରେ ନେପାଳର ଫେଡେରାଲ ସୋସାଲିଷ୍ଟ ଫୋରମ ( FSFN )ପ୍ରତିବାଦ ଆନ୍ଦୋଳନ ଆରମ୍ଭ କରିଥିଲେ ।
କ୍ରମେ ଏହା ହିଂସାକାଣ୍ଡ ରୂପ ଗ୍ରହଣ କରିଥିଲା । ବିଶେଷ କରି ଯେଉଁ ମହିଳାମାନେ ଭାରତରେ ସୀମାପାର ବିବାହ କରିଥିଲେ ସେମାନଙ୍କ ପିଲାମାନେ ନାଗରିକତ୍ୱ ହାସଲ କରିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଲା ।
2015ର ପ୍ରଳୟଙ୍କରୀ ଭୂକମ୍ପ ଓ ରାଜତନ୍ତ୍ର ବିଲୋପ ପୃଷ୍ଠଭୂମିରେ 2015ର ସମ୍ବିଧାନ ପ୍ରଣୟନ ହେଇଥିଲା । ମାଧେଶୀମାନେ ଏହାକୁ ବିଭାଜନକାରୀ ପଦକ୍ଷେପ ଅଭିଯୋଗରେ ବର୍ଜନ କରିଥିଲେ ।
ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଏହାର ଶାନ୍ତିପୂର୍ଣ୍ଣ ସମାଧାନ ନ କରି ଗୁଳିରେ ଜବାବ ଦେଲେ । ପ୍ରାୟ 50ରୁ ଉର୍ଦ୍ଧ୍ବ ଆନ୍ଦୋଳନକାରୀ ମୃତ୍ୟୁ ବରଣ କରିଥିଲେ । ଏହା ପୁଣି ଦୂରତ୍ୱ ସୃଷ୍ଟିକଲା । ସମ୍ବିଧାନର ସାମାନ୍ୟ ସଂଶୋଧନ କଲେ ମଧ୍ୟ ମୌଳିକ ଦିଗଗୁଡିକ ଯଥା ସଂଘୀୟ ସଂସ୍ଥା, ଅମଲାତନ୍ତ୍ର , ସେନାରେ ନ୍ୟାର୍ଯ୍ୟ ପ୍ରତିନିଧିତ୍ୱ ଏବଂ ଆର୍ଥିକ କ୍ଷେତ୍ରରେ ଜାତୀୟ ଉତ୍ପାଦନରେ ସର୍ବାଧିକ ଯୋଗଦାନ ସତ୍ତ୍ୱେ ସେମାନଙ୍କ ଅଞ୍ଚଳରେ ସର୍ବନିମ୍ନ ବିନିଯୋଗ ଇତ୍ୟାଦି ପ୍ରଶ୍ନଗୁଡିକ ସରକାର ନଜର ଅନ୍ଦାଜ କଲେ ଓ ବୈଷମ୍ୟ କ୍ରମାଗତ ବୃଦ୍ଧି ପାଇଲା ।
ମାଓବାଦୀ ନେତା ପ୍ରଚଣ୍ଡଙ୍କର ମାଧେଶୀ ଜନଗଣଙ୍କ ସହ ସମ୍ପର୍କ ରହି ଆସିଥିଲା । ସେ ପ୍ରଥମେ Marginalised ଗୋଷ୍ଠୀ ଯଥା ମାଧେଶୀ,ପାହାଡି ମୂଳବାସୀ ଜନଗୋଷ୍ଟି,ଦଳିତଙ୍କ ଚମ୍ପିୟାନ ଭାବରେ ନିଜର ସଂଗ୍ରାମ ଆରମ୍ଭ କରିଥିଲେ । 2008 ନିର୍ବାଚନରେ ମାଓବାଦୀ ପାର୍ଟି ମାଧେଶୀ ପାର୍ଟି ମାନଙ୍କ ସହ ନିର୍ବାଚନ ମେଣ୍ଟ କରି ବ୍ୟାପକ ସଫଳତା ହାସଲ କରିଥିଲେ ଓ ପ୍ରଧାନମନ୍ତ୍ରୀ ହେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କ୍ଷମତାରେ ତିଷ୍ଟି ରହିବା ପାଇଁ ତାଙ୍କର ମେଣ୍ଟ ରାଜନୀତି ତାଙ୍କର ଭାବମୂର୍ତ୍ତି ନଷ୍ଟ କରି ଚାଲିଲା ଓ ଜଣେ ସୁବିଧାବାଦୀ ନେତା ଭାବରେ ସମାଲୋଚିତ ହେଲେ
।
2015-16 ରେ ବିରୋଧୀ ପକ୍ଷରେ ଥିବା ବେଳେ ଖୋଲାଖୋଲି ମାଧେଶୀଙ୍କ ଦାବୀଗୁଡିକୁ ସମର୍ଥନ କରୁଥିଲେ ଓ ଚାପ ପ୍ରୟୋଗ କରି ସମ୍ବିଧାନରେ ଆବଶ୍ୟକ ସଂଶୋଧନ ମଧ୍ୟ କରାଇ ଥିଲେ । କିନ୍ତୁ 2016-17 ରେ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ ସରକାର ସଂଶୋଧନଗୁଡିକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ନ କରିବା ହେତୁ ଅସନ୍ତୋଷର ଶିକାର ହେଲେ ।
ପ୍ରଚଣ୍ଡଙ୍କ ବାରମ୍ବାର ମେଣ୍ଟ କୌଶଳ କରି କ୍ଷମତାକୁ ଫେରିବା ଅଥଚ ପ୍ରତିଶ୍ରୁତିଗୁଡିକୁ ପାଳନ କରିବାରେ ବିଫଳ ହେବା ରାଜନୀତି ତାଙ୍କୁ ଜନଗଣଙ୍କ ଠାରୁ ଦୂରେଇ ନେଲା ।
2022 ରେ ପୁଣି ମାଧେଶୀ ପାର୍ଟିମାନଙ୍କ ସହ ମେଣ୍ଟ କରି ତୃତୀୟ ଥର ଯଦିଓ ପ୍ରଧାନମନ୍ତ୍ରୀ ହେଲେ , କିନ୍ତୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ଗୃହ ଓ ଅର୍ଥ ଇତ୍ୟାଦି ପାହାଡି ନେତାମାନଙ୍କ ହାତରେ ରହିଲା ।
ନିଜର ପ୍ରତିଶ୍ରୁତି ପାଳନ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହେଲେ ।ଏକଦା ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଗରିଲା ଜନଯୁଦ୍ଧ ଆହ୍ୱାନ ଦେଇ ସଂଗ୍ରାମ କରିଥିବା ନେତା ଶେଷରେ କ୍ଷମତା କୁ ଆସିବା ପରେ ବ୍ୟବସ୍ଥାର ଅଙ୍ଗ ହେଇଗଲେ । ପାର୍ଟିର ନେତା ଓ ତାଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିଲା ।
ଆଜି ଏଭଳି ପରିସ୍ଥିତି ହେଲା ଯେ ଛାତ୍ର ଯୁବକ କମ୍ୟୁନିଷ୍ଟ ନେତାମାନଙ୍କୁ ମଧ୍ୟ ଗୋଡେଇଲେ ଓ ଦଳୀୟ ଅଫିସ, ନେତାମାନଙ୍କ ପୈତୃକ ସଂସ୍ଥାନ ଗୁଡିକୁ ମଧ୍ୟ ନିଆଁ ଲଗେଇ ଦେଲେ ।
ଏଭଳି ପ୍ରତିକ୍ରିୟାକୁ କେବଳ ବିଦେଶୀ ଷଡଯନ୍ତ୍ର କହି ଏଡେଇ ହେବ ନାହିଁ । ଆଭ୍ୟନ୍ତରୀଣ କାରଣ ଗୁଡିକୁ ମଧ୍ୟ ଦେଖିବାକୁ ପଡ଼ିବ ।
ଏକ ପୁଞ୍ଜିବାଦୀ ବ୍ୟବସ୍ଥାରେ କେତେ ଦୂର ଜନଗଣଙ୍କ ମୌଳିକ ସମସ୍ୟା ଗୁଡିକ ସମାଧାନ କରିହେବ ତାହା ପର୍ଯ୍ୟାଲୋଚନା କରିବାକୁ ହେବ ।
ଏକଦା କମ୍ୟୁନିଷ୍ଟମାନଙ୍କ ସମ୍ପର୍କରେ ଯେଉଁ ଉଚ୍ଚ ଧାରଣା ଥିଲା ତାହା ନେତାମାନଙ୍କ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ସଂସ୍କାର କ୍ଷମତା ରାଜନୀତି ମାଧ୍ୟମରେ କେତେ ଅଗ୍ରଗତି ହେଲା ତାର ପ୍ରମାଣ ବର୍ତ୍ତମାନ ଜନତା ଦେଖୁଛନ୍ତି ।
ଅନ୍ତତଃ ସେମାନେ ଆର୍ଥିକ ଭ୍ରଷ୍ଟାଚାରୀ ନେତା ହେବେ ଏଭଳି ଆଶା କେହି କରୁ ନଥିଲେ ।
ବର୍ତ୍ତମାନ ସମୟର ଆହ୍ୱାନ ହେଉଛି ଏହି ବିଫଳ ନେତାମାନେ ରାଜନୀତି ରୁ ଓହରି ଯାଆନ୍ତୁ ଓ ନେପାଳର ନୂତନ ପିଢ଼ି ଆଗକୁ ଆସନ୍ତୁ ।
ଶ୍ରୀମତୀ ସୁଶିଲା କାର୍କିଙ୍କୁ ତାଙ୍କର କାର୍ଯ୍ୟ କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ କରାଯାଉ । ନେପାଳର ରାଜନୈତିକ ଢାଞ୍ଚା ଯେଭଳି ପଶ୍ଚାତ ଗମନ ନ କରେ ନେପାଳର ସମସ୍ତ ବର୍ଗ ଦୃଷ୍ଟି ରଖନ୍ତୁ ।
ନେପାଳ କୌଣସି ବାହ୍ୟ ଶକ୍ତି ଚାପରେ ନିଜର ସାର୍ବଭୌମତ୍ୱ ପ୍ରତି ଯେପରି ବିପଦ ନିମନ୍ତ୍ରଣ ନ କରେ ସେଥି ପ୍ରତି ଧ୍ୟାନ ଦେବା ବର୍ତ୍ତମାନର କାମଚଳା ପ୍ରଧାନମନ୍ତ୍ରୀ ଓ ତାଙ୍କର ସମର୍ଥକ ନେତାଙ୍କ ଐତିହାସିକ ଦାୟିତ୍ୱ । ସେମାନେ ବିଫଳ ହେଲେ ଅନ୍ୟ ନେତାମାନଙ୍କ ଭଳି ଏମାନେ ମଧ୍ୟ ଇତିହାସର ଅଳିଆ ଗଦାକୁ ଯିବାକୁ ବାଧ୍ୟ ।
