ଓଡ଼ିଶା ଗସ୍ତରେ ଆସି ନୀତିଶ ଅପଦସ୍ଥ, ଲଲନ ଓ ଝା ଅପମାନିତ
ଭୁବନେଶ୍ୱର,୧୦/୫(ବ୍ୟୁରୋ): ସାରା ଦେଶରେ ବିରୋଧି ଦଳ ମାନଙ୍କୁ ଭେଟି ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଚ-ଏନଡିଏ ବିରୋଧରେ ଏକଜୁଟ୍ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଦିନକ ପୂର୍ବରୁ ନୀତିଶ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକୁ ଉଭୟ ନୀତିଶ-ନବୀନ ସୌଜନ୍ୟମୂଳକ କହିଥିବା ବେଳେ ବିହାର ଜେଡି-ୟୁ କାର୍ଯ୍ୟାଳୟ ବିରୋଧି ଏକତା କାର୍ଯ୍ୟକ୍ରମ ବୋଲି ଆଖ୍ୟା ଦେଇଛି। ଯାହାକୁ ନେଇ ଉଭୟ ଓଡ଼ିଶା-ବିହାର ରାଜନୀତିରେ ଦ୍ୱନ୍ଦ ସୃଷ୍ଟି ହୋଇଛି। ଏପରିକି ନୀତିଶ କୁମାରଙ୍କ ନବୀନ ନିବାସରେ ମଧ୍ୟାହ୍ନ ଭୋଜନକୁ ନେଇ ଜେଡିୟୁ, ଆରଜେଡି ତଥା ପୁରାତନ ଜନତା ଦଳର କେତେକ ନେତା ଆପତ୍ତି ଉଠାଇଛନ୍ତି। ନୀତିଶଙ୍କ ମୁହଁରେ ଏକଥା କେହି କହୁ ନ ଥିଲେ ବି ପାଟନାର ପାଓ୍ୱାର କରିଡରରେ କୁମାରଙ୍କ ଓଡ଼ିଶା ଗସ୍ତକୁ ଅସଫଳ ବୋଲି ଅଭିହିତ କରାଯାଇଛି।
ନୀତିଶ କୁମାର କୌଣସି ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଶା ଆସି ନ ଥିଲେ। ତାଙ୍କ ସହ ଜେଡିୟୁର ରାଷ୍ଟ୍ରୀୟ ସଭାପତି ଲଲନ ସିଂ ଏବଂ ବରିଷ୍ଠ ନେତା ସଞ୍ଜୟ ଝା ପ୍ରମୁଖ ରହିଥିଲେ। ନୀତିଶଙ୍କ ଗସ୍ତ ପୂର୍ବରୁ ଲଲନ ସିଂ ବିଭିନ୍ନ ରାଜ୍ୟ ଗସ୍ତ କରି ଆଲୋଚନା ଜାରି ରଖିଛନ୍ତି। ଲଲନ ଏବଂ ସଞ୍ଜୟ ଝା ଆଲୋଚନା ସମୟରେ ଦୂରରେ ରହିଥିଲେ। ମାତ୍ର ମଧ୍ୟାହ୍ନ ଭୋଜନ ସମୟରେ ନୀତିଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କ ସହ ସିଏମଓର ଜନୈକ ଅଧିକାରୀଙ୍କୁ ଦେଖାଯାଇଥିଲା। ଯାହାକୁ ନେଇ ବିହାର ଓ ଓଡ଼ିଶାର ଲୋହିଆ-ଜେପି ବାଦୀଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି। ନବୀନ ପଟ୍ଟନାୟକ ଲଲନ ଏବଂ ସଞ୍ଜୟ ଝାଙ୍କୁ ମଧ୍ୟାହ୍ନ ଭୋଜନରେ ନିଜ ସାଙ୍ଗରେ ନ ବସାଇବା ଟା ଗୋଟେ ଅସୌଜନ୍ୟତା ବୋଲି କହିଛନ୍ତି। ବାହାଘରରେ ବର ଅପେକ୍ଷା ବରଯାତ୍ରୀଙ୍କ ସମ୍ମାନକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। କୌଣସି ସରକାରୀ କାର୍ଯ୍ୟକ୍ରମ ନ ଥାଇ ଅଧିକାରୀଙ୍କୁ ଯଦି ସାଙ୍ଗରେ ବସାଯାଉଛି, ତେବେ ଜଣେ ପାର୍ଟିର ଜାତୀୟ ସଭାପତି ଓ ବରିଷ୍ଠ ନେତାଙ୍କୁ କାହିଁକି ନୁହେଁ।
ବିଭିନ୍ନ ସମୟରେ ନିଜ ଆତ୍ମସମ୍ମାନକୁ ନେଇ ବେଶ୍ ଯତ୍ନଶୀଳ ହୋଇଥିବା ନୀତିଶ କଣ ପାଇଁ ଚୁପ୍ ରହିଲେ ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ବିହାରର ଯୁବ ରାଜନୈତିକ ସମୀକ୍ଷକ କୁମାର ସିଂ କୁହନ୍ତି ଯେ, ଯେଉଁ ଅଧିକାରୀ ଜଣଙ୍କ ନବୀନ ଏବଂ ନୀତିଶଙ୍କ ସହ ମଧ୍ୟାହ୍ନ ଭୋଜନ କଲେ, ତାଙ୍କରି କ୍ୟାଡର ବର୍ଷର ଜଣେ ଅଧିକାରୀ ଭିଆରଏସ୍ ନେଇ ଜେଡିୟୁରେ ଅଛନ୍ତି। ଅଧିକାରୀରୁ ରାଜନେତା ବନିଥିବା ଏହି ନେତା କେବେ ସୌଜନ୍ୟତା ଭୁଲି ନାହାନ୍ତି। ସାଧାରଣରେ ସେ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରିବା ବା ଅସମ୍ମାନ କରନ୍ତି ନାହିଁ। ନୀତିଶ ନିଜର ଓଡିଶା ଗସ୍ତ ପୂର୍ବରୁ ହୋମ୍ ଓ୍ୱାର୍କ କରିବା ଥିଲା। ତାଙ୍କୁ ଦିଆଯାଇଥିବା ରାଜନୈତିକ ପରାମର୍ଶ ଅପରିପକ୍ୱ ଥିବା ପ୍ରତୀୟମାନ ହେଉଛି।
ରାଜନୈତିକ ଆଲୋଚନା ନ କରି ଗଣ୍ଡେ ଭାତ ଖାଇ ପୁରୀରେ ବିହାର ଭବନ ପାଇଁ ଜାଗା ଖଣ୍ଡେ ପାଇଁ କଣ ନୀତିଶ ଓଡ଼ିଶା ଆସିଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ନୀତିଶ କୁମାରଙ୍କ ଗସ୍ତର ଦିନକ ପରେ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରୁଛନ୍ତି। ଏହି ସମୟରେ କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ କେତେକ ପ୍ରତିନିଧିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ନୀତିଶଙ୍କ ସହ ମିଳାମିଶା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ବିଜେପି ନେତୃତ୍ୱ ସହ କୌଣସି ଫାଟ ସୃଷ୍ଟି ନ କରୁ ବୋଲି ନବୀନ ଚାହୁଁଛନ୍ତି। ତେଣୁ ସେ ଗଣମାଧ୍ୟମ ସମ୍ମୁଖରେ ନୀତିଶଙ୍କୁ ଚତୁରତାର ସହ ମେଣ୍ଟ ସମ୍ପର୍କରେ ଆଲୋଚନା ହୋଇ ନ ଥିବା କୁହାଇ ପାରିଛନ୍ତି। ତେଣୁ ନୀତିଶ ଓଡ଼ିଶା ଆସି ଏକ ପ୍ରକାର ଅପଦସ୍ଥ ହୋଇଛନ୍ତି। ସେହିପରି ଲଲନ ସିଂ ଏବଂ ସଞ୍ଜୟ ଝାଙ୍କୁ ମଧ୍ୟାହ୍ନ ଭୋଜନ ଟେବୁଲକୁ ନ ଡ଼ାକି ନବୀନ ଏକ ଅସୌଜ୍ୟନତା ପ୍ରକାଶ କରିଛନ୍ତି। ଏହା ଲଲନ ଏବଂ ଝାଙ୍କୁ ଏକ ପ୍ରକାର ଅପମାନିତ କରିଥିବା ଖୋଦ୍ ଜନତା ଦଳରେ ନେତାମାନେ ଅଭିଯୋଗ କରିଛନ୍ତି।ନୀତିଶଙ୍କ ଗସ୍ତକୁ କଟାକ୍ଷ କରି ଆମ ଆଦମୀ ପାର୍ଟି ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ବ୍ୟଙ୍ଗ କରି କହିଛନ୍ତି ଯେ, ଇଡି ସିବିଆଇ ଆସିଲେ ନୀତିଶ କୁମାର କଣ ପିଠିରେ ପଡିବେ। ଚାଲି ଆସିଲେ ଦେଖା କରିବାକୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ରାଜନୈତିକ ସମୀକ୍ଷକ ବିବେକ ନାୟକ କୁହନ୍ତି ଯେ, ନବୀନ ସମଦୂରତ୍ୱ ନୀତି ବଜାୟ ରଖିଲେ ମଧ୍ୟ ବିଜେପି ନେତୃତ୍ୱ ଆଡକୁ ଅଧିକ ଢଳି ରହିଛନ୍ତି। କୌଣସି ପ୍ରସଙ୍ଗରେ ବିଜେଡି, ଏହାର ନେତାଗଣ ଏବଂ ଏହା ଦ୍ୱାରା ପରିଚାଳିତ ଗଣମାଧ୍ୟମ ସମୂହ ମୋଦି, ଶାହା ଏବଂ ଆରଏସଏସ୍ ବିରୋଧରେ ପଦେ କହନ୍ତି ନାହିଁ। ସଂସଦରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଅନ୍ତି। ତେଣୁ ନୀତିଶଙ୍କୁ ଅପମାନିତ କରି ନବୀନ ଲାଭରେ ରହିଲେ। ଯାହା ବିଜେପିକୁ ଖୁସି କରାଇଛି। ମାତ୍ର ନବୀନଙ୍କ ଏହି ଖେଳ ଝାରସୁଗୁଡ଼ାରେ ବିଜେପିର ଭୋଟ କମାଇବ। ଦୁଇ ଦିନ ପୂର୍ବରୁ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ମଧ୍ୟ ସେହି କଥା କହିସାରିଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଆମେ ବିଜେପିକୁ ସହଯୋଗ କରୁଛୁ। ତେଣୁ ରାଜ୍ୟ ବିଜେପି ଆମକୁ ବିରୋଧ କରିବାର କୌଣସି ମାନେ ହିଁ ନାହିଁ।