ବେଙ୍ଗଲୁରୁ ପରେ ଓଡ଼ିଶାରେ ବସିଲା ନଅ ବିରୋଧି ଦଳଙ୍କ ବୈଠକ, ଅଗଷ୍ଟ ମାସରେ ଆହୁରି ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ୱର :   ଶେଷରେ କଂଗ୍ରେସକୁ ବୁଝା ପଡିଲା। ଜାତୀୟ ସ୍ତରରେ ମେଣ୍ଟ ରାଜନୀତି ଧାର ଧରିବା ପରେ ଓଡ଼ିଶାରେ ଏନେଇ ପ୍ରଥମ ପ୍ରକ୍ରିୟା ଆରମ୍ଭ କଲେ ପିସିସି ସଭାପତି ଶରତ ପଟ୍ଟନାୟକ। ଗୁରୁବାର ରାଜଧାନୀର ଏକ ଘରୋଇ ହୋଟେଲରେ ରାଜ୍ୟରେ ସକ୍ରିୟ ଅଣ ବିଜେପି-ବିଜେଡି ଦଳ ଗୁଡିକ ନେଇ ଏକ ପ୍ରାଥମିକ ବୈଠକ ହୋଇଯାଇଛି। ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପ୍ରୟାସରେ ସାମାଜିକ ଆନ୍ଦୋଳନର ଦୁଇଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ଆବାହକତ୍ୱରେ ମଧ୍ୟ ଅଣ ବିଜେପି-ଅଣ ବିଜେଡି ମେଣ୍ଟ ନେଇ ତତ୍ପରତା ପ୍ରକାଶ ପାଇଥିଲା।  ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ବୃଦ୍ଦି ପାଇବ ବୋଲି ମିଳିତ ବିରୋଧି ଦଳ ପକ୍ଷରୁ କୁହାଯାଇଛି।

ବୈଠକରେ ଯୋଗ ଦେଇ ବିଜେପି ଦୁଇ କୋଟି ରୋଜଗାର ଦେବାକୁ କହି ଯୁବକଙ୍କୁ ଠକିଛି। ବିଜେଡି-ବିଜେପି ଭାଇ ଭାଇ। ସେମାନଙ୍କ ବିରୋଧରେ ଏକ ହେବାର ସମୟ ଉପନୀତ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ସେହିପରି ସିପିଏମ୍ ନେତା ଜନାର୍ଦ୍ଦନ ପତି କହିଛନ୍ତି ଯେ, ବିଜେପି-ବିଜେଡି ବିରୋଧରେ ଏକ ହେବାର ସମୟ ଆସିଛି। ପ୍ରଥମ ଥର ପାଇଁ ଏକାଠି ହୋଇଥିବା ନଅଟି ଦଳ ଆଗାମୀ ଦିନରେ ଅନ୍ୟ ଦଳକୁ ଯୋଡିବ। ଅଗଷ୍ଟ ପ୍ରଥମ ସପ୍ତାହରେ ଏ ନେଇ କାର୍ଯ୍ୟକ୍ରମ ହେବ ବୋଲି ଶ୍ରୀ ପତି ସୂଚନା ଦେଇଛନ୍ତି। ସେହିପରି ସମାଜବାଦୀ ପାର୍ଟି ସଭାପତି ରବି ବେହେରା କହିଛନ୍ତି ଯେ, ଧାନ କ୍ୱିଣ୍ଟାଲ ପିଛା ଏମଏସପି ବୃଦ୍ଧି କରାଯାଉନାହିଁ। ଏହି ଦଳ ଗୁଡିକ କରିଥିବା ବୈଠକକୁ ନେଇ ବିଜେଡି-ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *