ଅଗଷ୍ଟ କନଭେନସନ୍ ଜରିଆରେ ଆରମ୍ଭ ହେବ ବିରୋଧି ମେଣ୍ଟ ଅଭିଯାନ, ବିକଳ୍ପ କାର୍ଯ୍ୟସୂଚୀ ଓ ଉପଯୁକ୍ତ ସଂଯୋଜନ ନେଇ ଉଠିଲା ଆଶଙ୍କା

ଭୁବନେଶ୍ୱର : ମାତ୍ର ସପ୍ତାହକ ବ୍ୟବଧାନ ପରେ କଂଗ୍ରେସ ପୌରହିତ୍ୟରେ ରାଜ୍ୟରେ ୧୭ଟି ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳ ଦିନକ ପୂର୍ବରୁ ପୁଣି ଏକାଠି ହୋଇଥିଲେ। ପ୍ରଥମ ସାମୂହିକ କାର୍ଯ୍ୟକ୍ରମ ଭାବେ ଆସନ୍ତା ମାସ ୧୧ ତାରିଖରେ ଏକ କନଭେନସେନ୍ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରାୟ ଏକ ବଜାର ପ୍ରତିନିଧି ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ମାତ୍ର କେଉଁ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ଏହି ମେଣ୍ଟ କାର୍ଯ୍ୟ କରିବ, ସେ ନେଇ କୌଣସି ସ୍ପଷ୍ଟତା ଆସିପାରିନାହିଁ।

ଜାତୀୟସ୍ତରରେ ଗଠନ ହୋଇଥିବା ଇଣ୍ଡିଆକୁ ଦେଖି ଏହା କରାଯାଇଛି। ମାତ୍ର ଜାତୀୟସ୍ତରରେ ନିଆଯାଉଥିବା କାର୍ଯ୍ୟସୂଚୀକୁ ରାଜ୍ୟରେ ଗ୍ରହଣ କରାଯାଉନାହିଁ। ଏହାକୁ ନେଇ କେତେକ ଦଳ ହତୋତ୍ସାହ ପ୍ରକାଶ କରିଛନ୍ତି। ବିଜୁଳି, ଦରଦାମ, ବେକାରୀ ଭଳି ସାଧାରଣ କାର୍ଯ୍ୟସୂଚୀରେ ଏହି ମେଣ୍ଟ ଆଗକୁ ବଢିବାରେ ଲାଗିଛି। ସେହି ବୈଠକରେ ଯୋଗ ଦେଇଥିବା ଗୋଟିଏ ଦଳର ସଭାପତି ନିଜର ନାମ ଗୋପନ ରଖି କହିଛନ୍ତି ଯେ, ଜାତୀୟସ୍ତରରେ ସାମାଜିକ ନ୍ୟାୟକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି। ହେଲେ ଦୁଇଟି ବୈଠକରେ ସେ ନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ଆଲୋଚନା କରାଯାଇନାହିଁ। ବିଜୁଳି,ବେକାରୀ, ରୋଜଗାର ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏହି ମେଣ୍ଟ ଉପରୋକ୍ତ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଲେ ତାହା ରାଜ୍ୟର ଦୁଇ ନମ୍ବର ଦଳ ବିଜେପିକୁ ଫାଇଦା ଦେବ। ମାତ୍ର ସାମାଜିକ ନ୍ୟାୟ ପ୍ରସଙ୍ଗରେ ବିଜେପି ଏବଂ ବିଜେଡିକୁ ଘେରାଯାଇପାରିବ। ଦ୍ୱିତୀୟତଃ ଖଣି ପ୍ରସଙ୍ଗରେ ମଧ୍ୟ ଉଭୟ ଦଳକୁ ଟାର୍ଗେଟ କରାଯାଇପାରିବ। ହେଲେ ଦୁଇଟି ବୈଠକରେ ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ କିଛି ଆଲୋଚନା ନ ହେବା ନିରାଶ କରିଛି ବୋଲି ଉକ୍ତ ନେତା ଜଣଙ୍କ କହିଛନ୍ତି।

ରାଜନୈତିକ ସମୀକ୍ଷକଙ୍କ ମତ ଅନୁଯାୟୀ, ମଣ୍ଡଳ କମିସନ ବେଳେ ବିଜେପିର ଯାହା ଆଭିମୁଖ୍ୟ ଥିଲା। ସିପିଏମର ମଧ୍ୟ ସେହି ଆଭିମୁଖ୍ୟ ରହିଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ ଉପରେ ସିପିଏମ୍ ନୈତିକ ଚାପ ପକାଇପାରିବ ନାହିଁ। ସେହିପରି ଆର୍ଥିକ ଭାବେ ସମୃଦ୍ଧ ଥିବା ନିରଞ୍ଜନ ପଟ୍ଟନାୟକଙ୍କ ସହାୟତାରେ ଏହି ଛୋଟ ଛୋଟ ଦଳ କିଛି କାର୍ଯ୍ୟକ୍ରମ କରୁଛନ୍ତି। କେତେକ ସ୍ଥାନରେ ବିଜେପିକୁ ହରାଇବା ପାଇଁ ବିଜେଡି ଏବଂ କେତେକ ସ୍ଥାନରେ ବିଜେଡିକୁ ହରାଇବା ପାଇଁ ବିଜେପି ଏହି ମେଣ୍ଟର ସହାୟତା ନେବାର ଆଶଙ୍କା ମଧ୍ୟ ରହିଥିବା ସେ କହିଛନ୍ତି। ପୁରୀର ଯୁବ ସମାଜସେବୀ ଅଭୟ ପ୍ରଧାନ କହିଛନ୍ତି ଯେ, ରାଜ୍ୟ କଂଗ୍ରେସ ଓ ବାମଦଳ ଗୁଡିକର ନେତୃତ୍ୱ ଜାତୀୟ ରାଜନୀତି ଏବଂ ଆଗାମୀ ସମ୍ଭାବନାକୁ ଠିକ୍ ଭାବେ ଅନୁଶୀଳନ କରିପାରୁନାହାନ୍ତି। ସୌଜନ୍ୟମୂଳକ ଭାବେ ନିର୍ବାଚନ ଆସିଥିବାରୁ ଏପରି କରୁଛନ୍ତି। ଜାତୀୟସ୍ତରରେ ଇଣ୍ଡିଆ ଯେପରି ସାମାଜିକ ନ୍ୟାୟ ଏବଂ ସଂଘୀୟ ଗଣତନ୍ତ୍ରକୁ ନେଇ ଲକ୍ଷ୍ୟ ସ୍ଥିରୀକୃତ କରୁଛି, ରାଜ୍ୟସ୍ତରରେ ସେପରି ହେବା ଦରକାର । ବିଭିନ୍ନ ଦଳକୁ ବାଦ୍ ଦେିଇ ଅନେକ ରାଜନୈତିକ ବ୍ୟକ୍ତିବିଶେଷ ରାଜ୍ୟରେ ଅଛନ୍ତି, ଯେଉଁମାନେ ବିକଳ୍ପ କାର୍ଯ୍ୟସୂଚୀରେ ରାଜନୈତିକ କାର୍ଯ୍ୟକ୍ରମକୁ ମୋଡ଼ ଦେଇପାରିବେ। ମାତ୍ର ଏପର୍ଯ୍ୟନ୍ତ କଂଗ୍ରେସ ଓ ବାମଦଳ ପକ୍ଷରୁ ସେ ପ୍ରୟାସ କରାଯାଇ ନ ଥିବା ଶ୍ରୀ ପ୍ରଧାନ ମତ ଦେଇଛନ୍ତି।
