ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପାର୍ବଣ ଭେଟି, ୪ % ମହଙ୍ଗା ଭତ୍ତା ବୃଦ୍ଧି କଲେ ଓଡ଼ିଶା ସରକାର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା କରାଯାଇଛି। ଏହାଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୨%ରୁ ୪୬%କୁ ବୃଦ୍ଧି ପାଇଛି। ଗତ ଜୁଲାଇ ପହିଲାରୁ ଏହା ପିଛିଲା ଭାବେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ନଭେମ୍ବର ମାସ ଦରମାରେ ନଗଦ ଆକାରରେ ମିଳିବ ବୋଲି ଜଣାପଡିଛି । ଏହା ସହିତ ପେନସନଭୋଗୀଙ୍କ ଟିଆଇରେ ମଧ୍ୟରେ ୪ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ନଭେମ୍ବର ମାସ ପେନସନରେ ଏହି ବର୍ଦ୍ଧିତ ଟିଆଇ ପାଇବେ। ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ସାଢ଼େ ୪ ଲକ୍ଷ ସରକାରୀ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ମାତ୍ର ଦୁଇ ଦିନ ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କ ଲାଗି ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରି ସାରିଛନ୍ତି। ଫଳରେ ତାହା ବର୍ତ୍ତମାନ ୪୨ %ରୁ ବୃଦ୍ଧି ପାଇ ୪୬ % ହୋଇଛି। ଏହି ନିଷ୍ପତ୍ତି ପିଛିଲା ଭାବେ ଚଳିତ ବର୍ଷ ଜୁଲାଇ ୧ରୁ ଲାଗୁ ହେବ। ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା ୪୮ ଲକ୍ଷ ୬୭ ହଜାରରୁ ଅଧିକ କର୍ମଚାରୀ ଏବଂ ୬୭ ଲକ୍ଷ ୯୫ ହଜାରରୁ ଅଧିକ ପେନ୍ସନ୍ଭୋଗୀ ଉପକୃତ ହେବେ। ସପ୍ତମ ବେତନ କମିସନ ସୁପାରିସ କରିଥିବା ଫର୍ମୁଲା ଆଧାରରେ ମହଙ୍ଗା ଭତ୍ତାରେ ବୃଦ୍ଧି କରାଯାଇଛି। ଶିଳ୍ପ ଶ୍ରମିକମାନଙ୍କ ଲାଗି ଜାରି ହେଉଥିବା ଉପଭୋକ୍ତା ମୂଲ୍ୟ ସୂଚୀ ଆଧାରରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ହିସାବ କରାଯାଇଛି ବୋଲି ଅର୍ଥ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।