ବାଂଲାଦେଶର ନୂଆ ଶାସନ

ନୂଆଦିଲ୍ଲୀ: (ବିଜୟ ସାହୁ) -ଦୁର୍ଗମ ଗିରି କାନ୍ତାର ମରୁ ,
ଦୁସ୍ତର ପାରାବାର
ଲଙ୍ଘିତେ ହବେ ରାତ୍ରୀ ନିଶିତେ,
ଯାତ୍ରୀରା ହୁସିଆର !
– ନଜରୁଲ ଇସଲାମ
ବଙ୍ଗଳାଦେଶର ଯୁବଶକ୍ତି ୫ ଅଗଷ୍ଟ ଦିନ ୧.୧୫ ମିନିଟରେ ଶେଖ ହାସିନାଙ୍କ ଫାଶିଷ୍ଟ ସତ୍ତା ପରିବର୍ତ୍ତନ କରିବା ପରେ ବର୍ତ୍ତମାନ ବଙ୍ଗଳାଦେଶରେ ଏକ ” ଅରାଜକତା ” ପରିସ୍ଥିତି ସୃଷ୍ଟି ହେଇଛି । ଏକ ସ୍ଥିରତା ଆସିବା ପାଇଁ କିଛି ସମୟ ଲାଗିବ । ଏହା ହିଁ ପ୍ରତ୍ୟେକ ବିପ୍ଳବରେ ଅବଧାରିତ ନିୟମ ।
ଏହି “ଅରାଜକତା ପାଇଁ ” ଶେଖ ହାସିନାଙ୍କ ଆୱାମୀ ପାର୍ଟିର ଛାତ୍ର ପରିଷଦ ଓ ଯୁବ ପରିଷଦ ଦାୟୀ ଯେଉଁ ଶକ୍ତିକୁ ଶେଖ ହାସିନା ବିଗତ କିଛି ବର୍ଷ ଧରି ସୃଷ୍ଟି କରିଥିଲେ ସମସ୍ତ ପ୍ରକାର ବିରୋଧ କଣ୍ଠ ସ୍ୱରକୁ ଲାଠି ଓ ବନ୍ଧୁକ ମୁନରେ ଦମନ କରିବା ପାଇଁ । ସେଇ ଶକ୍ତି ଏବେ ବଙ୍ଗଳା ଦେଶର କିଛି ହିନ୍ଦୁ ମନ୍ଦିର ଓ ଶିଖ ଗୁରୁଦ୍ୱାର ଉପରେ ଆକ୍ରମଣ କରୁଛନ୍ତି ଓ ସଂଖ୍ୟାଲଘୁମାନଙ୍କ ବ୍ୟବସାୟ ଓ ସମ୍ପତ୍ତି ଉପରେ ଆକ୍ରମଣ କରୁଛନ୍ତି ।
ମାତ୍ର ଦୁଇ ମାସ ତଳେ ସରକାରୀ ଚାକିରୀ ରେ ସଂରକ୍ଷଣ ବ୍ୟବସ୍ଥାର ପୁନଃ ସମୀକ୍ଷା ଦାବୀ କରି କିଛି ଛାତ୍ର ” No Discrimination ” ସ୍ଲୋଗାନ ଦେଇ ଯେଉଁ ଶାନ୍ତି ପୂର୍ଣ ପ୍ରତିବାଦ ଆନ୍ଦୋଳନ କରିଥିଲେ ସେଇ ଆନ୍ଦୋଳନକୁ ହାସିନାଙ୍କ ପୋଲିସ ଓ ଛାତ୍ର ଯୁବ ପରିଷଦ ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଓ ଲାଠିରେ ଜବାବ ଦେଇଥିଲେ । ଏହି ଛାତ୍ର ଯୁବ ପରିଷଦ ହେଉଛି ଆୱାମୀ ଲିଗ
ମିଲିସିଆ ବାହିନୀ । ଯେମିତି ଏକଦା ହିଟଲର ଓ ମୁସୋଲିନର ଅର୍ଦ୍ଧ ସାମରିକ ଟ୍ରେନିଂ ପ୍ରାପ୍ତ ଛାତ୍ର ଯୁବ ମିଲିସିଆ ବାହିନୀ ଗଠନ କରିଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ଏହା ସୃଷ୍ଟି କରା ଯାଇଥିଲା । ପୋଲିସ ବାହିନୀ ମଧ୍ୟ ଆୱାମୀ ଲିଗ ସଭ୍ୟମାନଙ୍କୁ ସଂରକ୍ଷଣ ଆଇନ ମାଧ୍ୟମରେ ରିକ୍ରୁଟ କରା ଯାଇଥିଲା ।
ଏମାନେ ସମସ୍ତେ ସଶସ୍ତ୍ର ।
ହାସିନା ଦେଶ ଛାଡିବା ପୂର୍ବରୁ ତାଙ୍କର ପୁତ୍ର ସଞ୍ଜୀବ ୱାଜେଦ ଜୟ ମାଉସୀ ଶେଖ ରେହେନାଙ୍କ ମାଧ୍ୟମରେ ଗୋଟିଏ ଭିଡିଓ ରେକର୍ଡିଂ ଭାଇରାଲ କରାଇ ଥିଲେ ।
ଏହି ଭିଡିଓଟି ଆୱାମୀ ଲିଗ ସଭ୍ୟମାନଙ୍କୁ ଆନ୍ଦୋଳନକାରୀ ଛାତ୍ର ଯୁବ ଶକ୍ତି ବିରୁଦ୍ଧରେ ଲଢେ଼ଇ କରିବା ପାଇଁ ପ୍ରେରିତ ଥିଲା । ଶେଖ ହାସିନା ପରିବାର ରାଜନୀତିରୁ ସବୁ ଦିନ ପାଇଁ ବିଦାୟ ନେଉଛନ୍ତି ଓ ବଙ୍ଗଳା ଦେଶକୁ ଆଉ ପ୍ରତ୍ୟାବର୍ତ୍ତନ କରିବାର ନାହିଁ । ବର୍ତ୍ତମାନ ଆୱାମୀ ଲିଗର ଭବିଷ୍ୟତ ସଦସ୍ୟ ମାନେ ନିର୍ଦ୍ଧାରଣ କରନ୍ତୁ । ଆୱାମୀ ଲିଗକୁ ବାଦ ଦେଇ ବଙ୍ଗଳା ଦେଶରେ ଗଣତନ୍ତ୍ର ଫେରିବ ନାହିଁ ଓ ବିଦେଶୀ ଚକ୍ରାନ୍ତକାରୀ ଦେଶକୁ ଆଉ ଏକ ପାକିସ୍ତାନ କରିଦେବେ । ଏଭଳି ଭିଡିଓ ଵାର୍ତା ସେତେବେଳେ ଆସିଥିଲା ଯେତେବେଳେ ବଙ୍ଗଳାଦେଶର ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସ ଅସ୍ଥାୟୀ ସରକାରର ପ୍ରଧାନମନ୍ତ୍ରୀ ହେବେ ବୋଲି ଆନ୍ଦୋଳନକାରୀ ଛାତ୍ରଯୁବ ନେତାମାନେ ଘୋଷଣା କଲେ ଓ ସେନାଦକ୍ଷଙ୍କ ପାଖରେ ନିଜର ମତ ପ୍ରକାଶ କଲେ ।
ବଙ୍ଗଳାଦେଶ ମିଡ଼ିଆରୁ ପ୍ରକାଶ ଏହି ଭିଡିଓ ପରେ ଲିଗ ର ମିଲିସିଆ ଓ ପୋଲିସ ଯୁବଗୋଷ୍ଠୀଙ୍କ ଉପରେ ଗୁଳି ବର୍ଷଣ କରି ଶତାଧିକ ସାଧାରଣ ଜନତା , ସାମ୍ବାଦିକ , ମହିଳା,ଯୁବ ଛାତ୍ରଙ୍କୁ ହତ୍ୟା କଲେ । ଏହି ଘଟଣା ଘଟିଥିଲା ଯେତେବେଳେ ହାସିନା ଲୁଚିକିରି ତାଙ୍କର ଭଉଣୀଙ୍କ ସହ ପ୍ରଥମେ ଅଗରତାଲା ଓ ପରେ ଭାରତର ହିଣ୍ଡନ ଏୟାରବେସରେ ଓହ୍ଲେଇ ଥିଲେ ଓ ଭାରତର ଏୟାରଫୋର୍ସ ତାଙ୍କୁ ଆଶ୍ରୟ ଦେଇଥିଲେ । ସେଠାରେ ଭଉଣୀ ଲଣ୍ଡନରେ ଲେବର ପାର୍ଟି ସରକାରରେ ଶ୍ରମ ଓ ଅର୍ଥନୈତିକ ମନ୍ତ୍ରୀ ଥିବା ନିଜର ଝିଅ ଟୁଲିପି ସିଦିକଙ୍କୁ ଲଣ୍ଡନରେ ରାଜନୈତିକ ଶରଣାର୍ଥୀ ହେବାକୁ ଯୋଗା ଯୋଗ କରି ଥିଲେ, କିନ୍ତୁ ଏ ପର୍ଯ୍ୟନ୍ତ ବିଫଳ ହେଇଛନ୍ତି ।
ସୋମବାର ସନ୍ଧ୍ୟାରେ ବଙ୍ଗଳାଦେଶ ରାଷ୍ଟ୍ରପତି ମହମ୍ମଦ ସୋୟାବୁଦ୍ଦିନ ସେନାବାହିନୀର ତିନି ମୁଖ୍ୟଙ୍କ ସହ ଆଲୋଚନା ପରେ ପାର୍ଲିଆମେଣ୍ଟକୁ ଭାଙ୍ଗି ଦେଇଛନ୍ତି । ସେନାର ତତ୍ୱାବଧାନରେ ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ଦେଇଛନ୍ତି ।ଅନ୍ୟାନ୍ୟ ମନ୍ତ୍ରୀମାନଙ୍କ ତାଲିକା ଏ ପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ ।
କିନ୍ତୁ ଏହି ମନ୍ତ୍ରୀ ମଣ୍ଡଳରେ ଦୁଇ ମୁଖ୍ୟ ରାଜନୈତିକ ଦଳ ଆୱାମୀ ଲିଗ ( ଏ ଏଲ ) ଓ ଖାଲିଦା ଜିଆଙ୍କ ପାର୍ଟ ବଙ୍ଗଳାଦେଶ ଜାତୀୟ ପାର୍ଟି ( ବି ଏନ ପି ),
ଜମାଇତ ଇସଲାମ ପାର୍ଟି ଅଂଶ ଗ୍ରହଣ କରିବେ ନାହିଁ ବୋଲି ଆନ୍ଦୋଳନକାରୀ ନେତାମାନେ ସର୍ତ୍ତ ରଖିଛନ୍ତି ।
ପ୍ରଫେସର ୟୁନୁସ ନିଜ ପସନ୍ଦର ମନ୍ତ୍ରୀ ସଭା କରିବେ ।
ରାଷ୍ଟ୍ରପତି ମହମ୍ମଦ ସୋୟାବୁଦିନ ଓ ସେନା ବାହିନୀ ତୁରନ୍ତ ଶାନ୍ତି ଫେରିବା ପାଇଁ ଓ ଉପଦ୍ରଵୀ ହାସିନା ଗୋଷ୍ଠୀ ଓ ମୌଳବାଦୀ ଶକ୍ତିଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି । ସେ ଘୋଷଣା କରିଛନ୍ତି ବଙ୍ଗଳାଦେଶକୁ କୌଣସି ପ୍ରକାରେ ମୌଳବାଦୀ ଶକ୍ତି ଙ୍କ ହାତକୁ ଯିବ ନାହିଁ । ଏହା ପୂର୍ଵ ସମ୍ବିଧାନରେ ଘୋଷିତ ଧର୍ମନିରପେକ୍ଷ ଓ ସମାବେଶୀ ରାଷ୍ଟ୍ର ହେବ ।
ଇତିମଧ୍ୟରେ ଛାତ୍ର ଯୁବକମାନେ ଛୋଟ ଛୋଟ ସ୍ୱେଚ୍ଛାସେବୀ ଗୋଷ୍ଠୀ କରି ଉପଦ୍ରବ ହେଉଥିବା ଅଞ୍ଚଳରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମନ୍ଦିର ଓ ଧର୍ମ ଅନୁଷ୍ଠାନ ଆଗରେ ପ୍ରହରା ଦେଉଛନ୍ତି । ଜମାଇତ ଇସଲାମର ମାଦ୍ରାସା ଛାତ୍ରମାନେ ମସଜିଦ ମାଇକି ମାଧ୍ୟମରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରୁଛନ୍ତି । ଅଧିକାଂଶ ଆକ୍ରମଣ ହେଉଛି ଆୱାମୀ ଲିଗର ସମ୍ପତ୍ତି ଓ ପ୍ରତିଷ୍ଠାନଗୁଡିକ ଉପରେ । ଏହି ଆକ୍ରମଣ ଆୱାମୀ ଲିଗ ପରିଚାଳିତ ଛାତ୍ର ଓ ଯୁବ ପରିଷଦର ହିଂସାକାଣ୍ଡ ବିରୁଦ୍ଧରେ ପ୍ରତି ଆକ୍ରମଣ ସ୍ୱରୂପ ହେଉଛି । ବିଶେଷ କରି ଖାଲିଦା ଜିଆ ସମର୍ଥକ ଏହାର ନେତୃତ୍ୱ ନେଉଛନ୍ତି । ବର୍ତ୍ତମାନ କୌଣସି ସରକାର ୫ତାରିଖରୁ ନ ଥିବା ହେତୁ ସାଧାରଣ ଜନତା ଆଇନ ଶୃଙ୍ଖଳାକୁ ନିଜ ହାତକୁ ନେଉଛନ୍ତି ।
ବଙ୍ଗଳା ଦେଶର ହିନ୍ଦୁ ନେତାମାନେ ମଧ୍ୟ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଆହ୍ୱାନ ଦେଉଛନ୍ତି । ଅନେକ ବରିଷ୍ଠ ହିନ୍ଦୁ ସାମ୍ବାଦିକ ଓ ହିନ୍ଦୁ ସମ୍ବାଦପତ୍ର ଭାରତୀୟ ମିଡ଼ିଆକୁ ସାକ୍ଷାତକାର ଦେଇ କହୁଛନ୍ତି ଆୱାମୀ ଲିଗରେ ଅଧିକାଂଶ ମନ୍ତ୍ରୀ , ସାଂସଦ ଦେଶ ଛାଡି ଚାଲିଯିବାରୁ ହିନ୍ଦୁମାନଙ୍କ ଭିତରେ ଅସୁରକ୍ଷିତ ଭାଵ ସୃଷ୍ଟି ହେଇଛି । କିନ୍ତୁ ସାଧାରଣ ହିନ୍ଦୁ ନାଗରିକ, ବ୍ୟବସାୟୀ ଦେଶ ଛାଡିବେ ନାହିଁ । ସେମାନେ କେବଳ ସୁରକ୍ଷିତ ଜାଗାକୁ ପଳାୟନ କରୁଛନ୍ତି । କାରଣ ଭାରତ ନିଜର ସୀମା କୁ କଡା ପହରା ଦେଉଛି ।
କାମଚଳା ସରକାର ପ୍ରତିଷ୍ଠା ହେଇଗଲେ ପରିସ୍ଥିତି ବଦଳି ଯିବ ।
ହିନ୍ଦୁ ମହାସଭାର ଆନ୍ତର୍ଜାତୀୟ ସଭାପତି ମଧ୍ଯ ଘୋଷଣା କରିଛନ୍ତି ବଙ୍ଗଳା ଦେଶର ହିନ୍ଦୁ ମାନଙ୍କୁ ଭାରତ ଆସିବାକୁ ଦିଆ ଯିବ ନାହିଁ । ସେମାନେ ନିଜ ଦେଶରେ ଶାନ୍ତି ଫେରାଇବାକୁ ଉଦ୍ୟମ କରନ୍ତୁ । ଭାରତ ବଙ୍ଗଳାଦେଶର ଆଭ୍ୟନ୍ତରୀଣ ବ୍ୟାପାର ରେ ହସ୍ତକ୍ଷେପ କରିବ ନାହିଁ । ସେମାନେ ଯେଉଁ ପ୍ରକାର ଶାସନ କରିବାକୁ ଚାହୁଁଛନ୍ତି କରନ୍ତୁ ।
ବର୍ତ୍ତମାନ ବଙ୍ଗଳା ଦେଶରେ ମୂଳ ସମସ୍ୟା ଦେଖା ଦେଇଛି ଏକ ସ୍ଥାୟୀ ସରକାର ପ୍ରତିଷ୍ଠା ପ୍ରଶ୍ନକୁ ନେଇ । ସ୍ଥାୟୀ ସରକାର ପାଇଁ ନିର୍ବାଚନ ଦରକାର । ବର୍ତ୍ତମାନ ନିର୍ବାଚନ କମିଶନ ନାହାଁନ୍ତି । ସରକାରୀ ବ୍ୟବସ୍ଥା, ସାମ୍ବିଧାନିକ ସଂସ୍ଥା ଗୁଡିକକୁ ଭାଙ୍ଗି ଦିଆ ଯାଇଛି । କାରଣ ଏହି ସମସ୍ତ ପଦପଦବୀରେ ଯେଉଁମାନେ ଥିଲେ ସେମାନେ ଇସ୍ତଫା ଦେଇ ପଳାୟନ କରିଛନ୍ତି । ଏମାନେ ସମସ୍ତେ ଆୱାମୀ ଲିଗ ର ରାଜନୈତିକ ନେତା ।
ନିର୍ବାଚନ ପାଇଁ ନୂତନ ସମ୍ବିଧାନ ପ୍ରଣୟନ ଜରୁରୀ । ଏଥିପାଇଁ ସମ୍ବିଧାନ ସଭା ଗଠନ ଜରୁରୀ । କିନ୍ତୁ ପାର୍ଲିଆମେଣ୍ଟ ଭାଙ୍ଗି ଯିବା ପରେ କୌଣସି ସାଂସଦ ନାହାନ୍ତି । ଅନ୍ୟ ପକ୍ଷରେ ଗତ ଦୁଇଟି ନିର୍ବାଚନରେ ବିରୋଧୀ ଦଳର ଅଂଶ ଗ୍ରହଣ ନ ଥିଲା । ନିର୍ବାଚନକୁ ମଧ୍ୟ ବଙ୍ଗଳାଦେଶ ଗ୍ରହଣ କରୁ ନଥିଲା । ତେଣୁ ସମ୍ବିଧାନ ସଭାକୁ ପ୍ରତିନିଧି କିପରି ନିର୍ବାଚିତ ହେବେ ତାହା ଏକ ସାମ୍ବିଧାନିକ ପ୍ରଶ୍ନ ।
ଭାରତ ବିଭାଜନ ପୂର୍ବରୁ ଏଭଳି ସଙ୍କଟ ସୃଷ୍ଟି ହେଇ ନ ଥିଲା । ସେତେବେଳେ ୧୯୩୫ଭାରତ ଶାସନ ଆଇନ ମାଧ୍ୟମରେ ସମ୍ବିଧାନ ସଭାକୁ ପ୍ରତିନିଧି ନିର୍ବାଚିତ ହେଇ ପାରିଥିଲେ ।
ବଙ୍ଗଳା ଦେଶର ନୂତନ ସମ୍ବିଧାନ ପ୍ରଣୟନ ପାଇଁ ବ୍ୟାପକ ଓ ସମାବେଶୀ ପ୍ରତିନିଧିତ୍ୱ ଦରକାର । ନିଶ୍ଚୟ ଏ ସମ୍ପର୍କରେ ଆଲୋଚନା ଚାଲିଥିବ । ଛାତ୍ର ଓ ଯୁବ ଗୋଷ୍ଠୀ ଏଥିରେ ଗୁରୁତ୍ୱପୂର୍ଣ ଭୂମିକା ପାଳନ କରିବେ । ସେମାନଙ୍କ ପରାମର୍ଶ ଅନୁଯାୟୀ ନିର୍ବାଚନ ମଣ୍ଡଳୀଗୁଡିକ ଗଠନ ହେଇ ପାରେ । ବିଭିନ୍ନ ସମ୍ପ୍ରଦାୟ, ବର୍ଗ , ଧର୍ମୀୟ ଗୋଷ୍ଠୀ, ବୁଦ୍ଧିଜୀବୀ, ସମ୍ବାଦ ସଂସ୍ଥାର ପ୍ରତିନିଧି ଯେଭଳି ସମ୍ବିଧାନ ସଭାକୁ ମନୋନୀତ / ନିର୍ବାଚିତ ହେବେ ସେଇଥିପାଇଁ ସମ୍ବିଧାନ ସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ଗଠିତ ହେବ ।
ବଙ୍ଗଳା ଦେଶରେ ସମ୍ବିଧାନବିଦ , ଆଇନ ବିଶାରଦ , ଉଚ୍ଚ ଶିକ୍ଷିତ ସାମାଜିକ କର୍ମୀ ବ୍ୟାପକ ସଂଖ୍ୟାରେ ଅଛନ୍ତି । ବଙ୍ଗଳା ଦେଶର ଶିକ୍ଷିତ ହାର ମଧ୍ୟ ଭାରତ ଠାରୁ ବହୁତ ଆଗରେ । ତେଣୁ ସମ୍ବିଧାନ ସଭାକୁ ଧର୍ମ ନିରପେକ୍ଷ,ଲିବରାଲ,ସାମାଜିକ ନ୍ୟାୟ କର୍ମୀ ମୌଳବାଦୀଙ୍କୁ ପ୍ରତିନିଧି ସଭା ନିର୍ବାଚନରେ ଜିତାଇବେ ନାହିଁ ।
ସମ୍ବିଧାନ ପ୍ରଣୟନ ହେଇ ଗଲେ ତୁରନ୍ତ ନିରପେକ୍ଷ , ନିର୍ମଳ ନିର୍ବାଚନ କରି ନୂଆ ନିର୍ବାଚିତ ସରକାର ପ୍ରତିଷ୍ଠା ହେଇ ପାରିବ ।
ଏହି ସମସ୍ତ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଇ ନ ଦେବା ପାଇଁ ଆୱାମୀ ଲିଗ ନେତାମାନେ ବିଦେଶରେ ରହି ଉଦ୍ୟମ କରିବେ । ସେଇ କାରଣରୁ ଭାରତ ସରକାର ହାସିନାଙ୍କୁ ବେଶି ଦିନ ରାଜନୈତିକ ଆଶ୍ରୟ ଦେବା ଅନୁଚିତ । ଏହା ଭାରତ ସ୍ୱାର୍ଥରେ ନୁହେଁ । ବଙ୍ଗବନ୍ଧୁ ମୁଜିବୁରଙ୍କୁ ମୌଳବାଦୀ ପାକିସ୍ତାନ ସମର୍ଥକ ସେନା ଦ୍ୱାରା ହତ୍ୟା ବେଳେ ହାସିନାଙ୍କୁ ଆଶ୍ରୟ ଦେବା ଓ ବର୍ତ୍ତମାନ ଆଶ୍ରୟ ଦେବା ସମ୍ପୂର୍ଣ୍ଣ ଅଲଗା । ସେତେବେଳେ ହାସିନା ଜଣେ ସାଧାରଣ ବଙ୍ଗଳା ଦେଶ ନାଗରିକ ଥିଲେ ଓ ତାଙ୍କୁ ଅନ୍ୟ କୌଣସି ରାଷ୍ଟ୍ର ଆଶ୍ରୟ ଦେଲେ ନାହିଁ । ବର୍ତ୍ତମାନ ହାସିନା ଜଣେ ଜନତାଙ୍କ ବିଦ୍ରୋହ ଦ୍ୱାରା କ୍ଷମତା ଚ୍ୟୁତ ପ୍ରଧାନମନ୍ତ୍ରୀ । ତାଙ୍କୁ ଆଶ୍ରୟ ଦେବା ଅର୍ଥ ବଙ୍ଗଳା ଦେଶରେ ପୁଣି ଅରାଜକତା ସୃଷ୍ଟି କରିବା ପାଇଁ ଭାରତ ଭୂଇଁକୁ ସେ ବ୍ୟବହାର କରିବେ ଓ ଭାରତରେ ସ୍ୱାଧୀନତା ପରଠାରୁ ଥଇଥାନ ହେଇଥିବା ପୂର୍ଵ ବଙ୍ଗବାସୀଙ୍କୁ କାଠ ପୁତୁଳି କରିବାକୁ ଚେଷ୍ଟା କରିବେ ।
ଏହା ଭାରତର ସୁରକ୍ଷା ଓ ଅର୍ଥନୈତିକ ଫାଇଦା ପାଇଁ ମଧ୍ୟ ଅନୁକୂଳ ହେବ ନାହିଁ ।
ବର୍ତ୍ତମାନ ବଙ୍ଗଳା ଦେଶ ଭାରତ ମଧ୍ୟରେ ୧୬ ବିଲିୟନ ଡଲାର ବାଣିଜ୍ୟ କାରବାର ହେଉଛି । ଅଦାନୀ ପାୱାର, ଭି ଆଇ ପି, ଏମାମି, ଟାଟା ମଟର୍ସ, ମେରିକୋ, ଡାବର, ଏସିଆନ ପେଣ୍ଟସ, ପିଡି ଲାଇଟ, ବଜାଜ, ହିରୋ ମୋଟର କରପୋରେଶନ, ଜୁବିଲାଣ୍ଟ ଫୁଡ଼ ୱାର୍କସ ଇତ୍ୟାଦି ।