ରାଜଧାନୀରେ ଉଠିଲା ଓଡ଼ିଶା ନାରୀ ନିର୍ଯ୍ୟାତନାର ସ୍ୱର

ଭୁବନେଶ୍ୱର : ଏଆଇସିସି ନିଜର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗୋପାଳପୁର ପଠାଇବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ସଭାପତି ଶ୍ରୀ ଖଡଗେ ଏହି ଟିମ୍ ଗଠନ କରିବା ସହ ସରଜମିନ୍ ଯାଞ୍ଚ କରି ନିଜର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଂଯୋଜକ ଭାବେ ଦୀପା ଦାସମୁନସୀଙ୍କ ସମେତ ସାଂସଦ ରଞ୍ଜିତ୍ ରଞ୍ଜନ, ପ୍ରଣତୀ ସିନ୍ଧେ, ଏସ. ଜ୍ୟୋତିମଣି ଏବଂ ମହିଳା ଅଧିକାର ନେତ୍ରୀ ଶୋଭା ଓଝା ସାମିଲ ଅଛନ୍ତି । ଏହି ଟିମ୍ ଘଟଣାସ୍ଥଳ ପରିଦର୍ଶନ, ସ୍ଥାନୀୟ କର୍ତ୍ତୃପକ୍ଷ ଓ ପୀଡ଼ିତାଙ୍କ ପରିବାର ସହ ଆଲୋଚନା କରି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବ । ଏହି ରିପୋର୍ଟରେ ଗଣଦୁଷ୍କର୍ମ ଘଟଣା ସମେତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ମହିଳା ସୁରକ୍ଷା ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ ବୋଲି ଜଣାପଡ଼ିଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଓଡ଼ିଶାରେ ପ୍ରଚାର କରନ୍ତି ଏବଂ ଅଧା ଜନସଂଖ୍ୟାକୁ ସୁରକ୍ଷାର ମିଛ ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ଭୋଟ ପାଆନ୍ତି । କିନ୍ତୁ ଯଦି ଓଡ଼ିଶାର ୧୧ ମାସର ରିପୋର୍ଟ କାର୍ଡକୁ ଦେଖନ୍ତି, ତେବେ ଆପଣ ଏହା ଦେଖିବେ ଯେ ପ୍ରତିଦିନ ସେଠାରେ ୧୫ଟି ବଳାତ୍କାର ମାମଲା ରିପୋର୍ଟ ହେଉଛି, ୧୦ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪,୫୦୦ ଝିଅ ନ୍ୟାୟ ପାଇଁ ନିବେଦନ କରୁଛନ୍ତି । ୧୧ ମାସରେ ରାଜ୍ୟର ୨୮,୦୦୦ ମହିଳା ଏବଂ ଝିଅ ଦୁଷ୍କର୍ମର ଶିକାର ହେଉଛନ୍ତି ବୋଲି ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା କହିବା ସହିତ ଅପରାଧିମାନେ ଏତେ ସାହାସ କେଉଁଠାରୁ ପାଆନ୍ତି ବୋଲି ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି । ସେହିପରି ବିଧାୟକ ସୋଫିଆ ପିର୍ଦ୍ଦୋଶ କହିଛନ୍ତି ଓଡ଼ିଶାର ଭଦ୍ରକର ହସ୍ପିଟାଲର ଜଣେ ନର୍ସ ତାଙ୍କ ସହିତ ହେଉଥିବା ଯୌନ ନିର୍ଯ୍ୟାତନା ଏବଂ ବଳାତ୍କାର ବିଷୟରେ କହିଛନ୍ତି ଏବଂ ନ୍ୟାୟ ମାଗୁଛନ୍ତି । ବାଲେଶ୍ୱରରେ ଜଣେ ନାବାଳିକା ଝିଅକୁ ବଳାତ୍କାର ଏବଂ ହତ୍ୟା କରାଯାଇଥିଲା । ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲ୍ଲାରେ ପ୍ରତିଦିନ ୭ ଜଣ ମହିଳାଙ୍କୁ କାମନାର ଶିକାର କରାଯାଉଛି । ଓଡ଼ିଶାର ୩୬,୦୦୦ ମହିଳା ଏବଂ ୮,୪୦୦ ଝିଅ ନିଖୋଜ ଅଛନ୍ତି ।
ଏପରି ପରିସ୍ଥିତିରେ ପ୍ରଶ୍ନ ହେଉଛି ଯେ ସରକାର ଏପର୍ଯ୍ୟନ୍ତ କେତେ ମହିଳା ଏବଂ ଝିଅଙ୍କୁ ଫେରାଇ ଆଣିପାରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ୧୧ ମାସ ମଧ୍ୟରେ ୨୮,୦୦୦ ମହିଳାଙ୍କୁ ଅପରାଧାର ଶିକାର କରାଯାଇଛି । ଏପରି ପରିସ୍ଥିତିରେ ଏହି ମହିଳାମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିଛି ବୋଲି ଶ୍ରୀମତୀ ଫିର୍ଦ୍ଦୋଶ ପ୍ରଶ୍ନ କରିଛନ୍ତି । ଶ୍ରୀମତୀ ଫିର୍ଦ୍ଦୋଶ ଗୋପାଳପୁର ଗଣବଳାତ୍କାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ହରିଚନ୍ଦନପୁରରେ ଏକ ମହିଳାକୁ ଧର୍ଷଣ କରି ହତ୍ୟା ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଆମେ ଗତ ବିଧାନସଭାରେ ପଚାରିଥିଲୁ ଯେ ନୂତନ ସରକାର ଆସିବା ପରଠାରୁ ମହିଳା ବିରୋଧି ଅପରାଧର କେତେ ମାମଲା ପଞ୍ଜୀକୃତ ହୋଇଛି? ଉତ୍ତର ବହୁତ ଆଶ୍ଚର୍ଯ୍ୟଜନକ ଥିଲା । ନୂତନ ବିଜେପି ସରକାର ଗଠନ ହେବା ପରେ, ଓଡ଼ିଶାରେ ୧୮୦୦୧ ମାମଲା ପଞ୍ଜିକୃତ ହୋଇଛି, ଯାହା ମଧ୍ୟରୁ କେବଳ ୨୧୭ ମାମଲା ଫଇସଲା ହୋଇଛି । ଯେତେବେଳେ କୌଣସି ଘଟଣା ଘଟେ, କେବଳ ଗୋଟିଏ ସ୍ୱର ଉଠେ ଯେ ତଦନ୍ତ ଚାଲିଛି, କିନ୍ତୁ ଗତ ୧୨ ମାସ ମଧ୍ୟରେ ଗୋଟିଏ ବି ତଦନ୍ତ ରିପୋର୍ଟ ବାହାରି ନାହିଁ । ସବୁପରେ ପୋଲିସ ବିଭାଗର ତ୍ରୁୂଟି କାହିଁକି ସଂଶୋଧନ ହେଉନାହିଁ? ଏପରି ପରିସ୍ଥିତିରେ ମଧ୍ୟ, କ୍ୟାବିନେଟରେ ଗୋଟିଏ ମଧ୍ୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇନାହିଁ । ଯଦି ସରକାର କୌଣସି ଠୋସ୍ ପଦକ୍ଷେପ ନ ନିଅନ୍ତି, ତେବେ ଏହି ଅପରାଧ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । କଂଗ୍ରେସ ଦଳ ଓଡ଼ିଶା ବିଧାନସଭା ଭିତରେ ନିରନ୍ତର ସ୍ୱର ଉଠାଇ ଆସୁଛି ଯେ ଏକ ଗୃହ କମିଟି ଗଠନ କରାଯିବା ଉଚିତ । ରାଜ୍ୟରେ ବିଜେପି ସରକାର ଗଠନ ହେବାର ୮ ମାସ ମଧ୍ୟରେ ପ୍ରାୟ ୧,୭୦୦ ବଳାତ୍କାର ମାମଲା ସାମ୍ମାନକୁ ଆସିଥିଲା, କିନ୍ତୁ ଆମ ସ୍ୱର ଶୁଣାଯାଇ ନଥିଲା । ଯେତେବେଳେ ଆମ ସ୍ୱର ଉଠାଇଲୁ, ବାଚସ୍ପତି ମ୍ୟାଡାମ ଆମର ୧୪ ଜଣ ସହକର୍ମୀଙ୍କୁ ଗୃହରୁ ନିଲମ୍ବନ କରିଥିଲେ । ଯେତେବେଳେ ଆମେ ପ୍ରତିବାଦରେ ଘେରାଉ କଲୁ, ମୁଖ୍ୟମନ୍ତ୍ରୀ କହିଲେ ଏପରି କ’ଣ ହୋଇଛି ଯେ ଏକ ଗୃହ କମିଟି ଗଠନ କରାଯିବା ଉଚିତ? ପ୍ରତିଦିନ ଓଡ଼ିଶାରେ ମହିଳା ବିରୋଧି ଅପରାଧର ୧୫ଟି ମାମଲା ରିପୋର୍ଟ ହେଉଛି । ସରକାରୀ ମନ୍ତ୍ରୀ ନିଜେ କହିଛନ୍ତି ଯେ ଗୋଟିଏ ବର୍ଷରେ ମହିଳା ବିରୋଧି ଅପରାଧର ୨୮,୦୦୦ ମାମଲା ରିପୋର୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ଯେ ୨୦୨୪ ମସିହାରେ ଓଡ଼ିଶା ରାଜ୍ୟରେ ବଳାତ୍କାର ମାମଲାରେ ୮% ବୃଦ୍ଧି ଘଟିଛି ।
ଓଡ଼ିଶାର ଏକ ପ୍ରକାର ଅନ୍ଧକାର ବ୍ୟାପିଛି ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଛନ୍ତି । ସେ କହିଛନ୍ତି ରାଜ୍ୟର ମହିଳାମାନଙ୍କୁ ସୁରକ୍ଷାର ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ଆଜି ଏଠାକାର ମହିଳାମାନଙ୍କୁ ଅନ୍ଧାର ଭିତରକୁ ଠେଲି ଦିଆଯାଇଛି । ମହିଳା ସଶକ୍ତିକରଣ ଓଡ଼ିଶାର ପରିଚୟ । ଏଠାରେ ‘ରଜ ପର୍ବ’ ମହିଳାମାନଙ୍କର ପ୍ରଜନନ ଏବଂ ଶକ୍ତିକୁ ଉତ୍ସର୍ଗୀକୃତ କରି ପାଳନ କରାଯାଏ । କିନ୍ତୁ ଦୁଃଖର ବିଷୟ ରଜ ପର୍ବ ସମୟରେ ଆମ ରାଜ୍ୟରେ ୩ଟି ଗଣଦୁଷ୍କର୍ମ ଘଟଣା ଘଟିଛି । ଗୋପାଳପୁରରେ ଯେତେବେଳେ ଜଣେ ଝିଅ ବନ୍ଧୁଙ୍କ ସହିତ ରଜ ପର୍ବ ଦିନ ବେଳାଭୂମିକୁ ଯାଏ, ସେଠାରେ ୧୦ ଜଣ ଲୋକ ତାଙ୍କୁ ଗଣଦୁଷ୍କର୍ମ କରନ୍ତି । ଏପରି ପରିସ୍ଥିତିରେ ଓଡ଼ିଶାର ପ୍ରତ୍ୟେକ ଝିଅଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଥାଏ ଯେ ଆମେ କେବେ ନ୍ୟାୟ ପାଇବୁ? ଓଡ଼ିଶା ଭିତରେ ଘଟୁଥିବା ଘଟଣାଗୁଡ଼ଇକ ଅତ୍ୟନ୍ତ ଚିନ୍ତାଜନକ ବୋଲି ଶ୍ରୀମତୀ ବାହିନୀପତି କହିଛନ୍ତି । ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ୧ ବର୍ଷ ବିତିଗଲାଣି । କିନ୍ତୁ ଏହି ଗୋଟିଏ ବର୍ଷ ଓଡ଼ିଶାର ଭଉଣୀ, ଝିଅ ଏବଂ ମହିଳାଙ୍କ ପାଇଁ ବହୁତ ବିପଦପୂର୍ଣ୍ଣ ଏବଂ ଭୟଙ୍କର ହୋଇଛି । ଓଡ଼ିଶାର ବିଜେପି ସରକାର ଅଧିନୀରେ ମହିଳାଙ୍କ ବିରୁଦ୍ଧରେ ବଳାତ୍କାର ଏବଂ ହତ୍ୟା ଭଳି ଅପରାଧ ବୃଦ୍ଧି ପାଉଛି । ଉଦାହରଣ ସ୍ୱରୂପ, ପର୍ଯ୍ୟଟକଙ୍କ ସହିତ ସମ୍ପ୍ରତି ଘଟିଥିବା ଗଣଦୁଷ୍କର୍ମ ଲଜ୍ଜାଜନକ । ଏହି ପ୍ରସଙ୍ଗରେ ଓଡ଼ିଶାର ମହିଳା କଂଗ୍ରେସର ମହିଳାମାନେ ଏକାଠି ହୋଇ ବିଧାନସଭା ଘେରାଉ କରିଥିଲୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ପରିସ୍ଥିତି ବିଷୟରେ ଅବଗତ କରାଇଥିଲୁ ।