ରାଜ୍ୟ ସରକାର ଦେବେ ଫସଲ ବୀମା ପ୍ରିମିୟମ୍ ରାଶି

ଭୁବନେଶ୍ୱର:  ଏଣିକି ଓଡ଼ିଆ ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ଚଳିତ ବର୍ଷ ଠାରୁ  ଖୋଦ୍ ଓଡ଼ିଶା ସରକାର ବହନ କରିବେ । ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ  ସୋମବାର ଏହି ସୂଚନା ପ୍ରଦାନ କରିଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ  ବିଭାଗର ସମୀକ୍ଷା କରିବାପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ଏହି ସୂଚନା ଦେଇଛନ୍ତି।  ଶ୍ରୀ ନାୟକ କହିଥିଲେ ଯେ,  ରାଜ୍ୟରେ ଫସଲବୀମା ପରିସରକୁ ଅଧିକ ସଂଖ୍ୟକ ଚାଷୀଙ୍କୁ ଆଣିବାପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିପାଇଁ ଚଳିତ ବର୍ଷ ଠାରୁ ଚାଷୀମାନଙ୍କର ବୀମା ପ୍ରିମିଅମ ଅର୍ଥ ସରକାର ବହନ କରିବେ । ବର୍ତ୍ତମାନ ରାଜ୍ୟରେ ୧୦ ରୁ ୧୨ ଲକ୍ଷ ଚାଷୀ ଫସଲବୀମାରେ ଅର୍ନ୍ତଭୁକ୍ତ ହେଉଛନ୍ତି । ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବୀମା ଅର୍ଥ ଦେବାକୁ ସମର୍ଥ ହେଉନଥିବାରୁ ସେମାନେ ଚାହିଁଲେ ମଧ୍ୟ ଏହା ପରିସରକୁ ଆସିପାରୁ ନାହାନ୍ତି । ତେଣୁ ତାହାକୁ ବିଚାର କରି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବର୍ତ୍ତମାନ ଫସଲବୀମାରେ ଯେକୌଣସି ଚାଷୀ ନିଜକୁ ପଞ୍ଜିକୃତ କରିପାରିବେ । ତେଣୁ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ଅଧିକରୁ ଅଧିକ ଚାଷୀ ଏବେ ଫସଲବୀମା କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ସମବାୟ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢା କହିଥିଲେ ଯେ, ରାଜ୍ୟରେ ଫସଲବୀମା କାର୍ଯ୍ୟକାରୀ ପାଇଁ ଯେଉଁ ତିନିଟି କମ୍ପାନୀ ସହିତ ରାଜିନାମା ହୋଇଥିଲା ତାହାର ଅବଧି ଚଳିତ ବର୍ଷ ପୂରଣ ସରିଯାଇଛି । ତେଣୁ ଟେଣ୍ଡର ଜରିଆରେ ଆଗାମୀ ତିନିବର୍ଷ ପାଇଁ ନୂଆ କମ୍ପାନୀ ଚିହ୍ନଟ କରାଯିବ ।

ଚାଷୀମାନଙ୍କୁ ଫସଲବୀମା ଅର୍ଥ ପ୍ରଦାନ ନେଇ ପୂର୍ବରୁ ଯେଉଁ ସମସ୍ୟା ରହିଥିଲା ତାହା ଆଉ ରହିବ ନାହିଁ । କାରଣ ଫସଲ କ୍ଷତି ଆକଳନ ପାଇଁ ଏବେ ସାଟେଲାଇଟ୍‍ ଜ୍ଞାନକୌଶଳ ଉପଯୋଗ କରାଯାଉଛି । ଆସନ୍ତାବର୍ଷ ଏହା ଜରିଆରେ ୪୦% ଫସଲ କ୍ଷତି ଆକଳନ କରାଯିବାର ଥିବାବେଳେ ଏହା ପର ବର୍ଷ ୫୦% କରାଯିବ । ଏଥି ସହିତ ଚଳିତ ଖରିଫ ଋତୁରୁ ସରକାର ବୀମା ଅର୍ଥ ପ୍ରଦାନ କରିବାକୁ ଥିବାରୁ ଅଧିକରୁ ଅଧିକ ଚାଷୀ କିଭଳି ଫସଲବୀମା ପରିସରକୁ ଆସିବେ ସେଥିପାଇଁ ସମଗ୍ର ରାଜ୍ୟରେ ଆଇଇସି କାର୍ଯ୍ୟକ୍ରମ ଚଳାଯିବ ବୋଲି ଶ୍ରୀ ଚଢା ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *