ଟାଟା ପାୱାର କାନ୍ଧରେ ବନ୍ଧୁକ ରଖି ଚତୁରତାର ସହ ଖସୁଛନ୍ତି କି ରାଜ୍ୟ ସରକାର, କଣ କହୁଛନ୍ତି ଆପ୍ ପ୍ରବକ୍ତା..ଜାଣନ୍ତୁ
ଭୁବନେଶ୍ୱର : ରାଜ୍ୟରେ ଲଗାତର ବିଜୁଳି ବିଭ୍ରାଟ ଓ ଅଘୋଷିତ ବିଦ୍ୟୁତ କାଟ୍ ପ୍ରସଙ୍ଗରେ ଟାଟା ପାଓ୍ୱାରକୁ ସମାଲୋଚନା କରାଯାଉଛି। ମାତ୍ର ଟାଟା ପାଓ୍ୱାର ହାତରେ ରାଜ୍ୟ ସରକାର ହିଁ ଏହି ଦାୟିତ୍ୱ ଟେକି ଦେଇଛନ୍ତି। ତେଣୁ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ମୁଖ୍ୟ ଗଣମାଧ୍ୟମ ଗୁଡ଼ିକରେ ଗୌଣ ହୋଇଯାଉଛି। ଏହି ପ୍ରସଙ୍ଗରେ ନିଜର ବିଚାର ରଖିଛନ୍ତି ଆପ୍ ପ୍ରବକ୍ତା ତଥା ବୁଦ୍ଧିଜୀବୀ ରଙ୍ଗାଚରଣ ପ୍ରଧାନ।
ଶ୍ରୀ ପ୍ରଧାନ ନିଜ ଫେସବୁକ୍ ଜରିଆରେ କହିଛନ୍ତି ଯେ, ଟାଟା ପାୱାର କେଉଁ ଦରରେ ବିଦ୍ୟୁତ୍ କିଣୁଛି ତା ଉପରେ ତାହାର କିଛି କରିବାର ନାହିଁ। ଗ୍ରୀଡକୋ ବିଦ୍ୟୁତ୍ କିଣି ଟାଟା ପାୱାରକୁ ଦେଉଛି। ଗ୍ରୀଡକୋ ସରକାରଙ୍କ ଅଧିନରେ। ଏଭଳି ବ୍ୟବସ୍ଥା ଆଉ କେଉଁ ରାଜ୍ୟରେ ନାହିଁ । ତେଣୁ ବିଦ୍ୟୁତ୍ ଦର ବୃଦ୍ଧି ପାଇଁ ସରକାର ମଧ୍ୟ ଦାୟୀ । ସରକାର/ଗ୍ରୀଡକୋ ବିଦ୍ୟୁତ୍ କିଣିବାରେ ବହୁତ କେଳେଙ୍କାରୀ କରିଛନ୍ତି ଯେଉଁଥି ପାଇଁ ଟାଟା ପାୱାର ଦାୟୀ ନୁହେଁ। ସେହିପରି ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ପ୍ରାଇଭେଟ୍ ହାତକୁ ଦେବା ପୂର୍ବରୁ ଯେ ବ୍ୟବସ୍ଥା ଠିକ୍ ଥିଲା ତାହା ନୁହେଁ। ଯେତେବେଳେ ସରକାରୀ ଓଏସଇବି ହାତରେ ଥିଲା, ସେତେବେଳେ ବିଦ୍ୟୁତ୍ ବଣ୍ଟନ ଓ ସରବରାହ ଜନିତ କ୍ଷତି ପ୍ରାୟ ୫୦% ଥିଲା। ବିଦ୍ୟୁତ୍ ବଣ୍ଟନ ପ୍ରାଇଭେଟ୍ ହାତକୁ ଆସିବା ପରେ ଏବେ ତାହା ପ୍ରାୟ ୨୮% କୁ ଆସିଛି। ଅବଶ୍ୟ ଅନ୍ୟ ରାଜ୍ୟରେ ପ୍ରାଇଭେଟ୍ ହାତକୁ ଆସିବା ପରେ ଏହି କ୍ଷତି ଆହୁରି ଦ୍ରୁତ ଗତିରେ କମିଛି। କିନ୍ତୁ ଟାଟା ପାୱାର ମାତ୍ର ୨ ବର୍ଷ ଧରି ଓଡ଼ିଶାରେ ଏହି କ୍ଷେତ୍ରରେ ପ୍ରବେଶ କରିଛି । ପୁଣି ଓଏସଇବି ବିଦ୍ୟୁତ୍ ବିତରଣ କରିବା ସମୟରେ ବିଦ୍ୟୁତର ଡିମାଣ୍ଡ ଏତେ ନଥିଲା । ଏକଥା ନୁହେଁ ଯେ ବିଦ୍ୟୁତ୍ ବିତରଣ ସରକାରଙ୍କ ହାତରେ ରହିଲେ କ୍ଷତି କମିବ ନାହିଁ। କିନ୍ତୁ ଓଡ଼ିଶା କ୍ଷେତ୍ରରେ ତାହା ହୋଇ ନଥିଲା ବୋଲି ରଙ୍ଗାଚରଣ ଉଲ୍ଲେଖ କରିଛନ୍ତି।
ଅନୁରୂପ ଭାବେ ବର୍ତ୍ତମାନର ବିଜୁଳି ଯୋଗାଣ ବିଭ୍ରାଟ ପାଇଁ ଅନାବଶ୍ୟକ ପୁରୁଣା ଓ ତ୍ରୁଟିପୂର୍ଣ୍ଣ ଯନ୍ତ୍ରପାତି ଦାୟୀ । ଏସବୁ ଯନ୍ତ୍ରପାତି ଟାଟା ପାୱାର ମାଲିକାନାରେ ନାହିଁ। ଏସବୁ ଓଡ଼ିଶା ସରକାରଙ୍କ ମାଲିକାନାରେ ଅଛି। ଟାଟା ପାୱାର ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥା କିଣିବା ସମୟରେ ଏସବୁ ସରକାରଙ୍କ ଠାରୁ କିଣି ନାହିଁ। ହୁଏତ ଟାଟା ପାୱାର ଜାଣିଥିଲା ଏହି ୨୦ ହଜାର କୋଟି ଟଙ୍କାର ଯନ୍ତ୍ରପାତି ଠିକ୍ ଅବସ୍ଥାରେ ନାହିଁ। ତେଣୁ ପୁରୁଣା ଓ ତ୍ରୁଟିପୂର୍ଣ୍ଣ ଯନ୍ତ୍ରପାତି ଯୋଗୁଁ ଟାଟା ପାୱାରକୁ ଦୋଷ ନଦେଇ ବା ବର୍ତ୍ତମାନର ବିଦ୍ୟୁତ୍ ବିଭ୍ରାଟ ପାଇଁ ଟାଟା ପାୱାରକୁ ଦୋଷ ନଦେଇ ସରକାରଙ୍କୁ ଦୋଷ ଦିଅନ୍ତୁ। ୯୯% ନିଶ୍ଚିତ ଯେ ଏହି ୨୦ ହଜାର କୋଟି ଟଙ୍କାର ଯନ୍ତ୍ରପାତି କେଉଁଠି ଲାଗିଛି ସରକାରଙ୍କ ପାଖରେ ତାହାର ହିସାବ ନଥିବ ବୋଲି ଶ୍ରୀ ପ୍ରଧାନ ଦୃଢ ଦାବି କରିଛନ୍ତି।ସମାନ ଭାବେ ସରକାର ଅଧିକ ଲୋକଙ୍କୁ ବିଦ୍ୟୁତ୍ ଯୋଗାଣ କରିବା ଭିତରେ ତାର , ଟ୍ରାନ୍ସଫର୍ମର ଓ ଗ୍ରୀଡ କେତେ ଲୋଡ୍ ନେଇ ପାରିବ ତାହା ପ୍ରତି ଯଥେଷ୍ଟ ଦୃଷ୍ଟି ଦେଲେ ନାହିଁ । କେବଳ ଅଧିକରୁ ଅଧିକ ଅଞ୍ଚଳରେ ଖୁଣ୍ଟି ପୋତି ତାର ଟାଣିବାରେ ଲାଗିଲେ, ଯାହା ଫଳରେ କହି ହେବ ଯେ ଆମେ ଏତିକି ଅଞ୍ଚଳକୁ ବିଦ୍ୟୁତ ଯୋଗାଇ ଦେଇଛୁ , ଯାହା ପୂର୍ବ ସରକାର କରି ପାରି ନଥିଲେ । ଯନ୍ତ୍ରପାତିରେ ଖର୍ଚ୍ଚ କରିବା ଟାଟା ପାୱାରର ମଧ୍ୟ ଦାୟିତ୍ଵ । କିନ୍ତୁ ଏହା କେବଳ ଦସ୍ତାବିଜର କଥା । ଟାଟା ପାୱାର ଆସିବା ପୂର୍ବରୁ ଯେତୋଟି କମ୍ପାନୀ ଆସିଥିଲେ ସେମାନଙ୍କର ମଧ୍ୟ ଦାୟିତ୍ଵ ଥିଲା । କିନ୍ତୁ ସେମାନେ ଖର୍ଚ୍ଚ କରି ନଥିଲେ । ବର୍ତମାନ ଟାଟା ପାୱାର ଏଥିପାଇଁ ଖର୍ଚ୍ଚ କରିବା ଅନେକ ସମୟରେ ସମ୍ଭବ ମଧ୍ୟ ନୁହେଁ । ସରକାରଙ୍କ ଟ୍ରାନ୍ସଫର୍ମରରେ ଟାଟା ପାୱାର କେମିତି ଟଙ୍କା ଲଗାଇବ ? ଯଦି ଲଗାଇବ ତାହେଲେ ସେହି ଟ୍ରାନ୍ସଫର୍ମରର ଦାମ୍ ରେ ସରକାରଙ୍କର କେତେ ଅଂଶ ରହିବ ଓ ଟାଟା ପାୱାରର କେତେ ଅଂଶ ରହିବ ତାହାର ହିସାବ ରଖିବା କଷ୍ଟକର । ଇଏ ତ ଗୋଟିଏ ଛୋଟିଆ ଉଦାହରଣ । ତେଣୁ ସାରା ରାଜ୍ୟର ସ୍ଥିତି କଣ , ତାହା ଭାବନ୍ତୁ ବୋଲି ଆପ୍ ପ୍ରବକ୍ତା କହିଛନ୍ତି।
ଅପରପକ୍ଷରେ ଟାଟା ପାୱାରକୁ ଯେତେ ସମାଲୋଚନା କଲେ ତାହାର କୌଣସି ମୂଲ୍ୟ ନାହିଁ । ସେମାନେ ପ୍ରାଇଭେଟ୍ କମ୍ପାନୀ । ସେମାନଙ୍କର ମଧ୍ୟ ଲାଭ କରିବାର ଅଛି । କିନ୍ତୁ ସେମାନଙ୍କୁ ନିୟନ୍ତ୍ରଣ କରିବାର ଦାୟିତ୍ୱ ଓଇଆରସିର । ଓଇଆରସିରେ ସରକାରଙ୍କ ଦ୍ଵାରା ବଛା ବଛା ଅଫିସର ଅଛନ୍ତି । ନିକଟରେ ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓଇଆରସିର ମୂଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କୁ କିଏ ନିଯୁକ୍ତି ଦେଇଛି ? ତା ଛଡା ଟାଟା ପାୱାର କଣ ଭୋଟରେ ଛିଡ଼ା ହେଉଛି ଯେ ଆପଣ ଥୁ ଥୁ କଲେ ତା ଉପରେ ପ୍ରଭାବ ପଡ଼ିବ ବୋଲି କହି ସରକାରଙ୍କୁ ସ୍ତମ୍ଭକାର ଛିଗୁଲେଇଛନ୍ତି। ଏହି ପ୍ରସଙ୍ଗରେ ଗଣମାଧ୍ୟମର ଉତ୍ତର ଦାୟିତ୍ୱ ଏବଂ ସଚେତକର ଭୂମିକାକୁ ନେଇ ମଧ୍ୟ ରଙ୍ଗାଚରଣ ପ୍ରଶ୍ନ ଉଠାଇଠନ୍ତି। ଶ୍ରୀ ପ୍ରଧାନ କୁହନ୍ତି ଯେଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ ପ୍ରକୃତ କାରଣ ସାମ୍ନାକୁ ନ ଆଣି ରାଜନୀତି କରୁଛି । ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ସରକାରଙ୍କ ଢାଲ ହୋଇ ସବୁବେଳେ ଟାଟା ପାୱାରକୁ ଦୋଷ ଦେଇ ଆସୁଛି । ବିଜୟ ପଟ୍ଟନାୟକ ନାମକ ଆଇଏଏସ୍ ଅଫିସର ଦୀର୍ଘ ଦିନ ବିଦ୍ୟୁତ୍ ବିଭାଗ ସଚିବ ଥିବାବେଳେ ମଧ୍ୟ ବିଦ୍ୟୁତ୍ ବ୍ୟବସ୍ଥାରେ ଅଧୋପତନ ହୋଇଥିଲା । ସେ ଆଜି କଂଗ୍ରେସରେ ଯୋଗ ଦେଇ କେଉଁ ମୁହଁରେ ପ୍ରଶ୍ନ କରୁଛନ୍ତି ବୁଝି ହେଉନି । ମିଡିଆ ତାଙ୍କୁ ଯଥେଷ୍ଟ ସମୟ ଦେଉଛି ଏବଂ ଏ ବିଷୟରେ ପ୍ରଶ୍ନ କରୁନାହିଁ । କାରଣ ମିଡ଼ିଆ ରାଜନୈତିକ ବ୍ୟକ୍ତିଙ୍କ ମାଲିକାନାରେ ଅଛି ଏବଂ ସେମାନେ ମଧ୍ୟ ରାଜନୀତିରେ ବୁଡି ରହିଛନ୍ତି । ତେଣୁ କେବଳ ଟାଟା ପାୱାରକୁ ଦୋଷ ଦେଇ ଲାଭ କଣ ? ସେମାନେ ପରିସ୍ଥିତିର ଫାଇଦା ଉଠାଉଛନ୍ତି । ଓଡ଼ିଶାର ବିଦ୍ୟୁତ୍ ସମସ୍ୟା ବିଷୟରେ ଆପ୍ ଓଡ଼ିଶା ୧୨ ପୃଷ୍ଠାର ସ୍ବତନ୍ତ୍ର ମତ ଥିବା ପୁସ୍ତିକା ଜାରି କରିଛି । ସେଥିରେ ସମସ୍ୟା ଓ ସମାଧାନ ବିଷୟରେ ଉଲ୍ଲେଖ ଅଛି ବୋଲି ସେ କହିଛନ୍ତି।
ଆଉ ଏକ ଉଦାହରଣ ରଖି ରଙ୍ଗାଚରଣ କହିଛନ୍ତି ଯେ, ଟାଟା ପାୱାର ଦିଲ୍ଲୀରେ ମଧ୍ୟ ବିଜୁଳି ଯୋଗାଉଛି । ଓଡ଼ିଶାରୁ ବିତାଡିତ ବିଏସଇଏସ (ରିଲାଏନ୍ସ) ମଧ୍ୟ ସେଠାରେ ବିଦ୍ୟୁତ୍ ଯୋଗାଉଛି । ସେମାନେ ଅଲଗା ଅଲଗା ଏରିଆରେ ଯୋଗାଉଛନ୍ତି । ତେବେ ସେଠାରେ କାହିଁକି ପାଓ୍ବାର କଟ୍ ହେଉନି କି ଟ୍ରିପ୍ ହେଉନାହିଁ ? ଏକଥା ଜାଣି ରଖନ୍ତୁ ଓଡ଼ିଶା ଅପେକ୍ଷା ଦିଲ୍ଲୀରେ ବିଦ୍ୟୁତ୍ ଡିମାଣ୍ଡ ଅଧିକ । କିନ୍ତୁ ଏ ପ୍ରଶ୍ନ ପଚାରିବା ପାଇଁ ଓଡ଼ିଶାର କୈାଣସି ଗଣମାଧ୍ୟମ କିମ୍ବା ସାମ୍ବାଦିକର ଜିଭରେ ହାଡ଼ ନାହିଁ । ସାରା ଦେଶରେ ସବୁଠାରୁ ଖରାପ ବିଦ୍ୟୁତ୍ ବ୍ୟବସ୍ଥା ରହିଛି ବିଜେପି ଶାସିତ ଉତ୍ତରପ୍ରଦେଶରେ । କିନ୍ତୁ ସେମାନେ ଏଠାରେ ଆନ୍ଦୋଳନ କରୁଛନ୍ତି । ମିଡିଆ ସେମାନଙ୍କୁ ବେଶି କଭରେଜ ଦେଉଛି ।ତେଣୁ କେବଳ ଟାଟା ପାୱାରକୁ କାହିଁକି ଦୋଷ ଦିଆଯାଉଛି ? ଯେଉଁମାନେ ଏପରି କରୁଛନ୍ତି ସେମାନେ ଅମର ପଟ୍ଟନାୟକ ଓ ସୁବାସ ସିଂଙ୍କ ସହ ଛିଡ଼ା ହୁଅନ୍ତୁ, ଯେଉଁମାନେ ଅତି ଚାଲାକିରେ ନିଜ ସରକାରଙ୍କ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ବିରୋଧୀ ଭୁମିକା ହଡ଼ପ କରି ଟାଟା ପାୱାରକୁ ଦୋଷ ଦେଉଛନ୍ତିବୋଲି କହି ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।