ମନମୋହନଙ୍କ ପ୍ରଥମ କାର୍ଯ୍ୟକାରିଣୀରୁ ନିର୍ଯ୍ୟାସ ଶୂନ , ଉତ୍ସାହିତ ହୋଇପାରିଲେନି ରାଜ୍ୟର ଶୀର୍ଷ ଭାଜପା କାର୍ଯ୍ୟକର୍ତ୍ତା
ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ମାତ୍ର ବର୍ଷେ ସମୟ ରହିଛି। ନୂଆ ସଭାପତି ଦାୟିତ୍ୱ ନେବା ପରେ ମନମୋହନ ସାମଲଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବସିଛି। ହେଲେ ରଣନୀତି ନେଇ ଭାଜପାର କୌଣସି ସ୍ପଷ୍ଚ ସଙ୍କେତ ମିଳିନାହିଁ। ଚିରାଚରିତ ଭାବେ ଭାଜପା କେନ୍ଦ୍ରୀୟ ଯୋଜନାର ଗୁଣଗାନ ଏବଂ ତାହାକୁ ଲୋକଙ୍କ ପାଖକୁ ନେବା ପାଇଁ ସାଧାରଣରେ ଆହ୍ୱାନ କରିଛି। ନିକଟରେ କର୍ନାଟକ ଏବଂ ଝାରସୁଗୁଡ଼ା ପରାଜୟ. ଏକ ପ୍ରକାର କର୍ମୀଙ୍କୁ ହତୋତ୍ସାହିତ କରିଥିବା ମନେ ହୋଇଛି। ବୈଠକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିକୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗୋଷ୍ଠୀ ଛିଗୁଲେଇଛନ୍ତି। ଜନୈକ ଅପରାଜିତା ପ୍ରେମୀ ତଥା ଯୁବ ମୋର୍ଚ୍ଚା ସଦସ୍ୟ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବିହାର, ରାଜସ୍ଥାନ ପରେ କର୍ନାଟକରେ ମଧ୍ୟ ବିଫଳ ହେଲେ। 2019ରେ ଥରେ ଦଳର ନେତୃତ୍ୱ ନେଇ ସାରିଛନ୍ତି। ତେଣୁ ସେ ଅପରାଜିତାଙ୍କୁ ସୁଯୋଗ ଦେବା ଦରକାର। ବୈଠକରେ ଚିରାଚରିତ ଭାଷଣ କେତେକ ଉପସଭାପତିଙ୍କୁ ଭଲ ଲାଗିନାହିଁ। ନାମ ଗୋପନ ସର୍ତ୍ତରେ ଏହି ଉପସଭାପତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ନେତୃତ୍ୱ ସହ ଭଲ ସମ୍ପର୍କ ରଖିଛନ୍ତି। କେନ୍ଦ୍ରର କୌଣସି ନେତା ତାଙ୍କୁ ରାଜନୈତିକ ଆକ୍ରମଣ କରୁନାହାନ୍ତି। ଇଡି, ସିବିଆଇ ଓ ଆୟକର ଚଢଉ କଥା ତ ଦୂର। କିଛି ମାସ ତଳେ ରାଜ୍ୟ ସରକାର ପଠାଇଥିବା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାକାଳ ସମ୍ପ୍ରସାରଣ ଫାଇଲ କେନ୍ଦ୍ର ହିଁ ମଞ୍ଜୁର କରିଥିଲା। କେନ୍ଦ୍ର ମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଚାଲୁଥିବା ଚ୍ୟାନେଲ ମୁଖ୍ୟମନ୍ତ୍ରୀ, ତାଙ୍କ 5-ଟି ସଚିବଙ୍କୁ ସିଧା ସମାଲୋଚନା କରିପାରୁନାହିଁ। ବିଜେପି ନେତୃତ୍ୱ ଦେବୀ ମିଶ୍ର, ରାଜା ସ୍ୱାଇଁ, ଅରୁଣ ସାହୁ, ପ୍ରତାପ ଜେନା, ଅଶୋକ ପଣ୍ଡା ଆଦିଙ୍କ କ୍ଷମତା ହ୍ରାସ କରିବାକୁ ଚାହୁଁଛି। ଆଶ୍ଚର୍ଯ୍ୟର କଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଗଣମାଧ୍ୟମ ଉପରୋକ୍ତ ନେତାଙ୍କୁ ଟାର୍ଗେଟ କରୁଛି। ତେଣୁ ମୋଦି-ଶାହଙ୍କ ମଧ୍ୟରେ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ସମ୍ପର୍କର 2ଟି ସେତୁ ଭାବେ କାମ କରୁଥିବା ସଭାପତି ଜଣଙ୍କ କହିଛନ୍ତି।
କେନ୍ଦ୍ରରେ କ୍ଷମତାରେ ଥିବାରୁ କେତେକ ନେତା ପାର୍ଟି ଟିକେଟରେ ପ୍ରାର୍ଥୀ ହେବାକୁ ମନ ବଳାଇଲେଣି। ଜନୈକ ମହିଳା ସମ୍ପାଦିକା କୁହନ୍ତି ଯେ, ଆମେ ଯଦି ଅଫିସର ରାଜକୁ ବିରୋଧ କରିବା, ତେବେ ମୟୂରଭଞ୍ଜରେ ଜଣେ ପୂର୍ବ ଅଫିସରଙ୍କୁ କାହିଁକି ଟିକେଟ୍ ଦେବ। । ଇଡି, ସିବିଆଇ ରାଜ୍ୟରେ ସକ୍ରିୟ ନ ଥିବାରୁ ବିଜେଡିର ଏକ ଭଲ ଛବି ବଳବତ୍ତର ରହିଛି। ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର କିମ୍ବା କଟକ ଏବଂ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ଲଢିବା ପାଇଁ ନବୀନଙ୍କ ସହ ବୁଝାମଣା କରିବାକୁ ଯାଉଥିବା ବିଜେପି ଶିବିରରୁ ପ୍ରକାଶ। ତେଣୁ ଶନିବାର ଅନୁଷ୍ଠିତ ହୋଇଥିବା ବିଜେପିର କାର୍ଯ୍ୟକାରିଣୀ ଏକ ଔପଚାରିକତା ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।