ନୂଆପଡା : ନ ଦେଖିଲା ଓଉ ଛ ଫଡା , ଅଯଥାରେ ବାଉଳା ହେଉଛନ୍ତି କି?
ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ)- ନୂଆପଡା ନିର୍ବାଚନର ଫଳ ଯାହା ହେଉ ନାହିଁ ନା କାହିଁକି, ଏହାର ଓଡିଶା ରାଜନୀତି ଉପରେ ଜିରୋ ପ୍ରଭାବ ପଡିବ । ସରକାରର ସ୍ଥିରତା ଉପରେ ଜିରୋ ପ୍ରଭାବ । ୨୦୨୯ ବିଧାନସଭା ନିର୍ବାଚନ ସହିତ ଏହାର କୌଣସି ସମ୍ପର୍କ ନାହିଁ କାରଣ ୨୦୨୯କୁ ଲମ୍ବା ସମୟ ବାକି ଅଛି ।
ଓଡିଶାର ଅର୍ଥନୀତି, ଏପରିକି ନୂଆପଡାର ଅର୍ଥନୀତି ଉପରେ ଏହାର ପ୍ରଭାବ ଜିରୋ ରହିବ ।
କୌଣସି ଫିଲ୍ମଷ୍ଟାର, କ୍ରିକେଟ ଷ୍ଟାର୍ କିମ୍ବା କୌଣସି ହାଇ ପ୍ରୋଫାଇଲ୍ ନେତା ଏହି ଉପନିର୍ବାଚନ ମାଧ୍ୟମରେ ବିଧାନସଭାରେ ପ୍ରବେଶ କରିବାକୁ ଯାଉ ନାହାନ୍ତି ।
ତେବେ ନୂଆପଡା ଉପନିର୍ବାଚନକୁ ନେଇ ଏତେ ଚର୍ଚ୍ଚା କାହିଁକି ? ଏହାର କେତୋଟି କାରଣ ମୋ ମନ ଭିତରକୁ ଆସୁଛି ।
(୧) ମିଡିଆ ଏହାକୁ ଏକ ବଡ ଘଟଣା ବୋଲି ଦେଖାଉଛି । କେତେକ ପଡାଲେଖା ଓ ଖାଲି ବସିଥିବା ଲୋକ ଏଥିରେ ପ୍ରତିକ୍ରୀୟା ଜଣାଇବାକୁ ଉତ୍ସାହିତ ହେଉଛନ୍ତି ।
(୨) ଯେବେ ଟିଭିରେ ସାନ୍ଧ୍ୟ ଡିବେଟ ପ୍ରଥା ଆରମ୍ଭ ହେଲା, ସେତେବେଳେ ସପ୍ତାହର ପ୍ରତ୍ୟେକ ସନ୍ଧ୍ୟାରେ ଜଣେ ଲେଖାଏଁ ଆଙ୍କର ଆସୁଥିଲେ । ତାଙ୍କୁ ପ୍ରୋଗ୍ରାମର ବିଷୟ ବସ୍ତୁ ବିଷୟରେ ପଢିବାକୁ ଓ ଅନୁସନ୍ଧାନ କରିବାକୁ ସମୟ ମିଳୁଥିଲା । ଏବେ ଆଙ୍କରମାନେ ନିଜେ ପିନ୍ଧିବାକୁ ଯାଉଥିବା କୋଟ୍, ଲୁକ୍ ଓ ଗଳା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଉପନିର୍ବାଚନ ଓ ଭୋଟ ବିଷୟରେ କହିବାକୁ ହେଲେ ବିଶେଷ କିଛି ପଢିବାକୁ କିମ୍ବା ଅନୁସନ୍ଧାନ କରିବାକୁ ପଡେ ନାହିଁ । ବାସ୍ , ଗୋଟିଏ ଥିଓରୀ ଉଦ୍ଭାବନ କରିବାକୁ ପଡିବ । ଆଉ କିଛି ଧରାବନ୍ଧା ଭକାବୁଲାରୀ ତ ଅଛି – ଯେମିତି ଏକ୍ସ ଫ୍ୟାକ୍ଟର, ମାଷ୍ଟର ଷ୍ଟ୍ରୋକ ଇତ୍ୟାଦି ଅଛି । ଏସବୁ ଶବ୍ଦ ବ୍ୟବହାର କରିବାରେ ମନେହେବ କିଛି ଗୋଟିଏ ଗୁଢ ରହସ୍ୟ ଅଛି । କିନ୍ତୁ ପ୍ରକୃତରେ ଏସବୁ ବହୁତ ସହଜ କଥା । ଆପଣ ବି ଅଧଘଣ୍ଟାଏ ଆଖିବୁଜି ଚିନ୍ତା କରନ୍ତୁ । ନୂଆପଡା ଉପନିର୍ବାଚନ ବିଷୟରେ କିଛି ଗୋଟିଏ ଥିଓରୀ ଆପଣଙ୍କ ମୁଣ୍ଡକୁ ଆସିବ । ବାସ୍ , ଆପଣଙ୍କୁ ଦରକାର କେବଳ ଗୋଟିଏ କୋଟ ଓ କେତେକ ଭକାବୁଲାରୀ । ତାପରେ ଆପଣ ଯେ କୌଣସି ଟିଭି ଚ୍ୟାନେଲରେ ଏକ ଘଣ୍ଟାର ପ୍ରୋଗ୍ରାମ ଆଙ୍କରିଂ କରି ପାରିବେ । ୧୫୦ ଶବ୍ଦର ଏକ ନିଉଜ୍ ରିପୋର୍ଟ ଲେଖି ପାରିବେ । ତା ପରେ ଆପଣଙ୍କ ଏହି କୃତିର ପ୍ରତିକ୍ରୀୟାରେ ସୋସିଆଲ ମିଡିଆ ଭରିଯିବ । ଏଥିରେ ଆଗ୍ରହ ଦେଖାଉନଥିବା ଲୋକ ବି ଭାବିବ, ମୁଁ ବି ଏ ବିଷୟରେ କିଛି ଲେଖିବି କି ? କାରଣ ଟିଭି ବାଲା ଟିଆରପି ପାଇଁ, ଡିଜିଟାଲ ବାଲା ଭିଉ ପାଇଁ ଓ ଫେସବୁକବାଲା ଲାଇକ୍ ପାଇଁ ପାଗଳ । କିନ୍ତୁ ପ୍ରକୃତରେ ନୂଆପଡା ଉପନିର୍ବାଚନର ସରକାର, ବିରୋଧୀ ଦଳ , ଓଡିଶାର ଅର୍ଥନୀତି, ଓଡିଶାର ରାଜନୀତି ଓ ୨୦୨୯ ବିଧାନସଭା ନିର୍ବାଚନ ଉପରେ ଜିରୋ ପ୍ରଭାବ ରହିବ ।
(୩) ଓଡିଶାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ମିଡିଆ ସଂସ୍ଥା ରହିଛି । ବେରୋଜଗାରି ଯୋଗୁଁ ଅନେକ ଲୋକ ମିଡିଆ ଲାଇନରେ ପଶିଛନ୍ତି । ତେଣୁ ମିଡିଆରେ ଦକ୍ଷତାର ପ୍ରତିଶତ କମ୍ ରହୁଛି ।
ଗୋଟିଏ ଛୋଟ ଘଟଣାରେ ଏତେଗୁଡିଏ ସଂସ୍ଥା ଏକାବେଳକେ କହିଲେ , ତାହା ଗୋଟିଏ ବହୁତ ବଡ ଘଟଣା ଭଳି ଲାଗୁଛି । ଅନ୍ୟ ପକ୍ଷରେ, ନିମ୍ନ ଦକ୍ଷତା ପ୍ରତିଶତ ଯୋଗୁଁ, ଅନେକ ମହତ୍ତ୍ବପୁର୍ଣ ଘଟଣା ଓ ଦିଗ ଉପରକୁ ଉଠି ପାରୁନାହିଁ କିମ୍ବା ଦବି ଯାଉଛି । କିଛି ସାମ୍ବାଦିକ କୁହନ୍ତି ଭୋଅଟ ଛଡା ଅନ୍ୟ ବିଷୟରେ କହିଲେ ଲୋକେ ଦେଖୁ ନାହାନ୍ତି । ଏହାର କାରଣ ଆଗରୁ ଯେଉଁମାନେ ମିଡିଆକୁ ଫଲୋ କରୁଥିଲେ, ମିଡିଆରେ ଷ୍ଟାଣ୍ଡାର୍ଡ ଖରାପ ଖରାପ ହୋଇଯିବାରୁ ଅଧିକ ଟିଆରପି ଥିବା ମିଡିଆ ଦେଖିବା ଛାଡିଦେଲେ । ତା ଠାରୁ ବଡ କଥା ହେଲା, ସାମ୍ବାଦିକମାନେ ଭୋଟ ଓ ଦଳମାନଙ୍କ ବ୍ୟତୀତ ଅନ୍ୟ ବିଷୟକୁ interesting way ରେ କହିବାକୁ ସମର୍ଥ ନୁହନ୍ତି ଓ ଅଯଥାରେ ଦର୍ଶକଙ୍କୁ ଦୋଷ ଦେଉଛନ୍ତି ।
(୪) ଗୋଟିଏ ରାଜନୈତିକ ଦଳ ଯେତେବଡ ଜନସଭା କଲେ ବି, ଯଦି ମିଡିଆ ତାକୁ କଭର ନକଲା ତେବେ ତାହାର ପ୍ରଭାବ କମ୍ ରହିବ । ଲୋକେ ଜନସଭାକୁ ଆଗ୍ରହର ସହ ଆସୁ ନାହାନ୍ତି । ସବୁ ଦଳ ନିଜ ନିଜ ଜନସଭାକୁ ଲୋକ ବୋହିକରି ଆଣୁଛନ୍ତି । ତେବେ ଲୋକ କମ ଆସିଲେ ବି ଚଳିବ । କ୍ୟାମେରା ଆଙ୍ଗଲକୁ ଏମିତି ରଖାଯିବ ଯେ ପ୍ରବଳ ଜନସମାଗମ ହୋଇଛି ବୋଲି ଜଣାପଡିବ । ତେଣୁ ଗୋଟିଏ ପ୍ରୋପାଗଣ୍ଡା ଅସ୍ତ୍ର ଭାବେ ଗଣମାଧ୍ୟମର ଉପାଦେୟତା ବଢି ଯାଇଛି । ଏକଥା ରାଜନୈତିକ ଦଳମାନେ ଭଲରୁପେ ବୁଝିଛନ୍ତି । ତେଣୁ ସେମାନେ ପ୍ରମୁଖ ମିଡିଆ ସଂସ୍ଥା ଓ ବରିଷ୍ଠ ସାମ୍ବାଦିକଙ୍କୁ ନିଜ ହାତରେ ରଖିଛନ୍ତି । ତେଣୁ ନୁଆପଡା ଉପନିର୍ବାଚନରେ ରାଜନୈତିକ ଦଳଗୁଡିକ ପ୍ରତିଦ୍ବନ୍ଦିତା କରିବା ସଙ୍ଗେ ସଙ୍ଗେ, ଏହି ମିଡିଆ ସଂସ୍ଥା ଓ ବରିଷ୍ଠମାନେ ମଧ୍ୟ କୋକାକୋଲା ଓ ପେପସୀ ଭଳି ପ୍ରୋପାଗଣ୍ଡାରେ ପ୍ରତିଯୋଗିତା କରୁଛନ୍ତି । ଅର୍ଥନୀତିରେ ପ୍ରାଇଭେଟ ଇନଭେଷ୍ଟମେଣ୍ଟର ଅନୁପାତ ବଢୁ ନଥିବାରୁ, ପ୍ରାଇଭେଟ କମ୍ପାନୀଗୁଡିକ ଠାରୁ ବିଜ୍ଞାପନ ଆସିବା କମିଯାଇଛି । ଆସିଲେ ବି କେବଳ ବଡ ବଡ ସଂସ୍ଥାକୁ ମିଳୁଛି । ତେଣୁ ସମ୍ବାଦ ସଂସ୍ଥାମାନେ ସରକାରୀ ବିଜ୍ଞାପନ ଉପରେ ଅତି ମାତ୍ରାରେ ନିର୍ଭର କରୁଛନ୍ତି । ନିଜର ସ୍ବାଧୀନତା ହରାଇଛନ୍ତି । ପ୍ରୋପାଗଣ୍ଡା ଅସ୍ତ୍ର ହୋଇ କାମ କରିବାକୁ ଅକଲମନ୍ଦିର କାମ ବୋଲି ଭାବୁଛନ୍ତି ।
(୫) ଆମେ ପାଠକ ଓ ଦର୍ଶକମାନେ ଯେମିତି କେଉଁଟା ଖବର ଓ କେଉଁଟା ଅଖବର ତାହା ଜାଣିପାରୁନାହୁଁ, ମିଡିଆ ସଂସ୍ଥାମାନେ ମଧ୍ୟ ଭୁଲି ଯାଇଛନ୍ତି ମିଡିଆର କାମ କଣ । ଧିମା ହେଲେ ବି କ୍ରିକେଟ ଏକ ଲୋକପ୍ରୀୟ ଖେଳ । କାରଣ ଏଥିରେ ସ୍କୋର ଥାଏ ଯାହା ପ୍ରତି ମିନିଟରେ ବଦଳି ଥାଏ । ତାହା ଆଧାରରେ ପୁର୍ବାନୁମାନ କରିବାକୁ ଇଛା ହୁଏ । କ୍ରିକେଟ ଖେଳକୁ ନେଇ ବହୁତ ବେଟିଂ ବା ଜୁଆ ଖେଳ ହୁଏ । ସେହିଭଳି ଉପନିର୍ବାଚନ ଓ ନିର୍ବାଚନରେ ମଧ୍ୟ ଅନେକ ଗୁଡିଏ ସଂଖ୍ୟା ଥାଏ, ଯାହା ଏକ ଜୁଆ ମାନସିକତା ତିଆରି କରେ ।
ଏହି ପାଞ୍ଚୋଟି କାରଣ ମୁଁ ଦେଖି ପାରୁଛି । କେଉଁ ବନ୍ଧୁ ଏହି ପାଞ୍ଚୋଟି ବିନ୍ଦୁ ସହିତ ଏକମତ ହୋଇପାରନ୍ତି । ନତୁବା କେହି ହୁଏତ ଏଥିରୁ ଗୋଟିଏ ଦୁଇଟା ପଏଣ୍ଟ ସହ ଏକମତ ହୋଇ ପାରନ୍ତି । ମୁଁ ଯାହା ଲେଖିଛି ସେ ସବୁରେ ବ୍ୟତିକ୍ରମ ମଧ୍ୟ ରହିଛି । ମୁଁ ଏ ବିଷୟରେ କୌଣସି ଥେସିସ୍ ଲେଖି ନାହିଁ । କାରଣ ଘଟଣାଟି ଏତେ ବଡ ନୁହେଁ ଯେତେ ବଡ ବୋଲି ଆଲୋଚନା ହେଉଛି । ନୂଆପଡା ଉପନିର୍ବାଚନ କେବଳ ଏକ ସାଧାରଣ ଘଟଣା ।
ମୁଁ ମଧ୍ୟ ନୁଆପଡା ଉପନିର୍ବାଚନ ବିଷୟରେ ଲେଖି ଆପଣଙ୍କର ପାଞ୍ଚ ମିନିଟ୍ ନଷ୍ଟ କରିଥିବାରୁ ଦୁଃଖିତ ।
