ଅବଢ଼ା ପ୍ରିୟ ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର, ଏଣିକି ଆନନ୍ଦ ବଜାରରେ ଲାଗିବ ଦର ତାଲିକା

ପୁରୀ : ଦୀନବନ୍ଧୁ ଦଇତାରୀ, କୋଠ ଭୋଗଖିଆ, ଅନାଥଙ୍କ ନାଥ ଶ୍ରୀଜଗନ୍ନାଥ। ମାତ୍ର ମହାପ୍ରଭୁଙ୍କ ମହାପ୍ରସାଦ ଦର ଏତେ ଅଧିକ ରହୁଥିଲା ଯେ, ଦୀନବନ୍ଧୁ , କୋଠ ଭୋଗ ଆଶା ରଖିଥିବା ଲୋକ କି ଅନାଥ ଦୂରର କଥା, ନିମ୍ନ ମଧ୍ୟବିତ୍ତ ଭକ୍ତଟିଏ ମଧ୍ୟ ପର୍ଯ୍ୟାପ୍ତ ମହାପ୍ରସାଦ କିଣିପାରେ ନାହିଁ। ଏହାକୁ ନେଇ ଭକ୍ତ, ପୁରୀ ବାସିନ୍ଦା ଏବଂ ବିଭିନ୍ନ ବର୍ଗର ଅସନ୍ତୋଷ ରହିଥିଲା। ଅବଢାକୁ ନେଇ କେତେକ ସମୟରେ ଆନନ୍ଦ ବଜାରରେ ବିଶୃଙ୍ଖଳା ମଧ୍ୟ ଦେଖିବାକୁ ମିଳୁଥିଲା। ତେଣୁ ଅବଢା ଦର ନିୟନ୍ତ୍ରଣ ସହ ବିଶୃଙ୍ଖଳା ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡିଛି।

ନିକଟରେ ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତି ନିଯୋଗର ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା।  ଆନନ୍ଦବଜାର ସମ୍ପର୍କିତ ପ୍ରାୟ ୨୦ଟି ପ୍ରସଙ୍ଗରେ ଆଲୋଚନା କରାଯାଇଛି। ନିଆଯାଇଥିବା କେତେକ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆବଶ୍ୟକ ବିଚାରବିମର୍ଶ ଓ ସୁପାରିସ ପାଇଁ ଏକ ସବ୍‌କମିଟି  ମଧ୍ୟ ଗଠନ କରାଯାଇଛି। ଏହି କମିଟି ୭ରୁ ୧୦ ଦିନ ଭିତରେ ଆବଶ୍ୟକ ସୁପାରିସ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ପ୍ରଦାନ କରିବ ବୋଲି ସ୍ଥିରୀକୃତ କରାଯାଇଛି। ଏହି ସବ୍ କମିଟିରେ ଶ୍ରୀମନ୍ଦିର ତିନିଜଣ ପ୍ରଶାସକ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର କମାଣ୍ଡାଣ୍ଡ୍‌, ତିନି ପରିଚାଳନା କମିଟି ସଦସ୍ୟ, ସୁଆର ମହାସୁଆର ନିଯୋଗ ସଭାପତି, ସଂପାଦକ ଓ ବରିଷ୍ଠ ସଦସ୍ୟ ଦାମୋଦର ମହାସୁଆର ପ୍ରମୁଖ ରହିଛନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ଜଗନ୍ନାଥ କର ଓ ମାଧବ ମହାପାତ୍ର, ସୁଆର ମହାସୁଆର ନିଯୋଗ ସଭାପତି ଓ ସଂପାଦକ, ନିଯୋଗର ବରିଷ୍ଠ ସଦସ୍ୟମାନେ ଥିଲେ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, କେବଳ ସ୍ୱତ୍ତଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ। ଏହାର ତାଲିକା ସୁଆର ମହାସୁଆର ନିଯୋଗ ପ୍ରଦାନ କରିବ। କିଏ, କେଉଁଠି, କେତେ ପରିମାଣର ମହାପ୍ରସାଦ ବିକ୍ରି କରିବ, ତାର ସବିଶେଷ ତାଲିକା ନିଯୋଗ ଦେବ। ଏହି ତାଲିକା ଆଧାରରେ ଅଣସୁପକାର ଓ ଅନ୍ୟ ବ୍ୟକ୍ତିଙ୍କୁ ଆନନ୍ଦବଜାରରୁ ତଡ଼ାଯିବ। କେଉଁ ଜାଗାରେ ସୁପକାରମାନେ ମହାପ୍ରସାଦ ବିକିବେ, ସ୍ଥାନ ମଧ୍ୟ ପୂର୍ବରୁ ଚିହ୍ନଟ କରାଯିବ।  ଏହି ଅନୁସାରେ ଷ୍ଟଲ୍‌ ସବୁର ନମ୍ବରିଂ ହେବ ଓ ସାଇନେଜ୍‌ ଲାଗିବ। ସୁପକାରମାନଙ୍କୁ ପରିଚୟପତ୍ର ବି ସେହି ଅନୁସାରେ ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୁଲିସ ସହାୟତା ପାଇଁ ଆନନ୍ଦବଜାରରେ ପୁଲିସ ସହାୟତା କେନ୍ଦ୍ର ଖୋଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।  ଅନୁରୂପ ଭାବେ ଆନନ୍ଦବଜାରରେ ପଲିଥିନ୍‌ ପକାଯିବନି। ଆବଶ୍ୟକ ଜାଗାରେ ଶ୍ରୀମନ୍ଦିର ପ୍ରଶାସନ ତାରପିନର ବ୍ୟବସ୍ଥା କରିବ। କୋଇଲି ବୈକୁଣ୍ଠ, ଭୋଗମଣ୍ଡପ ନିକଟରେ ମହାପ୍ରସାଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେବ। କେବଳ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ଭୋଗ ହିଁ ଆନନ୍ଦବଜାରରେ ବିକ୍ରି ହେବ। କ୍ଷୀରା, ରାବିଡ଼ି ଆଦି ବିକ୍ରି ବନ୍ଦ ହେବ। ଆନନ୍ଦବଜାର ମାଳି ଦୋକାନରେ ଖେଳଣା ବନ୍ଧୁକ ସହ ଅନ୍ୟାନ୍ୟ ଖେଳଣା ବିକ୍ରି ବିକ୍ରି ବନ୍ଦ ହେବ। ବାସି ମହାପ୍ରସାଦ ବିକ୍ରି ଉପରେ ମଧ୍ୟ ରୋକ୍ ଲାଗିବ।  ମହାପ୍ରସାଦରେ ଡାଲ୍‌ଡା ଘିଅ ବ୍ୟବହାର ହେଲେ, କାର୍ଯ୍ୟାନୁଷ୍ଠାନ ହେବ। ଦର ତାଲିକା ବି ଖୁବଶୀଘ୍ର ଲାଗିବ। ଯଦ୍ବାରା ଭକ୍ତମାନେ ଶୋଷଣମୁକ୍ତ ହୋଇପାରିବେ ବୋଲି ଆଶା ରଖାଯାଇଛି।

Leave a Reply

Your email address will not be published. Required fields are marked *