ବିପର୍ଯ୍ୟୟ ଆଣିଛନ୍ତି ହରିୟାଣା କଂଗ୍ରେସ ନେତା

ଚଣ୍ଡୀଗଡ଼: (ପ୍ରଧାନ ରଙ୍ଗା ଚରଣ)-କଂଗ୍ରେସ ୩୯.୩% ଭୋଟ।
ବିଜେପି  ୩୯.୯ % ଭୋଟ ।‌

ଅତଏବ ବିଜେପି କଂଗ୍ରେସ ଠାରୁ ୦.୬% ଅଧିକ ଭୋଟ ପାଇଲା । ତେଣୁ ବିଜେପି କଂଗ୍ରେସ ଠାରୁ ୧୧ ଟି ଆସନ ଅଧିକ ପାଇଲା ।‌ ଯଦି ଏଥି ମଧ୍ୟରୁ ୬ଟି ଆସନ କଂଗ୍ରେସ ନେଇ ଯାଇଥାନ୍ତା ତେବେ ଆଜି ସେଠାରେ କଂଗ୍ରେସ ସରକାର ଗଢିଥାନ୍ତା

ଆପ୍ ୧.୭% ଭୋଟ ପାଇଛି । ଯେବେ ଠାରୁ ଶୁଶିଲ ଗୁପ୍ତା ହରିଆଣା ଆପ୍ ଦାୟିତ୍ୱ ନେଇଛନ୍ତି, ସେଠାରେ ସେ ବହୁତ ପରିଶ୍ରମ କରିଛନ୍ତି। ଯେହେତୁ ହରିଆଣାର ଦୁଇପାଖରେ ଦୁଇଟି ଆପ୍ ଶାସିତ ରାଜ୍ୟ ଅଛନ୍ତି ତେଣୁ ଆପ୍ ପାଇଁ ହରିଆଣା ଏକ ମହତ୍ତ୍ଵପୂର୍ଣ୍ଣ ରାଜ୍ୟ। ସେଥିପାଇଁ ଆପ୍ ପରିଶ୍ରମ କରିଥିଲା। କିନ୍ତୁ ଦୀର୍ଘ ଦିନ ଧରି ଆପ୍ ର ପ୍ରମୁଖ ନେତାମାନେ ଜେଲରେ ରହିବାରୁ ସବୁ ଯୋଜନା ପାଣିରେ ପଡ଼ିଲା । କଳ୍ପନା କରନ୍ତୁ, ପଞ୍ଜାବ ନିର୍ବାଚନ ପୁର୍ବରୁ କେଜରିୱାଲ ଯେତେଥର ପଞ୍ଜାବ ଯାଇଥିଲେ ହରିଆଣା ବେଳକୁ ତାହାର ଏକ ଚତୁର୍ଥାଂଶ ଥର ବି ଯାଇ ନାହାନ୍ତି। ଆପ୍ ଭଳି ଦଳ ପାଇଁ ନିର୍ବାଚନର ୬ ମାସ ପୁର୍ବରୁ ପରିଶ୍ରମ ମହତ୍ତ୍ୱପୂର୍ଣ୍ଣ ଅଟେ । ଯଦି ତାହା ହୋଇ ନାହିଁ ତେବେ ଶେଷ ସମୟରେ ଯେତେ ରୋଡ଼ ସୋ କଲେ ବି ତାହା ଫଳପ୍ରଦ ହୋଇ ନଥାଏ । ହରିଆଣା ବେଳକୁ ଏହି ୬ ମାସ ପୂର୍ବ ସମୟରେ ଆପ୍ ର ସବୁ ପ୍ରମୁଖ ନେତା ଜେଲରେ ଥିଲେ। ତେଣୁ ଆପ୍ ମାତ୍ର ୧.୭% ଭୋଟ ପାଇଲା ।

ମୋଟ କଥା ହେଲା, ଯେତେବେଳେ ବିଜେପି ଓ କଂଗ୍ରେସ ମଧ୍ୟରେ ଭୋଟ ପ୍ରତିଶତ ବ୍ୟବଧାନ ମାତ୍ର ୦.୬% ରହିଛି, ସେତେବେଳେ ଆପ୍ ପାଇଥିବା ୧.୭% ବହୁତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାନ୍ତା । କିନ୍ତୁ ଦୁଃଖର କଥା ଏହି ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇ ପାରିଲା ନାହିଁ। ଏଥିପାଇଁ ଭୁଲ୍ କେଉଁ ଦଳର ଥିଲା ତାହା ମୁଁ ୟୁଟ୍ୟୁବ୍ ଆଧାରରେ କହି ପାରିବି ନାହିଁ।

କିନ୍ତୁ ଗୋଟିଏ କଥା ମୁଁ ଦେଖି ଆସୁଛି। ନିର୍ବାଚନ ପ୍ରଚାର ସମୟରେ ଆପ୍ ର କୈାଣସି ନେତା କଂଗ୍ରେସ ବିରୁଦ୍ଧରେ ପଦୁଟିଏ ବି କରି ନାହାନ୍ତି। ନିର୍ବାଚନ ଫଳ ପ୍ରକାଶ ପରେ ମଧ୍ୟ ଆପ୍ ର କୈାଣସି ନେତା କଂଗ୍ରେସ ବିରୁଦ୍ଧରେ ପଦୁଟିଏ କହି ନାହାନ୍ତି। ଅପର ପକ୍ଷରେ କଂଗ୍ରେସକୁ ଖୋଲାଖୋଲି ସମର୍ଥନ କରୁଥିବା ଅନେକ ଗୁଡ଼ିଏ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛନ୍ତି ଯେଉଁମାନେ ଆପ୍ ବିରୁଦ୍ଧରେ ପ୍ରୋପାଗଣ୍ଡା ଚଳାନ୍ତି । ଗୋଦି ଟିଭି ମିଡ଼ିଆ ଦେଖି ବିରକ୍ତ ହୋଇଥିବା ଅନେକ ଦର୍ଶକ ଆଜିକାଲି ଏହିସବୁ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖୁଛନ୍ତି।

କେଜରିୱାଲ ଗିରଫ ହେବାର କିଛି ଦିନ ମଧ୍ୟରେ ଆଶୁତୋଷ କହିଲେ ତାଙ୍କ ପାଖରେ ୫ ଜଣ ଆପ୍ ରାଜ୍ୟସଭା ସଦସ୍ୟଙ୍କ ନାଁ ଅଛି ଯେଉଁମାନେ ଖୁବ୍ ଶିଘ୍ର ବିଜେପିରେ ଯୋଗ ଦେବେ। ଯେହେତୁ ଆଶୁତୋଷ କିଛି ଦିନ ଆପ୍ ରେ ଥିଲେ ତେଣୁ ତାଙ୍କୁ ଆପ୍ ସମ୍ବନ୍ଧୀୟ ବିଶେଷଜ୍ଞ ବୋଲି ଗଣାଯାଏ। ପୁଣି ଏସବୁ ଚ୍ୟାନେଲରେ କୁହାଯାଏ ଯେ ସୁନୀତା କେଜରିୱାଲ ଦିଲ୍ଲୀର ମୂଖ୍ୟମନ୍ତ୍ରୀ ହେବେ। ବରଖା ଦତ୍ତ ତ କହିଲେ ଯେ ଦିଲ୍ଲୀ ଆପ୍ ବିଧାୟକ ଦଳରେ କେଜରିୱାଲଙ୍କ ବିରୁଦ୍ଧରେ ବିଦ୍ରୋହ ହେବ ।

କିଛି ଦିନ ପୂର୍ବେ ଜଣେ ବାମପନ୍ଥୀ ବନ୍ଧୁ ମୋତେ କହିଲେ କେଜରିୱାଲ କାହିଁକି କହିଲେ ଯେ ବିଜେପି ଯଦି କେଉଁ ରାଜ୍ୟରେ ମାଗଣା ବିଜୁଳି ଦେଇ ଦେବ ତେବେ ସେ ବିଜେପି ପାଇଁ ପ୍ରଚାର କରିବେ ?

ମୁଁ ପାଲଟା ପଚାରିଲି , କେଜରିୱାଲ କାହିଁକି ଏମିତି କହିଲେ ବୋଲି ସେ ଭାବୁଛନ୍ତି।

କମ୍ରେଡ୍ କହିଲେ ଯେ ଆପ୍ ଓ ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଅଛି।

ସେଠାରେ ଆଉ ଜଣେ ବନ୍ଧୁ କମ୍ରେଡଙ୍କୁ ବୁଝାଇଲେ ଯେ, ଏହା କହି କେଜରିୱାଲ ବିଜେପିକୁ ଚାଲେଞ୍ଜ କଲେ , ବିଜେପି ସହିତ ମିଶିବା ପାଇଁ ଆଗ୍ରହୀ ହୋଇ ସର୍ତ୍ତ ରଖୁ ନଥିଲେ। ସର୍ତ୍ତ ରଖିବାକୁ ଥିଲେ ସେ ତାହା ଖୋଲାଖୋଲି ଏକ ଭାଷଣ ମାଧ୍ୟମରେ ରଖି ନଥାନ୍ତେ।

ତେବେ ସେ ଯାହା ହେଉ, ଆଉ ଗୋଟିଏ କଥା ତ ଆଜିକାଲି ଆପଣ ଶୁଣିବାକୁ ପାଇଥିବେ । ଯଦି ଶୁଣି ନଥିବେ ତେବେ ମୁଁ କହୁଛି। ଆପଣ ଶୁଣନ୍ତୁ। କଥାକୁ ଏତେ ଗୁରୁତ୍ୱ ଦିଅନ୍ତୁ ନାହିଁ। କେବଳ ମଜା ନିଅନ୍ତୁ।

କଥାଟି ହେଲା – ସେହି ସତ୍ୟହିନ୍ଦି ଭଳି  ୟୁଟ୍ୟୁବରୁ ବାହାରିଛି – ମୋଦୀ ଗଣେଶ ପୂଜା ଦିନ ଯେଉଁ ଚନ୍ଦ୍ରଚୁଡଙ୍କ ଘରକୁ ଯାଇଥିଲେ, ଏଇଆ କହିବାକୁ ଯାଇଥିଲେ ଯେ କେଜରିୱାଲଙ୍କୁ ଜେଲରୁ ଛାଡି ଦିଅ , ଯାହା ଫଳରେ ଆପ୍ ହରିଆଣାରେ କଂଗ୍ରେସ ସହିତ ଆସନ ବୁଝାମଣା କରିବ ନାହିଁ ଓ ସମସ୍ତ ଆସନରେ ପ୍ରାର୍ଥୀ ଦେଇ କଂଗ୍ରେସ ଭୋଟ କାଟିବ ।

ମଜା କଥା ନୁହେଁ କି ? ଗତକାଲି କେତେକ କଂଗ୍ରେସ ପ୍ରବକ୍ତାଙ୍କୁ ମଧ୍ୟ ଟିଭିରେ ଏପରି କହୁଥିବାର ଶୁଣିଲି ।

ପ୍ରଥମ କଥା ହେଲା ମୋଦୀ ଏତିକି କହିବା ପାଇଁ ଚନ୍ଦ୍ରଚୁଡଙ୍କ ଘରକୁ ଆସିବାକୁ ପଡ଼ିଲା ? ତା ନ ହୋଇଥିଲେ ସେ କଣ ସେହି ବାର୍ତ୍ତା ଅନ୍ୟ‌ କେଉଁ ମାଧ୍ୟମରେ ଚନ୍ଦ୍ରଚୁଡଙ୍କ କାନରେ ପକାଇ ପାରି‌ ନଥାନ୍ତେ ? ମୂଖ୍ୟ ବିଚାରପତି ଅନେକ ଓକିଲଙ୍କୁ  ଅନୌପଚାରିକ ଭାବେ ଭେଟି ଥାନ୍ତି । କ’ଣ ସେମାନଙ୍କ ମଧ୍ୟରୁ କାହା ଜରିଆରେ ମୋଦୀ ସେ ଖବର ପଠାଇ ପାରି ନଥାନ୍ତେ ?  ସଲିସିଟର ଜେନେରାଲଙ୍କ ଜରିଆରେ ? କ’ଣ ଚନ୍ଦଚୁଡ କେଜରିୱାଲଙ୍କୁ  ବେଲ୍ ଦେବା ପାଇଁ ଏତେ ଜିଦ୍ କରିଥିଲେ ଯେ ସେ ନ ମାନିବାରୁ ଶେଷରେ ନିଜେ ମୋଦୀ ଆସି ଚନ୍ଦ୍ରଚୁଡଙ୍କୁ କହିବାକୁ ପଡ଼ିଲା ? ଯଦି ଏପରି ହୋଇଥାଏ ତେବେ ସେହି ସମାନ କେଶ୍ ରେ କେଜରିୱାଲ ଆଗରୁ ତିନି ଥର କେମିତି ବେଲ୍ ପାଇ ଥିଲେ ? ସେତେବେଳେ କେଉଁ କେଉଁ ରାଜ୍ୟରେ ନିର୍ବାଚନ ହେଉଥିଲା ? ଯଦି ହରିଆଣାରେ କଂଗ୍ରେସକୁ ହରାଇବା ପାଇଁ ମୋଦୀ କେଜରିୱାଲଙ୍କୁ ବ୍ୟବହାର କରୁଥିଲେ, ତେବେ ଫେବୃୟାରୀ ମାସରେ କାହିଁକି ସେ ତାଙ୍କୁ ଜେଲରେ ଭର୍ତ୍ତି କରୁଥିଲେ ? ସେତେବେଳେ କ’ଣ ତାଙ୍କୁ ଜଣା ନଥିଲା ଯେ ଆଗକୁ ହରିଆଣାରେ ନିର୍ବାଚନ ଅଛି ? ସେତେବେଳେ କ’ଣ ସେ କେଜରିୱାଲଙ୍କୁ ଗିରଫର ଡର ଦେଖାଇ ତାଙ୍କ ଯୋଜନାରେ ସାମିଲ କରି ପାରି ନଥାନ୍ତେ ? ସେତେବେଳେ ଗିରଫ କରି ନଥିଲେ ତ କେଜରିୱାଲ ହରିଆଣାରେ ପ୍ରଚାର କରିବା ପାଇଁ ପୁରା ସମୟ ପାଇଥାନ୍ତେ ଓ କଂଗ୍ରେସର ଆହୁରି ଅଧିକ ଭୋଟ କାଟିଥାନ୍ତେ ।

ମୁଁ ତ ଆଶ୍ଚର୍ଯ୍ୟ ହେଲି ଏସବୁ ଥିଓରୀ ଶୁଣି। ସବୁଠାରୁ ହାସ୍ୟାସ୍ପଦ କଥା ହେଉଛି ମୋଦୀ ଚନ୍ଦ୍ରଚୁଡଙ୍କ ପାଖରେ କୈାଣସି ବି ଗୁପ୍ତ ବାର୍ତ୍ତା ପଠାଇବା ପାଇଁ ତାଙ୍କୁ ନିଜେ ଯିବାକୁ ପଡ଼ିଲା ।

ମୋର ଆକଳନ ହେଉଛି ହରିଆଣାରେ ଆସନ ବୁଝାମଣା ପାଇଁ ଉଭୟ ରାହୁଲ ଗାନ୍ଧୀ ଓ କେଜରିୱାଲ ବହୁତ ଆଗ୍ରହୀ ଥିଲେ। କିନ୍ତୁ ବିଭିନ୍ନ ବୟାନ ଆଧାରରେ ମୁଁ କହିବି ଯେ କଂଗ୍ରେସର ସ୍ଥାନୀୟ ନେତାଙ୍କ ମହତ୍ତ୍ଵାକାଂକ୍ଷା ଯୋଗୁଁ ତାହା ସମ୍ଭବ ସୋଇ ପାରିନଥିଲା। ଏପରି ୭ ଟି ଆସନ ଅଛି ଯେଉଁଠାରେ କଂଗ୍ରେସ ଯେତିକି ବ୍ୟବଧାନରେ ହାରିଛି ତାହା ଆପ୍ ପାଇଥିବା ଭୋଟ ଠାରୁ କମ୍ । ଯଦି ଆପଣମାନଙ୍କ ଭିତରୁ କେହି ଏଥିପାଇଁ ଆପ୍ କୁ ଦୋଷ ଦେବେ , ତାହେଲେ ମୁଁ ତାଙ୍କୁ ଆଉ ଗୋଟିଏ ଡାଟା ଦେଉଛି। ଏପରି ୧୭ଟି ଆସନ ଅଛି, ଯେଉଁଠି କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ଯେତିକି ଭୋଟ ପାଇଛନ୍ତି, କଂଗ୍ରେସ ସେସବୁ ଆସନରେ ତା ଠାରୁ କମ୍ ବ୍ୟବଧାନରେ ହାରିଛି।

ତଥାପି ସନ୍ଧ୍ୟା ସମୟ କଟାଇବା ପାଇଁ କେତେକ ବନ୍ଧୁ ଏସବୁ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖୁଛନ୍ତି। ପଞ୍ଜାବ ନିର୍ବାଚନ ସମୟରେ ଏସବୁ ଚ୍ୟାନେଲ କହୁଥିଲେ ପଞ୍ଜାବରେ ୨୭% ଦଳିତ ଭୋଟ ଅଛି, ତେଣୁ ଚରଣଜିତ୍ ସିଂ ଚନ୍ନି ଜଣେ ଦଳିତ ନେତା ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରି କଂଗ୍ରେସ ମାଷ୍ଟର ଷ୍ଟ୍ରୋକ ଖେଳିଛି। ଶେଷରେ ଦେଖାଗଲା ନିଜେ ଚନ୍ନି ଦୁଇଟି ଆସନରୁ ହାରିଲେ।

ମୁଁ କହୁନାହିଁ ଯେ ଭାରତରେ ଜାତି ଏକ ସମସ୍ୟା ନୁହେଁ କିମ୍ବା ରାହୁଲ ଏକଥା ଉଠାଇ କିଛି ଭୁଲ୍ କରୁଛନ୍ତି। କିନ୍ତୁ ଥରେ ଚିନ୍ତା କରନ୍ତୁ। ହରିଆଣାରେ ଏହା ପୂର୍ବ ନିର୍ବାଚନରେ ମଧ୍ୟ ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳି ନଥିଲା। ତଥାପି ଗଠବନ୍ଧନ କରି ବିଜେପି ଶାସନ ଚଳାଇଲା । ଲଗାତର ଦୁଇଟି ପାଳି ଶାସନ ବିରୁଦ୍ଧରେ ଜବରଦସ୍ତ ସରକାର ବିରୋଧି ହାଓ୍ବା ରହିଥିବ । ସେତେବେଳେ ଏହାର ସୁଯୋଗ ନେଇ ସମସ୍ତ ଭୋଟ ଉପରେ ଆଖି ନ ପକାଇ, ବାରମ୍ବାର ଜାତି କଥା ଉଠାଇ କେବଳ କେତେକ ନିର୍ଦ୍ଦିଷ୍ଟ ଜାତିର ଭୋଟ ପାଇଁ ଏତେ ଚେଷ୍ଟା କାହିଁକି ହେଉଥିଲା ? ହରିଆଣାରେ ଦେଶର ସର୍ବାଧିକ ବେରୋଜଗାର ଦର । ହରିଆଣାରେ ଅନେକ ମାସରେ ସର୍ବାଧିକ ମୁଦ୍ରାସ୍ଫିତି ରହିଥାଏ ।

ଏବେ ଆସନ୍ତୁ କମ୍ରେଡଙ୍କ ପାଖକୁ। ୨୦୨୦ରେ ଦିଲ୍ଲୀ ସରକାର କହ୍ନେୟା କୁମାରଙ୍କ ବିରୁଦ୍ଧରେ କେଶ୍ ପାଇଁ ଅନୁମତି ଦେବା ପରେ ଅନେକ କଂଗ୍ରେସ ଓ ବାମପନ୍ଥୀ ବନ୍ଧୁ, ବିଶେଷ କରି ଏକାଡେମୀରୁ, ପ୍ରଚାର କଲେ ଯେ କେଜରିୱାଲ ମୋଦୀ ସଙ୍ଗେ ମିଶିଗଲା। ଏବେ ଏ ଘଟଣାକୁ ୪ ବର୍ଷ ହୋଇଗଲାଣି। ସେବେଠାରୁ ଜେଏନୟୁ ଘଟଣାରେ ଆଜି ପର୍ଯ୍ୟନ୍ତ କୋର୍ଟରେ ଗୋଟିଏ ବି ତାରିଖ ପଡୁନି। କ’ଣ କଂଗ୍ରେସ+ବାମପନ୍ଥୀ ଏବଂ ମୋଦୀଙ୍କ ଭିତରେ କିଛି ସେଟିଂ ହୋଇଛି କି ?

ଏକଥା ଶୁଣି କମ୍ରେଡ୍ ରାଗିଗଲେ। ମୁଁ ତାଙ୍କୁ ବୁଝେଇଲି ଯେ ମୁଁ କେବଳ ତାଙ୍କରି ଯୁକ୍ତିକୁ ଆଉ କିଛି ଟାଣି ଦେଲି । ମୋତେ କୁହନ୍ତୁ, ଆପ୍ ଭାରତର କେଉଁ ରାଜ୍ୟରେ ନିର୍ବାଚନ ଲଢିଲେ କଂଗ୍ରେସକୁ କ୍ଷତି ହେବ ନାହିଁ ଓ କେଜରିୱାଲ ମୋଦୀ ସଙ୍ଗେ ମିଶିଛି ବୋଲି କୁହାଯିବ ନାହିଁ ?

Leave a Reply

Your email address will not be published. Required fields are marked *