‘କୃଷି ବଜେଟରେ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲା ଯାଇଛି ‘

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )କୃଷି ବିଭାଗ ମାନେ କ’ଣ କେବଳ ଧାନ ପାଇଁ ୮୦୦ ଟଙ୍କା ବୋନସ ଦେବା ? କୃଷି ବିଭାଗ ପାଇଁ କଣ ଆଉ କିଛି ଖର୍ଚ୍ଚ ନାହିଁ! ଚାଲନ୍ତୁ ଦେଖିବା, ଦୁଇ ବର୍ଷ ହେଲା ଧାନ ବୋନସକୁ ବାଦ୍ ଦେଇ ମୋହନ ସରକାର କୃଷି ବିଭାଗ ପାଇଁ କେତେ ଟଙ୍କା ବଜେଟରେ ବରାଦ କରୁଛନ୍ତି।
୨୦୨୪-୨୫ ପାଇଁ ପୂର୍ବ ସରକାର କୃଷି ବିଭାଗ ପାଇଁ ୨୮୯୪୪ କୋଟି ଟଙ୍କା ବରାଦ କରିଥିଲେ। ସେଥିରେ ଧାନ ବୋନସ ନ ଥିଲା। କିନ୍ତୁ ତାଙ୍କ ସରକାର ହାରିଗଲା, ମୋହନ ମାଝିଙ୍କ ସରକାର ଆସିଲା ।
ମୋହନବାବୁ ୨୦୨୪-୨୫ ପାଇଁ ସାନି ବଜେଟ ଆଗତ କଲେ । ସେଥିରେ ଧାନ ବୋନସ ଟଙ୍କାକୁ ବାଦ୍ ଦେଲେ , କୃଷି ବିଭାଗ ପାଇଁ ୨୮୯୧୯ କୋଟି ଟଙ୍କା ବରାଦ କଲେ। ତେଣୁ ପ୍ରକୃତରେ କୃଷି ବଜେଟ କମିଗଲା। ପୁଣି ବଜେଟର ସାଇଜ଼ ବଢିବା ସତ୍ତ୍ୱେ କୃଷି ପାଇଁ ବଜେଟ କମିଗଲା ।
ଏବେ ଆସନ୍ତୁ ୨୦୨୫-୨୬ ପାଇଁ ଗତକାଲି ଆଗତ ହୋଇଥିବା ବଜେଟକୁ । ଏଥର ସରକାର କୃଷି ବିଭାଗ ପାଇଁ ମୋଟ ୩୭୮୩୮ କୋଟି ଟଙ୍କା ବରାଦ କରିଛନ୍ତି। ସେଥିରେ ଧାନ ବୋନସ କେତେ ଅଛି ନିର୍ଦ୍ଧିଷ୍ଟ ଭାବେ ଜଣା ପଡ଼ୁ ନାହିଁ। ଧରାଯାଉ ଗତବର୍ଷ ଭଳି ଏବର୍ଷ ବି ଏଥିପାଇଁ ସେହି ୫୦୦୦ କୋଟି ଟଙ୍କା ବରାଦ ହୋଇଛି। ତେଣୁ ବୋନସକୁ ବାଦ୍ ଦେଲେ କୃଷି ପାଇଁ ଏଥର ୩୨୮୩୮ କୋଟି ଟଙ୍କା ବରାଦ ହୋଇଛି।
ଆମେ ଦେଖିଲେ, ବୋନସକୁ ବାଦ୍ ଦେଲେ, ୨୦୨୪-୨୫ ପାଇଁ ପୂର୍ବ ସରକାରଙ୍କ କୃଷି ବଜେଟ ୨୮୯୪୪ କୋଟି ଟଙ୍କା ଥିଲା । ଆସନ୍ତା ବର୍ଷ ପାଇଁ ତାହା ହେଲା ୩୨୮୩୮ କୋଟି ଟଙ୍କା। ବଢିଲା ୩୨୮୩୮-୨୮୯୪୪ = ୩୮୯୪ କୋଟି ଟଙ୍କା ବା ୧୩.୪୫% । ଦୁଇ ବର୍ଷରେ ।
ବଜେଟର ସାଇଜ଼ ଯେଉଁ ଅନୁପାତରେ ବଢ଼ିଛି, ମାଇନସ୍ ବୋନସ କୃଷି ବଜେଟ ସେହି ଅନୁପାତରେ ବଢ଼ିଛି ତ ?
୨୦୨୪-୨୫ ପାଇଁ ପୂର୍ବ ସରକାରଙ୍କ ମୋଟ ବଜେଟ ୨,୫୫,୦୦୦ କୋଟି ଟଙ୍କା ଥିଲା । ଆସନ୍ତା ବର୍ଷ ପାଇଁ ବଜେଟର ସାଇଜ଼ ୨,୯୦,୦୦୦ କୋଟି ହେଲା । ତେଣୁ ବଢିଲା ୨୯୦୦୦୦-୨୫୫୦୦୦ = ୩୫୦୦୦ କୋଟି ଟଙ୍କା ବା ୧୩.୭୨% ।
ଯଦି କୃଷି ବଜେଟ ପୂର୍ବ ସରକାରଙ୍କ ଠାରୁ ସେହି ୧୩.୭୨% ବଢିଥାନ୍ତା ତେବେ ଆସନ୍ତା ବର୍ଷ ପାଇଁ ତାହା ୩୨୯୧୫ କୋଟି ଟଙ୍କା ହୋଇଥାନ୍ତା। କିନ୍ତୁ ଆସନ୍ତା ବର୍ଷ ପାଇଁ ମୋହନ ସରକାର କୃଷି ପାଇଁ ୩୨,୮୩୮ କୋଟି ଟଙ୍କା ବରାଦ କରିଛନ୍ତି। ମନେରଖନ୍ତୁ,ଏହି ହିସାବରେ ଧାନ ବୋନସ ବାଦ୍ ରଖା ଯାଇଛି l କେବଳ ଧାନ ବୋନସ ଦେଲେ ତ କୃଷି ଉନ୍ନତି କରିବ ନାହିଁ ନା ? ଆଉ ସବୁ କାର୍ଯ୍ୟକ୍ରମ ଅଛି।
ଏଇ ଧରି ନିଅନ୍ତୁ ଇନ୍ ଷ୍ଟ୍ରିମ୍ ଷ୍ଟୋରେଜ ଜଳସେଚନ ଯୋଜନା। ଏଥିପାଇଁ ପୂର୍ବ ବର୍ଷରୁ ଟଙ୍କା ବରାଦ କରି ଆସୁଥିଲେ। ଦୁଇଟି ଦଫାରେ ୪୬ଟି ଷ୍ଟ୍ରକଚର୍ କାମ ହାତକୁ ନିଆ ଯାଇଥିଲା। ୨୦୨୪-୨୫ ପାଇଁ ଆଉ ୨୫ଟିର କାମ ଆରମ୍ଭ ପାଇଁ ୮୬୦ କୋଟି ଟଙ୍କା ବରାଦ କରିଥିଲେ। ଏହା ଏକ ବହୁତ ବଢିଆ ଯୋଜନା। କିନ୍ତୁ ମୋହନ ସରକାର ଆସିବା ପରେ ଏଥିପାଇଁ ଅର୍ଥବରାଦ କମାଇ ୮୧୬ କୋଟି ଟଙ୍କା କରିଦେଲେ। ହଉ ହେଲା। ତେବେ ଗତବର୍ଷ ସେଥିରେ କ’ଣ ଅଗ୍ରଗତି ହୋଇଛି ତାହା ଆର୍ଥିକ ସର୍ଭେ ରିପୋର୍ଟରେ କାହିଁକି ଉଲ୍ଲେଖ ନାହିଁ।