ଲହରୀ… ଲହରୀ…. ଓଡ଼ିଆ ସିନେମା ଆଗକୁ ଯାଉଛି ପହଁରି ପହଁରି…
ଭୁବନେଶ୍ୱର : ପ୍ରଥମ ଆଲ୍ଲେଖ୍ୟ(ଜୟନ୍ତ ସେଠ)’ଭାବିବା ଆଉ କରିବା ଭିତରେ ଅନେକ ପାର୍ଥକ୍ୟ ଅଛି I ‘
‘ ତୁ ମୋ ଠୁ ଆଇଡ଼ିଆ ନେଇ କିଛି କଲୁ, ମୁଁ ଵି ସେମିତି ଆଉ କାହାଠୁ ଆଇଡ଼ିଆ ନେଇ ବ୍ୟବସାୟ କରୁଛି ‘
ଏବେ ଏବେ ଖେଳୁଥିବା ଝିଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜିତ ଏବଂ କ୍ଳାସିକ ଆଇଡ଼ିଆ ମାଷ୍ଟର ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦେଶିତ ଓଡ଼ିଆ ସିନେମା ‘ ଲହରୀ ‘ର ଏଇ କେଇ ପଦ ସଂଳାପରେ ଦୃଷ୍ଟିଭଙ୍ଗୀର ଗଭୀରତା ଅଛି l ଆଜିଯେତେବେଳେ ଉଦ୍ୟମିତା ଏବଂ ଷ୍ଟାର୍ଟଅପ କୁ ଗୁରୁତ୍ୱ ଦିଆଯାଉଛି, ସେହି ପରିପ୍ରେକ୍ଷୀରେ ‘ଲହରୀ’ ଏକ ଅଭିନଵ ଚିନ୍ତାଧାରାର କାହାଣୀ ଯେଉଁଠି ପ୍ରାକୃତିକ ଶୋଭାରାଜିରେ ସୁଶୋଭିତ ଓଡ଼ିଶା ମାଟିରେ ଯେ Sustainable Tourism ମାଧ୍ୟମରେ ସାଧାରଣ ମଣିଷର ସ୍ବପ୍ନକୁ ସାକାର କରାଯାଇପାରେ ତାର ଅବତାରଣା କରାଯାଇଛି l କାହାଣି, ଚରିତ୍ର ଏବଂ ସିଚ୍ୟୁ୍ଏସନ ସବୁ ଓଡ଼ିଶାର କିନ୍ତୁ ଟ୍ରିଟମେଣ୍ଟ ସମସାମୟିକ ବିଶ୍ୱ ସିନେମାର l ଏକ ଅଭୁତପୁର୍ବ କୋଲାଜ ଦେଖିବାକୁ ମିଳିଛି ‘ଲହରୀ’ ରେ l ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ପୂର୍ବରୁ ହିଁ ‘କ୍ଷଣିକା’ ଓ ‘ ଆଦିଉ ଗୋଦାର୍ଦ ‘ ରେ ନିଜର ସ୍ୱତନ୍ତ୍ର ଶୈଳୀ ଏବଂ କାହାଣି ଉପସ୍ଥାପନ କଳାକୁ ପ୍ରତିପାଦିତ କରି ସାରିଛନ୍ତି l ତେବେ ‘ ଲହରୀ ‘ ଆଉ ପାଦେ ଆଗେଇ ଯାଇଛି l
ବାପ -ପୁଅଙ୍କର ଅନାବିଳ ସମ୍ପର୍କ, ପ୍ରଚଳିତ ବ୍ୟବସ୍ଥାକୁ ନେଇ କଟାକ୍ଷ , ଅଭାବୀ ମଣିଷର ଜୀବନ ଯନ୍ତ୍ରଣା କିପରି କ୍ୟାମେରା ଫ୍ରେମରେ କଏଦ ହୋଇପାରେ ତାହା ବେଶ ଭଲ ଭାବରେ ବୁଝିଛନ୍ତି ଅମର୍ତ୍ୟ l କାହାଣୀ ସମ୍ପର୍କରେ ବେଶୀ ସୂଚନା ଦେବାକୁ ଚାହୁଁନି l କେବଳ ଏତିକି କହିବି ସିନେମା ତିଆରିର ନାଂଦନିକ କୌଶଳଟିକୁ ବେଶ ଭଲ ଭାବେ ଆପଣେଇଛନ୍ତି ନିର୍ଦେଶକ l
ସିନେମାରେ ଶେଷ ଦୃଶ୍ୟ ବେଳକୁ ଅନେକ ଗୁଡ଼ିଏ ବଡ଼ ବଡ଼ ସରପ୍ରାଇଜ!
ବାବୁସାନ ନବ ହେଇ ଫେରୁଛନ୍ତି ବାପାଙ୍କ ପାଖକୁ, ପୁଣି ପ୍ରତିଭାଦୀପ୍ତ ନାଭ୍ୟା ଜୟତି ଙ୍କର କଣ୍ଠରେ , ଅଭିନୟରେ ଚମତ୍କାର ଗୀତ ‘ଭାବିଥିଲି ଉଡିଯିବି ବହୁ ଦୂର ‘ ପୁରା ମନକୁ ଖୁସ କରିଦେଲା l ଠିକ ସେମିତି ଲାଗିଲା ଯେମିତି ଆମେ ପିଲା ଦିନେ ଭୋଜି ଖାଇବାବେଳେ ଶେଷରେ ପତ୍ର ରେ ଖିରି ଖାଇ ଖୁସି ହେଉଥିଲୁ l ସୁଗାୟିକା ନାଭ୍ୟା ଏବଂ ସଂଗୀତ ନିର୍ଦେଶକ କିଶଳୟ ଦେ ଙ୍କୁ ପ୍ରଚୁର ଅଭିନନ୍ଦନ l ଅବଶ୍ୟ କିଶଳୟଙ୍କୁ ଵି ଦେଖିଲି ସିନେମାରେ l
ସବୁ କଳାକାରଙ୍କ ଏଇ ଫିଲ୍ମରେ ଏତେ ସୁନ୍ଦର ଅଭିନୟ ସେମାନଙ୍କ ଅନ୍ୟ ଫିଲ୍ମ ଅପେକ୍ଷା ବହୁତ ବହୁତ ଉଚ୍ଚରେ ବୋଲି ମୁଁ ଦୃଢ଼ ଭାବେ କହିବି l ତେବେ ଫିଲ୍ମ ମଝିରେ ମଝିରେ ମିଷ୍ଟର ଗୋଲଚୁ ଓ ବାବୁଲି ଭୂମିକାରେ ବିଶିଷ୍ଠ ନିର୍ଦେଶକ ସୁଶାନ୍ତ ମିଶ୍ର ଏବଂ ସ୍ୱସ୍ତିକ ଚୌଧୁରୀଙ୍କର ଦୃଶ୍ୟ ଗୁଡିକୁ ଦେଖି ଆମୋଦିତ ଏବଂ ଚମତ୍କୃତ ହେଲି l ଉଭୟଙ୍କ ସଂଳାପରେ ପ୍ରଚଳିତ ବ୍ୟବସ୍ଥା ପ୍ରତି କଟାକ୍ଷ୍ୟ, ଉଦ୍ୟମିତା କୁ ପ୍ରୋତ୍ସାହନ ଓ ଜୀବନ ଜିଇଁବାର କୌଶଳକୁ ଏଭଳି ଭାବେ ଉପସ୍ଥାପନ କରାଯାଇଛି ଯେ ଗୋଲଚୁ ଓ ବାବୁଲି ସ୍କ୍ରିନକୁ ଆସିବା ମାତ୍ରେ ମୁଁ ଟିକେ ଅଧିକ କାହାଣୀ ଭିତରେ ହଜି ଯାଉଥିଲି l ସିନେମାର ଗତିଶୀଳତା ଧୀର ହେଲେ ଵି କୌଣସି ଗୋଟିଏ ଵି ଶଟ କୁ ମିସ କରିବାକୁ ଇଚ୍ଛା ହେଉନଥିଲା l
ଟେକ୍ନିକାଲ ଦିଗରୁ ଅମର୍ତ୍ୟ ଏବଂ ତାଙ୍କ ଟିମର ଅବଦାନ ଗର୍ବ କରିବା ଭଳି l ଏଭଳି ସିନେମା ଵି ଓଡ଼ିଶାରେ ତିଆରି ହେଉଛି l ଆଭେଲେବଲ ଲାଇଟରେ ପ୍ରାୟ ପ୍ରତ୍ୟେକ ଟି ଶଟ କୁ ଗୋଟିଏ ଗୋଟିଏ ଚିତ୍ର ଆଙ୍କିବା ପରି ଫିଲ୍ମାଙ୍କନ କରିବା, ଦୃଶ୍ୟର ଗଭୀରତାକୁ ଦେଖାଇବା ପାଇଁ ଅକଳ୍ପନୀୟ ଭାବେ Drone ର ବ୍ୟବହାର ଦେଖି ମୁଗ୍ଧ ହେଲି l ଏହା ଏଥି ପାଇଁ ଲେଖୁଛି ଯେ ନିର୍ଦେଶକ ହିଁ ସ୍ୱୟଂ ଚିତ୍ରଗ୍ରହଣ ଦାୟିତ୍ୱଟି ମୁଣ୍ଡେଇଛନ୍ତି l
ବାଳକ ନବ ମାନେକୁଇନ କୁ ନାଉ କରି ନେଇଯିବା ଦୃଶ୍ୟକୁ ଏଭଳି ଭାବେ ପ୍ରତୀକଧର୍ମୀ କରାଯାଇଛି ଯେ ଭାଷାରେ ବର୍ଣ୍ଣନା କରିପାରୁନି l
ବର୍ଷକ ଭିତରେ ଭିନ୍ନ ସ୍ୱାଦର ଓଡ଼ିଆ ସିନେମା କରିବା ନାଁ ରେ ଅତି ଆବୁରୁ ଜାବୁରୁ ସିନେମା ଗୁଡ଼ିଏ କରି ଅଯଥା ଟଙ୍କା ବର୍ବାଦ କରାଯାଇଥିଲା, ସେଇସବୁ ସିନେମାର ନିର୍ଦେଶକ ମାନେ ‘ ଲହରୀ’ ରୁ Film making ର କୌଶଳ ଶିଖିବା ଉଚିତ l ହୁଏତ ସେମାନଙ୍କ ଭିତରେ ପରିପକ୍ଵତା ଆସିପାରେ l ନହେଲେ ପ୍ରି -ମ୍ୟାଚ୍ୟୁର୍ଡ ଶିଶୁଙ୍କ ଭଳି ମେଞ୍ଚେ ମେଞ୍ଚେ ଭିନ୍ନ ସ୍ୱାଦର ସିନେମା ସୃଷ୍ଟି କରି ଚାଲିବେ l
ପରିଶେଷରେ ଏତିକି କହିବି, ‘ ଲହରୀ ‘ ଏଣ୍ଟରଟେନମେଣ୍ଟ ନଦେଲେ ମଧ୍ୟ ମନ ଭିତରେ ଘର କରି ରହିଗଲା ଏହାର ଷ୍ଟାଇଲ ଏବଂ ଫ୍ରେଶନେସ ପାଇଁ l
ମାନୁଛି ଏଭଳି ଫିଲ୍ମର ଦର୍ଶକ ସଂଖ୍ୟା କମ ହୋଇପାରେ, କିନ୍ତୁ ଥରେ
ହଲ କୁ ପଶିଗଲେ ଜଣେ ବୁଝିବା ଶୁଝିବା ଦର୍ଶକ ନିରାଶ ହେବ ନାହିଁ, ବରଂ ଦୁଇ ଘଣ୍ଟା ବିଶ୍ୱସ୍ତରୀୟ ସିନେମାର ବିଭିନ୍ନ ଦିଗକୁ ଆସ୍ୱାଦନ କରିବାର ସୁଯୋଗ ପାଇବ l ତେଣୁ ‘ଲହରୀ’କୁ ଦର୍ଶକୀୟ ପୃଷ୍ଟପୋଷକତା ମିଳିବା ଉଚିତ l

ଦ୍ୱିତୀୟ ଆଲ୍ଲେଖ୍ୟ
( ଚାରୁ ଚନ୍ଦନ ଦାଶ)-
ସମ୍ପର୍କର ଆବେଗ ଭିତରେ ଭାବିବା ଓ କରିବାର ଏକ ବିଚକ୍ଷଣ ଦକ୍ଷତା ‘ଲହରୀ’
ଭୁଲିବିନି ମୁଁ ମନରୁ ତୁମକୁ….ଭୁଲିବିନି ମୁଁ ତୁମର ସ୍ମୃତିକୁ…ମୋ ଉଦାସୀ ସପନକୁ…ଏ ରୁପେଲି କୁହୁଡ଼ିକୁ…
ସିନେମା ଆରମ୍ଭ ହେବା ପରେ ତାହାର ଧିମା ଗତି ଆପଣକୁ କିଛି କ୍ଷଣ ପାଇଁ ବୋରିଂ ଲାଗିପାରେ । ହେଲେ ଆପଣ ଯଦି କଳାତ୍ମକ ସିନେମାପ୍ରେମୀ, ତଥା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ‘କ୍ଷଣିକା’କି ‘ଆଡିଉ ଗୋଡାର୍ଡ’ ଦେଖିଛନ୍ତି, ତେବେ ଆପଣଙ୍କୁ ନା ସିନେମା ଧିମା ଲାଗିବ ନା ବୋରିଂ ! ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ସୃଜନଶୀଳତା ଆପଣଙ୍କୁ ହଜାଇ ଦେବ ସିନେମାର ପ୍ରତିଟି ଦୃଶ୍ୟ ଭିତରେ । ଆପଣ ଯଦି ପ୍ରକୃତରେ ସିନେମାପ୍ରେମୀ, ତେବେ ତାଙ୍କ ସିନେମା ଦେଖିଲେ, ଅନେକ ସମୟରେ ଆପଣଙ୍କ ମୁହଁରୁ ବାହାରି ପଡ଼ିବ, କି ଚମତ୍କାର ଦୃଶ୍ୟ । ‘ଲହରୀ’ ମଧ୍ୟ ଠିକ୍ ସେହିଭଳି । ଚୌଧୁରୀ ବିକାଶ ଦାସ ଓ ଚୌଧୁରୀ ଜୟପ୍ରକାଶ ଦାସ, ଉଭୟ ସିନେମାକୁ ଆରମ୍ଭରୁ ଶେଷ ଯାଏ, ତୋଳି ଧରିଛନ୍ତି । ସ୍ବସ୍ତିକ ହୁଅନ୍ତୁ ଅବା ଦୀପନ୍ବିତ କି ଅନ୍ୟ ସହ କଳାକାରମାନେ, ସିନେମାକୁ ଗତିଶୀଳ କରାଉଛନ୍ତି । ହର ରଥ ( Hara Rath ) ଯେଉଁ ଅଳ୍ପ ସମୟ ବାହାରିଛନ୍ତି, ସେ ମାଇଲେଜ ନେଇଛନ୍ତି । ଓଡ଼ିଶାର ସୌନ୍ଦର୍ଯ୍ୟକୁ ଅତି ନିଖୁଣ ଭାବେ ସିନେମା ଜରିଆରେ ଦର୍ଶକଙ୍କୁ ପରଷି ଦେବା କଳା ଅମର୍ତ୍ତ୍ୟଙ୍କୁ ବେଶ୍ ଭଲଭାବେ ଜଣା । ସେହିପରି ଓଡ଼ିଶାର ଅନ୍ୟତମ ପ୍ରମୁଖ ଲୋକନୃତ୍ୟ ବାଘ ନାଚକୁ ମଧ୍ୟ ‘ଲହରୀ’ରେ ସ୍ଥାନ ଦିଆଯାଇଛି ।
‘ମୁଁ ପକ୍ଷୀ ଭଳି ଉଡ଼ିବି…ହଁ ପକ୍ଷୀ ଭଳି ଉଡ଼ିବୁ’…ଛୋଟ ପିଲାଟାକୁ ପିଠିରେ ଧରି ଚୌଧୁରୀ ବିକାଶ ଦାସ ଯେତେବେଳେ ଡାଏଲଗ ଡେଲିଭରି କରୁଛନ୍ତି, ସେତେବେଳେ ତାଙ୍କ ଅଭିନୟର ବିଚକ୍ଷଣତାକୁ ଆପଣ ପରିଲକ୍ଷିତ କରିବେ । ସେହିପରି ଚୌଧୁରୀ ଜୟପ୍ରକାଶ ଦାସ ଓ ଚୌଧୁରୀ ବିକାଶ ଦାସ ଯେତେବେଳେ ଲଣ୍ଠନ ଧରି ବିଲରେ ଯାଉଛନ୍ତି, ସେହି ଦୃଶ୍ୟ ଦେଖିବା ପରେ ଆପଣ ପୁଣି ଥରେ ଅମର୍ତ୍ତ୍ୟ ବାବୁଙ୍କୁ ସାଧୁବାଦ ନଦେଇ ରହି ପାରିବେନି । ଜୟନ୍ତ ସେଠ୍ (ସାର୍) Jayant Seth
ବି ସେ ସମ୍ପର୍କରେ ଲେଖିଛନ୍ତି । ବିଲ ମଝିରେ ଆଭେଲବଲ ଲାଇଟ୍ରେ ଏତେ ଚମତ୍କାର ଦୃଶ୍ୟ କେମିତି ନିଆଯାଇଛି, ସେ ବିଷୟରେ ଅମର୍ତ୍ତ୍ୟ ବାବୁଙ୍କୁ ମୁଁ ବି ଦେଖାହେଲେ ପଚାରିବି ।
ବନ୍ଧୁତା ଓ ବାପା-ପୁଅର ନିବିଡ଼ତା ଏକ ଭିନ୍ନ ଢଙ୍ଗରେ ସିନେମା ମାଧ୍ୟମରେ ଭେଟି ଦେଇଛି ‘ଲହରୀ’ । ମାନିକୁଇନ୍କୁ ଯେତେବେଳେ ଛୋଟ ପିଲାଟି ବଡ଼ କଷ୍ଟରେ ନାଉ କରି ନେଇଯାଉଛି, ତାହା ଆପଣଙ୍କୁ ସାଇଲେଣ୍ଟ କରିଦେବ । ତା’ପୂର୍ବରୁ ଏକ ଦୃଶ୍ୟ ଅଛି । ମାନିକୁଇନକୁ ପିଲାଟି ମା’ପରି ସଜାଇ ଦେଉଛି । ବାକ୍ସ ଭିତରୁ ମା’ର ଶାଢ଼ି କାଢ଼ି ପିନ୍ଧାଇ ଦେଉଛି, ଟିକିଲି ମଖାଇ ଦେଉଛି । ସେହି ଦୃଶ୍ୟ ଆପଣଙ୍କୁ କିଛି କ୍ଷଣ ପାଇଁ ବିଚଳିତ କରିଦେବ । ସେହିପରି ରାତିରେ ଚୌଧୁରୀ ବିକାଶ ଦାସ ଏବଂ ତାଙ୍କ ପୁଅ ଶୋଇଛନ୍ତି । ହଠାତ୍ ମାନିକୁଇନକୁ ଦେଖି ତା’ର ପାଖକୁ ଆସି ବଲବଲ କରି ଚାହିଁ ରହିଛନ୍ତି ଚୌଧୁରୀ ବିକାଶ ଦାସ । ତା’ପରେ ପଛରୁ ଲଣ୍ଠନଟାକୁ ଧରି ଛିଡ଼ା ହୋଇଛି ଛୋଟିଆ ପିଲାଟି । ତା’ପରେ ବାପା-ପୁଅଙ୍କ ଭାବ ବିନିମୟ କିଛି କ୍ଷଣ ପାଇଁ ସ୍ତବ୍ଧ କରିଦେବ ।
ସବୁଠୁ ଜବରଦସ୍ତ ହୋଇଛି ଅମର୍ତ୍ତ୍ୟଙ୍କ କ୍ୟାମେରା କାମ । ସିନେମା ଆରମ୍ଭରୁ ଶେଷ ଯାଏ, ସିନେମାଟୋଗ୍ରାଫି ଆପଣଙ୍କୁ ଏକ ଅଲଗା ଫିଲ୍ ଦେବ । ଗୋଟିଏ ଦୃଶ୍ୟ ଅଛି, ପଛରେ ଝାପ୍ସା ସୂର୍ଯ୍ୟ, ଚୌଧୁରୀ ବିକାଶ ଦାସଙ୍କ କୁଡ଼ିଆ ଘର ଏବଂ ଥୁଣ୍ଟା ଗଛଟିଏ । ସବୁଯାକ କ୍ୟାରେକ୍ଟରଗୁଡ଼ିକୁ ଏକାସଙ୍ଗେ କ୍ୟାମେରା ଘୁରା ଯାଉଛି । ସେହି ଦୃଶ୍ୟ ପ୍ରତ୍ୟେକ ସିନେପ୍ରେମୀଙ୍କ ମନକୁ ଛୁଇଁବ । ସତରେ ଓଡ଼ିଆ ସିନେମାର ଯୁଗ ପୁଣି ଥରେ ବଦଳିଛି। କିଛି ଭାବିବା ଏବଂ ତାକୁ କାର୍ଯ୍ୟକାରୀ କରିବାର ଦକ୍ଷତା ହିଁ ତ ହେଉଛି ‘ଲହରୀ’ । ଏମିତି ସିନେମା ଆହୁରି ତିଆରି ହେଉ । ସେଥିପାଇଁ ଆମମାନଙ୍କୁ ମଧ୍ୟ ସିନେମା ଦେଖିବାକୁ ପଡ଼ିବ । ଗୋଡାର୍ଡ ଏବଂ ଇଙ୍ଗ୍ମର୍ ବର୍ଗମେନ୍ଙ୍କ ଶୈଳୀରେ ସିନେମା ନିର୍ମାଣ କରିବାର ଠାଣି ଅମର୍ତ୍ତ୍ୟଙ୍କ ପାଖରେ ଅଛି । ଓଡ଼ିଆ ଭାଷାରେ, ଓଡ଼ିଶାରେ ଆମେ ସେହି ଭଳି ଉଚ୍ଚକୋଟୀର ସିନେମା ଦେଖିବାର ସୁଯୋଗ ପାଇବା ଆମ ପାଇଁ ଗୌରବର ବିଷୟ। ଶେଷରେ ସ୍ବସ୍ତିକ ଚୌଧୁରୀ (ବାବୁଲି) ଭାଇ ଆପଣଙ୍କ ବିନା ସିନେମା ଅଧୁରା ହୋଇଥା’ନ୍ତା । ବାବୁଲି ଭୂମିକାରେ ଆପଣ ସିନେମାକୁ ଏକ ଅଲଗା ରୂପ ଦେଇଛନ୍ତି । ସେହିପରି କିଶଲୟ ରୟ ଓ ନବ୍ୟା ଜାୟିତିଙ୍କୁ ବି ଶ୍ରେୟ ନଦେଲେ ହେବନି । ସିନେମା ଦେଖିବାକୁ ଯାଆନ୍ତୁ, ଧିମା ଲାଗିଲେ ବି ଦେଖନ୍ତୁ । ଆଉ ଓଡ଼ିଆ ସିନେମା ଶିଳ୍ପକୁ ଉତ୍ସାହିତ କରନ୍ତୁ ।

