ଶାସନ ଚଳାଇବା ପାଇଁ ପ୍ରତିବଦ୍ଧତା ଦରକାର

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)- କେତେକ କୁହନ୍ତି ବର୍ତ୍ତମାନ ରାଜ୍ୟ ସରକାରରେ ଯେଉଁମାନେ ମନ୍ତ୍ରୀ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । କେତେକ ପ୍ରଥମ ଥର ବିଧାୟକ ହୋଇଛନ୍ତି । ଏପରିକି ନିଜ ହାତରେ ଅର୍ଥ ଓ ଗୃହ ଭଳି ଗୁରୁତ୍ତ୍ୱପୂର୍ଣ ବିଭାଗ ରଖିଥିବା ମୂଖ୍ୟମନ୍ତ୍ରୀ ବି ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । ତେଣୁ ପ୍ରଶାସନିକ ଅଭିଜ୍ଞତା ନଥିବାରୁ କାମ ଯେମିତି ହେବା କଥା ତାହା ହେଉ ନାହିଁ । ପ୍ରଥମ ବର୍ଷକୁ ହନିମୁନ ବର୍ଷ କୁହାଗଲା ।‌ ଏହା ହେଉଛି ଏକ ସ୍ଥାଣୁ ଚିନ୍ତାଧାରା । ଓଡ଼ିଶା ଭଳି ଏକ ଐତିହାସିକ ଭାବେ ପଛୁଆ ରାଜ୍ୟ କେବେ ଗୋଟିଏ ସରକାରକୁ ଏକ ବର୍ଷ ହନିମୁନ୍ ଛୁଟି ପାଇଁ ଦେବା ଅନୁଚିତ୍ ।‌ ସରକାରକୁ ୧ ବର୍ଷ ପୁର୍ତ୍ତି ଉପଲକ୍ଷେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ସ୍ତମ୍ଭ ପଢି ଲାଗିଲା , ସେସବୁ ସ୍ଥିତାବସ୍ଥା ସପକ୍ଷବାଦୀ ବା statusquoist ଚିନ୍ତାଧାରା ।ପ୍ରଥମ ଥର ପାଇଁ ଯେଉଁମାନେ ମନ୍ତ୍ରୀ ହୁଅନ୍ତି ସେମାନଙ୍କ ମନରେ ସ୍ବପ୍ନ ରହିବା ଦରକାର, ପ୍ରଶାସନିକ ଅଭିଜ୍ଞତା ନୁହେଁ । ୨୦୧୩ରେ ଅରବିନ୍ଦ କେଜରିୱାଲ ପ୍ରଥମ ଥର ନିର୍ବାଚନ ଜିତି ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେଲେ, ଶପଥ ନେବାର ପରଦିନ ସେ CAG ଅଫିସକୁ ଯାଇ ବିଦ୍ୟୁତ୍ ବିତରଣ କମ୍ପାନୀ ଟାଟା ଓ ରିଲାଏନ୍ସର ଅଡିଟ୍ କରିବା ପାଇଁ ଆଦେଶ ଦେଇଥିଲେ । ମନୀଷ ଶିଶୋଦିଆ ଶପଥ ନେବାର ପୂର୍ବ ଦିନ ( ହଁ ଆଜ୍ଞା , ପୂର୍ବଦିନ ) ଶିକ୍ଷା ନିର୍ଦ୍ଦେଶକଙ୍କ ସହ ଦୁଇ ଘଣ୍ଟାର ବୈଠକ କରି ଶିକ୍ଷାର ଅବସ୍ଥା ବିଷୟରେ ଅବଗତ ହୋଇଥିଲେ । ନିର୍ଦ୍ଦେଶକ ତାଙ୍କୁ ୫-୬ଟି ଭଲ ସ୍କୁଲ ବିଷୟରେ ଜଣାଇଥିଲେ । ଶପଥ ନେବାର ପରଦିନ ନିର୍ଦ୍ଦେଶକଙ୍କୁ ସାଙ୍ଗରେ ନେଇ ସେ ବିଭିନ୍ନ ଅନ୍ୟ ସ୍କୁଲ ବୁଲିଥିଲେ । ସତ୍ୟେନ୍ଦ୍ର ଜୈନଙ୍କୁ ଯେତେବେଳେ ସ୍ବାସ୍ଥ୍ୟ ବିଭାଗ ଦିଆଗଲା ସେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସେ ବିଷୟରେ ତାଙ୍କର ଅଭିଜ୍ଞତା ନଥିଲା ।‌ ସେ ସପ୍ତାହ କାଳ ଅଫିସରେ ଖୁବ୍ କମ୍ ସମୟ ରହୁଥିଲେ । ଦିନ ରାତି ହସ୍ପିଟାଲ ହସ୍ପିଟାଲ ବୁଲିଲେ । ବିନା ସୁରକ୍ଷା ଗାର୍ଡରେ ବୁଲିଲେ । ସକାଳ ଦଶଟାରେ ମନ୍ତ୍ରୀ ହସ୍ପିଟାଲରେ । ଦିନ ଦୁଇଟାରେ , ସନ୍ଧ୍ୟାରେ ଓ ଏପରିକି ରାତି ଦୁଇଟାରେ ମଧ୍ୟ ସତ୍ୟେନ୍ଦ୍ର ଜୈନଙ୍କୁ ଦେଖିବ ସେ ହସ୍ପିଟାଲରେ । ଏହି ଆପ୍ ମନ୍ତ୍ରୀମାନଙ୍କୁ ଲାଗୁ ଥିଲା ସେମାନଙ୍କ ହାତରେ ସମୟ ନାହିଁ ।ଆମ ଓଡ଼ିଶାରେ ? ଓଡ଼ିଶା କଥା ଆଉ କଣ କହିବା ଆଜ୍ଞା ? ଏମାନଙ୍କୁ ଏତେ ଫୁରୁସତ ମିଳୁଛି ଯେ ପ୍ରଥମେ ପ୍ରଥମେ କିଛି ମାସ ସମ୍ବର୍ଦ୍ଧନାରେ କଟିଲା ।‌ ଏବେ ଜୟଦେବ ଭବନ ସବୁଠାରୁ ବେଶି ବୁକ୍ ରହୁଛି ଏମିତି ସବୁ ପ୍ରୋଗ୍ରାମ ପାଇଁ ଯେଉଁଠିକୁ ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ କେଉଁ ମନ୍ତ୍ରୀ ମୁଖ୍ୟ ଅତିଥି ହୋଇ ଆସିବେ । ଏମାନେ ଭାବୁ ନାହାନ୍ତି ଯେ ଏମାନଙ୍କ ପାଖରେ କମ୍ ସମୟ ଅଛି । ଏମାନେ ସବୁ ଟାର୍ଗେଟ ୨୦୩୬କୁ ଘୁଞ୍ଚାଇ ଦେଇଛନ୍ତି । ଯଦି କିଛି ସମସ୍ୟା ଅଛି ତେବେ ପୁର୍ବ ସରକାରକୁ ଦୋଷ ଦେଇ ଦିଅ କିମ୍ବା ପଶ୍ଚିମବଙ୍ଗ ସରକାରକୁ ଦୋଷ ଦେଇ ଦିଅ । ଯେଉଁମାନେ ସ୍ତମ୍ବ ଲେଖୁଛନ୍ତି ସେମାନଙ୍କ ଆଶା ଅଦ୍ଭୁତ ପ୍ରକାର ଅଟେ । କୁଆଡେ ଅଫିସର ରାଜ୍ ଖତମ ହୋଇଗଲା । ସେଥିପାଇଁ ସେମାନେ ଖୁସି । ଆଉ କେତେକ ଲେଖୁଛନ୍ତି ମୂଖ୍ୟମନ୍ତ୍ରୀ ଲୋକଙ୍କୁ ଭେଟୁଛନ୍ତି । କେତେକ ଲେଖୁଛନ୍ତି ପୁରୁଣା ଅଫିସର ମାନଙ୍କୁ କାହିଁକି ଗିରଫ କରାଗଲାନି ?

ସୁଭଦ୍ରା ଟଙ୍କା ଦିଆଯାଇ ବହୁତ ବଡ଼ ଯୁଗାନ୍ତକାରୀ କାମ ହେଉଛି । ଏହି ସ୍ତମ୍ଭକାରମାନଙ୍କ ଭିତରୁ କିଏ ସରକାରକୁ ଫାଷ୍ଟ ଡିଭିଜନ ଦେଉଛି ତ ଆଉ କେହି ଚାଲାକ ସ୍ତମ୍ଭକାର ନିରପେକ୍ଷ ହେବା ପାଇଁ, ଗଣି ଗଣି , ଯେତୋଟି ଶବ୍ଦ ସଫଳତା ବିଷୟରେ ଲେଖୁଛି ସେତୋଟି ବିଫଳତା ବିଷୟରେ ଲେଖୁଛି । ( କାରଣ ୨୦୧୪ ପରେ ଯେବେଠାରୁ ନାରଦ ବୃତ୍ତି ଦେବତା ହୋଇଗଲେ , ସାମ୍ବାଦିକମାନେ ସତ୍ୟ ଅପେକ୍ଷା ନିରପେକ୍ଷତାକୁ ବେଶି ଗୁରୁତ୍ତ୍ଵ ଦେଉଛନ୍ତି ।)ଅସଲରେ ଏ ସ୍ତମ୍ଭକାରମାନେ ଯାହା ଚାହୁଁଛନ୍ତି ସେସବୁର ଓଡ଼ିଶାର ଭାଗ୍ୟ ଭବିଷ୍ୟତ ସହ କୌଣସି ସମ୍ପର୍କ ନାହିଁ । ତେଣୁ ପ୍ରଶ୍ନ ଅଭିଜ୍ଞତାର ନୁହେଁ । ପ୍ରଶ୍ନ ପ୍ରଶାସନିକ ଅଭିଜ୍ଞତାର ନୁହେଁ । ଅସଲରେ ଏମାନଙ୍କ ପାଖରେ ସ୍ବପ୍ନ ନାହିଁ ।

Leave a Reply

Your email address will not be published. Required fields are marked *