ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଝାରସୁଗୁଡା,13/4(ବ୍ୟୁରୋ ) : ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପାଇଛି l ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକଦଳ ପ୍ରାର୍ଥୀ ଘୋଷଣା ମଧ୍ୟ କରିସାରିଛନ୍ତି l ବିଜେଡ଼ି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥି କରିଛି l ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସ୍ବର୍ଗତ ବୀରେନ ପାଣ୍ଡେଙ୍କୁ ଏବଂ ବିଜେପି ଯୁବ ଚେହେରା ଟଙ୍କଧର ତ୍ରିପାଠିଙ୍କୁ ପ୍ରାର୍ଥୀ କରିଛି lବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଦ୍ୱୟ ନିକଟରେ ନିଜ ନିଜ ପିତାଙ୍କୁ ହରାଇଥିବାବେଳେ ଏମାନଙ୍କ ନଜର ଅନୁକମ୍ପା ଭୋଟ ଉପରେ ରହିଛି । ଏପ୍ରିଲ୍‍ ୨୦ତାରିଖ ସୁଦ୍ଧା ଝାରସୁଗୁଡା ଉପର୍ନିବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିବ ।
ନବ କିଶୋର ୨୦୦୯ ଓ ୨୦୧୪ରେ ଝାରସୁଗୁଡାରୁ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେଡିର କିଶୋର ମହାନ୍ତିଙ୍କୁ ହରାଇ କଂଗ୍ରେସ ପ୍ରାର୍ଥୀଭାବେ ଜିଣିଥିଲେ । ତେବେ ୨୦୧୯ରେ ସେ ବିଜେଡିପ୍ରାର୍ଥୀଭାବେ ଏଠାରୁ ବିଜୟୀ ହୋଇ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ ।ବିଜେଡିର ସାଙ୍ଗଠନିକ ଭୋଟ ସହିତ ଦୀପାଳୀ ଅନୁକମ୍ପା ଭୋଟ ପାଇବେ ବୋଲି ଶାସକ ଦଳ ଆଶା କରୁଛି l ଅନ୍ୟ ପକ୍ଷରେ କଂଗ୍ରେସ ଝାରସୁଗୁଡା ଆସନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ତରୁଣ ହେଉଛନ୍ତି ଝାରସୁଗୁଡାରୁ ତିନି ଥର କଂଗ୍ରେସ ବିଧାୟକ ଥିବା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ । ୧୯୮୦, ୧୯୮୫ ଓ ୧୯୯୫ରେ ବୀରେନ୍ଦ୍ର ଝାରସୁଗୁଡାରୁ ନିର୍ବାଚିତ ହୋଇଥିଲେ ।ନବ କିଶୋରଙ୍କ ମୃତ୍ୟୁର ପ୍ରାୟ ଦେଢମାସ ପରେ କଂଗ୍ରେସର ବରିଷ୍ଠ ନେତା ବୀରେନ୍ଦ୍ର ପାଣ୍ଡେଙ୍କର ମୃତ୍ୟୁ ହୋଇଛି । ତାଙ୍କ ଶୁଦ୍ଧିକ୍ରିୟାର ମାସେ ନପୁରୁଣୁ ଝାରସୁଗୁଡାରେ ଉପର୍ନିବାଚନ ପରିପ୍ରେକ୍ଷୀରେ ତରୁଣ ପାଣ୍ଡେ ବି ଅନୁକମ୍ପା ଭୋଟ ସହିତ କଂଗ୍ରେସର ପାରମ୍ପରିକ ଭୋଟ ପାଇବେ ବୋଲି ଦଳୀୟ ନେତାମାନେ ଆଶା କରୁଛନ୍ତି l

ସ୍ୱାଧୀନତା ପରେ ବିଧାନସଭା ପାଇଁ ହୋଇଥିବା ୧୬ଟି ନିର୍ବାଚନରୁ କଂଗ୍ରେସ ଝାରସୁଗୁଡାରୁ ଅନ୍ୟୁନ ୧୦ଥର ଜିଣିଛି । ଝାରସୁଗୁଡାକୁ କଂଗ୍ରେସର ପାରମ୍ପରିକ ଗଡ ବୋଲି କୁହାଯାଉଥିବାବେଳେ ଅତୀତରେ କିଶୋର ମହାନ୍ତି ଓ ନବ ଦାସ ଏହି ଗଡକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ । ତେବେ ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ନିର୍ବାଚନମଣ୍ଡଳୀରେ ଯେଭଳି ପ୍ରଚାର କାର୍ଯ୍ୟକ୍ରମ ଚାଲିଛି ତାହା ରାଜନୈତିକ ପାଣିପାଗକୁ ଅଧିକ ଗରମ କରୁଛି । ବିଜେଡ଼ି ପୂର୍ବ ଥର ଠାରୁ ଢେର ଅଧିକ ବ୍ୟବଧାନରେ ଜିତିବ ବୋଲି ଦଳ ଦାବି କରୁଛି l ଅପରପକ୍ଷରେ ରାଜ୍ୟର ଆଇନ ଶୃଙ୍ଗଳା ପରିସ୍ଥିତି ବିପର୍ଯ୍ୟୟ ବୋଲି ଦାବି କରିବା ସହ ବିଜେପି ସରକାରୀ ବିରୋଧୀ ବାତାବରଣର ଫାଇଦା ନେବାକୁ ଚେଷ୍ଟା କରିବ l ଅପରପକ୍ଷରେ କଂଗ୍ରେସ ରାଜ୍ୟର ଅଣ ବିଜେପି ଓ ଅଣ ବିଜେଡ଼ି ଦଳ ମାନଙ୍କୁ ଏକାଠି କରି ବାର୍ତ୍ତା ଭିତ୍ତିକ ରାଜନୀତି ଆରମ୍ଭ କରିବାକୁ ଯାଉଥିବା ଜଣା ପଡିଛି l

Leave a Reply

Your email address will not be published. Required fields are marked *