ରାହୁଲ ଗାନ୍ଧୀଙ୍କୁ ଗୋଡେଇ ଗୋଡେଇ ବିରୋଧ କରୁଛି ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ଦେଶ ହେଉ କି ରାଜ୍ୟ ପ୍ରଶାସନିକସ୍ତରରେ ସଚିବସ୍ତରରେ ହିଁ ଅଧିକାଂଶ ନିଷ୍ପତ୍ତିର ତର୍ଜମା ହୋଇଥାଏ। ମାତ୍ର ଦେଶର ଏହି ସ୍ତରରେ ଅଧା ଲୋକଙ୍କ ପ୍ରତିନିଧିତ୍ୱ କରୁଥିବା ପଛୁଆବର୍ଗଙ୍କ ସଂଖ୍ୟା ନଗଣ୍ୟ ତଥା ନାହିଁ କହିଲେ ଚଳେ। ସେହିପରି ସର୍ବୋଚ୍ଚ ପ୍ରଶାସନ ସ୍ତରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସଂଖ୍ୟା ନାହିଁ କହିଲେ ଚଳେ। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସପ୍ତାହେ ହେବ ବକ୍ତବ୍ୟ ରଖି ଆସୁଛନ୍ତି। ମାତ୍ର ତାଙ୍କର ଏହି କାର୍ଯ୍ୟସୂଚୀର ଠିକ୍ ବିପରୀତ ପଥରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅଗ୍ରସର ହେଉଛି। ଦଳର ରଣନୀତି , ସୋସିଆଲ ମିଡିଆ ପୋଷ୍ଟର ଏବଂ ଗାନ୍ଧୀ ପରିବାର ବୈଚାରିକ ବିରୋଧି ଖବର କାଗଜକୁ ବିଜ୍ଞାପନ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଯାଇଛି। ଟିମ୍ ରାହୁଲ ଗାନ୍ଧୀଙ୍କ ସାମାଜିକ ଗଣମାଧ୍ୟମ ବିଭାଗ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ପିସିସିକୁ ଚେତାବନୀ ଦିଆଯାଇପାରେ ବୋଲି ଜଣାପଡିଛି।

ରାହୁଲ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରିବା ସହ କଂଗ୍ରେସ ସଙ୍ଗଠନକୁ ୨୦୧୪ ସାଧାରଣ ନିର୍ବାଚନରେ କ୍ଷତି ପହଞ୍ଚାଇଥିବା ଜଣେ ସମ୍ପାଦକଙ୍କ ଖବର କାଗଜରେ ଆଜି ଏକ ବିଜ୍ଞାପନ ପ୍ରକାଶ ପାଇଛି। ଏହି ବିଜ୍ଞାପନର ଫଟୋ ଡିଜାଇନ୍ ନେଇ କଂଗ୍ରେସ ରଣନୀତିକାର ସୁନୀଲ କାନୁଗୋଲୁଙ୍କ ଟିମ୍ ବିରକ୍ତି ପ୍ରକାଶ କରିଛି। ଦଳରେ ପୂର୍ବତନ ପ୍ରଧାନମନ୍ତ୍ରୀ –ପଣ୍ଡିତ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ନରସିଂହ ରାଓ ଏବଂ ମନମୋହନ ସିଂଙ୍କ ସ୍ଥାନ ସର୍ବପ୍ରଥମେ। ଏହା ପରେ ବର୍ତ୍ତମାନର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପାଳି। ଆବଶ୍ୟକ ନ ହେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୋଷ୍ଟର ବ୍ୟବହାର କରାଯିବ ନାହିଁ। ସଦ୍ୟ କଂଗ୍ରେସ ପକ୍ଷରୁ ଡିଜାଇନ୍ କରାଯାଇଥିବା ପୋଷ୍ଟରରେ ରାହୁଲଙ୍କ ବ୍ଲାକ ଏଣ୍ଡ ହ୍ୱାଇଟ୍ ରଙ୍ଗ ଦିଆଯାଇଛି। ପୂର୍ବରୁ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏହା ବ୍ୟବହାର କରାଯାଉଥିଲା। ସେହିପରି ରାହୁଲଙ୍କ ଫଟୋ ଅପେକ୍ଷା ଇନ୍ଦିରା ଗାନ୍ଧୀଙ୍କ ଫଟୋ ଯଥେଷ୍ଟ ଛୋଟ ରହିଛି। ରାହୁଲ୍ ଇଜ୍ ନଟ୍ ବିଗର ଦ୍ୟାନ୍ ଇନ୍ଦିରା ବୋଲି ଖୋଦ୍ ସୋନିଆ ଗାନ୍ଧୀ ଅନେକଥର ମନ୍ତବ୍ୟ ଦେଇଛନ୍ତି। ଜାଣିଶୁଣି ମଲ୍ଲିକାର୍ଜୁନ ଖଡଗେଙ୍କ ଫଟୋ ଅପେକ୍ଷା ସୋନିଆ, ପ୍ରିୟଙ୍କାଙ୍କ ଫଟୋ ଆକାର ବୃଦ୍ଧି କରାଯାଇଛି। ଯାହାକୁ କେତେକ ନା ପସନ୍ଦ କରିଛନ୍ତି। ଏହି ବିଜ୍ଞାପନଟି କେବଳ ଗୋଟିଏ ଖବରକାଗଜକୁ ପ୍ରଦାନ କରାଯାଇଛି।

ତୃତୀୟରେ ଛତିଶଗଡରେ ଭୂପେଶ ବାଘେଲ, ରାଜସ୍ଥାନରେ ଅଶୋକ ଗେହଲଟ, କର୍ଣ୍ଣାଟକରେ ସିଦ୍ଧରାମାୟା ଏବଂ ଡିକେ ଶିବକୁମାର ଫଟୋକୁ ଗୁରୁତ୍ୱ ଦିଆଯାଉଛି। ଏହା ପରେ ସଂପୃକ୍ତ ରାଜ୍ୟରେ ଏସସି ଏବଂ ଏସଟି ପ୍ରତିନିଧିଙ୍କୁ ଗୁରୁତ୍ୱ ମିଳୁଥିବା ଲକ୍ଷ୍ୟ କରାଯାଇଛି। ହେଲେ ଓଡ଼ିଶାର ଜନସଂଖ୍ୟାର 95 ପ୍ରତିଶତ ବର୍ଗରୁ ଜଣେ ହେଲେ ନେତାଙ୍କୁ ପ୍ରଦେଶ କଂଗ୍ରେସ ପୋଷ୍ଟରରେ ସ୍ଥାନ ଦିଆଯାଇନାହିଁ। ରାହୁଲ ମଣ୍ଡଳ ସପକ୍ଷରେ ରହିଥିବା ବେଳେ ଏହା ବିପକ୍ଷରେ ଥିବା ନରସିଂହ ମିଶ୍ର, ଶରତ ପଟ୍ଟନାୟକ ଏବଂ ବିଜୟ ପଟ୍ଟନାୟକଙ୍କ ଫଟୋ ସ୍ଥାନ ପାଇଛି। ଶରତ ପଟ୍ଟନାୟକ ମଣ୍ଡଳ କମିସନକୁ ସମର୍ଥନ କୁନ୍ଥେଇ ପ୍ରଦାନ କରୁଛନ୍ତି। ସାମାଜିକ ନ୍ୟାୟ ପ୍ରସଙ୍ଗରେ ଖବରଦାତା ସମ୍ମିଳନୀ ଡକାଇ ବିଜେଡିରୁ ବହିଷ୍କୃତ ନେତା ସୌମ୍ୟ ପଟ୍ଟନାୟକଙ୍କ ଓକିଲାତି କରୁଛନ୍ତି। ଦଳର ଏସଟିଏସସି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଦ ଧରି ଭୁଲ୍ ମଗାଇବା ପାଇଁ ପ୍ରବର୍ତ୍ତାଇଥିଲେ। ବହୁ ଚର୍ଚ୍ଚିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ଅଗ୍ରଣୀ ଭୂମିକା ନେଇଥିବା ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ପୋଷ୍ଟରେ ଦେଖିବାକୁ ମିଳିଛି। ତେଣୁ ଓଡ଼ିଶା କଂଗ୍ରେସ ନିଜକୁ ଦୁର୍ବଳ କରି ପରୋକ୍ଷରେ ବିଜେପିକୁ ସହାୟତା କରୁଥିବାର ରାସ୍ତା ପ୍ରଶସ୍ତ କରୁଥିବା କୁହାଯାଇଛି। ଏକଥା ପୂର୍ବରୁ ଚିରଞ୍ଜୀବ ବିଶ୍ୱାଳ ଏବଂ ମହମ୍ମଦ ମୋକ୍କିମଙ୍କ ସମର୍ଥକ ମାନେ ଗଣମାଧ୍ୟମ ସମ୍ମୁଖରେ କହିସାରିଛନ୍ତି।

ଏହି ପୋଷ୍ଟରରେ କଂଗ୍ରେସ ଏକ ନମ୍ବର କାର୍ଯ୍ୟସୂଚୀରେ ଅଣ ଓଡ଼ିଆଙ୍କ ଦୌରାତ୍ମ୍ୟ ସମ୍ପର୍କରେ ଉଲ୍ଲେଖ କରିଛି। କୌଣସି ରାଜନୈତିକ କାର୍ଯ୍ୟସୂଚୀକୁ ଠିକ୍ ଭାବେ ବିଚାରକୁ ନ ନେଲେ ଏହା କୁଫଳ ଆଣି ଦେଇପାରେ। ଏହି ଗୋଟିଏ ବାକ୍ୟ ଓଡ଼ିଶା ବାହାରେ କାର୍ଯ୍ୟ କରୁଥିବା ୫୩ ଲକ୍ଷ ଓଡ଼ିଆଙ୍କ ପାଇଁ ବିପଦ ଆଣିପାରେ ବୋଲି ସମାଜ ବିଜ୍ଞାନୀ କିଷାନ୍ ଯାଦବ ଆଶଙ୍କା ବ୍ୟକ୍ତ କରିଛନ୍ତି। ପ୍ରକାଶ ପାଇଥିବା ପୋଷ୍ଟରରେ ସାତ ଜଣ ଅଣ ଓଡ଼ିଆ ରହିଛନ୍ତି। ଯାହା ଆହୁରି ହାସ୍ୟାସ୍ପଦ ହୋଇଛି। ରାହୁଲ ଗାନ୍ଧୀଙ୍କର ବର୍ତ୍ତମାନ ଗୋଟିଏ କାର୍ଯ୍ୟସୂଚୀ ସାମାଜିକ ନ୍ୟାୟ ଧରି ରଖିବାକୁ ଥିବା ବେଳେ ଓବିସି ସଂରକ୍ଷଣ ପ୍ରସଙ୍ଗକୁ କଂଗ୍ରେସ ପୋଷ୍ଟରରୁ ହଟାଇ ଦେଇଛି। ଏହି ନିଷ୍ପତ୍ତି ନିଶ୍ଚିତ ପିସିସି ସଭାପତି, ବିଧାୟକ ଦଳ ନେତା ଏବଂ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ମଧ୍ୟରୁ କେହି ନଚେତ ମିଳିମିଶି ନେଇଥିବେ। ଏମାନଙ୍କ ଏହି ସାମାଜିକ ନ୍ୟାୟ ବିରୋଧି ମାନସିକତାକୁ ଆଗାମୀ ଦିନରେ ଏଆଇସିସି କିପରି ଗ୍ରହଣ କରୁଛି, ତାହା ସମୟ କହିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।