Chandrayaan-3 ପରେ ଗଗନାଯାନ ପାଇଁ ଯନ୍ତ୍ରାଂଶ ପ୍ରସ୍ତୁତ କରିବ ସିଟିଟିସି

ଭୁବନେଶ୍ୱର : ଚନ୍ଦ୍ରଯାନ-୩ର ସଫଳତାର ଶ୍ରେୟ କିଛି ମାତ୍ରାରେ ଭୁବନେଶ୍ଵରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ଯାଉଛି। ରାଜଧାନୀରେ ଥିବା ଏହି ଅନୁଷ୍ଠାନ ୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିଲା। ସେ ସମୟରେ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂ ସମୟରେ ଡେନମାର୍କ ସରକାର ଏବଂ କେନ୍ଦ୍ର ସରକାର ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ତତ୍କାଳୀନ କଟକ ଏମପି ତଥା ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଥିବା ଶ୍ରୀକାନ୍ତ ଜେନାଙ୍କ ପ୍ରସ୍ତାବ କ୍ରମେ ଏହାକୁ ବିକଶିତ କରାଯାଇଥିଲା। ଏହାର ପରବର୍ଷ ଅର୍ଥାତ ୧୯୯୦ ମସିହାରେ ଏହି ସଂସ୍ଥା ଏକ ସୋସାଇଟି ରୂପା ପଞ୍ଜିକୃତ ହୋଇଥିଲା।  ଚନ୍ଦ୍ରଯାନ-୩ରେ ବ୍ୟବହୃତ ଅନେକ ଯନ୍ତ୍ରାଂଶ ଯଥା-ଲ୍ୟାଣ୍ଡର, ରୋଭର ଏବଂ ମହାକାଶଯାନ ଲାଗି ଇସ୍ରୋ ପକ୍ଷରୁ ଡିଜାଇନ୍ ଚୂଡ଼ାନ୍ତ ହେବା ପରେ ଯନ୍ତ୍ରାଂଶ ପ୍ରସ୍ତୁତି ପାଇଁ ସିଟିଟିସିକୁ ଦାୟିତ୍ଵ ମିଳିଥିଲା। ସିଟିଟିସିର ୧୫୦ଜଣ ଟେକ୍ନିସିଆନ ଦିନରାତି ଏକ କରି ଏହି ଯନ୍ତ୍ରାଂଶ ପ୍ରସ୍ତୁତିରେ ଲାଗିଥିଲେ।  ଦୁଇବର୍ଷରୁ ଅଧିକ ସମୟ ଧରି ପ୍ରାୟ ୭୫ ହଜାର ଜଟିଳ ତଥା ସୂକ୍ଷ୍ମ ଯନ୍ତ୍ରାଂଶ ତିଆରି କରାଯାଇଛି। ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଭୁବନେଶ୍ଵରସ୍ଥିତ ସେଣ୍ଟ୍ରାଲ୍ ଟୁଲ୍ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟରରେ ଆନନ୍ଦର ଲହରି ଖେଳିଯାଇଥିଲା।

“ଆରଜିପିଡି କମ୍ପୋନେଣ୍ଟ, ଆଇଏଲଜି କମ୍ପୋନେଣ୍ଟ, ବିଭିନ୍ନ ପ୍ରକାର ଗ୍ଲାସ୍ କମ୍ପୋନେଣ୍ଟ, ୨୩ ପ୍ରକାରର ଭାଲଭ ସହ ଉତକ୍ଷେପଣ ସମୟରେ ବ୍ୟବହୃତ ଅନେକ ଯନ୍ତ୍ରାଂଶ  ଭୁବନେଶ୍ୱର ସ୍ଥିତ ସିଟିଟିସିରେ ପ୍ରସ୍ତୁତ ହୋଇଛି। ପ୍ରାୟ ପଏଣ୍ଟ ୫ ମାଇକ୍ରୋନରୁ ୩ ମାଇକ୍ରୋନର ଯନ୍ତ୍ରାଂଶ ତିଆରି ହୋଇଥିଲା। ଯାହା ବହୁତ କଷ୍ଟସାଧ୍ୟ ଥିଲା ବୋଲି ସିଟିଟିସି ଜେନେରାଲ ମ୍ୟାନେଜର ଏଲ୍ ରାଜଶେଖର ଗଣମାଧ୍ୟମକୁ କହିଛନ୍ତି। ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଗଗନଯାନ ଯନ୍ତ୍ରାଂଶ ପାଇଁ ପ୍ରସ୍ତୁତି ପାଇଁ  ସିଟିଟିସି ପ୍ରୟାସ ଆରମ୍ଭ କରିଛି।

ସିଟିଟିସିର ସଫଳତାକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କୁହନ୍ତି ଯେ, ଭଲ ଉଦ୍ଦେଶ୍ୟ ରଖି ସୃଷ୍ଟି କରାଯାଇଥିବା ସଂସ୍ଥାନ  ଭଲ ଫଳ ହିଁ ଆଣିଥାଏ। ପ୍ରାୟ ତିନି ଦଶନ୍ଧି ତଳେ ପ୍ରତିଷ୍ଠା ହୋଇଥିବା ଏହି ସଂସ୍ଥା ଚନ୍ଦ୍ର ଅଭିଯାନ ସଫଳତାର ଅଂଶୀଦାର। ଏହା ରାଜ୍ୟ ଓ ଦେଶ ପାଇଁ ଗର୍ବର ବିଷୟ। ଏହାର ପ୍ରତିଷ୍ଠାରେ ଏକ ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି। ଏହାର ସଫଳତା ଏବଂ ସଂସ୍ଥାନକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିବା ଦରକାର ବୋଲି ଶ୍ରୀ ଜେନା କହିଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *