ଆଦିବାସୀ ମେଳାର ମଜା ନେଉଛନ୍ତି ଦର୍ଶକ, ସହର ମଧ୍ୟରେ ଶୋଭା ପାଉଛି ଆଦିବାସୀ ଗାଁ ଓ ହାଟ

ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜିତ ହୋଇଛି ଆଦିବାସୀ ମେଳା ୨୦୨୪ । ଗତକାଲି ତଥା ଜାନୁଆରୀ ୨୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଦିବାସୀ ମେଳାର ଉଦଘାଟନ କରିବା ସହ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏହି ମେଳାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାମ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିବା ବେଳେ ସମାରୋହରେ ସମ୍ମାନନୀୟ ଅତିଥି ଭାବେ ବିଭାଗୀୟ କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ଯୋଗ ଦେଇଥିଲେ ।


ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଜନଜାତିମାନେ ଆମର ଗର୍ବ ଓ ଗୌରବ । ଜନଜାତିମାନଙ୍କ ଉନ୍ନତି ଓ କଲ୍ୟାଣ ତଥା ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ କରାଯାଇଛି । ଜନଜାତି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଦିବାସୀ ସଂସ୍କୃତି ସହ ପରିଚିତ କରିବା ପାଇଁ ଭାଷା ଲ୍ୟାବ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି । ଜାତୀୟସ୍ତରରେ ଜନଜାତିଙ୍କ କଳାକୁ ସ୍ବତନ୍ତ୍ର ପରିଚୟ ମିଳିପାରିଛି । ଆମ ରାଜ୍ୟରେ ଆଦିବାସୀ ମେଳା ଖୁବ୍ ଲୋକପ୍ରିୟ କାର୍ଯ୍ୟକ୍ରମ । ଏହା ଜନଜାତିଙ୍କ ସାମଗ୍ରୀ ପାଇଁ ବଜାର ସୃଷ୍ଟିର ଏକ ଭିନ୍ନ ପ୍ରୟାସ। ଚଳିତ ବର୍ଷ ମେଳାରେ ୧୦୯ ଟି ଷ୍ଟଲ ସ୍ଥାନ ପାଇଥିବା ବେଳେ ଉଦଘାଟନୀ ସନ୍ଧ୍ୟାରେ ସ୍ବତନ୍ତ୍ର ଜର୍ଣ୍ଣାଲ୍ “ଆଦିବାସୀ”ର ୬୩ତମ ସଂସ୍କରଣ ଉନ୍ମୋଚନ କରାଯାଇଛି । ଏହାସହ ୧୦ ଜଣ ବିଭିନ୍ନ ସମ୍ପ୍ରଦାୟର ଜନଜାତିଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି ।



ତେବେ ଏହି ମେଳା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟହ ଅପରାହ୍ନ ୨ ଟା ୩୦ ରୁ ରାତି ୯ ଟା ପର୍ଯ୍ୟନ୍ତ ଦର୍ଶକମାନେ ଏହି ମେଳାର ମଜା ଉଠାଇ ପାରିବେ ।

Leave a Reply

Your email address will not be published. Required fields are marked *